ପରାଜୟ ପିଛା ଛାଡ଼ୁନି, ପୁଣି ହାରିଲା ହାଇଦ୍ରାବାଦ

ନୂଆଦିଲ୍ଲୀ: ନୂଆ କ୍ୟାପଟେନ୍ ନିଯୁକ୍ତି ସତ୍ତ୍ୱେ ସନରାଇଜର୍ସ ହାଇଦ୍ରାବାଦର ଭାଗ୍ୟ ବଦଳିଲା ନାହିଁ । ପୁଣି ହାରିଲା ହାଇଦ୍ରାବାଦ । ରବିବାର ଖେଳାଯାଇଥିବା ଆଇପିଏଲର ୨୮ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୫୫ ରନରେ ରାଜସ୍ଥାନ ରୟାଲ୍ସ ନିକଟରୁ ପରାସ୍ତ ହୋଇଛି । ଏହି ବିଜୟ ସହ ରାଜସ୍ଥାନ ସପ୍ତମରୁ ସିଧା ପଞ୍ଚମକୁ ଉଠିଛି । ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଜୋସ ବଟଲର (୧୨୪)ଙ୍କ ଦମଦାର ଶତକ […]

JOS-BUTLER

JOS-BUTLER

Ranjit Kumar Jena
  • Published: Sunday, 02 May 2021
  • Updated: 02 May 2021, 07:52 PM IST

Sports

Latest News

ନୂଆଦିଲ୍ଲୀ: ନୂଆ କ୍ୟାପଟେନ୍ ନିଯୁକ୍ତି ସତ୍ତ୍ୱେ ସନରାଇଜର୍ସ ହାଇଦ୍ରାବାଦର ଭାଗ୍ୟ ବଦଳିଲା ନାହିଁ । ପୁଣି ହାରିଲା ହାଇଦ୍ରାବାଦ । ରବିବାର ଖେଳାଯାଇଥିବା ଆଇପିଏଲର ୨୮ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୫୫ ରନରେ ରାଜସ୍ଥାନ ରୟାଲ୍ସ ନିକଟରୁ ପରାସ୍ତ ହୋଇଛି । ଏହି ବିଜୟ ସହ ରାଜସ୍ଥାନ ସପ୍ତମରୁ ସିଧା ପଞ୍ଚମକୁ ଉଠିଛି ।

ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଜୋସ ବଟଲର (୧୨୪)ଙ୍କ ଦମଦାର ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୦ ରନ୍ କରିଥିଲା । ଜବାବରେ ହାଇଦ୍ରାବାଦ ୮ ୱିକେଟ ହରାଇ ୧୬୫ ରନ୍ କରିବାକୁ ସକ୍ଷମ ହୋଇଛି ।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ରାଜସ୍ଥାନ ଆରମ୍ଭରୁ ଓପ୍ନର ଯଶସ୍ୱୀ ଜୈସୱାଲ୍ (୧୨)ଙ୍କ ୱିକେଟ୍ ହରାଇଥିଲା । ତେବେ ବଟଲର୍ ଓ କ୍ୟାପଟେନ୍ ସଞ୍ଜୁ ସାମସନ୍ ଦ୍ୱିତୀୟ ୱିକେଟ୍ ପାଇଁ ୧୫୦ ରନର ପାର୍ଟନରଶିପ୍ କରି ଦଳକୁ ବନ ସ୍କୋର ଅଭିମୁଖେ ନେଇଥିଲେ । ସାମସନ୍ ୩୩ ବଲରେ ୪ ଚୌକା ଓ ୨ ଛକା ସହ ୪୮ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ସ୍ଥାନରେ ଆସିଥିବା ରିୟାନ ପରାଗ ମଧ୍ୟ ବଟଲରଙ୍କ ଭରପୂର ସହଯୋଗ କରିଥିଲେ ।

୩୯ ବଲରେ ଅର୍ଦ୍ଧଶତକ ମାରିଥିବା ବଟଲର୍ ୫୬ ବଲରେ ନିଜର ଶତକ ପୂରଣ କରିଥିଲେ । ଶତକ ସହ ବଟଲର ଟିମର ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ । ବଟଲର୍ ୬୪ ବଲରେ ୧୧ ଚୌକା ଓ ୮ ଛକା ସହ ୧୨୪ ରନ୍ କରି ଆଉଟ୍ ହୋଇଥିଲେ । ପରାଗ ୧୫ ଓ ଡେଭିଡ୍ ମିଲର୍ ୭ ରନ୍ କରି ଅପରାଜିତ ଥିଲେ ।

୨୨୧ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦକୁ ଭଲ ଆରମ୍ଭ ମିଳିଥିଲା । ଦୁଇ ଓପ୍ନର ମନିଷ ପାଣ୍ଡେ ଓ ଜନ୍ନି ବେୟାରଷ୍ଟୋ ପାୱାରପ୍ଲେ’ରେ ୫୭ ରନ୍ ଯୋଡ଼ିଥିଲେ । ମନିଷ ୨୦ ବଲରେ ୩୧ (୩ ଚୌକା, ୨ ଛକା) ରନ୍ କରି ମୁସ୍ତାଫିଜୁର ରେହମାନଙ୍କ ଶିକାର ହୋଇଥିଲେ । ବେୟାରଷ୍ଟୋ ୩୦ ରନ୍ କରି ଆଉଟ୍ ହୋଇଥିଲେ । ଡେଭିଡ୍ ୱାର୍ଣ୍ଣରଙ୍କ ସ୍ଥାନରେ କ୍ୟାପଟେନ୍ ହୋଇଥିବା କେନ୍ ୱିଲିୟମସନ୍ (୨୧) ବ୍ୟାଟରେ କିଛି କମାଲ୍ କରିପାରିନଥିଲେ ।

ଟପ୍ ତିନି ବ୍ୟାଟ୍ସମ୍ୟାନଙ୍କ ଆଉଟ୍ ପରେ ହାଇଦ୍ରାବାଦର ବିଜୟ ଆଶା ମଉଳି ଯାଇଥିଲା । ମିଡଲ୍ ଅର୍ଡରରେ ବିଜୟ ଶଙ୍କର (୮), କେଦାର ଯାଦବ (୧୯), ମହମ୍ମଦ ନବି (୧୭) ନିରାଶ କରିଥିଲେ । ଅବଦୁଲ୍ ସମାଦ୍ ୧୦ ରନ୍ କରି ଆଉଟ୍ ହୋଇଥିବା ବେଳେ ଭୁବନେଶ୍ୱର କୁମାର ୧୪ ଓ ସନ୍ଦୀପ ଶର୍ମା ୮ ରନ୍ କରି ଅପରାଜିତ ଥିଲେ । ରାଜସ୍ଥାନ ରୟାଲ୍ସ ମୁସ୍ତାଫିଜୁର ଓ କ୍ରିସ୍ ମୋରିସ୍ ୩ଟି ଲେଖାଏ ୱିକେଟ୍ ନେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos