Advertisment

କାନାଡା ଟିମ ପାଇଁ କ୍ରିକେଟ ଖେଳିବାକୁ ଚାହୁଁଥିଲେ ଯଶପ୍ରୀତ ବୁମ୍ରା, କିନ୍ତୁ..

ଟେଷ୍ଟ, ଟି-୨୦ ଓ ଦିନିକିଆରେ ବୁମ୍ରାଙ୍କ ବଲକୁ ପଢ଼ିବା ପ୍ରତିପକ୍ଷ ବ୍ୟାଟରଙ୍କ ପାଇଁ ଆଦୌ ସହଜ ହେଉନି।

author-image
Hemant Lenka
Jasprit Bumrah

Jasprit Bumrah

ଭାରତୀୟ କ୍ରିକେଟକୁ ଯଶପ୍ରୀତ ବୁମ୍ରା ଆସିବା ପରେ ଦଳର ବୋଲିଂ ବାହିନୀ ଶକ୍ତିଶାଳୀ ହୋଇ ଯାଇଛି। ସାରା ବିଶ୍ୱରେ ବୁମ୍ରା ଚହଳ ପକାଇଛନ୍ତି। ତତ୍କାଳୀନ ଭାରତୀୟ ଟିମର କୋଚ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲି ଦଳର ବୋଲିଂ ବାହିନୀକୁ ଶକ୍ତିଶାଳୀ କରିବାକୁ ଉଦ୍ୟମ କରିଥିଲେ।

Advertisment

ଏହିକ୍ରମରେ ବୁମ୍ରା ଦଳକୁ ଆସିଥିଲେ। ଏବେ ସେ ଉକ୍ତ ବିପ୍ଳବର ପୋଷ୍ଟର ବୟ ସାଜିଛନ୍ତି ବୁମ୍ରା। ଟେଷ୍ଟ, ଟି-୨୦ ଓ ଦିନିକିଆରେ ବୁମ୍ରାଙ୍କ ବଲକୁ ପଢ଼ିବା ପ୍ରତିପକ୍ଷ ବ୍ୟାଟରଙ୍କ ପାଇଁ ଆଦୌ ସହଜ ହେଉନି।

ପୂର୍ବରୁ ଭାରତୀୟ ଟିମର ଦ୍ରୁତ ବୋଲିଂ ବାହିନୀ ସେତେଟା ଆଖି ଦୃଶିଆ ନଥିଲା। କିନ୍ତୁ ଏବେ ବିଶ୍ୱର ଟପ୍‌ ୩ ଦ୍ରୁତ ବୋଲିଂ ଆଟାକ ମଧ୍ୟରେ ଭାରତ ଆସୁଛି। ଯଶପ୍ରୀତ ବୁମ୍ରା ଏବେ ଭାରତୀୟ ଦ୍ରୁତ ବୋଲିଂ ବାହିନୀର କମାଣ ସମ୍ଭାଳିଛନ୍ତି।

Advertisment

ତେବେ ଏମିତି ଏକ ସମୟ ଥିଲା ଯେତେବେଳେ ଗୁଜରାଟରେ ଜନ୍ମିତ ବୁମ୍ରା ଭାରତ ଛାଡ଼ି କାନାଡା ଚାଲି ଯିବାକୁ ମନ ବଳାଇଥିଲେ। କାନାଡାରେ ତାଙ୍କୁ କ୍ରିକେଟ ଖେଳିବାକୁ ଭଲ ସୁଯୋଗ ମିଳିବ ବୋଲି ଭାବୁଥିଲେ। କିନ୍ତୁ ସେତବେଳେ ଆସିଥିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ଏହାପରେ ଯାହା ସବୁ ଘଟିଛି, ସେସବୁ ଇତିହାସ ପାଲଟି ଯାଇଛି।

ଜିଓ ସିନେମା ପକ୍ଷରୁ ବୁମ୍ରାଙ୍କ ସାକ୍ଷାତକାର ପତ୍ନୀ ତଥା ଆଙ୍କର ସଞ୍ଜନା ନେଇଛନ୍ତି। ଏହି ସମୟରେ ସେ ବୁମ୍ରାଙ୍କୁ ପ୍ରଶ୍ନ କରିଥିଲେ ଯେ “ତୁମେ ଏକଦା କାନାଡା ଚାଲିଯିବାକୁ ଚାହୁଁଥିଲ ଓ ସେଠାରେ ନୂଆ ଜୀବନ ଆରମ୍ଭ କରିବା ଲକ୍ଷ୍ୟରେ ଥିଲ?”

ଏହାର ଜବାବରେ ବୁମ୍ରା କହିଛନ୍ତି, “ଆମେ ଏସବୁ ପୂର୍ବରୁ ମଧ୍ୟ ଆଲୋଚନା କରି ସାରିଛେ। ପ୍ରତିଟି ପିଲା କିଛି ବଡ଼ କରିବାକୁ ଚାହାନ୍ତି ଓ କ୍ରିକେଟ ଖେଳିବାକୁ ଭଲ ପାଆନ୍ତି। ଦେଶର ପ୍ରତିଟି ଗଳିରେ ୨୫ ପିଲା ଅଛନ୍ତି, ଯେଉଁମାନେ ଭାରତ ପାଇଁ ଖେଳିବାକୁ ଚାହାନ୍ତି। ତେଣୁ ଆପଣଙ୍କ ପାଖରେ ବ୍ୟାକଅପ ପ୍ଲାନ ରହିବା ଦରକାର।

ଆମର ସମ୍ପର୍କୀୟମାନେ କାନାଡାରେ ରୁହନ୍ତି। ମୁଁ ଭାବିଥିଲି ଯେ ମୋ ଶିକ୍ଷା ଶେଷ ହେବା ପରେ କାନାଡାରେ ରହୁଥିବା ସମ୍ପର୍କୀୟଙ୍କ ପାଖକୁ ଚାଲି ଯିବି। ପ୍ରଥମେ ପରିବାର ସହ ଯିବି ବୋଲି ଭାବିଥିଲି। କିନ୍ତୁ ସେଠାକାର ସଂସ୍କୃତି ଭିନ୍ନ ଥିବାରୁ ମୋ ମା’ ଯିବାକୁ ଅରାଜି ହୋଇଥିଲେ।

ଏପରି ସ୍ଥିତିରେ ମୁଁ ଏଠାରେ କିଛି କରିବାକୁ ଚେଷ୍ଟା କରିଥିଲି। ମୁଁ ଅତ୍ୟନ୍ତ ଖୁସି ଓ ଅତ୍ୟନ୍ତ ଲକି ଯେ ଏଠାରେ ବହୁତ କିଛି ଘଟିଲା। ଯଦି ସେମିତି କିଛି ହୋଇ ନଥାଆନ୍ତା, ତା’ହେଲେ ମୁଁ କାନାଡାର ଜାତୀୟ ଟିମ ପାଇଁ ଚେଷ୍ଟା କରିଥାଆନ୍ତି।

ସେଠାରେ କିଛି କରିବାକୁ ଉଦ୍ୟମ କରି ଥାଆନ୍ତି। ହେଲେ ଏଠାରେ ସବୁ କିଛି ହେବାରୁ ମୁଁ ବହୁତ ଖୁସି। ଏବେ ମୁଁ ଭାରତୀୟ ଟିମ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବାକୁ ସକ୍ଷମ ହୋଇଛି।” ୨୦୧୩ରେ ବୁମ୍ରା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବା ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ୨୦୧୬ରେ ଭାରତୀୟ ଟିମରେ ସୁଯୋଗ ମିଳିଥିଲା। ଏବେ ସେ ଦେଶର ଷ୍ଟାର ଦ୍ରୁତ ବୋଲର। 

IPL Jasprit Bumrah Team India Mumbai Indians Sanjana Ganesan