Advertisment

ଆଇସିସି ରାଙ୍କିଙ୍ଗ: ସିରାଜଙ୍କୁ ୧ନଂ ସ୍ଥାନରୁ ହଟାଇଲେ ମହାରାଜ

ବର୍ତ୍ତମାନ ମହାରାଜ ଦିନିକିଆରେ ବିଶ୍ୱର ୧ନଂ ବୋଲର ବନି ଯାଇଛନ୍ତି। ମହମ୍ମଦ ସିରାଜ ୨ନଂ ସ୍ଥାନକୁ ଖସିଛନ୍ତି।

author-image
Hemant Lenka
Siraj

Siraj

ବିଶ୍ୱକପର ପ୍ରଥମ ସେମି ଫାଇନାଲ ପୂର୍ବରୁ ଆଜି ଆଇସିସି ପକ୍ଷରୁ ଦିନିକିଆ ପ୍ଲେୟାର ରାଙ୍କିଙ୍ଗ ଜାରି କରାଯାଇଛି। ଗତ ସପ୍ତାହରେ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଥିବା ଭାରତର ମହମ୍ମଦ ସିରାଜଙ୍କୁ ଏଥର ଘାଟ ସହିବାକୁ ପଡ଼ିଛି।

Advertisment

ତାଙ୍କୁ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରୁ ହଟାଇ ଦେଇଛନ୍ତି ଦକ୍ଷିଣ ଆଫ୍ରିକାର ବାମହାତୀ ସ୍ପିନ ବୋଲର କେଶବ ମହାରାଜ। ବର୍ତ୍ତମାନ ମହାରାଜ ଦିନିକିଆରେ ବିଶ୍ୱର ୧ନଂ ବୋଲର ବନି ଯାଇଛନ୍ତି। ମହମ୍ମଦ ସିରାଜ ୨ନଂ ସ୍ଥାନକୁ ଖସିଛନ୍ତି।

ବିଶ୍ୱକପରେ ମହାରାଜ ତାଙ୍କର ଦବଦବା ଦେଖାଇଛନ୍ତି। ସେ ୯ଟି ମ୍ୟାଚ୍‌ରେ ୧୪ଟି ୱିକେଟ ଦଖଲ କରିଛନ୍ତି। ତାଙ୍କ ଇକୋନୋମି ରେଟ ୪.୩୭ ରହିଛି। ସେ ଗୋଟିଏ ଥର ୪ ୱିକେଟ ମଧ୍ୟ ଦଖଲ କରିଥିଲେ। ସିରାଜ ୯ ମ୍ୟାଚ୍‌ରେ ୧୨ ୱିକେଟ ଦଖଲ କରିଛନ୍ତି। ତେଣୁ ମହାରାଜ ତାଙ୍କୁ ୧ନଂ ସ୍ଥାନରୁ ହଟାଇବାକୁ ସକ୍ଷମ ହୋଇଛନ୍ତି।

Advertisment

ଗତ ସପ୍ତାହରେ ପାକିସ୍ତାନର ଶାହୀନ ଶାହ ଆଫ୍ରିଦିଙ୍କୁ ତଳକୁ ଠେଲି ସିରାଜ ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଥିଲେ। ଏବେ ଆଫ୍ରିଦି ସିଧା ୯ନଂ ସ୍ଥାନକୁ ଖସି ଯାଇଛନ୍ତି। ଭାରତର ଯଶପ୍ରୀତ ବୁମ୍ରା ଓ କୁଲଦୀପ ଯାଦବ ୨ଟି ଲେଖାଏ ସ୍ଥାନ ଉପରକୁ ଉଠି ଯଥାକ୍ରମେ ୪ର୍ଥ ଏବଂ ୫ମ ସ୍ଥାନରେ ରହିଛନ୍ତି।

୩ନଂରେ ଆଡାମ ଜାମ୍ପା ରହିଛନ୍ତି। ଅଷ୍ଟ୍ରେଲିଆର ଜୋଶ ହେଜେଲଡ ୬ନଂ ଓ ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ ୭ନଂ ସ୍ଥାନକୁ ଖସିଛନ୍ତି। ୮ନଂରେ ରାଶିଦ ଖାନ ଓ ୧୦ନଂରେ ମହମ୍ମଦ ନବି ଅଛନ୍ତି।

ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ ଗୋଟିଏ ସ୍ଥାନ ଉପରକୁ ଉଠି ୩ନଂରେ ପହଞ୍ଚିଛନ୍ତି। ବିରାଟ କୋହଲି ୪ର୍ଥକୁ ଖସିଛନ୍ତି। ଭାରତର ଶୁବମନ ଗିଲ ପୂର୍ବଭଳି ୧ନଂ ସ୍ଥାନରେ ରହିଥିବା ବେଳେ ପାକିସ୍ତାନର ବାବର ଆଜମ ୨ନଂ ସ୍ଥାନରେ ଅଛନ୍ତି। ରୋହିତ ଶର୍ମା ରାଙ୍କିଙ୍ଗ ୫ ରହିଛି। ଶ୍ରେୟସ ଆୟର ୫ଟି ସ୍ଥାନ ଉପରକୁ ଉଠି ୧୩ନଂ ଓ କେଏଲ ରାହୁଲ ୬ଟି ସ୍ଥାନ ଲମ୍ପ ମାରି ୧୮ନଂରେ ପହଞ୍ଚିଛନ୍ତି।

ICC ICC World Cup 2023