Advertisment

ଡନ ବ୍ରାଡମ୍ୟାନଙ୍କ ରେକର୍ଡର ସମକକ୍ଷ ହେଲେ କେନ ୱିଲିୟମସନ

କେନ ୱିଲିୟମସନଙ୍କ ପୂର୍ବରୁ ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଆଉ ୪ ଜଣ ଖେଳାଳି ମଧ୍ୟ ଶତକ ହାସଲ କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Kane Williamson

Kane Williamson

ନ୍ୟୁଜିଲ୍ୟାଣ୍ତର ଷ୍ଟାର ବ୍ୟାଟର କେନ ୱିଲିୟମସନ କିମ୍ବଦନ୍ତୀ କ୍ରିକେଟର ଡନ ବ୍ରାଡମ୍ୟାନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଦୁଇଟି ଯାକ ଇନିଂସରେ ଶତକ ହାସଲ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ଘରୋଇ ପରିବେଶରେ ସେ ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ଶତକ ମାରିବା ମାମଲାରେ ନ୍ୟୁଜିଲ୍ୟାଣ୍ଡର ୫ମ କ୍ରିକେଟର ବନି ଯାଇଛନ୍ତି।

Advertisment

ପ୍ରଥମ ଇନିଂସରେ ୱିଲିୟମସନ ୧୧୮ ରନର ଇନିଂସ ଖେଳିଥିଲେ। ଦ୍ୱିତୀୟ ଇନିଂସରେ ସେ ୧୩୨ ବଲରେ ୧୦୯ ରନ କରି ଆଉଟ ହୋଇଛନ୍ତି। ଏହି ଇନିଂସରେ ୱିଲିୟମସନ ୧୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ୱିଲିୟମସନଙ୍କ ଜବରଦସ୍ତ ଇନିଂସ ବଳରେ ନ୍ୟୁଜିଲ୍ୟାଣ୍ଡ ଏବେ ବିଶାଳ ୫୨୮ ରନର ଲିଡ ହାସଲ କରି ନେଇଛି। ସେହିପରି ଦଳ ହାତରେ ଆହୁରି ୭ଟି ୱିକେଟ ରହିଛି।

Advertisment

କ୍ରମାଗତ ଶତକ ହାସଲ କରି ୱିଲିୟମସନ ନୂଆ ରେକର୍ଡ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୩୧ତମ ଶତକ। ସେହିପରି ଘରୋଇ ଗ୍ରାଉଣ୍ଡରେ ଏହା ତାଙ୍କର ୧୮ତମ ଶତକ। ଘରୋଇ ପରିବେଶରେ ସର୍ବାଧିକ ଶତକ ହାସଲ କରିଥିବା ତାଲିକାରେ ସେ ଯୁଗ୍ମ ଭାବେ ୬ଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଡନ ବ୍ରାଡମ୍ୟାନ ଓ ଇଂଲଣ୍ଡର କ୍ରିକେଟର ଜୋ ରୁଟ ମଧ୍ୟ ଘରୋଇ ପରିବେଶରେ ୧୮ଟି ଲେଖାଏ ଶତକ ହାସଲ କରିଛନ୍ତି। ମାହେଲା ଜୟବର୍ଦ୍ଧନେ, ଜ୍ୟାକ କାଲିସ ଓ ରିକି ପଣ୍ଟିଂ ୨୩ଟି ଲେଖାଏ ଶତକ ହାସଲ କରି ତାଲିକାର ୧ନଂ ସ୍ଥାନରେ ରହିଛନ୍ତି। ୱିଲିୟମସନ ଘରୋଇ ମାଟିରେ ଏଯାଏ ୪୬ଟି ଟେଷ୍ଟ ଖେଳି ମୋଟ ୪୪୮୭ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୬୯.୦୩ ରହିଛି।

ଏହାବାଦ ୱିଲିୟମସନ ଟେଷ୍ଟ କ୍ରିକେଟରେ ୩୧ଟି ଶତକ ହାସଲ କରିଥିବା ତାଲିକାର ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ସହ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ମଧ୍ୟ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଲିକାର ୧ନଂ ସ୍ଥାନରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ରହିଛନ୍ତି। ସେ ୧୬୫ଟି ଇନିଂସରେ ତାଙ୍କ ଟେଷ୍ଟ କ୍ୟାରିୟରର ୩୧ତମ ଶତକ ହାସଲ କରିଥିଲେ।

କେନ ୱିଲିୟମସନଙ୍କ ପୂର୍ବରୁ ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଆଉ ୪ ଜଣ ଖେଳାଳି ମଧ୍ୟ ଶତକ ହାସଲ କରିଥିଲେ। ଏବେ ୫ମ ଖେଳାଳି ଭାବେ ୱିଲିୟମସନ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଗ୍ଲେନ ଟର୍ଣ୍ଣର, ଜେଫ ହାୱାର୍ଥ, ଆଣ୍ଡ୍ର୍ୟୁ ଜୋନ୍ସ ଓ ପିଟର ଫୁଲଟନ ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ଶତକ ମାରିଥିଲେ।

Newzealand Test Cricket Test Match Kane Williamson