ବିପର୍ଯ୍ୟୟ ସତ୍ତ୍ୱେ ଦମ୍ଭ ଦେଖାଇଲେ ଜୋ ରୁଟ୍‌, ଭଲ ସ୍ଥିତିରେ ଇଂଲଣ୍ତ

ପ୍ରଥମ ଦିନର ଖେଳ ଶେଷ ବେଳକୁ ଇଂଲଣ୍ଡ ୭ ୱିକେଟ ହରାଇ ୩୦୨ ରନ କରି ନେଇଛି। ଜୋ ରୁଟ ୧୦୬ ଓ ଓଲି ରବିନସନ ୩୧ ରନ କରି ଅପରାଜିତ ରହିଛନ୍ତି।

ଜୋ ରୁଟ୍‌

  • Published: Friday, 23 February 2024
  • , Updated: 23 February 2024, 05:17 PM IST

ଭାରତ ବିପକ୍ଷ ୪ର୍ଥ ଟେଷ୍ଟରେ ଦମ ଦେଖାଇଛନ୍ତି ଇଂଲଣ୍ଡର ଅଭିଜ୍ଞ ଖେଳାଳି ଜୋ ରୁଟ୍‌। ରାଞ୍ଚିରେ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ରୁଟ ନିଜର କ୍ଲାସ ସମସ୍ତଙ୍କୁ ଦେଖାଇଛନ୍ତି।

ସେ ଭାରତୀୟ ବୋଲରଙ୍କୁ ବେଶ ଭଲ ଭାବେ ସାମ୍ନା କରି ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି। ଏଥିସହ ଇଂଲଣ୍ଡକୁ ଭଲ ସ୍ଥିତିରେ ମଧ୍ୟ ପହଞ୍ଚାଇ ଦେଇଛନ୍ତି। ପ୍ରଥମ ଦିନର ଖେଳ ଶେଷ ବେଳକୁ ଇଂଲଣ୍ଡ ୭ ୱିକେଟ ହରାଇ ୩୦୨ ରନ କରି ନେଇଛି। ଜୋ ରୁଟ ୧୦୬ ଓ ଓଲି ରବିନସନ ୩୧ ରନ କରି ଅପରାଜିତ ରହିଛନ୍ତି।

ପ୍ରଥମ ଦିନର ପ୍ରଥମ ସେସନ୍ସରେ ଇଂଲଣ୍ଡ ୫ ୱିକେଟ ହରାଇଥିଲା। କିନ୍ତୁ ବାକି ୨ଟି ସେସନ୍ସରେ ମାତ୍ର ୨ଟି ୱିକେଟ ହରାଇଛି। ଇଂଲଣ୍ଡକୁ ଅଲଆଉଟ କରି ବ୍ୟାକଫୁଟକୁ ଠେଲିବା ପାଇଁ ସୁଯୋଗ ଭାରତ ହାତ ଛଡ଼ା କରିଛି।

ରାଞ୍ଚିରେ ଖେଳା ଯାଉଥିବା ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଜ୍ୟାକ କ୍ରଉଲୀ ଓ ବେନ ଡକେଟ ଠିକ ଠାକ ଆରମ୍ଭ କରିଥିଲେ ହେଁ ଡେବ୍ୟୁଟାଣ୍ଟ ଆକାଶ ଦୀପ ନିଜର ଜଲୱା ଦେଖାଇଥିଲେ। ସେ ପ୍ରଥମେ ଡକେଟ(୧୧), ପରେ ଓଲି ପପ(୦) ଓ ୪୨ ରନ କରିଥିବା କ୍ରାଉଲୀଙ୍କୁ ଆଉଟ କରିଥିଲେ। ୪୭ ରନରେ କୌଣସି ୱିକେଟ ହରାଇ ନଥିବା ଇଂଲଣ୍ଡ ୫୭ ରନରେ ୩ଟି ୱିକେଟ ହରାଇଥିଲା।

ଜନ୍ନି ବେୟାରଷ୍ଟୋ(୩୮) ଓ ଜୋ ରୁଟ କିଛି ସମୟ ପାଇଁ ଭାରତୀୟ ବୋଲରଙ୍କ ମୁକାବିଲା କରିଥିଲେ। ହେଲେ ଦଳୀୟ ସ୍କୋର ୧୦୯ ଥିବା ବେଳେ ରବି ଅଶ୍ୱିନ ଏହି ଯୋଡ଼ିକୁ ଭାଙ୍ଗିଥିଲେ। ସେ ବେୟାରଷ୍ଟୋଙ୍କୁ ଆଉଟ କରି ଇଂଲଣ୍ଡକୁ ୪ର୍ଥ ଝଟକା ଦେଇଥିଲେ।

ଠିକ ଲଞ୍ଚ ପୂର୍ବରୁ ଅଧିନାୟକ ଷ୍ଟୋକ୍ସ(୩)ଙ୍କୁ ଜାଡେଜା ଆଉଟ କରି ଦେଇଥିଲେ। ୧୧୨ ରନରେ ଇଂଲଣ୍ଡର ଅଧା ଟିମ ପ୍ୟାଭିଲିୟନ ଫେରି ସାରିଥିବାରୁ ଲାଗୁଥିଲା ଭାରତ ଚା’ ପାନ ବିରତି ପୂର୍ବରୁ ପ୍ରଥମ ଇନିଂସ ଆରମ୍ଭ କରିବ।

କିନ୍ତୁ ରୁଟ ଆଜି ଅଲଗା ମୁଡରେ ଥିଲେ। ତାଙ୍କୁ ବେନ ଫୋକ୍ସ ପୂରା ସାଥ ଦେଇଥିଲେ। ଉଭୟ ଭାରତୀୟ ବୋଲରଙ୍କୁ ମୁକାବିଲା କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ରୁଟ ମଧ୍ୟ ଭାରତ ବିପକ୍ଷରେ ପୁଣି ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ। ଚା’ପାନ ବିରତି ଯାଏ ଉଭୟ ଭାରତକୁ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ।

ତେବେ ବ୍ରେକ ପରେ ଭାରତକୁ ସଫଳତା ମିଳିଥିଲା। ମହମ୍ମଦ ସିରାଜ ୧୨୬ ବଲରେ ୪୭ ରନ କରିଥିବା ଫୋକ୍ସଙ୍କୁ ଆଉଟ କରିଥିଲେ। ଆଉଟ ହେବା ପୂର୍ବରୁ କିନ୍ତୁ ସେ ରୁଟଙ୍କ ସହ ମିଶି ୬ଷ୍ଠ ୱିକେଟ ପାଇଁ ୧୧୩ ରନ ଯୋଡ଼ିଥିଲେ। ଫୋକ୍ସଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ଟମ ହାର୍ଟଲୀ କେବଳ ୧୩ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ବି ସିରାଜ ନେଇଛନ୍ତି।

ଇଂଲଣ୍ଡ ଲଗାତର ଦୁଇଟି ୱିକେଟ ହରାଇଥିଲେ ମଧ୍ୟ ରୁଟ ହାର ମାନିବା ମୁଡରେ ନଥିଲେ। ତାଙ୍କୁ ରବିନସନ ମଧ୍ୟ ପୂରା ସାଥ ଦେଇଥିଲେ। ଶେଷରେ ରୁଟ ଚୌକା ମାରି ନିଜ ଟେଷ୍ଟ କ୍ୟାରିୟରର ଅନ୍ୟତମ ଲଢ଼ୁଆ ଶତକ ହାସଲ କରିଥିଲେ।

ଏଥିସହ ରବିନସନଙ୍କ ମିଶି ଭାରତକୁ ଷ୍ଟମ୍ପ ଅପସାରଣ ଯାଏ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ରୁଟ ଅପରାଜିତ ୧୦୬ ରନର ଇନିଂସରେ ୯ଟି ଚୌକା ମାରିଛନ୍ତି। ସେହିପରି ରବିନସନ ୪ଟି ଚୌକା ଓ ଗୋଟିଏ ଛକା ବଳରେ ୩୧ ରନ କରି ଅପରାଜିତ ରହିଛନ୍ତି। ଏହି ଦୁଇ ବ୍ୟାଟର ଆସନ୍ତାକାଲି ଇଂଲଣ୍ଡର ସ୍କୋରକୁ ଆଗକୁ ନେବେ।

Related story