Advertisment

Ranji Trophy: ୬୭ ବର୍ଷର ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ପ୍ରଥମଥର ରଣଜୀ ଟ୍ରଫି ଫାଇନାଲରେ ଜମ୍ମୁ-କଶ୍ମୀର

୬୭ ବର୍ଷ ତଳେ ଜମ୍ମୁ-କଶ୍ମୀର ପ୍ରଥମଥର ରଣଜୀ ଟ୍ରଫି ଖେଳିଥିଲା। ହେଲେ ଦଳକୁ କେବେ ହେଲେ ଫାଇନାଲ ଖେଳିବାର ଗୌରବ ମିଳି ନଥିଲା। କିନ୍ତୁ ୨୦୨୬ରେ ଇତିହାସ ବଦଳିଛି। ଆଜି ଶକ୍ତିଶାଳୀ ବେଙ୍ଗଲକୁ ରୋମାଞ୍ଚକର ଢଙ୍ଗରେ ୬ ୱିକେଟରେ ହରାଇ ଜମ୍ମୁ-କଶ୍ମୀର ଫାଇନାଲ ଟିକେଟ ହାତେଇଛି।

author-image
Hemant Lenka
Ranji-trophy

ବିଜୟ ପରେ ଜମ୍ମୁ-କଶ୍ମୀର ଟିମ

ଇତିହାସ ରଚିଛି ଜମ୍ମୁ-କଶ୍ମୀର। ଦୀର୍ଘ ୬୭ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ସବୁବେଳେ ଦୁର୍ବଳ ଟିମ ଭାବେ ଗଣତି ହେଉଥିବା ଜମ୍ମୁ-କଶ୍ମୀର ଏଥର ବାଜି ପଲଟାଇ ଦେଇଛି। ବଡ଼ବଡ଼ ଟିମକୁ ମାତ ଦେଇ ପ୍ରଥମ ଥର ରଣଜୀ ଟ୍ରଫି(Ranji Trophy) ଫାଇନାଲରେ ପ୍ରବେଶ କରିଛି ଜମ୍ମୁ-କଶ୍ମୀର।

Advertisment

୬୭ ବର୍ଷ ତଳେ ଜମ୍ମୁ-କଶ୍ମୀର ପ୍ରଥମଥର ରଣଜୀ ଟ୍ରଫି ଖେଳିଥିଲା। ହେଲେ ଦଳକୁ କେବେ ହେଲେ ଫାଇନାଲ ଖେଳିବାର ଗୌରବ ମିଳି ନଥିଲା। କିନ୍ତୁ ୨୦୨୬ରେ ଇତିହାସ ବଦଳିଛି। ଆଜି ଶକ୍ତିଶାଳୀ ବେଙ୍ଗଲକୁ ରୋମାଞ୍ଚକର ଢଙ୍ଗରେ ୬ ୱିକେଟରେ ହରାଇ ଜମ୍ମୁ-କଶ୍ମୀର ଫାଇନାଲ ଟିକେଟ ହାତେଇଛି। 

ବେଙ୍ଗଲ କ୍ରିକେଟ ଏକାଡେମୀରେ ଖେଳା ଯାଉଥିବା ମ୍ୟାଚ୍‌ରେ ଜମ୍ମୁ-କଶ୍ମୀର ପ୍ରଥମ ଇନିଂସରେ ପଛରେ ରହିଥିଲେ ହେଁ ଶେଷରେ ମ୍ୟାଚ୍‌କୁ ୬ ୱିକେଟରେ ଜିତି ନେଇଛି। ମ୍ୟାଚ ଜିତିବା ପାଇଁ ୧୨୬ ରନର ଆବଶ୍ୟକ କରୁଥିବା ଜମ୍ମୁ-କଶ୍ମୀର ୪ ୱିକେଟ ହରାଇଥିଲା।

Advertisment

କିନ୍ତୁ ଅବଦୁଲ ସମଦଙ୍କ ୨୭ ବଲରେ ୩୦ ଓ ବଂଶଜ ଶର୍ମାଙ୍କ ଅପରାଜିତ ୪୩ ରନ ବଳରେ ଜମ୍ମୁ-କଶ୍ମୀର ଇତିହାସ ରଚିବାକୁ ସକ୍ଷମ ହୋଇଛନ୍ତି। ସମଦ ଓ ଶର୍ମା ୫୫ ରନର ଭାଗିଦାରୀ କରି ଜମ୍ମୁ-କଶ୍ମୀରକୁ ଐତିହାସିକ ବିଜୟ ଭେଟି ଦେଇଛନ୍ତି। 

ଟିମ ମଧ୍ୟରେ ଥିବା ଏକତାର ଉଦାହରଣ ଦେବାକୁ ଯାଇ ଅଭିଜ୍ଞ ସମଦ ବିଜୟ ଶଟ ମାରି ନଥିଲେ, ବରଂ ସେ ୨୨ ବର୍ଷୀୟ ଶର୍ମାଙ୍କ ପାଇଁ ବିଜୟ ରନ ରଖିଥିଲେ। ବଂଶଜ ଶର୍ମା ମଧ୍ୟ ମୁକେଶ କମାରଙ୍କୁ ଲଙ୍ଗ ଅନରେ ଛକା ମାରି ଫିଲ୍ମ ଷ୍ଟାଇଲରେ ଦଳ ପାଇଁ ବିଜୟ ମୁଣ୍ଡି ମାରିଥିଲେ।

ତେବେ ଜମ୍ମୁ-କଶ୍ମୀର ପାଇଁ ବିଜୟର ମୂଳଦୁଆ ପକାଇଥିଲେ ଦ୍ରୁତ ବୋଲର ଅକିବ ନବୀ। ସେ ମ୍ୟାଚ୍‌ରେ ୯ ୱିକେଟ ଦଖଲ କରି ବେଙ୍ଗଲ ବ୍ୟାଟିଂ ଲାଇନଅପକୁ ଛିନଛତ୍ର କରି ଦେଇଥିଲେ। ୨୯ ବର୍ଷୀୟ ନବି ଚଳିତ ରଣଜୀ ଟ୍ରଫିରେ ୫୫ଟି ୱିକେଟ ନେଇ ସାରିଲେଣି। 

ଜମ୍ମୁ-କଶ୍ମୀର ୩୩୪ଟି ମ୍ୟାଚ୍‌ ଇତି ମଧ୍ୟରେ ଖେଳିଥିଲେ ହେଁ କୌଚିତ ସଫଳତା ସାଉଁଟି ଥିଲା। କିନ୍ତୁ କ୍ୟାପ୍ଟେନ ପାରସ ଡୋଗ୍ରା  ଓ କୋଚ ଅଜୟ ଶର୍ମାଙ୍କ ନେତୃତ୍ୱରେ ଦଳ ଏବେ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ଡୋଗ୍ରା ମଧ୍ୟ ବ୍ୟକ୍ତିଗତ ଭାବେ ଗୋଟିଏ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଦ୍ୱିତୀୟ ବ୍ୟାଟର ଭାବେ ରଣଜୀ ଟ୍ରଫିରେ ୧୦ ହଜାର ରନ ପୂରଣ କରିଛନ୍ତି। 

ଟସ୍‌ ଜିତି ପ୍ରଥମେ ବୋଲିଂ କରୁଥିବା ଜମ୍ମୁ-କଶ୍ମୀର ବିପକ୍ଷରେ ବେଙ୍ଗଲର ସୁଦୀପ କୁମାର ଘରାମିଙ୍କ ୧୪୬ ରନ କରିଥିଲା। ଏହି ଇନିଂସ ଯୋଗୁ ବେଙ୍ଗଲ ପ୍ରଥମ ଇନିଂସରେ ୩୨୮ ରନ କରିଥିଲା। ଏହାକୁ ଜମ୍ମୁ-କଶ୍ମୀର ଦମଦାର ଢଙ୍ଗରେ ପିଛା କରିଥିଲେ ହେଁ ମହମ୍ମଦ ଶାମିଙ୍କ ଘାତକ ବୋଲିଂ (୮/୯୦) ଯୋଗୁ ଦଳ ୨୬ ରନ ପଛରେ ରହି ଯାଇଥିଲା। ଅର୍ଥାତ ଜମ୍ମୁ-କଶ୍ମୀର ପ୍ରଥମ ଇନିଂସରେ ୩୦୨ ରନ କରିଥିଲା। 

ଦ୍ୱିତୀୟ ଇନିଂସରେ ଜମ୍ମୁ-କଶ୍ମୀର ଦ୍ରୁତ ବୋଲିଂ ନିଜର ଦମ ଦେଖାଇଥିଲା। ଅକିବ ନବି ଓ ସୁନିଲ କୁମାର ଏହାର ମଙ୍ଗ ସମ୍ଭାଳିଥିଲେ। ଶେଷରେ ବେଙ୍ଗଲ ଦ୍ୱିତୀୟ ଇନିଂସରେ ମାତ୍ର ୯୯ ରନ କରିବାକୁ ସକ୍ଷମ ହୋଇଥିଲା। 

୧୨୬ ରନର ଟାର୍ଗେଟକୁ ପିଛା କରୁଥିବା ଜମ୍ମୁ-କଶ୍ମୀର ଏକଦା ୧୨ ରନରେ ୨ଟି ୱିକେଟ ହରାଇଥିଲା। ଏହି ସମୟରେ ବଂଶଜ ଶର୍ମା ନିଜ ଧୈର୍ଯ୍ୟ ଦେଖାଇଥିଲେ। ତାଙ୍କୁ ଶୁଭମ ପୁନ୍ଦିର(୧୭) ଓ କ୍ୟାପ୍ଟେନ ପାରସ ଡୋଗ୍ରା(୯) ସହାୟତା କରିଥିଲେ। ଏହାପରେ ଅବଦୁଲ ସମଦ ୨୭ ବଲରେ ଦ୍ରୁତ ୩୦ ରନର ଇନିଂସ ଖେଳିଥିଲେ। ଶେଷରେ ବଂଶଜ ଶର୍ମା ଛକା ମାରି ଜମ୍ମୁ-କଶ୍ମୀରକୁ ବିଜୟ ଭେଟି ଦେଇଥିଲେ। 

Ranji Trophy