Advertisment

ଜୈସୱାଲଙ୍କ ମୁମ୍ବାଇ ଛାଡ଼ିବା ପଛର କାରଣ କ’ଣ? ଭଲ ସୁଯୋଗ ନା ରାହାଣେଙ୍କ ସହ ବିବାଦ?

ଣିକି ଜୈୱାଲ ଗୋଆ ପାଇଁ ରଣଜୀ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଘରୋଇ କ୍ରିକେଟ ଖେଳିବେ। ୨୦୨୫-୨୬ ସିଜିନରେ ସେ ଗୋଆ ପାଇଁ ଖେଳି ପାରନ୍ତି ଓ ଘରୋଇ ଟିମର ନେତୃତ୍ୱ ମଧ୍ୟ ତାଙ୍କୁ ମିଳିପାରେ।

Yashasvi Jaiswal

Yashasvi Jaiswal

Advertisment

ଭାରତୀୟ ଟେଷ୍ଟ ଟିମର ଯୁବ ଓପନର ଯଶସ୍ୱୀ ଜୈସୱାଲ ହଠାତ ମୁମ୍ବାଇ ଛାଡ଼ି ଗୋଆ ପକ୍ଷରୁ ଘରୋଇ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେବା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ବୁଧବାର ଠାରୁ ଜୈସୱାଲଙ୍କ ଏପରି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ଗୋଆ ପାଇଁ ମୁମ୍ବାଇ ଛାଡ଼ିବାକୁ ଚାହୁଁଥିବା କଥା କହି ସେ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ମଙ୍ଗଳବାର ଚିଠି ଲେଖିଥିଲେ।

Advertisment

ଚିଠି ପାଇବା ପରେ ମୁମ୍ବାଇ କ୍ରିକେଟ ଆସୋସିଏସନ ଜୈସୱାଲଙ୍କୁ ମୁକ୍ତ କରି ଦେଇଛନ୍ତି। ଏହାର ଅର୍ଥ ଏଣିକି ଜୈୱାଲ ଗୋଆ ପାଇଁ ରଣଜୀ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଘରୋଇ କ୍ରିକେଟ ଖେଳିବେ। ୨୦୨୫-୨୬ ସିଜିନରେ ସେ ଗୋଆ ପାଇଁ ଖେଳି ପାରନ୍ତି ଓ ଘରୋଇ ଟିମର ନେତୃତ୍ୱ ମଧ୍ୟ ତାଙ୍କୁ ମିଳିପାରେ। କିନ୍ତୁ ସେ ନିଜ ରାଜ୍ୟ ଟିମକୁ କେତେ ସମୟ ଦେଇ ପାରୁଛନ୍ତି, ତା’ ମଧ୍ୟ ବଡ଼ ପ୍ରଶ୍ନ। କାରଣ ଚଳିତ କ୍ୟାଲେଣ୍ଡର ବର୍ଷରେ ଜୈସୱାଲଙ୍କୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଅଛି।

ଗୋଟିଏ ସାକ୍ଷାତକାରରେ ଜୈସୱାଲ ଗୋଆ ଚାଲିଯିବା ପଛରେ ନୂଆ ସୁଯୋଗ ରହିଥିବା କହିଛନ୍ତି। ସେ କହିଛନ୍ତି, “ଏହା ମୋ ପାଇଁ ଗୋଟିଏ କଠିନ ନିଷ୍ପତ୍ତି ଥିଲା। ଆଜି ମୁଁ ଯାହା ବି ପାଇଛି, ସେସବୁ ମୁମ୍ବାଇ ପାଇଁ। ଏହି ସହର ମୋତେ ଗଢ଼ିଛି। ମୁଁ ମୋ ପୂରା ଜୀବନରେ ଏମସିଏର ଋଣୀ ହୋଇ ରହିବି। କିନ୍ତୁ ଗୋଆ ମୋତେ ନୂଆ ସୁଯୋଗର ପ୍ରସ୍ତାବ ଦେଇଥିଲେ। ଗୋଆ ପକ୍ଷରୁ ମଧ୍ୟ ନେତୃତ୍ୱ ନେବାର ପ୍ରସ୍ତାବ ମିଳିଛି। ମୋର ପ୍ରଥମ ଲକ୍ଷ୍ୟ ହେଲା ଭାରତ ପାଇଁ ଭଲ କରିବା। ଯେତେବେଳେ ମୁଁ ଜାତୀୟ ଟିମରେ ନଥିବି ସେତେବେଳେ ନିଶ୍ଚିତ ଗୋଆ ପାଇଁ ଖେଳିବି। ଏଥିସହ ଦଳକୁ ଟୁର୍ଣ୍ଣାମେଣ୍ଟରେ ଆଗକୁ ନେବାକୁ ଚେଷ୍ଟା କରିବି। ମୋ ରାସ୍ତାରେ ଗୋଟିଏ ବଡ଼ ସୁଯୋଗ ରହିଛି। ଏଥିପାଇଁ ମୁଁ ବେଶ ଉତ୍ସାହିତ।”

Advertisment

ଜୈସୱାଲ ମୁମ୍ବାଇ ଛାଡ଼ିବା ପଛରେ ନୂଆ ସୁଯୋଗ ରହିଥିବା କହୁଥିଲେ ହେଁ ଗୋଟିଏ ରିପୋର୍ଟରେ ସାଂଘାତିକ କଥା ଦାବି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ମୁମ୍ବାଇ ଟିମର ନେତୃବୃନ୍ଦ ସବୁ ପ୍ରସଙ୍ଗରେ ଜୈସୱାଲଙ୍କୁ ଆକଟ କରୁଥିବାରୁ ସେ ରାଜ୍ୟ ପକ୍ଷରୁ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇର ପ୍ରଥମ ଶ୍ରେଣୀ କ୍ରିକେଟ ଟିମର କ୍ୟାପ୍ଟେନ ତଥା ଭେଟରାନ ବ୍ୟାଟର ଅଜିଙ୍କ୍ୟ ରାହାଣେ ଓ ଜୈସୱାଲଙ୍କ ସମ୍ପର୍କରେ ତିକ୍ତତା ଲାଗି ରହିଛି।

ଦୁଇ ଜଣଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ୨୦୨୨ରୁ ଆରମ୍ଭ ହୋଇଛି। ଗୋଟିଏ ମ୍ୟାଚ୍‌ରେ ପ୍ରତିପକ୍ଷ ଖେଳାଳିଙ୍କୁ ଜୈସୱାଲ ପଡ଼ିଆରେ ନିୟମିତ ସ୍ଲେଜିଂ କରିଥିଲେ। ଏଥିରେ ରାଗି ଯାଇ ମ୍ୟାଚ୍‌ ଅଧାରୁ ଅଧିନାୟକ ହିସାବରେ ରାହାଣେ ପ୍ରଥମେ ଜୈସୱାଲଙ୍କୁ ଆକଟ କରିଥିଲେ। ଏହାପରେ ତାଙ୍କୁ ପଡ଼ିଆରୁ ବାହାର କରି ଦେଇଥିଲେ। ଉକ୍ତ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଜୈସୱାଲ ୩୨୩ ବଲରେ ୨୬୫ ରନର ଇନିଂସ ଖେଳିଥିଲେ। ହେଲେ ୱେଷ୍ଟ ଜୋନର ଅଧିନାୟକ ରାହାଣେ ମ୍ୟାଚ୍‌ର ଶେଷ ଦିନରେ ଜୈସୱାଲ ଦକ୍ଷିଣ ଜୋନର ବ୍ୟାଟର ରବି ତେଜାଙ୍କୁ ସ୍ଲେଜିଂ କରିବାରୁ ତାଙ୍କୁ ପଡ଼ିଆରୁ ବିଦା କରିଥିଲେ। ଏହାକୁ ନେଇ ଜୈସୱାଲ ଓ ରାହାଣେଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।

ରିପୋର୍ଟରେ ଆହୁରି ଦାବି କରାଯାଇଛି ଯେ ଜୈସୱାଲଙ୍କ ଶଟ ଚୟନକୁ ନେଇ ତାଙ୍କୁ ଅଧିନାୟକ ଓ ଟିମ ମ୍ୟାନେଜମେଣ୍ଟ ନିୟମିତ ପ୍ରଶ୍ନ କରୁଛନ୍ତି। ମୁମ୍ବାଇ ବନାମ ଜମ୍ମୁ-କଶ୍ମୀର ରଣଜୀ ମ୍ୟାଚ୍‌ ବେଳେ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା। ମ୍ୟାଚ୍‌ରେ ଜୈସୱାଲ ଫାଲୁତ ଶଟ ଖେଳିଥିବାରୁ ତାଙ୍କୁ ମୁମ୍ବାଇ କୋଚ ଓମକାର ସାଲଭି ପ୍ରଶ୍ନ କରିଥିଲେ। ଏଥିରେ ରାଗି ଯାଇ ଜୈସୱାଲ ସର୍ବସମ୍ମୁଖରେ ରାହାଣେଙ୍କ କିଟ୍‌ ବ୍ୟାଗକୁ ଗୋଇଠା ମାରି ଚାଲି ଯାଇଥିଲେ।

ମୁମ୍ବାଇ ଉକ୍ତ ମ୍ୟାଚ୍‌ରେ ସଂଘର୍ଷ କରୁଥିବା ବେଳେ ଜୈସୱାଲ ୱିକେଟ ଫିଙ୍ଗି ଦେଇଥିଲେ। କ୍ୟାପ୍ଟେନ ହିସାବରେ ରାହାଣେ ଓ କୋଚ ସାଲଭି ତାଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ସେ ଏହାକୁ ସକାରାତ୍ମକ ଢଙ୍ଗରେ ଗ୍ରହଣ କରି ନଥିଲେ। ପିଟିଆଇ ରିପୋର୍ଟରେ ମଧ୍ୟ ଜୈସୱାଲଙ୍କ ସହ ଜଣେ ସିନିୟର ଖେଳାଳିଙ୍କ ତିକ୍ତଥା କଥା ବି ଉଲ୍ଲେଖ କରାଯାଇଛି। ସମ୍ଭବତଃ ଉକ୍ତ ସିନିୟର ଖେଳାଳି ଜଣଙ୍କ ହେଉଛନ୍ତି ରାହାଣେ। ମୁମ୍ବାଇ ଅଧିନାୟକ ଓ ମ୍ୟାନେଜମେଣ୍ଟ ସହ ଜୈସୱାଲଙ୍କ ତିକ୍ତତା ଲାଗି ଥିବାରୁ ସେ ଗୋଆ ଚାଲି ଯାଇଥିବା ଏହି ରିପୋର୍ଟରେ କୁହାଯାଇଛି।

Mumbai Ajinkya Rahane Goa Ranji Trophy Yashasvi Jaiswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe