ବିସିସିଆଇର ପୂର୍ବତନ ସମ୍ପାଦକ ଜୟ ଶାହ ଆଜି ବିଧିବଦ୍ଧ ଭାବେ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ତାଙ୍କ କାର୍ଯ୍ୟକାଳ ଆଜି ଠାରୁ ଆରମ୍ଭ ହୋଇଛି। ୨୦୨୫ ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିସିସିଆଇ ଓ ପିସିବି ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିବା ବେଳେ ହାଇବ୍ରିଡ ମଡେଲ ଉପରେ ଆଲୋଚନା ଚାଲିଛି। ଏସବୁ ଭିତରେ ଜୟ ଶାହ ଆଇସିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
କୁହାଯାଉଛି ଯେ ପାକିସ୍ତାନ କ୍ରିକେଟ ବୋର୍ଡ କୌଣସି ଉପାୟ ନ ପାଇ ହାଇବ୍ରିଡ ମଡେଲ ଆପଣାଇବାକୁ ରାଜି ହୋଇଛି। ଆଇସିସି ପକ୍ଷରୁ ହିଁ ପିସିବିକୁ ହାଇବ୍ରିଡ ମଡେଲର ପ୍ରସ୍ତାବ ଦିଆଯାଇଥିଲା। ତେବେ ଚାମ୍ପିୟନ୍ସ ଟ୍ରଫିର ହୋଷ୍ଟିଂକୁ ନେଇ ଏଯାଏ କୌଣସି ସ୍ପଷ୍ଟତା ଆସିନାହିଁ।
୨୦୨୦ରୁ ଆଇସିସି ଅଧ୍ୟକ୍ଷ ଭାବେ କାମ କରୁଥିବା ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହୋଇଥିଲା। ଏହାପରେ ଜୟ ଶାହ ଆଜି ଏହି ପଦ ଅଳଙ୍କୃତ କରିଛନ୍ତି। ଶାହ ମାତ୍ର ୩୫ ବର୍ଷ ବୟସରେ ଆଇସିସି ଅଧ୍ୟକ୍ଷ ହେବାର ରେକର୍ଡ କରିଛନ୍ତି। ସେ ସବୁଠାରୁ କନିଷ୍ଠ ବ୍ୟକ୍ତି ଭାବେ କ୍ରିକେଟର ସବୁଠାରୁ ବଡ଼ ସଂସ୍ଥାର ମୁଖ୍ୟ ହୋଇଛନ୍ତି।
ଏହାବାଦ ଶାହ ୫ମ ଭାରତୀୟ ଭାବେ ଏହି ପଦରେ ଅଳଙ୍କୃତ କରିଛନ୍ତି। ଏହା ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ ଶ୍ରୀନିବାସନ ଓ ଶଶାଙ୍କ ମନୋହର ଆଇସିସିର ମୁଖ୍ୟ ପଦରେ ରହିଥିଲେ।
ଆଇସିସି ଅଧ୍ୟକ୍ଷ ପ୍ରତ୍ୟେକ ଦୁଇ ବର୍ଷ ଲେଖାଏ ତିନି ଟର୍ମ ପାଇଁ କାର୍ଯ୍ୟଭାର ସମ୍ଭାଳନ୍ତି। ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେ ୨୦୨୦ରେ ଆଇସିସିର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ। ୨୦୨୨ରେ ମଧ୍ୟ ପୁନର୍ବାର ତାଙ୍କୁ ଦାୟିତ୍ୱ ମିଳିଥିଲା।
ଆଜି ଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଜୟ ଶାହ କହିଛନ୍ତି ଯେ ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ କେମିତି କ୍ରିକେଟ ସାମିଲ ହୋଇପାରିବ, ତା’ ଉପରେ ସେ ଫୋକସ କରିବେ। ସେହିପରି ମହିଳା କ୍ରିକେଟ କେମିତି ଅଧିକ ଲୋକାଦୃତ ହେବ, ସେଥିପାଇଁ ମଧ୍ୟ କାମ କରିବେ ବୋଲି ଜୟ ଶାହ କହିଛନ୍ତି।
କ୍ରିକେଟର ପ୍ରଶାସନିକ ବ୍ୟବସ୍ଥାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ ଅଭିଜ୍ଞତା ଯଥେଷ୍ଟ ରହିଛି। ସେ ୨୦୦୯ରେ ଗୁଜରାଟ କ୍ରିକେଟ ଆସୋସିଏସନରୁ ନିଜ ଯାତ୍ରା ଆରମ୍ଭ କରିଥିଲେ। ଅହମଦାବାଦରେ ଥିବା ବିଶ୍ୱର ସର୍ବୋବୃହତ୍ତ କ୍ରିକେଟ ଷ୍ଟାଡିୟମ ନିର୍ମାଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
୨୦୧୯ରେ ଜୟ ଶାହ ବିସିସିଆଇର ସମ୍ପାଦକ ପଦ ସମ୍ଭାଳିବରେ ସର୍ବକନିଷ୍ଠ ସଦସ୍ୟ ହୋଇଥିଲେ। ସେ ଏସିଆନ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଓ ଆଇସିସିର ଅର୍ଥ ଓ ବ୍ୟବସାୟିକ ବ୍ୟାପାର କମିଟର ଅଧ୍ୟକ୍ଷତା କରିବାର ଅଭିଜ୍ଞ ମଧ୍ୟ ରଖିଛନ୍ତି।