Advertisment

Women's World Cup: ୨୫ ବର୍ଷ ପରେ ଦୁନିଆ ଦେଖିବ ନୂଆ ବିଜେତା, ଇତିହାସ ସୃଷ୍ଟି ଲକ୍ଷ୍ୟରେ ଭାରତ

୧୯୭୩ରୁ ମହିଳା ଦିନିକିଆ ବିଶ୍ୱକପ ଖେଳା ଯାଉଛି। ସେବେଠାରୁ ୧୨ଟି ବିଶ୍ୱକପ ଫାଇନାଲ ଖେଳା ଯାଇଥିବା ବେଳେ ଅଷ୍ଟ୍ରେଲିଆ ୭ଥର, ଇଂଲଣ୍ଡ ୪ଥର ଓ ନ୍ୟୁଜିଲ୍ୟାଣ୍ଡ ଥରେ ଟ୍ରଫି ଜିତିଛି।

author-image
Hemant Lenka
AUS

ମ୍ୟାଚ୍‌ ଜିତାଇଥିବା ଜେମିମା

ଦୀର୍ଘ ୨୫ ବର୍ଷର ଅପେକ୍ଷାରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ। ରବିବାର ମହିଳା ଦିନିକିଆରେ ବିଶ୍ୱକୁ ମିଳିବ ନୂଆ ବିଜେତା। ନଭେମ୍ବର ୨ ତାରିଖରେ ଭାରତର ନଭି ମୁମ୍ବାଇରେ ଖେଳାଯିବ ମହିଳା ଦିନିକିଆ ବିଶ୍ୱକପର ଫାଇନାଲ।

Advertisment

୧୩ତମ ସଂସ୍କରଣରେ ଦୁନିଆକୁ ମିଳିବାକୁ ଯାଉଛି ନୂଆ ବିଜେତା। ଫାଇନାଲରେ ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ ପ୍ରଥମଥର ପାଇଁ ଟାଇଟଲ ଟକ୍କରକୁ ଯୋଗ୍ୟତା ଅର୍ଜନ କରିଥିବା ଦକ୍ଷିଣ ଆଫ୍ରିକା। ପ୍ରଥମ ସେମିରେ ଦକ୍ଷିଣ ଆଫ୍ରିକା ବେଶ ଚମତ୍କାର ଢଙ୍ଗରେ ଇଂଲଣ୍ଡକୁ ହରାଇଥିଲା।

ଆଉ ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ହାସଲ କରିଛି ଐତିହାସିକ ବିଜୟ। ଭାରତ ତୃତୀୟ ଥର ପାଇଁ ମହିଳା ଦିନିକିଆ ବିଶ୍ୱକପ ଖେଳିବାକୁ ଯାଉଛି। ୨୦୦୫ ଓ ୨୦୧୭ରେ ଭାରତୀୟ ମହିଳା ଟିମ(Indian Women Cricket Team) ଦିନିକିଆ ବିଶ୍ୱକପ ଫାଇନାଲ ଖେଳିଥିଲା। କିନ୍ତୁ ଉଭୟ ଥର ଭାରତକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା। ୨୦୦୫ରେ ଅଷ୍ଟ୍ରେଲିଆ ଓ ୨୦୧୭ରେ ଇଂଲଣ୍ଡ ଠାରୁ ହାରିଥିଲା ଭାରତୀୟ ମହିଳା ଟିମ। ଏଥର ଦଳ ବିଜୟ ଟ୍ରଫିରେ ନିଜ ନାଁ ଲେଖି ନୂଆ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। 
୧୯୭୩ରୁ ମହିଳା ଦିନିକିଆ ବିଶ୍ୱକପ ଖେଳା ଯାଉଛି। ସେବେଠାରୁ ୧୨ଟି ବିଶ୍ୱକପ ଫାଇନାଲ ଖେଳା ଯାଇଥିବା ବେଳେ ଅଷ୍ଟ୍ରେଲିଆ ୭ଥର, ଇଂଲଣ୍ଡ ୪ଥର ଓ ନ୍ୟୁଜିଲ୍ୟାଣ୍ଡ ଥରେ ଟ୍ରଫି ଜିତିଛି। ୧୯୭୩ରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ଓ ଅଷ୍ଟ୍ରେଲିଆ ୧୯୭୮ରେ ଇଂଲଣ୍ଡକୁ ହରାଇ ବିଶ୍ୱକପ ଉଠାଇଥିଲା। ୧୯୮୨ ଓ ୧୯୮୮ରେ ଅଷ୍ଟ୍ରେଲିଆ ପୁଣି ବିଶ୍ୱକପ ଜିତିଥିଲା। ୧୯୯୩ରେ ଇଂଲଣ୍ଡ ଓ ୧୯୯୭ରେ ଅଷ୍ଟ୍ରେଲିଆ ଚାମ୍ପିନୟ ହୋଇଥିଲା।  

Advertisment

କିନ୍ତୁ ୨୦୦୦ ମସିହାରେ ଇତିହାସ ବଦଳିଥିଲା। ପ୍ରଥମଥର ପାଇଁ ମହିଳା ଦିନିକିଆ ବିଶ୍ୱକପ ଜିତିଥିଲା ନ୍ୟୁଜିଲ୍ୟାଣ୍ଡ। ନ୍ୟୁଜିଲ୍ୟାଣ୍ଡ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୪ ରନରେ ହରାଇ ଚାମ୍ପିୟନ ହୋଇଥିଲା। ଏହାପରେ କିନ୍ତୁ ବିଶ୍ୱ ଆଉ କୌଣସି ନୂଆ ବିଜେତାକୁ ଦେଖିନାହିଁ। ୨୦୦୯ ଓ ୨୦୧୨ରେ ପୁଣି ଅଷ୍ଟ୍ରେଲିଆ, ୨୦୧୭ରେ ଇଂଲଣ୍ଡ ଓ ୨୦୨୨ରେ ଅଷ୍ଟ୍ରେଲିଆ ମହିଳା ଦିନିକିଆ ବିଶ୍ୱକପ(ODI World Cup) ଜିତିଥିଲା। ହେଲେ ୨୦୨୫ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ କିମ୍ବା ନ୍ୟୁଜିଲ୍ୟାଣ୍ଡ କେହି ବି ଫାଇନାଲକୁ ଯାଇ ପାରି ନାହାନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା ଫାଇନାଲ ଖେଳିବେ। ତେଣୁ ବିଶ୍ୱକୁ ମହିଳା ଦିନିକିଆ କ୍ରିକେଟରେ ନୂଆ ବିଜେତା ମିଳିବ। 

ଗୁରୁବାର ସେମି ଫାଇନାଲରେ ଭାରତ ରେକର୍ଡ ରନ ଚେଜ ସହ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି। ହରମନପ୍ରୀତ କୌରଙ୍କ ଭାରତୀୟ ଟିମ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ହରାଇ ତୃତୀୟ ଥର ପାଇଁ ଫାଇନାଲ୍‌ ଖେଳିବ। ସେମିରେ ଜେମିମା ରଡ୍ରିଗ୍ସଙ୍କ ପ୍ରଥମ ବିଶ୍ୱକପ୍‌ ଶତକ (୧୨୭*) ବଳରେ ଭାରତ ଦମଦାର ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ଦେଇଥିବା ବିଶାଳ ୩୩୯ ରନର ଟାର୍ଗେଟକୁ ଭାରତ ୯ ବଲ ପୂର୍ବରୁ ୫ ୱିକେଟ ହରାଇ ହାସଲ କରି ନେଇଛି। 

ଚଳିତ ବିଶ୍ୱକପର ଲିଗ୍ ପର୍ଯ୍ୟାୟରେ ଭାରତର ୩୩୧ ରନ୍‌କୁ ପିଛା କରିଥିବା ଅଷ୍ଟ୍ରେଲିଆ ଠାରୁ ଭାରତୀୟ ମହିଳା ଦଳ ସେମିରେ ମଧୁର ପ୍ରତିଶୋଧ ବି ନେଇଛି। ଅଷ୍ଟ୍ରେଲିଆର ୩୩୮ ରନ୍‌କୁ ପଛରେ ପକାଇ ଭାରତ ମହିଳା ଦିନିକିଆ ଇତିହାସରେ ସର୍ବୋଚ୍ଚ ରନଚେଜର ରେକର୍ଡ ନିଜ ନାଁରେ କରିଛି।

୨୦୧୭ ବିଶ୍ୱକପ ସେମିରେ ମଧ୍ୟ ଅଷ୍ଟ୍ରେଲିଆକୁ ଭାରତ ହରାଇଥିଲା। ଏହାପରଠାରୁ ଅଷ୍ଟ୍ରେଲିଆ ବିଶ୍ୱକପରେ କୌଣସି ମ୍ୟାଚ୍‌ କାହା ଠାରୁ ବି ହାରି ନଥିଲା। ଏବେ ସେହି ଭାରତ ଠାରୁ ଏଲିସ ହେଲୀଙ୍କ ଅଷ୍ଟ୍ରେଲିଆକୁ ହାରିବାକୁ ପଡ଼ିଛି। ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଏକମାତ୍ର ଦଳ ଭାବେ ଅପରାଜୟ ରହି ସେମି ଫାଇନାଲକୁ ଯାଇଥିଲା। ଗ୍ରୁପ ପର୍ଯ୍ୟାୟରେ ଦବଦବା ଦେଖାଇଥିବା କଙ୍ଗାରୁ ଟିମକୁ ନଭି ମୁମ୍ବାଇରେ ଭାରତ ଧୂଳି ଚଟାଇ ଦେଇଛି। 

ଅଷ୍ଟ୍ରେଲିଆ ୨୦୨୨ ବିଶ୍ୱକପ ଓ ୨୦୨୫ ବିଶ୍ୱକପ ସେମି ଫାଇନାଲ ମଧ୍ୟରେ କ୍ରମାଗତ ୧୫ ମ୍ୟାଚ୍‌ ଜିତି ଆସିଥିଲା। ୧୯୯୭ରୁ ୨୦୦୦ ବିଶ୍ୱକପ୍‌ରେ ମଧ୍ୟ ଅଷ୍ଟ୍ରେଲିଆ କ୍ରମାଗତ ୧୫ ମ୍ୟାଚ୍‌ ଜିତିବା ପରେ ହାରିଥିଲା। ୬ ଥର ସେମିଫାଇନାଲ୍‌ ଖେଳିଥିବା ଅଷ୍ଟ୍ରେଲିଆ ୪ ଥର ଜିତିଥିବା ବେଳେ ଭାରତ ନିକଟରୁ ହିଁ ଅବଶିଷ୍ଟ ୨ ମ୍ୟାଚ୍‌ ହାରିଛି।

ଗୁରୁବାର ଅଷ୍ଟ୍ରେଲିଆ ଦେଇଥିବା ୩୩୯ ରନ୍‌ ଲକ୍ଷ୍ୟକୁ ପିଛା କରୁ ଥିବା ଭାରତ ପାୱାର ପ୍ଲେରେ ୨ ୱି‌କେଟ୍ ହରାଇ ୬୦ ରନ୍ କରିଥିଲା। ଆହତ ପ୍ରତୀକା ରାୱଲଙ୍କ ବଦଳରେ ସ୍ୱତନ୍ତ୍ର ଡାକରା ସହ ସୁଯୋଗ ପାଇଥିବା ଶେଫାଳି ବର୍ମା ମାତ୍ର ୧୦ ରନ କରିପାରିଥିଲେ। ଏହାପରେ ଅଭିଜ୍ଞ ସ୍ମୃତି ମନ୍ଧାନା ୨୪ ବଲ୍‌ରେ ୨୪ ରନ୍ ଖେଳି ଆଉଟ ହୋଇଥିଲେ।

ଏତିକି ବେଳେ ଜେମିମା ରଡ୍ରିଗ୍ସ ଓ ଅଧିନାୟକ ହରମନପ୍ରୀତ କୌର୍ ତୃତୀୟ ୱିକେଟ୍ ପାଇଁ ଦମଦାର ୧୬୭ ରନ୍ ଯୋଡ଼ି ଭାରତର ବିଜୟ ସମ୍ଭାବନାକୁ ବଢ଼ାଇଥିଲେ। କିନ୍ତୁ ହରମନପ୍ରୀତ ୮୮ ବଲରେ ୯୮ ରନ କରି ଆଉଟ ହୋଇଯିବା ପରେ ପୁଣି ସମସ୍ତଙ୍କ ଛାତି ଧଡ଼ଧନ ହୋଇଥିଲା। କିନ୍ତୁ ଜେମିମା ହାର ମାନିବା ମୁଡରେ ନଥିଲେ। ସେ ଶେଷ ଯାଏ ୧୩୪ ବଲରେ ଅପରାଜିତ ୧୨୭ ରନର ଇନିଂସ ଖେଳି ଭାରତ ପାଇଁ ଫାଇନାଲ ଟିକେଟ ପକ୍କା କରିଥିଲେ।

ତାଙ୍କୁ ଦୀପ୍ତି ଶର୍ମା ୧୭ ବଲ୍‌ରୁ ୨୪ ରନ୍ ଓ ରିଚା ଘୋଷ ୧୬ ବଲ୍‌ରୁ ୨୬ ରନ୍ ବେଶ ସହାୟତା କରିଥିଲେ। ଶେଷରେ ଅମନ୍‌ଜୋତ୍‌ କୌର୍ ୮ ବଲ୍‌ରୁ ଅପରାଜିତ ୧୫ କରି ଜେମିମାଙ୍କ ସହ ମିଶି ବିଜୟ ମୁଣ୍ଡି ମାରିଥିଲେ। ଅମନଜୋତ୍‌ କୌରଙ୍କ ବ୍ୟାଟରୁ ବିଜୟ ଚୌକା ଆସିଥିଲା। 

ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଫୋବି ଲିଚଫିଲ୍ଡଙ୍କ ବିସ୍ଫୋରକ ୧୧୯, ଅଭିଜ୍ଞ ଏଲିସ୍‌ ପେରିଙ୍କ ୭୭ ରନ ଓ  ଆଶ୍‌ଲେ ଗାର୍ଡନର୍ ୪୫ ବଲ୍‌ରୁ ୬୩ ରନ୍ ବଳରେ ୪୯.୫ ଓଭରରେ ସମସ୍ତ ୱିକେଟ ହରାଇ ଅଷ୍ଟ୍ରେଲିଆକୁ ୩୩୮ କରିଥିଲା। 

Women Cricket ODI World Cup Indian Women Cricket Team