ICC ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର ଜିତିବାରେ ବୁମ୍ରା ୬ଷ୍ଠ ଭାରତୀୟ

୨୦୨୪ରେ ବୁମ୍ରା ୧୩ ଟେଷ୍ଟରେ ରେକର୍ଡ ୭୧ଟି ୱିକେଟ ଦଖଲ କରିଛନ୍ତି। ତାଙ୍କ ଠାରୁ ୨୦୨୪ରେ କେହି ବି ଅଧିକ ୱିକେଟ ନେଇ ନାହାନ୍ତି।

ଯଶପ୍ରୀତ ବୁମ୍ରା

  • Published: Monday, 27 January 2025
  • , Updated: 27 January 2025, 07:59 PM IST

ଭାରତୀୟ ଟିମର ଷ୍ଟାର ଦ୍ରୁତ ବୋଲର ହେଉଛନ୍ତି ଯଶପ୍ରୀତ ବୁମ୍ରା। ଟେଷ୍ଟ, ଟି-୨୦ ଓ ଦିନିକିଆ କ୍ରିକେଟରେ ବୁମ୍ରା କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ନିଜର ଘାତକ ବୋଲିଂ ବଳରେ ସେ ଭାରତକୁ ଅନେକ ମ୍ୟାଚ୍‌ରେ ବିଜୟ କରାଇଛନ୍ତି। ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫି ଠାରୁ ୨୦୨୪ ଟି-୨୦ ବିଶ୍ୱକପ, ସବୁଥିରେ ବୁମ୍ରାଙ୍କ ଜଲୱା ଦେଖିବାକୁ ମିଳିଥିଲା। ବୁମ୍ରାଙ୍କୁ ଶତାବ୍ବୀର ଶ୍ରେଷ୍ଠ ବୋଲର ଆଖ୍ୟା ମଧ୍ୟ ମିଳିଛି। ସେ ଅନେକ ବଡ଼ବଡ଼ ବ୍ୟାଟରଙ୍କୁ ଘାଇଲା କରିବାରେ ସକ୍ଷମ।

ଏବେ ବୁମ୍ରା ବିଶ୍ୱ ଟେଷ୍ଟ କ୍ରିକେଟର ୧ ନଂ ବୋଲର। ଏସବୁ ଭିତରେ ବୁମ୍ରାଙ୍କୁ ମିଳିଛି ଆଉ ଏକ ବଡ଼ ସଫଳତା। ସେ ଆଇସିସି ଟେଷ୍ଟ କ୍ରିକେଟର ଅଫ ଦ ଇୟର ପୁରସ୍କାର ଜିତିଛନ୍ତି। ୨୦୨୪ରେ ବୁମ୍ରା ୧୩ ଟେଷ୍ଟରେ ରେକର୍ଡ ୭୧ଟି ୱିକେଟ ଦଖଲ କରିଛନ୍ତି। ତାଙ୍କ ଠାରୁ ୨୦୨୪ରେ କେହି ବି ଅଧିକ ୱିକେଟ ନେଇ ନାହାନ୍ତି। ବୁମ୍ରା ଆଇସିସି ଟେଷ୍ଟ କ୍ରିକେଟର ଅଫ ଦି ଇୟର ବା ବର୍ଷର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ଜିତିବାରେ ଭାରତର ୬ଷ୍ଠ ଖେଳାଳି।

ତାଙ୍କ ପୂର୍ବରୁ ୨୦୦୪ରେ ରାହୁଲ ଡ୍ରାଭିଡ, ୨୦୦୯ରେ ଗୌତମ ଗମ୍ଭୀର, ୨୦୧୦ରେ ବୀରେନ୍ଦ୍ର ସେହୱାଗ, ୨୦୧୬ରେ ରବିଚନ୍ଦ୍ରନ ଅଶ୍ୱିନ ଓ ୨୦୧୮ରେ ବିରାଟ କୋହଲି ଏପରି ସମ୍ମାନର ଅଧିକାରୀ ହୋଇଥିଲେ। ୨୦୧୮ ପରେ ଭାରତର କୌଣସି ଖେଳାଳି ଆଇସିସି ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର ଜିତି ପାରି ନଥିଲେ। କିନ୍ତୁ ବୁମ୍ରା ୨୦୨୪ରେ ଏହି ପୁରସ୍କାର ଜିତିବାକୁ ସକ୍ଷମ ହୋଇଛନ୍ତି।

ବୁମ୍ରା ପୁରସ୍କାର ଜିତିବା ପରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆର ସମକକ୍ଷ ହୋଇଛି। ଭାରତ ଭଳି ଅଷ୍ଟ୍ରେଲିଆର ବିଭିନ୍ନ ଖେଳାଳି ମୋଟ ୬ଥର ଆଇସିସି ଟେଷ୍ଟ କ୍ରିକେଟର ଅଫ ଦି ଇୟର ହୋଇପାରିଥିଲେ। ତେବେ ଷ୍ଟିଭ ସ୍ମିଥ(୨୦୧୫ ଓ ୨୦୧୭) ଏକମାତ୍ର ଖେଳାଳି ଯିଏ ନିଜ କ୍ୟାରିୟରରେ ଏହି ସମ୍ମାନଜନକ ପୁରସ୍କାରକୁ ଦୁଇ ଥର ଜିତିବାର ରେକର୍ଡ କରିଛନ୍ତି। ୨୦୨୪ରେ ବୁମ୍ରା ସର୍ବାଧିକ ୱିକେଟ ଦଖଲକାରୀ ତାଲିକାର ୧ନଂ ସ୍ଥାନରେ ଥିବା ବେଳେ ତାଙ୍କ ପଛକୁ ଥିବା ଇଂଲଣ୍ଡର ଗସ ଅଟକିନସନଙ୍କ ନାଁରେ ୧୧ଟି ମ୍ୟାଚ୍‌ରେ ୫୨ଟି ସଫଳତା ରହିଛି।

ବୁମ୍ରାଙ୍କ ଜଲୱା

ଆହତ ସମସ୍ୟା କାରଣରୁ ବୁମ୍ରା ନିୟମିତ ଟେଷ୍ଟ କ୍ରିକେଟ ଖେଳି ପାରୁ ନଥିଲେ। କିନ୍ତୁ ୨୦୨୩ ଶେଷ ଭାଗରେ ସେ ଆହତ ସମସ୍ୟାରୁ ମୁକୁଳି ଦଳକୁ କମବ୍ୟାକ କରିଥିଲେ। ସେବେଠାରୁ ସେ ଜବରଦସ୍ତ ବୋଲିଂ କରିବା ସହ ୱିକେଟ ସଂଖ୍ୟା ବଢ଼ାଇ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି। ବୁମ୍ରାଙ୍କ ଘାତକ ବୋଲିଂ ଯୋଗୁ ଭାରତ ଘରୋଇ ମାଟିରେ ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷରେ ସିରିଜ ଜିତିଥିଲା। ସେହିପରି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମାଟିରେ ମଧ୍ୟ ଦଳ ଟେଷ୍ଟ ଜିତିବାକୁ ସକ୍ଷମ ହୋଇଥିଲା।

୨୦୨୪ର ଟେଷ୍ଟ କ୍ରିକେଟରେ ବୁମ୍ରା ୩୫୭ ଓଭର ବୋଲିଂ କରି ସାରିଛନ୍ତି। ହେଲେ ତାଙ୍କ ବୋଲିଂ ଇକୋନୋମି କେବଳ ୨.୯୬ ରହିଛି। ବର୍ତ୍ତମାନର ଆଧୁନିକ ଟେଷ୍ଟ କ୍ରିକେଟରେ ବ୍ୟାଟରମାନେ ଦ୍ରୁତ ଗତିରେ ରନ ସଂଗ୍ରହ କରୁଛନ୍ତି। ତଥାପି ବୁମ୍ରାଙ୍କ ଇକୋନୋମି ୩ରୁ କମ ରହିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ୨୦୨୪ରେ ବୁମ୍ରାଙ୍କ ବୋଲିଂ ହାର ୧୪.୯୨ ରହିଥିବା ବେଳେ ଷ୍ଟ୍ରାଇକ ରେଟ ୩୦.୧ ରହିଛି।

ସେ ଗୋଟିଏ ବର୍ଷରେ ୭୧ଟି ୱିକେଟ ନେଇ ରେକର୍ଡ କରିଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୭୦ରୁ ଅଧିକ ୱିକେଟ ନେବାରେ ସେ ୪ର୍ଥ ଭାରତୀୟ। ରବିଚନ୍ଦ୍ରନ ଅଶ୍ୱିନ, ଅନୀଲ କୁମ୍ବଲେ ଓ କପିଲ ଦେବ ପୂର୍ବରୁ ଏପରି ରେକର୍ଡ କରିଥିଲେ। ବୁମ୍ରା ଅନେକ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି। କିନ୍ତୁ ତାଙ୍କର ସର୍ବଶ୍ରେଷ୍ଠ ବୋଲିଂ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା।

ପର୍ଥରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆର ନିୟମିତ ଅଧିନାୟକ ନଥିବାରୁ ବୁମ୍ରା କମାଣ ସମ୍ଭାଳିଥିଲେ। ବୁମ୍ରା ନିଜର ଜଲୱା ଦେଖାଇ ଭାରତକୁ ପର୍ଥରେ ଐତିହାସିକ ବିଜୟ ଭେଟି ଦେଇଥିଲେ। ଭାରତ ପ୍ରଥମ ଇନିଂସରେ ମାତ୍ର ୧୫୦ ରନ କରିଥିଲା। ହେଲେ ବୁମ୍ରା ୫ ୱିକେଟ ନେବାରୁ ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ ହୋଇ ଯାଇଥିଲା।

ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜୈସୱାଲ ଓ ବିରାଟ କୋହଲିଙ୍କ ଶତକ ଯୋଗୁ ଭାରତ ମ୍ୟାଚ୍‌ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୫୩୪ ରନର ଟାର୍ଗେଟ ଦେଇଥିଲା। ଦ୍ୱିତୀୟ ଇନିଂସରେ ବୁମ୍ରା ୩ଟି ୱିକେଟ ନେବାରୁ ଭାରତ ୨୯୫ ରନରେ ବିଜୟୀ ହୋଇଥିଲା।

ଯଶପ୍ରୀତ ବୁମ୍ରାଙ୍କ କ୍ୟାରିୟରର

୧୯୯୩ ମସିହା ଡିସେମ୍ବର ୬ରେ ଜନ୍ମ ଗ୍ରହଣ କରିଥିବା ବୁମ୍ରା ଏବେ ଭାରତୀୟ ଟିମର ଜଣେ ପ୍ରମୁଖ ସଦସ୍ୟ। ସେ କ୍ରିକେଟର ୩ଟି ଯାକ ଫର୍ମାଟରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ବୁମ୍ରା ଗୁଜରାଟ ପାଇଁ ଘରୋଇ କ୍ରିକେଟ ଖେଳିବା ପରେ ୨୦୧୩ରେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡେବ୍ୟୁ କରିଥିଲେ।

୨୦୧୨-୧୩ରେ ଗୁଜରାଟ ପାଇଁ ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ବୁମ୍ରା ଡେବ୍ୟୁ କରିବା ସହ ପ୍ରଥମଥର ଟ୍ର‍ଫି ଭେଟି ଦେଇଥିଲେ। ତାଙ୍କର ପ୍ରଥମ ଶ୍ରେଣୀ ଡେବ୍ୟୁ ବିର୍ଦ୍ଦଭା ବିପକ୍ଷରେ ହୋଇଥିଲା। ୨୦୧୩-୧୪ ରଣଜୀ ସିଜିନରେ ସେ ପ୍ରଥମଥର ନଜରକୁ ଆସିଥିଲେ। ୨୦୧୩ରେ ବୁମ୍ରାଙ୍କୁ ଆଇପିଏଲରେ ନେଇଥିଲା। ସେବେଠାରୁ ସେ ମୁମ୍ବାଇ ପାଇଁ ଆଇପିଏଲ ଖେଳୁଛନ୍ତି। ସେ ଦଳ ପାଇଁ ୧୩୩ଟି ଆଇପିଏଲ ମ୍ୟାଚରେ ୧୬୫ ୱିକେଟ ନେଇଛନ୍ତି।

୨୦୧୬ରେ ବୁମ୍ରା ଭାରତ ପାଇଁ ଡେବ୍ୟୁ କରିଥିଲେ। ଭାରତର ଅଷ୍ଟ୍ରେଲିଆ ଟୁର ବେଳେ ତାଙ୍କୁ ଚୟନ କରାଯାଇଥିଲା ଓ ସେ ଉକ୍ତ ଟି-୨୦ ସିରିଜରେ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ବନିଥିଲେ। ୨୦୧୬ ବର୍ଷରେ ମଧ୍ୟ ବୁମ୍ରା ସର୍ବାଧିକ ୱିକେଟ ନେଇଥିବା ଖେଳାଳି ହୋଇଥିଲେ। ତାଙ୍କ ଖାତାକୁ ୨୮ଟି ୱିକେଟ ଯାଇଥିଲା।

ଟି-୨୦ ପୂର୍ବରୁ ୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ମ୍ୟାଚ୍‌ରେ ବୁମ୍ରା ୫୦ ଓଭର ଫର୍ମାଟରେ ଡେବ୍ୟୁ କରିଥିଲେ। ସେ ଉକ୍ତ ମ୍ୟାଚ୍‌ରେ ୪୦ ରନ ଦେଇ ୨ଟି ୱିକେଟ ନେଇଥିଲେ। ବୁମ୍ରାଙ୍କ ପ୍ରଥମ ଅନ୍ତର୍ଜାତୀୟ ଶିକାର ବନିଥିଲେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଷ୍ଟିଭ ସ୍ମିଥ

୨୦୧୮ରେ ବୁମ୍ରା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଭାରତ ପାଇଁ କ୍ରିକେଟର ଏହି ଲମ୍ବା ଫର୍ମାଟରେ ଡେବ୍ୟୁ କରିଥିଲେ। କେପ ଟାଉନରେ ସେ ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳିଥିଲେ। ଏହି ସିରିଜର ତୃତୀୟ ମ୍ୟାଚ୍‌ ଜୋହାନ୍ସବର୍ଗରେ ଖେଳା ଯାଉଥିବା ବେଳେ ବୁମ୍ରା ପ୍ରଥମ ଥର ୫ଟି ୱିକେଟ ନେବାକୁ ସକ୍ଷମ ହୋଇଥିଲେ। ଦକ୍ଷିଣ ଆଫ୍ରିକା ୨-୧ରେ ସିରିଜ ଜିତିଥିଲେ ହେଁ ବୁମ୍ରା ଦ୍ୱିତୀୟ ସର୍ବାଧିକ ୱିକେଟ ଦଖଲକାରୀ ହୋଇଥିଲେ।

ଇତି ମଧ୍ୟରେ ବୁମ୍ରା ୪୫ଟି ଟେଷ୍ଟରେ ୨୦୫ ୱିକେଟ ନେଇ ସାରିଲେଣି। ଏହା ମଧ୍ୟରେ ସେ ୧୩ଥର ୫ କିମ୍ବା ତା’ଠାରୁ ଅଧିକ ୱିକେଟ ନେଇଛନ୍ତି। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୨୭ ରନରେ ୬ ୱିକେଟ।

Related story