Advertisment

ଆଇସିସି ରାଙ୍କିଙ୍ଗ: ବୁମ୍ରା ଆଉ ୧ନଂ ବୋଲର ନୁହନ୍ତି, ଶୀର୍ଷରେ ଦକ୍ଷିଣ ଆଫ୍ରିକାର ଏହି ଖେଳାଳି

ବୁମ୍ରା ୨ଟି ସ୍ଥାନ ତଳକୁ ଖସି ରାଙ୍କିଙ୍ଗର ୩ ନମ୍ବର ସ୍ଥାନରେ ଅଛନ୍ତି। ତାଙ୍କ ଉପରେ ଅଷ୍ଟ୍ରେଲିଆର ଭେଟରାନ ଦ୍ରୁତ ବୋଲର ଜୋଶ ହେଜେଲଉଡ ରହିଛନ୍ତି।

Jasprit Bumrah

Jasprit Bumrah

Advertisment

ଟିମ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଆଉ ଟେଷ୍ଟ କ୍ରିକେଟର ୧ନଂ ବୋଲର ନୁହନ୍ତି। ଦୀର୍ଘ ସପ୍ତାହ ହେଲାଣି ବୁମ୍ରା ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ। କିନ୍ତୁ ଏଥର ତାଙ୍କୁ ପଛକୁ ଠେଲି ଦେଇଛନ୍ତି ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡା। ବର୍ତ୍ତମାନ ରବାଡା ଆଇସିସି ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି।

Advertisment

ବାଂଲାଦେଶ ବିପକ୍ଷ ମୀରପୁର ଟେଷ୍ଟରେ ରବାଡା ୨ଟି ଇନିଂସରେ ୯ ୱିକେଟ ଦଖଲ କରିଥିଲେ। ତାଙ୍କର ଏହି ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ବାଂଲାଦେଶ ବିପକ୍ଷ ଟେଷ୍ଟକୁ ଜିତିଥିଲା। ଏହି ଦମଦାର ପ୍ରଦର୍ଶନ ଯୋଗୁ ରବାଡା ୩ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଉକ୍ତ ମ୍ୟାଚ୍‌ରେ ରବାଡା ତାଙ୍କ ଟେଷ୍ଟ କ୍ୟାରିୟରର ୩୦୦ ୱିକେଟ ଦଖଲ କରିବାର ରେକର୍ଡ ମଧ୍ୟ କରିଥିଲେ।

୨୯ ବର୍ଷୀୟ ରବାଡା ପ୍ରଥମଥର ପାଇଁ ୨୦୧୮ରେ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଥିଲେ। ହେଲେ ୨୦୧୯ ଫେବୃଆରୀରେ ତାଙ୍କୁ ତଳକୁ ଖସିବାକୁ ପଡ଼ିଥିଲା। ଏବେ ସେ ପୁଣି ବୁମ୍ରାଙ୍କୁ ଶୀର୍ଷରୁ ହଟାଇ ୧ନଂ ସ୍ଥାନରେ ପହଞ୍ଚିଛନ୍ତି। ବୁମ୍ରା ୨ଟି ସ୍ଥାନ ତଳକୁ ଖସି ରାଙ୍କିଙ୍ଗର ୩ ନମ୍ବର ସ୍ଥାନରେ ଅଛନ୍ତି। ତାଙ୍କ ଉପରେ ଅଷ୍ଟ୍ରେଲିଆର ଭେଟରାନ ଦ୍ରୁତ ବୋଲର ଜୋଶ ହେଜେଲଉଡ ରହିଛନ୍ତି।

Advertisment

ଭାରତର ଭେଟରାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ୨ଟି ସ୍ଥାନ ତଳକୁ ଖସି ୪ ନମ୍ବରରେ ଓ ଅଷ୍ଟ୍ରେଲିଆର ପାଟ କମିନ୍ସ ଗୋଟିଏ ସ୍ଥାନ ତଳକୁ ଖସି ୫ ନଂରେ ପହଞ୍ଚିଛନ୍ତି।

ଟପ୍‌ ୧୦ ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ନୂଆ ମୁହଁ ଭାବେ ପାକିସ୍ତାନର ବାମହାତୀ ସ୍ପିନର ନୋମାନ ଅଲୀ ପ୍ରବେଶ କରିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ ଯୋଗୁ ନୋମାନ ସିଧା ୮ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୯ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୩ଟି ୱିକେଟ ନେଇଥିବା ନ୍ୟୁଜିଲ୍ୟାଣ୍ଡର ମିଚେଲ ସାଣ୍ଟନର ୩୦ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୪୪ତମ ସ୍ଥାନ ଦଖଲ କରିଛନ୍ତି।

ଟପ ୧୦ରେ ଭାରତର ଅନ୍ୟତମ ସ୍ପିନର ରବୀନ୍ଦ୍ର ଜାଡେଜା ଅଛନ୍ତି। ସେ ପୂର୍ବରୁ ୬ଷ୍ଠ ସ୍ଥାନରେ ଥିବା ବେଳେ ଏବେ ୮ମକୁ ଖସି ଯାଇଛନ୍ତି। ୬ଷ୍ଠ ସ୍ଥାନରେ ପୂର୍ବଭଳି ଅଷ୍ଟ୍ରେଲିଆର ନାଥନ ଲାୟନ, ୭ମରେ ଶ୍ରୀଲଙ୍କାର ପ୍ରଭାତ ଜୟସୂରିୟା ଓ ୧୦ମ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ମ୍ୟାଟ ହେନରୀ ରହିଛନ୍ତି।

ବ୍ୟାଟିଂ ରାଙ୍କିଙ୍ଗ କଥା ବିଚାରକୁ ନେଲେ ଇଂଲଣ୍ଡର ଜୋ ରୁଟ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ କେନ ୱିଲିୟମସନ ଓ ତୃତୀୟ ସ୍ଥାନରେ ଭାରତର ଯଶସ୍ୱୀ ଜୈସୱାଲ ରହିଛନ୍ତି। ପୂର୍ବରୁ ଟପ ୧୦ରେ ଥିବା ଭାରତର ଋଷଭ ପନ୍ତ ଗୋଟିଏ ସ୍ଥାନ ତଳକୁ ଖସି ୧୧ନଂ ସ୍ଥାନରେ ପହଞ୍ଚିଛନ୍ତି।

ICC Jasprit Bumrah Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe