Advertisment

ପୂରା ଦିନ ବ୍ୟାଟିଂ କଲେ ଯଶସ୍ୱୀ ଜୈସୱାଲ, ପ୍ରଥମ ଦିନରେ ଭାରତ ୩୩୬/୬

ଷ୍ଟମ୍ପ ଅପସାରଣ ବେଳକୁ ଯଶସ୍ୱୀ ୧୭୯ ରନ ଓ ରବିଚନ୍ଦ୍ରନ ଅଶ୍ୱିନ ୫ ରନ କରି ଅପରାଜିତ ରହିଛନ୍ତି।

Jaiswal

Jaiswal

Advertisment

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ କମାଲ କରିଛନ୍ତି ଯୁବ ତାରକା ଯଶସ୍ୱୀ ଜୈସୱାଲ। ସେ ପୂରା ଗୋଟିଏ ଦିନ ବ୍ୟାଟିଂ କରିବା ସହ ଅପରାଜିତ ଶତକୀୟ ଇନିଂସ ଖେଳିଛନ୍ତି।

Advertisment

ଜୈସୱାଲଙ୍କ ଅପରାଜିତ ୧୭୯ ରନ ବଳରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୩୩୬ ରନ କରି ନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ଯଶସ୍ୱୀ ୧୭୯ ରନ ଓ ରବିଚନ୍ଦ୍ରନ ଅଶ୍ୱିନ ୫ ରନ କରି ଅପରାଜିତ ରହିଛନ୍ତି। ପିଚ୍‌ ବ୍ୟାଟରଙ୍କୁ ସୁହାଇବାର ସମ୍ଭାବନା ଥିବାରୁ ଦ୍ୱିତୀୟ ଦିନରେ ମଧ୍ୟ ଯଶସ୍ୱୀଙ୍କ ଠାରୁ ପୂରା ଦେଶ ବଡ଼ ଇନିଂସର ଆଶା ରଖିଛି।

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜରେ ଭାରତ ୦-୧ରେ ପଛରେ ରହିଛି। ଆଜି ବିଶାଖାପଟନମରେ ଖେଳା ଯାଉଥିବା ମ୍ୟାଚ୍‌ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର ରୋହିତ ଶର୍ମା ଓ ଯଶସ୍ୱୀ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ।

Advertisment

ସବୁବେଳେ ବଡ଼ ଶଟ ଖେଳୁଥିବା ରୋହିତ ଆଜି ବେଶ ଡିଫେନ୍ସିଭ ମୁଡରେ ନଜର ଆସିଥିଲେ। ଲାଗୁଥିଲା ସେ ଲମ୍ବା ଇନିଂସ ଖେଳିବା ଲକ୍ଷ୍ୟରେ ରହିଛନ୍ତି। କାରଣ ୪୦ ବଲର ସାମ୍ନା କରିଥିବା ରୋହିତଙ୍କ ବ୍ୟାଟରୁ ଗୋଟିଏ ହେଲେ ବି ଚୌକା ଦେଖିବାକୁ ମିଳି ନଥିଲା।

ତେବେ ଇଂଲଣ୍ଡ ପାଇଁ ଡେବ୍ୟୁ କରିଥିବା ଶୋଏବ ବଶିର ନିଜର ୪ର୍ଥ ଓଭରରେ କମାଲ କରିଥିଲେ। ସେ ବେଶ ଚମତ୍କାର ଢଙ୍ଗରେ ରୋହିତଙ୍କୁ ଲେଗ ସ୍ଲିପରେ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ରୋହିତ ୪୧ ବଲରେ ମାତ୍ର ୧୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଏହା ବଶିରଙ୍କ ପ୍ରଥମ ୱିକେଟ ଥିଲା।

୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶୁବମନ ଗିଲ କିଛି ଆଖି ଦୃଶିଆ ଶଟ ଖେଳିଥିଲେ। ଏଥିସହ ଯଶସ୍ୱୀଙ୍କ ସହ ମିଶି ଦ୍ୱିତୀୟ ୱିକେଟ ପାଇଁ ୪୯ ରନର ଭାଗିଦାରୀ ବି କରିଥିଲେ। କିନ୍ତୁ ଠିକ ଲଞ୍ଚ ପୂର୍ବରୁ ଭେଟରାନ ଜେମ୍ସ ଆଣ୍ଡରସନ ୩୪ ରନ କରିଥିବା ଗିଲଙ୍କୁ ଆଉଟ କରି ଭାରତକୁ ଦ୍ୱିତୀୟ ଝଟକା ଦେଇଥିଲେ। ଭାରତ ଦୁଇଟି ୱିକେଟ ହରାଇଥିଲେ ମଧ୍ୟ ଯଶସ୍ୱୀ ନିଜର ଦମଦାର ବ୍ୟାଟିଂ ଜାରି ରଖିଥିଲେ।

ଲଞ୍ଚ ପରେ ସେ ଶ୍ରେୟସ ଆୟରଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ତୃତୀୟ ୱିକେଟ ପାଇଁ ଆୟରଙ୍କ ସହ ମିଶି ୯୦ ରନର ଯୋଡ଼ିଥିଲେ। ଏହି ୯୦ ରନରୁ ଆୟର କେବଳ ୨୭ ରନ କରିଥିଲେ। ବାକି ରନ ଯଶସ୍ୱୀଙ୍କ ବ୍ୟାଟରୁ ବାହାରିଥିଲା।

ଏପରି କି ଯଶସ୍ୱୀ ବେଶ ଦମଦାର ଢଙ୍ଗରେ ଛକା ମାରି ନିଜର ଶତକ ମଧ୍ୟ ହାସଲ କରିଥିଲେ। ଏହା ଟେଷ୍ଟ କ୍ରିକେଟରେ ତାଙ୍କର ଦ୍ୱିତୀୟ ଶତକ। ଏହାପୂର୍ବରୁ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ଶତକ ମାରିଥିଲେ। ଶତକ ପରେ ମଧ୍ୟ ଯଶସ୍ୱୀ ଆଦୌ ଶଟ ମାରିବାରେ କୌଣସି ଢିଲା କରି ନଥିଲେ।

କିନ୍ତୁ ଆୟର(୨୭)ଙ୍କୁ ଟମ ହାର୍ଟଲୀଙ୍କ ବଲରେ ଆଉଟ ହେବାକୁ ପଡ଼ିଥିଲା। ଏହାପରେ ଆସିଥିଲେ ଡେବ୍ୟୁଟାଣ୍ଟ ରଜତ ପଟିଦାର। ସେ ମଧ୍ୟ କିଛି ଦର୍ଶନୀୟ ଶଟ ଖେଳିଥିଲେ। ଯଶସ୍ୱୀ ଓ ପଟିଦାର ୪ର୍ଥ ୱିକେଟ ପାଇଁ ୭୦ ରନ ଯୋଡ଼ି ଭାରତର ସ୍କୋରକୁ ୨୪୯ରେ ପହଞ୍ଚାଇ ଦେଇଥିଲେ। ପଟିଦାର ମଧ୍ୟ ବ୍ୟକ୍ତିଗତ ୩୨ ରନରେ ପହଞ୍ଚି ଯାଇଥିଲେ।

କିନ୍ତୁ ଚା’ପାନ ବିରତୀ ପରେ ରେହାନ ଅହମଦଙ୍କ ବଲରେ ପଟିଦାର ବୋଲ୍ଡ ହୋଇ ଯାଇଥିଲେ। ଭାରତ ୨୪୯ ରନରେ ୪ର୍ଥ ୱିକେଟ ହରାଇଥିଲା। ପଟିଦାରଙ୍କ ପରେ ଅକ୍ଷର ପଟେଲ ୨୭ ରନ ଓ ଲୋକାଲ ବୟ କେଏଲ ଭରତ ୧୭ ରନ କରି ଆଉଟ ହୋଇଥିଲେ। ଅକ୍ଷରଙ୍କୁ ବଶିର ଓ ଭରତଙ୍କୁ ରେହାନ ଆଉଟ କରିଛନ୍ତି।

ଗୋଟିଏ ପଟେ ୱିକେଟ ୱିକେଟ ଯାଉଥିଲେ ମଧ୍ୟ ପୂରା ଦିନ ଯଶସ୍ୱୀ ବ୍ୟାଟିଂ କରିଛନ୍ତି। ଭରତ ଆଉଟ ହେବା ପରେ ଯଶସ୍ୱୀ ଓ ଅଶ୍ୱିନ ଭାରତକୁ ପ୍ରଥମ ଦିନରେ ଆଉ କୌଣସି କ୍ଷତି ସହିବାକୁ ଦେଇ ନାହାନ୍ତି। ଦୁହେଁ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ଯାଏ ବ୍ୟାଟିଂ କରିଛନ୍ତି। 

ଭାରତ ଆଜି ପ୍ରଥମ ଦିନରେ ୯୩ ଓଭର ବ୍ୟାଟିଂ କରି ୩୩୬ ରନ କରି ନେଇଛି। ଶେଷ ଯାଏ ୧୭୯ ରନ କରି ଅପରାଜିତ ଥିବା ଯଶସ୍ୱୀ ୧୭ଟି ଚୌକା ଓ ୫ଟି ଛକା ମାରିଛନ୍ତି। ସେହିପରି ଅଶ୍ୱିନ ଗୋଟିଏ ଚୌକା ବଳରେ ୫ ରନ କରି ତାଙ୍କ ସହ କ୍ରିଜରେ ରହିଛନ୍ତି। ଭାରତ ଶନିବାର ୩୩୬/୬ରୁ ତା’ର ଇନିଂସ ଆରମ୍ଭ କରିବ।

ଇଂଲଣ୍ଡ ପକ୍ଷରୁ ବଶିର ଓ ରେହାନ ଦୁଇଟି ଲେଖାଏ ୱିକେଟ ପାଇଥିବା ବେଳେ ହାର୍ଟଲୀ ଓ ଆଣ୍ଡରସନଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

India Vs England Yashasvi Jaiswal Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe