/odisha-reporter/media/media_files/2026/02/28/ranji-trophy-2026-02-28-15-48-56.jpg)
ଟ୍ରଫି ସହ ଜମ୍ମୁ-କଶ୍ମୀର ଖେଳାଳି
ଘରୋଇ କ୍ରିକେଟରେ ଇତିହାସ ରଚିଛି ଜମ୍ମୁ-କଶ୍ମୀର। ଦୀର୍ଘ ୬୭ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ସବୁବେଳେ ଦୁର୍ବଳ ଟିମ ଭାବେ ଗଣତି ହେଉଥିବା ଜମ୍ମୁ-କଶ୍ମୀର ଏଥର ବାଜି ପଲଟାଇ ଦେଇଛି। ବଡ଼ବଡ଼ ଟିମକୁ ମାତ ଦେଇ ପ୍ରଥମ ଥର ରଣଜୀ ଟ୍ରଫି(Ranji Trophy) ଜିତିଛି ଜମ୍ମୁ-କଶ୍ମୀର।
୬୭ ବର୍ଷ ତଳେ ଅର୍ଥାତ ୧୯୫୯-୬୦ ସିଜିରେ ଜମ୍ମୁ-କଶ୍ମୀର ପ୍ରଥମଥର ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲା। ହେଲେ ଦଳକୁ କେବେ ହେଲେ ଫାଇନାଲ ଖେଳିବାର ଗୌରବ ମିଳି ନଥିଲା। କିନ୍ତୁ ୨୦୨୬ରେ ଇତିହାସ ବଦଳିଛି। ଜମ୍ମୁ-କଶ୍ମୀର ପ୍ରଥମଥର ଫାଇନାଲ ଖେଳିବା ସହ ପ୍ରଥମଥର ଚାମ୍ପିୟନ ହୋଇଛି।
ଫାଇନାଲରେ ଦଳ କର୍ଣ୍ଣାଟକାକୁ ଭେଟିଥିଲା। କେଏଲ ରାହୁଲ, ପ୍ରସିଦ୍ଧ କ୍ରିଷ୍ଣା ଓ ମୟଙ୍କ ଅଗ୍ରୱାଲଙ୍କ ଭଳି ଷ୍ଟାର ଖେଳାଳି କର୍ଣ୍ଣାଟକା ପଟେ ଥିଲେ। ତଥାପି ପାରସ ଡୋଗ୍ରାଙ୍କ ଜମ୍ମୁ-କଶ୍ମୀର ମ୍ୟାଚ୍କୁ ଡ୍ର ରଖିବା ସହ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଟ୍ରଫି କରାୟତ କରିଛି।
ପ୍ରଥମ ଇନିଂସରେ ଜମ୍ମୁ-କଶ୍ମୀର ୧୭୩ ଓଭର ବ୍ୟାଟିଂ କରିବା ସହ ବିଶାଳ ୫୮୪ ରନ କରିଥିଲା। ଦଳ ପାଇଁ ୱାଇ ହାସନ ୮୮, ଶୁଭମ ପୁନ୍ଦିର ୧୨୧, ଅଧିନାୟକ ଡୋଗ୍ରା ୭୦, ଅବଦୁଲ ସମଦ ୬୧, କହ୍ନୈୟା ୱାଧୱନ ୭୦, ସାହିଲ ଲୋଟ୍ରା ୭୨ ଓ ଯୁଦ୍ଧବୀର ସିଂହ ଚରକ ୩୦ ରନ କରିଥିଲେ।
ଏହାର ଜବାବରେ କର୍ଣ୍ଣାଟକା ପାଇଁ ମୟଙ୍କ ଅଗ୍ରୱାଲ ଏକା ଲଢ଼େଇ କରି ୧୬୦ ରନର ଇନିଂସ ଖେଳିଥିଲେ। କିନ୍ତୁ ଅକିବ ନବି ଦାରଙ୍କ ଘାତକ ବୋଲିଂ ଆଗରେ ଆଉ କୌଣସି କର୍ଣ୍ଣାଟକା ବ୍ୟାଟର ଛିଡ଼ା ହୋଇ ପାରି ନଥିଲେ। କର୍ଣ୍ଣାଟକା ପ୍ରଥମ ଇନିଂସରେ ମାତ୍ର ୨୯୩ ରନ କରିପାରିଥିଲା। ଅକିବ ଏକାକୀ ୫ ୱିକେଟ ନେଇଥିବା ବେଳେ ସୁନିଲ କୁମାର ଓ ଯୁଦ୍ଧବୀରଙ୍କୁ ୨ଟି ଲେଖାଏ ସଫଳତା ମିଳିଛି। ସେହିପରି ସାହିଲଙ୍କୁ ଗୋଟିଏ ୱିକେଟ ମିଳିଥିଲା।
ଦ୍ୱିତୀୟ ଇନିଂସରେ ମଧ୍ୟ ଜମ୍ମୁ-କଶ୍ମୀର ବ୍ୟାଟରମାନେ ନିଜର ଜଲୱା ଦେଖାଇଥିଲେ। ପ୍ରଥମ ଇନିଂସରେ ଫେଲ ମାରିଥିବା କମରାନ ଇକବାଲ ଅପରାଜିତ ୧୬୦ ଓ ସାହିଲ ୧୦୧ କରିବା ଯୋଗୁ ଜମ୍ମୁ-କଶ୍ମୀର ୪ ୱିକେଟ ହରାଇ ୩୪୨ କରିବା ପରେ ପାଳି ଘୋଷଣା କରିଥିଲା। ତେବେ ମ୍ୟାଚର ଆଜି ଅନ୍ତିମ ଦିନ ଥିବାରୁ ଆଉ ମାତ୍ର କିଛି ଘଣ୍ଟାର ଖେଳ ବାକି ରହିଥିଲା। ତେଣୁ ଦୁଇ ଅମ୍ପାୟାର ଦୁଇ ଦଳର ଅଧିନାୟକଙ୍କ ସହ କଥା ହୋଇ ମ୍ୟାଚ୍କୁ ଡ୍ର ଘୋଷଣା କରିଥିଲେ। ମ୍ୟାଚ୍ ଡ୍ର ହେବା କ୍ଷଣୀ ଜମ୍ମୁ-କଶ୍ମୀର ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବିଜୟ ମୁକୁଟ ପିନ୍ଧିଛି।
ପୂରା ରଣଜୀ ଋତୁରେ ଜଲୱା ଦେଖାଇଥିବା ଅକିବଙ୍କୁ ପ୍ଲେୟାର ଅଫ ଦି ସିରିଜ ପୁରସ୍କାର ମିଳିଛି। ସେ ୧୦ଟି ମ୍ୟାଚ୍ରେ ୬୦ ୱିକେଟ ନେଇଛନ୍ତି। ଏଥିରେ ୭ଟି ୫ ୱିକେଟ ସଫଳତା ରହିଛି। ସେହିପରି ବାମହାତୀ ଶୁଭମ ପୁନ୍ଦିର ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ପ୍ରଥମ ଇନିଂସରେ ୧୨୧ ରନ କରିବାରୁ ଜମ୍ମୁ-କଶ୍ମୀର ବିଶାଳ ୫୮୪ ରନ କରିପାରିଥିଲା।
ଜମ୍ମୁ-କଶ୍ମୀର ୩୩୪ଟି ମ୍ୟାଚ୍ ଇତି ମଧ୍ୟରେ ଖେଳିଥିଲେ ହେଁ କୌଚିତ ସଫଳତା ସାଉଁଟି ଥିଲା। କିନ୍ତୁ କ୍ୟାପ୍ଟେନ ପାରସ ଡୋଗ୍ରା ଓ କୋଚ ଅଜୟ ଶର୍ମାଙ୍କ ନେତୃତ୍ୱରେ ଦଳ ଏବେ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ଡୋଗ୍ରା ମଧ୍ୟ ବ୍ୟକ୍ତିଗତ ଭାବେ ଗୋଟିଏ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଦ୍ୱିତୀୟ ବ୍ୟାଟର ଭାବେ ରଣଜୀ ଟ୍ରଫିରେ ୧୦ ହଜାର ରନ ପୂରଣ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
