Advertisment

୨ ନମ୍ବର ସ୍ଥାନକୁ ଉଠିଲେ ଯଶସ୍ୱୀ ଜୈସୱାଲ

୧୬୧ ରନର ଇନିଂସ ପରେ ଯଶସ୍ୱୀ ରାଙ୍କିଙ୍ଗରେ ୨ଟି ସ୍ଥାନ ଉପରକୁ ଉଠିଛନ୍ତି ଓ କ୍ୟାରିୟରର ଶ୍ରେଷ୍ଠ ରେଟିଂ ୮୨୫ ପଏଣ୍ଟ ହାସଲ କରିଛନ୍ତି।

author-image
Hemant Lenka
Yashasvi Jaiswal

Yashasvi Jaiswal

ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଟିମର ଓପନର ଯଶସ୍ୱୀ ଜୈସୱାଲଙ୍କୁ ବଡ଼ ସଫଳତା ମିଳିଛି। ସେ ଏବେ ରାଙ୍କିଙ୍ଗର ୨ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟରେ ଦମଦାର ଶତକ ମାରିବା ପରେ ଯଶସ୍ୱୀଙ୍କ ରାଙ୍କିଙ୍ଗରେ ଉନ୍ନତି ଆସିଛି। ଅବଶ୍ୟ ଶତକ ପାଇଁ ଯଶସ୍ୱୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳି ନଥିଲା। କିନ୍ତୁ ଭାରତର ୨୯୫ ରନର ବିଶାଳ ବିଜୟରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା।

୧୬୧ ରନର ଇନିଂସ ପରେ ଯଶସ୍ୱୀ ରାଙ୍କିଙ୍ଗରେ ୨ଟି ସ୍ଥାନ ଉପରକୁ ଉଠିଛନ୍ତି ଓ କ୍ୟାରିୟରର ଶ୍ରେଷ୍ଠ ରେଟିଂ ୮୨୫ ପଏଣ୍ଟ ହାସଲ କରିଛନ୍ତି। ତାଙ୍କ ଉପରେ ଏବେ ୯୦୩ ରେଟିଂ ପଏଣ୍ଟ ସହ ଇଂଲଣ୍ଡର ଜୋ ରୁଟ ରହିଛନ୍ତି।

Advertisment

ଯଶସ୍ୱୀ ଅଷ୍ଟ୍ରେଲିଆ ବିପକ୍ଷରେ ୧୫ଟି ଚୌକା ଓ ୩ଟି ଛକା ବଳରେ ୧୬୧ ରନର ଇନିଂସ ଖେଳିଥିଲେ। ଏଥିସହ କେଏଲ ରାହୁଲଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ରେକର୍ଡ ୨୦୧ ରନ ଭାଗିଦାରୀ କରିଥିଲେ। ୨୦୨୪ ବର୍ଷ ଯଶସ୍ୱୀଙ୍କ ପାଇଁ ବେଶ ଚମତ୍କାର ରହିଛି। ୨୨ ବର୍ଷୀୟ ଯଶସ୍ୱୀ ୧୨ଟି ଟେଷ୍ଟରେ ୧୨୮୦ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୫୮.୧୮ ରହିଛି। ଏଥିରେ ୩ଟି ଶତକ ଓ ୭ଟି ଅର୍ଦ୍ଧଶତକ ରହିଛି।

ସେହିପରି ଗତବର୍ଷ ୱେଷ୍ଟଇଣ୍ଡିଜ ବିପକ୍ଷରେ ଡେବ୍ୟୁ କରିଥିବା ଯଶସ୍ୱୀ ଏଯାଏ ୧୫ଟି ଟେଷ୍ଟରେ ୧୫୬୮ ରନ କରି ସାରିଲେଣି। ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ହେଉଛି ୨୧୪ ରନ।

ରାଙ୍କିଙ୍ଗ କଥା ଦେଖିଲେ ଜୋ ରୁଟ ଓ ଯଶସ୍ୱୀଙ୍କ ପରେ ତୃତୀୟ ସ୍ଥାନରେ କେନ ୱିଲିୟମସନ, ୪ର୍ଥରେ ହ୍ୟାରୀ ବ୍ରୁକ, ୫ମରେ ଡାରେଲ ମିଚେଲ, ୬ଷ୍ଠରେ ଋଷଭ ପନ୍ତ, ୭ମରେ ଷ୍ଟିଭ ସ୍ମିଥ, ୮ମରେ ସାଉଦ ସକୀଲ, ୯ମରେ କାମିନ୍ଦୁ ମେଣ୍ଡିସ ଓ ୧୦ମ ସ୍ଥାନରେ ଟ୍ରାଭିସ ହେଡ ରହିଛନ୍ତି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ମାରିଥିବା ବିରାଟ କୋହଲି ରାଙ୍କିଙ୍ଗରେ ୯ଟି ସ୍ଥାନ ଉପରକୁ ଉଠିଛନ୍ତି। ଏବେ ସେ ୧୩ତମ ସ୍ଥାନରେ ରହିଛନ୍ତି।

Yashasvi Jaiswal Test Cricket Test Match ICC Ranking