Advertisment

ସବୁ ଚେଷ୍ଟା ବୃଥା, କାନପୁର ଟେଷ୍ଟ ଡ୍ର’

କାନପୁର: ଜବରଦସ୍ତ ବୋଲିଂ ପ୍ରଦର୍ଶନ ସତ୍ତ୍ୱେ ଟିମ୍ ଇଣ୍ଡିଆ କାନପୁର ଟେଷ୍ଟକୁ ଜିତିବାରେ ବିଫଳ ହୋଇଛି। ଅନ୍ୟପକ୍ଷରେ କିୱି ଟିମ୍ ଲଢ଼ୁଆ ବ୍ୟାଟିଂ କରି ପ୍ରଥମ ଟେଷ୍ଟକୁ ଡ୍ର’ କରିଛି। ୨୮୪ ରନର କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଏକ ସମୟରେ ୨ ୱିକେଟ୍‌ ହରାଇ ୧୧୮ ରନ୍ କରି ଭଲ ସ୍ଥିତିରେ ଥିଲା। କିନ୍ତୁ ଜାଡେଜା ଓ ଅଶ୍ୱିନଙ୍କ ଯୋଡ଼ି ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ହେଲେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସବୁ ଚେଷ୍ଟା ବୃଥା, କାନପୁର ଟେଷ୍ଟ ଡ୍ର’

india-vs-nz

କାନପୁର: ଜବରଦସ୍ତ ବୋଲିଂ ପ୍ରଦର୍ଶନ ସତ୍ତ୍ୱେ ଟିମ୍ ଇଣ୍ଡିଆ କାନପୁର ଟେଷ୍ଟକୁ ଜିତିବାରେ ବିଫଳ ହୋଇଛି। ଅନ୍ୟପକ୍ଷରେ କିୱି ଟିମ୍ ଲଢ଼ୁଆ ବ୍ୟାଟିଂ କରି ପ୍ରଥମ ଟେଷ୍ଟକୁ ଡ୍ର’ କରିଛି। ୨୮୪ ରନର କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଏକ ସମୟରେ ୨ ୱିକେଟ୍‌ ହରାଇ ୧୧୮ ରନ୍ କରି ଭଲ ସ୍ଥିତିରେ ଥିଲା। କିନ୍ତୁ ଜାଡେଜା ଓ ଅଶ୍ୱିନଙ୍କ ଯୋଡ଼ି ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ହେଲେ ନ୍ୟୁଜିଲ୍ୟାଣ୍ଡର ଶେଷ ଯୋଡ଼ି ରଚିନ୍ ରବୀନ୍ଦ୍ର ଓ ଏଜାଜ ପଟେଲ ୮.୪ ଓଭର ବ୍ୟାଟିଂ କରି ମ୍ୟାଚକୁ ଡ୍ର’ କରି ଭାରତ ମୁଠାରୁ ବିଜୟ ଛଡ଼ାଇ ନେଇଛନ୍ତି। ଏବେ ମ୍ୟାଚ୍ ଡ୍ର’ ରହିବା ଦ୍ୱାରା ମୁମ୍ବାଇରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ସିରିଜ୍ ଫଳାଫଳା ନିର୍ଦ୍ଧାରଣ କରିବ। ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ଶତକ ଓ ଅର୍ଦ୍ଧଶତକ ମାରିଥିବା ଶ୍ରେୟସ ଆୟର୍ (୧୦୫ ଓ ୬୫ ରନ୍) ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Advertisment

ମ୍ୟାଚର ପଞ୍ଚମ ତଥା ଶେଷ ଦିନରେ ନ୍ୟୁଜିଲ୍ୟାଣ୍ଡ ତା’ର ପୂର୍ବଦିନର ସ୍କୋର ୪/୧ରୁ ଖେଳ ଆରମ୍ଭ କରିଥିଲା। ଓପ୍ନର ଟମ୍ ଲାଥମ ଓ ନାଇଟ୍ ୱାଚମ୍ୟାନ୍ ଭାବେ ଆସିଥିବା ୱିଲିୟମ ସୋମରଭିଲ୍ଲେ ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁହେଁ ଭାରତୀୟ ସ୍ପିନ୍ ଆଟାକକୁ ଦୃଢ଼ତାର ସହ ସାମ୍ନା କରିଥିଲେ। ମଧ୍ୟାହ୍ନ ଭୋଜନ ସୁଦ୍ଧା ଲାଥମ୍ ଓ ସୋମରଭିଲ୍ଲେ ଦଳକୁ ଆଉ କ୍ଷତି ସହିବାକୁ ଦେଇନଥିଲେ। ଏହି ସମୟରେ ଲାଗୁଥିଲା କିୱି ଟିମ୍ ମ୍ୟାଚକୁ ଡ୍ର’ କରିନେବ।

ତେବେ ଦ୍ୱିତୀୟ ସେସନର ପ୍ରଥମ ବଲରେ ଭାରତକୁ ନିର୍ଣ୍ଣାୟକ ବ୍ରେକ୍ ଥ୍ରୁ ଦେଇଥିଲେ ଉମେଶ ଯାଦବ। ସେଟ୍ ହୋଇଥିବା ସୋମରଭିଲ୍ଲେ (୩୬)ଙ୍କୁ ବାଉନ୍ସରରେ ଆଉଟ୍ କରିଥିଲେ ଉମେଶ। ଆଉଟ୍ ହେବା ପୂର୍ବରୁ ସେ ଲାଥମଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୭୬ ରନର ଭାଗିଦାରୀ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା କ୍ୟାପଟେନ୍ କେନ୍ ୱିଲିୟମସନ୍ ଓପ୍ନର ଲାଥମଙ୍କୁ ଭରପୂର ସହଯୋଗ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୩୯ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ ଅଶ୍ୱିନ୍। ଲାଥମ୍ ବ୍ୟକ୍ତିଗତ ୫୨ ରନ୍ କରି ଅଶ୍ୱିନଙ୍କ ବଲରେ ବୋଲ୍ଡ ହୋଇଥିଲେ।

Advertisment

ଏହା ପରେ ନ୍ୟୁଜିଲ୍ୟାଣ୍ଡର ୱିକେଟ୍‌ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦୁଇ ଅଭିଜ୍ଞ ୱିଲିୟମସନ୍ (୨୪) ଓ ରସ୍ ଟେଲର (୨)ଙ୍କୁ ଜାଡେଜା ପ୍ୟାଭିଲିୟନ୍ ପଠାଇଥିଲେ। ସେହିପରି ହେନରୀ ନିକୋଲ୍ସ (୧)ଙ୍କୁ ଅକ୍ଷର ପଟେଲ ଆଉଟ୍ କରିଥିଲେ। ମିଡଲ ଅର୍ଡର ବିଫଳତା ପରେ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ୍ ଦଳ ପାଇଁ ଲଢ଼ିଥିଲେ। ଟମ୍ ବ୍ଲଣ୍ଡେଲ୍ (୨), କାଇଲ୍ ଜେମିସନ୍ (୫) ଓ ଟିମ୍ ସାଉଦୀ (୪) ବଡ଼ ସ୍କୋର କରିନଥିଲେ ହେଁ, କ୍ରିଜରେ ଛିଡ଼ା ହୋଇ ଭାରତ ବିଜୟକୁ ଟାଳିବାରେ ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ। କିୱି ଟିମର ଶେଷ ୱିକେଟ୍ ନେବା ପାଇଁ ଭାରତ ହାତରେ ୫୨ ବଲ୍ ଥିଲା। କିନ୍ତୁ ରଚିନ ରବୀନ୍ଦ୍ର (୧୮) ଓ ଏଜାଜ୍ ପଟେଲ (୨) ପ୍ରତିଟି ବଲକୁ ସତର୍କତାର ସହ ଖେଳି ନିଜ ଟିମକୁ ପରାଜୟରୁ ରକ୍ଷା କରିଥିଲେ। ଭାରତ ପକ୍ଷରୁ ଜାଡେଜା ୪ଟି ଓ ଅଶ୍ୱିନ୍ ୩ଟି ୱିକେଟ୍‌ ନେଇଥିଲେ। ଉମେଶ ଓ ଅକ୍ଷର ଗୋଟିଏ ଲେଖାଏ ୱିକେଟ୍‌ ହାସଲ କରିଥିଲେ।

ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ଜବାବରେ ନ୍ୟୁଜିଲ୍ୟାଣ୍ଡ ୨୯୬ ରନରେ ଅଲଆଉଟ୍ ହୋଇଥିଲା। ଭାରତ ଦ୍ୱିତୀୟ ଇନିଂସରେ ୭ ୱିକେଟ୍‌ ହରାଇ ୨୩୪ ରନରେ ପାଳି ଘୋଷଣା କରିଥିଲା।