Advertisment

ଆଇସିସି ରାଙ୍କିଙ୍ଗ: କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ଯଶସ୍ୱୀ ଜୈସୱାଲ

ଇଂଲଣ୍ଡ ବିପକ୍ଷ ରାଜକୋଟ ଟେଷ୍ଟରେ ସେ ୨୧୪ ରନର ଇନିଂସ ଖେଳିଥିଲେ।

author-image
Hemant Lenka
Yashasvi Jaiswal

Yashasvi Jaiswal

ଟିମ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସୱାଲ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜ ଜଲୱା ଦେଖା ଚାଲିଛନ୍ତି। ଇଂଲଣ୍ଡ ବିପକ୍ଷ ରାଜକୋଟ ଟେଷ୍ଟରେ ସେ ୨୧୪ ରନର ଇନିଂସ ଖେଳିଥିଲେ। ଏହି ଇନିଂସ ପରେ ସେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment

ଇଂଲଣ୍ଡ ବିପକ୍ଷରେ କ୍ରମାଗତ ଡବଲ ଟନ୍‌ ହାସଲ କରି ଯଶସ୍ୱୀ ଜୈସୱାଲ ନୂଆ ରେକର୍ଡର ଅଧିକାରୀ ହୋଇଥିଲେ। ସେ ବିନୋଦ କାମ୍ବଲି ଓ ବିରାଟ କୋହଲିଙ୍କ କ୍ଲବରେ ନିଜକୁ ସାମିଲ କରିଛନ୍ତି।

ଇଂଲଣ୍ଡ ବିପକ୍ଷରେ ଯଶସ୍ୱୀଙ୍କ ଡବଲ ଟନ୍‌ରେ ଭାରତ କେବଳ ଜିତି ନାହିଁ ବରଂ ସେ ବ୍ୟକ୍ତିଗତ ଭାବେ ଆଇସିସି ପୁରୁଷ ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ସଫଳତା ହାସଲ କରିଛନ୍ତି। ସେ ୧୪ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୧୫ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ ରାଙ୍କିଙ୍ଗ।

Advertisment

ଏଯାଏ ୬ଟି ଇନିଂସରେ ୫୪୫ ରନ କରିଥିବା ଯଶସ୍ୱୀ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ମଧ୍ୟ ଏକାଧିକ ରେକର୍ଡ ଭାଙ୍ଗିବାର ସୁଯୋଗ ପାଇବେ।

ସୁନୀଲ ଗାଭାସ୍କର ଏକମାତ୍ର ବ୍ୟାଟର ଭାବେ କୌଣସି ସିରିଜରେ ୭୦୦ କିମ୍ବା ତା’ ଠାରୁ ଅଧିକ ରନ କରିଛନ୍ତି। ଏବେ ଭାରତର ଦ୍ୱିତୀୟ ବ୍ୟାଟର ଭାବେ ଏପରି କୀର୍ତ୍ତିମାନ ହାସଲ କରିବା ପାଇଁ ଯଶସ୍ୱୀଙ୍କ ପାଖରେ ସୁଯୋଗ ରହିଛି। ସେହିପରି ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜରେ ସର୍ବାଧିକ ରନହାସଲକାରୀ କ୍ରିକେଟର ମାମଲାରେ ସେ ବିରାଟ କୋହଲିଙ୍କୁ ମଧ୍ୟ ଟପିବାର ସୁଯୋଗ ରହିଛି।

ତୃତୀୟ ଟେଷ୍ଟରେ ମ୍ୟାନ ଅଫ ଦି ମ୍ୟାଚ୍‌ ହାତେଇଥିବା ରବୀନ୍ଦ୍ର ଜାଡେଜା ବି ୩୪ଟି ସ୍ଥାନ ଉପରକୁ ଉଠି ୪୧ ନଂରେ ପହଞ୍ଚି ଯାଇଛନ୍ତି। ବ୍ୟାଟିଂରେ ଜାଡେଜା ୧୧୨ ରନ ଓ ବୋଲିଂରେ ୭ ୱିକେଟ (ପ୍ରଥମ ଇନିଂସରେ ୨ଟି ଓ ଦ୍ୱିତୀୟ ଇନିଂସରେ ୫ଟି) ନେଇଥିଲେ।

ତେଣୁ ବୋଲିଂ ରାଙ୍କିଙ୍ଗରେ ସେ ୩ଟି ସ୍ଥାନ ଉପରକୁ ଉଠି ୬ନଂରେ ପହଞ୍ଚି ଯାଇଛନ୍ତି। ପୂର୍ବଭଳି ଜାଡେଜା ଅଲରାଉଣ୍ଡର ରାଙ୍କିଙ୍ଗର ୧ନଂ ସ୍ଥାନରେ ୪୬୯ ପଏଣ୍ଟ ସହ ଦୃଢ଼ ଭାବେ ରହିଛନ୍ତି।

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ରାଙ୍କିଙ୍ଗର ୧୨ନଂ ସ୍ଥାନରେ ଅଛନ୍ତି। ବିରାଟ କୋହଲି ଟେଷ୍ଟ ସିରିଜ ଖେଳୁ ନଥିଲେ ହେଁ ପୂର୍ବଭଳି ରାଙ୍କିଙ୍ଗର ୭ନଂ ସ୍ଥାନରେ ରହିଛନ୍ତି।

ବୋଲିଂ ରାଙ୍କିଙ୍ଗର ଟପ ୧ରେ ଯଶପ୍ରୀତ ବୁମ୍ରା ଓ ଦ୍ୱିତୀୟ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ ରହିଛନ୍ତି। ଅଶ୍ୱିନ ଗତ ସପ୍ତାହରେ ୩ନଂ ସ୍ଥାନରେ ଥିଲେ। କିନ୍ତୁ ସେ ଇଂଲଣ୍ଡ ବିପକ୍ଷ ପ୍ରଦର୍ଶନ ପରେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି।

ICC Yashasvi Jaiswal ICC Ranking