Advertisment

ବିରାଟଙ୍କ କ୍ୟାଚ୍‌ ଛାଡ଼ିବା ଅଷ୍ଟ୍ରେଲିଆ ପାଇଁ ମହଙ୍ଗା ପଡ଼ିଲା! କିନ୍ତୁ ହେଜଲଉଡ କହିଲେ ଏମିତି କଥା

କୁହାଯାଏ କ୍ୟାଚ୍‌ ମିସ ତ ମ୍ୟାଚ୍‌ ମିସ୍‌। ସତକୁ ସତ ରବିବାର ମ୍ୟାଚ୍‌ରେ ଏହା ପ୍ରମାଣିତ ହୋଇଛି। ମିଚେଲ ମାର୍ଶ କ୍ୟାଚ୍‌ ଛାଡ଼ିଲେ ଓ ଭାରତ ମ୍ୟାଚ୍‌ ଜିତିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Marsh

Marsh

ଭାରତ ତା’ର ବିଶ୍ୱକପ ଅଭିଯାନ ଅଷ୍ଟ୍ରେଲିଆ ବିପକ୍ଷ ବିଜୟରୁ ଆରମ୍ଭ କରିଛି। ଅଷ୍ଟ୍ରେଲିଆ ୨୦୦ ରନର ଟାର୍ଗେଟ ଦେଇଥିବା ବେଳେ ଭାରତ ଏକଦା ୨ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

Advertisment

ଏତିକି ବେଳେ କେଏଲ ରାହୁଲ ଓ ବିରାଟ କୋହଲି ନିଜର କ୍ଲାସ ଦେଖାଇବା ସହ ଅଷ୍ଟ୍ରେଲିଆ ପଞ୍ଝାରୁ ମ୍ୟାଚ ଛଡ଼ାଇ ଆଣିଥିଲେ। ବିରାଟ ୮୫ ରନ କରି ଆଉଟ ହୋଇଯାଇଥିବା ବେଳେ ରାହୁଲ ଶେଷ ଯାଏ ୯୭ ରନ କରି ଅପରାଜିତ ରହିଥିଲେ। ସେ ଛକା ମାରି ବେଶ ଚମତ୍କାର ଢଙ୍ଗରେ ମ୍ୟାଚ୍‌ ମଧ୍ୟ ଶେଷ କରିଥିଲେ।

ତେବେ ବିରାଟଙ୍କୁ ସଅଳ ଆଉଟ କରିବାର ସୁଯୋଗ ଅଷ୍ଟ୍ରେଲିଆ ପାଖରେ ରହିଥିଲା। ଭାରତ ଚେନ୍ନାଇର ଚେପକରେ ସଂଘର୍ଷ କରୁଥିବା ବେଳେ ବିରାଟ ମଧ୍ୟ ଅଷ୍ଟ୍ରେଲିଆକୁ ସୁଯୋଗ ଦେଇଥିଲେ। କିନ୍ତୁ ଅଷ୍ଟ୍ରେଲିଆର ମିଚେଲ ମାର୍ଶ ତାଙ୍କ କ୍ୟାଚ୍‌ ମିସ୍‌ କରି ଦେଇଥିଲେ।

Advertisment

କୁହାଯାଏ କ୍ୟାଚ୍‌ ମିସ ତ ମ୍ୟାଚ୍‌ ମିସ୍‌। ସତକୁ ସତ ରବିବାର ମ୍ୟାଚ୍‌ରେ ଏହା ପ୍ରମାଣିତ ହୋଇଛି। ମିଚେଲ ମାର୍ଶ କ୍ୟାଚ୍‌ ଛାଡ଼ିଲେ ଓ ଭାରତ ମ୍ୟାଚ୍‌ ଜିତିଲା।

୨୦୦ ରନର ପିଛା କରୁଥିବା ଭାରତ ୨ରନରେ ୩ ୱିକେଟ ହରାଇଥିଲା। ଏହାପରେ ବିରାଟ ଓ ରାହୁଲ ସ୍ଥିତି ସମ୍ଭାଳିଥିଲେ। କିନ୍ତୁ ଦଳୀୟ ସ୍କୋର ୨୦ ଥିବା ବେଳେ ବିରାଟଙ୍କ କ୍ୟାଚ ଉଠିଥିଲା। ହେଜଲଉଡଙ୍କ ବଲରେ ପୁଲ ମାରିବାକୁ ଚେଷ୍ଟା କରୁଥିବା ବେଳେ ବିରାଟଙ୍କ ବ୍ୟାଟର କ୍ୟାଚ୍‌ ଉଠିଥିଲା। 

ଏହି ସମୟରେ ମିଚେଲ ମାର୍ଶ କ୍ୟାଚ୍‌ ଧରିବାକୁ ଆସିଥିଲେ। ତେବେ ସେ ଏହାକୁ ମିସ୍‌ କରି ଯାଇଥିଲେ। ଯଦି ସେ କ୍ୟାଚ୍‌ ଧରି ପକାଇ ଥାଆନ୍ତେ, ତା’ହେଲେ ଭାରତ ୨୦ ରନରେ ୪ ୱିକେଟ ହରାଇ ଆହୁରି ସଙ୍କଟରେ ପଡ଼ି ଥାଆନ୍ତା। ସେହିପରି ମ୍ୟାଚ୍‌ର ମୋଡ ମଧ୍ୟ ଅଷ୍ଟ୍ରେଲିଆ ସପକ୍ଷରେ ରହିଥାଆନ୍ତା। କାରଣ କ୍ୟାଚ ମିସ୍‌ ହେବା ବେଳେ ବିରାଟ ବ୍ୟକ୍ତିଗତ ୧୨ ରନ କରିଥିଲେ।

ମାର୍ଶ କ୍ୟାଚ୍‌ ଛାଡ଼ିବା ପରେ ବିରାଟ ଅଷ୍ଟ୍ରେଲିଆକୁ ଆଉ କୌଣସି ସୁଯୋଗ ଦେଇ ନଥିଲେ। ସେ ଭାରତ ପାଇଁ ବିଜୟ ସୁନିଶ୍ଚିତ କରି ପ୍ୟାଭିଲିୟନ ଫେରିଥିଲେ। ହେଜଲଉଡଙ୍କ ବଲ୍‌ରେ ମାର୍ଶ କ୍ୟାଚ୍‌ ହାତ ଛଡ଼ା କରିଥିବାରୁ ତାଙ୍କୁ ସୋଶାଲ ମିଡିଆରେ ତୀବ୍ର ସମାଲୋଚନା ହେବାକୁ ପଡ଼ିଛି।

କିନ୍ତୁ ନିଜେ ହେଜଲଉଡ ଓଲଟା କଥା କହିଛନ୍ତି। ସେ ମାର୍ଶଙ୍କୁ ସମର୍ଥନ କରିଛନ୍ତି। ବଲ ଆଡ଼କୁ ୱିକେଟ କିପର ଆଲେକ୍ସ କେରୀ ମଧ୍ୟ ଯାଉଥିଲେ। ସମ୍ଭବତଃ ଏହି କାରଣ ପାଇଁ ମାର୍ଶଙ୍କ ଧ୍ୟାନଚ୍ୟୁତ ହୋଇଥିଲା ବୋଲି ସେ କହିଛନ୍ତି।

ଭାରତ ମ୍ୟାଚ୍‌ରେ ମୋଟ ୪ଟି ୱିକେଟ ହରାଇଥିବା ବେଳେ ତା’ ମଧ୍ୟରୁ ହେଜଲଉଡ ୩ଟି ସଫଳତା ପାଇଥିଲେ। ମ୍ୟାଚ୍‌ ପରେ ହେଜଲଉଡ କହିଛନ୍ତି, “କେରୀ ସେଠାରେ ପହଞ୍ଚିପାରିଥାଆନ୍ତେ ବୋଲି ମୁଁ ଭାବିପାରୁନି। ସେଇଟା ମିଚଙ୍କ କ୍ୟାଚ୍‌ ଥିଲା। ସମ୍ଭବତଃ କେରୀ ବଲ ଆଡ଼କୁ ଆସୁଥିବା ମିଚ୍‌ ଦେଖିପାରୁଥିଲେ। ତେଣୁ ତାଙ୍କର ଧ୍ୟାନଚ୍ୟୁତ ହୋଇଥାଇପାରେ।

ଏଇଟା ସତ ଯେ ସେ କ୍ୟାଚ୍‌ ଛାଡ଼ିଛନ୍ତି। କିନ୍ତୁ ମ୍ୟାଚ୍‌ରେ ଏମିତି ଘଟଣା ଘଟେ। ସମସ୍ତେ ଭଲ ପ୍ରଦର୍ଶନ କରିବାକୁ ତାଲିମ ନିଅନ୍ତି ଓ କଠିନ ପରିଶ୍ରମ କରନ୍ତି। କେହି ଜାଣିଶୁଣି କ୍ୟାଚ୍‌ ହାତ ଛଡ଼ା କରେନାହିଁ। ଆମେ ଏହାକୁ ଭୁଲି ଆଗକୁ ବଢ଼ିବୁ।”

କ୍ୟାଚ୍‌ ଖସିବା ପରେ ବିରାଟ ତାଙ୍କ ଦିନିକିଆ କ୍ୟାରିୟର୍‌ର ୬୭ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ରାହୁଲଙ୍କ ସହ ମିଶି ୪ର୍ଥ ୱିକେଟ ପାଇଁ ୧୬୫ ରନ ମଧ୍ୟ ଯୋଡ଼ିଥିଲେ। ସେ ୮୫ ରନ କରିବା ପରେ ହେଜଲଉଡଙ୍କ ବଲରେ ମାର୍ନସ ଲାବୁଶେନଙ୍କ ହାତରେ ଧରା ପଡ଼ି ଯାଇଥିଲେ। କିନ୍ତୁ ଭାରତ ୬ ୱିକେଟରେ ମ୍ୟାଚ୍‌କୁ ଜିତି ନେଇଥିଲା।

India Vs Australia ICC ICC Men’s Cricket World Cup 2023 ICC World Cup 2023