Advertisment

୨୦୦ ଟେଷ୍ଟ ୱିକେଟ୍ କ୍ଲବରେ ବୁମ୍ରା, ଭାଙ୍ଗିଲେ କପିଲଙ୍କ ରେକର୍ଡ

ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ବୁମ୍ରା ୪ଟି ୱିକେଟ୍ ପାଇଛନ୍ତି।

Jasprit Bumrah

Jasprit Bumrah

Advertisment

ଟେଷ୍ଟ କ୍ରିକେଟରେ ଆଜି ୨୦୦ ୱିକେଟ ପୂରଣ କରିଛନ୍ତି ଯଶପ୍ରୀତ ବୁମ୍ରା। ମେଲବର୍ଣ୍ଣରେ ଚାଲିଥିବା ଚତୁର୍ଥ ଟେଷ୍ଟର ଚତୁର୍ଥ ଦିବସରେ ଟ୍ରାଭିସ ହେଡ୍‌ଙ୍କୁ ଆଉଟ୍ କରି ସେ ପାଇଛନ୍ତି ଏହି ସଫଳତା। ଏହା ସହିତ ସେ ଭାଙ୍ଗିଛନ୍ତି କପିଲ ଦେବଙ୍କ ରେକର୍ଡ। କପିଲ ୫୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୨୦୦ ୱିକେଟ୍ ନେଇଥିବା ବେଳେ ବୁମ୍ରାଙ୍କୁ ତାଙ୍କର ୪୪ତମ ମ୍ୟାଚ୍‌ରେ ମିଳିଛି ଏହି ସଫଳତା। କପିଲଙ୍କ ରେକର୍ଡ ଭାଙ୍ଗି ବୁମ୍ରା ବନିଯାଇଛନ୍ତି ଟେଷ୍ଟରେ ୨୦୦ଟି ୱିକେଟ୍ ନେବାରେ ଦ୍ରୁତତମ ଭାରତୀୟ ପେସ୍‌ର।

Advertisment

ଅନ୍ୟପକ୍ଷରେ ଭାରତୀୟ ବୋଲର ଭାବେ ଟେଷ୍ଟରେ ଦ୍ରୁତ ୨୦୦ ୱିକେଟ୍ ହାସଲ କରିବାର ରେକର୍ଡ ରହିଛି ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାଁରେ। ୩୭ଟି ମ୍ୟାଚ୍‌ରେ ତାଙ୍କୁ ମିଳିଥିଲା ଏହି ସଫଳତା। ସେହିପରି ତାଙ୍କ ତଳକୁ ରହିଥିଲେ ରବୀନ୍ଦ୍ର ଜାଡେଜା। ସେ ୪୪ଟି ମ୍ୟାଚ୍‌ରୁ ଏହି ସଫଳତା ପାଇଥିବା ବେଳେ ଏବେ ଏହି ସ୍ଥାନରେ ତାଙ୍କ ସହିତ ଯୋଗ ଦେଇଛନ୍ତି ଯଶପ୍ରୀତ ବୁମ୍ରା। ହରଭଜନ ସିଂହ ୪୬ଟି ମ୍ୟାଚ୍‌ରୁ ଓ ଅନୀଲ କୁମ୍ବଲେ ୪୭ଟି ମ୍ୟାଚ୍‌ରୁ ୨୦୦ତମ ଟେଷ୍ଟ ୱିକେଟ୍ ପୂରଣ କରିଥିଲେ।

ମୋଟ ଉପରେ ଅନ୍ତର୍ଜାତୀୟ ସ୍ତରରେ ଟେଷ୍ଟରେ ଦ୍ରୁତ ୨୦୦ ୱିକେଟ୍ ନେବାର ରେକର୍ଡ ରହିଛି ପାକିସ୍ତାନର ପୂର୍ବତନ ସ୍ପିନର ୟାସିର ଶାହ। ସେ ୩୩ଟି ଟେଷ୍ଟରୁ ଏହି ମାଇଲଷ୍ଟୋନ୍ ସ୍ଥାପନ କରିଥିଲେ। ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ସେ ୩ ନମ୍ବରରେ ରହିଛନ୍ତି। ତେବେ ପେସରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଡେନିସ ଲିଲି ୩୮ଟି ଟେଷ୍ଟ ମ୍ୟାଚ୍‌ରୁ ୨୦୦ ୱିକେଟ୍ ହାସଲ କରିଥିଲେ। ମୋଟ ଉପରେ ଲିଲି ଚତୁର୍ଥ ସ୍ଥାନରେ ରହିଛନ୍ତି।

Advertisment

ବଲ୍ ହିସାବରେ ଦେଖିଲେ ବୁମ୍ରା ହେଉଛନ୍ତି ୨୦୦ଟି ଟେଷ୍ଟ ୱିକେଟ ନେବାରେ ଦ୍ରୁତତମ ଭାରତୀୟ ବୋଲର। ସେହିପରି ସାରା ବିଶ୍ୱରେ ଏହି ବର୍ଗରେ ତାଙ୍କ ସ୍ଥାନ ୪ ନମ୍ବରରେ ରହିଛି। ବୁମ୍ରା ୮,୪୮୪ଟି ବଲ୍ ପକାଇ ୨୦୦ଟି ୱିକେଟ୍ ନେଇଛନ୍ତି। ପାକିସ୍ତାନର ୱାକର ୟୁନିସ ଟେଷ୍ଟରେ ୭୭୨୫ଟି ବଲ୍ ବୋଲିଂ କରି ୨୦୦ଟି ୱିକେଟ୍ ନେଇଥିବା ବେଳେ ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନ୍ ୭୮୪୮ ଓ ରାବଡା ୮୧୫୩ଟି ବଲରୁ ୨୦୦ ୱିକେଟ୍ ହାସଲ କରିଥିଲେ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ବୁମ୍ରା ୪ଟି ୱିକେଟ୍ ପାଇଥିବା ବେଳେ ୪୪ଟି ଟେଷ୍ଟରୁ ତାଙ୍କ ୱିକେଟ୍ ସଂଖ୍ୟା ୨୦୧ରେ ପହଞ୍ଚିଛି।

Jasprit Bumrah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe