/odisha-reporter/media/post_attachments/uploads/2021/04/Rahul.jpg)
Rahul
ମୁମ୍ବାଇ: ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍ରେ ଚମକିଛନ୍ତି ପଞ୍ଜାବ କିଙ୍ଗସର ଅଧିନାୟକ କେଏଲ ରାହୁଲ ଓ ଯୁବ ତାରକା ଦୀପକ ହୁଡ୍ଡା। ରାହୁଲ ଓ ହୁଡ୍ଡାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍ରେ ୬ ୱିକେଟ ହରାଇ ବିଶାଳ ୨୨୧ ରନ୍ କରିଛି। ଚଳିତ ଆଇପିଏଲରେ ଏହା ସର୍ବାଧିକ ଦଳଗତ ସ୍କୋର।
ଏବେ ଏହି ମ୍ୟାଚ୍କୁ ଜିତିବା ପାଇଁ ପ୍ରଥମଥର ଆଇପିଏଲ୍ରେ ଅଧିନାୟକ ପଦ ସମ୍ଭାଳୁଥିବା ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସକୁ ୨୨୨ ରନ୍ ଦରକାର। ରାହୁଲ ୯୧ ରନ୍ କରି କରିଥିବା ବେଳେ ଦୀପକ ହୁଡ୍ଡା ମାତ୍ର ୨୮ଟି ବଲ୍ରେ ୬୪ ରନ୍ର ଇନିଂସ୍ ଖେଳିଛନ୍ତି।
ମୁମ୍ବାଇର ୱାଙ୍ଖଡେରେ ଟସ୍ ଜିତି ସଞ୍ଜୁ ସାମସନ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ରାହୁଲଙ୍କ ସହ ମୟଙ୍କ ଅଗ୍ରୱାଲ ଓପନ କରିବାକୁ ଆସି ଭଲ ଶଟ୍ ଖେଳିଥିଲେ। ତେବେ ୩ୟ ଓଭର୍ରେ ଆଇପିଏଲରେ ଡେବ୍ୟୁ କରିଥିବା ଯୁବ ଖେଳାଳି ଚେତନ ସାକାରିୟା ୧୪ ରନ୍ କରିଥିବା ମୟଙ୍କଙ୍କୁ ଆଉଟ କରିଦେଇଥିଲେ।
ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିସ୍ଫୋରକ କ୍ରିସ୍ ଗେଲ ଆରମ୍ଭରୁ ବେଶ ସତର୍କତାର ସହ ଖେଳିଥିଲେ। ସେ କ୍ରିଜ୍ରେ ଜମି ଆସୁଥିବା ବେଳେ ରିୟାନ ପରାଗ ତାଙ୍କୁ ଆଉଟ କରି ରାଜସ୍ଥାନକୁ ଦ୍ୱିତୀୟ ସଫଳତା ଦେଇଥିଲେ। ଗେଲ୍ ଆଉଟ ହେବା ପୂର୍ବରୁ ୨୮ ବଲ୍ରେ ୪୦ ରନ୍ କରିଥିଲେ। ସେ ଏହି ଇନିଂସ୍ରେ ୨ଟି ଛକା ଓ ୪ଟି ଚୌକା ମାରିଛନ୍ତି।
ଦୁର୍ଦ୍ଦଷ ନିକୋଲ୍ସ ପୁରାନ ବ୍ୟାଟିଂ ପାଇଁ ରେଡ୍ଡି ଥିଲେ ହେଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଗେଲ୍ଙ୍କ ପରେ ଯୁବ ତାରକା ଦୀପକ ହୁଡ୍ଡା ମୈଦାନରେ ପହଞ୍ଚିଥିଲେ। ସେ ଆରମ୍ଭରୁ ହିଁ ଛକା ମାରିବା ଆରମ୍ଭ କରିଥିଲେ। ବିଶେଷ କରି ଲେଗ ସ୍ପିନର ଶ୍ରେୟସ ଗୋପାଲଙ୍କୁ ଲଗାତର ଛକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।
ସେ ମାତ୍ର ୨୦ଟି ବଲ୍ରେ ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ତାଙ୍କୁ ଅଧିନାୟକ କେଏଲ ରାହୁଲ ମଧ୍ୟ ଭରୁପୂର ସହଯୋଗ କରିଥିଲେ। ସେ ବି ବଡ଼ବଡ଼ ଶଟ୍ ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ୧୦୫ ରନ୍ ଯୋଡ଼ିଥିଲେ।
ତେବେ ଏହି ସମୟରେ ୨୮ ବଲ୍ରେ ୬୪ ରନ୍ କରିଥିବା ହୁଡ୍ଡାଙ୍କୁ ଆଇପିଏଲର ସବୁଠାରୁ ଦାମୀ ଖେଳାଳି କ୍ରିସ୍ ମୋରିସ୍ ଆଉଟ କରିଦେଇଥିଲେ। ଏହି ଇନିଂସ୍ରେ ହୁଡ୍ଡା ୬ଟି ବିଶାଳ ଛକା ଓ ୪ଟି ଚୌକା ମାରିଛନ୍ତି। ଏହି ଓଭର୍ରେ ପୁରନ ଖାତା ଖୋଲିବା ପୂର୍ବରୁ ମୋରିସଙ୍କ ଶିକାର ବନିଥିଲେ।
ପଞ୍ଜାବ ଲଗାତର ଦୁଇଟି ୱିକେଟ ହରାଇଥିଲେ ହେଁ ରାହୁଲଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ସେ ଲଗାତର ବଡ଼ ଶଟ୍ ଖେଳି ଦଳୀୟ ସ୍କୋରକୁ ୨୨୦ରେ ପହଞ୍ଚାଇଥିଲେ। ଶେଷ ଓଭର୍ର ଦ୍ୱିତୀୟ ବଲରେ ଚେତନ ସାକାରିୟା ତାଙ୍କୁ ଆଉଟ କରିବାକୁ ସକ୍ଷମ ହୋଇଥିଲେ।
ଆଉଟ ହେବା ପୂର୍ବରୁ ରାହୁଲ ୫୦ ବଲ୍ରେ ୯୧ ରନ୍ର ଇନିଂସ ଖେଳିଥିଲେ। ଏହି ଇନିଂସ୍ରେ ସେ ୫ଟି ଛକା ଓ ୭ଟି ଚୌକା ମାରିଛନ୍ତି। ରାହୁଲ ଆଉଟ ହେବାରୁ ପଞ୍ଜାବ ଶେଷ ୪ ବଲ୍ରେ ମାତ୍ର ୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ସେହିପରି ଶେଷ ବଲ୍ରେ ଝାଇ ରିଚାର୍ଡସନ ଆଉଟ ମଧ୍ୟ ହୋଇଥିଲେ। ଶାହାରୁଖ ଖାନ୍ ୪ ବଲ୍ରେ ୬ ରନ୍ କରି ଅପରାଜିତ ରହିଥିଲେ।
ରାଜସ୍ଥାନ ପକ୍ଷରୁ ସାକାରିୟା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମୋରିସ ୪ ଓଭ୍ରେ ୪୧ ରନ୍ ବ୍ୟୟ କରି ୨ଟି ୱିକେଟ ଦଖଲ କରିଛନ୍ତି। ଆଉ ଗୋଟିଏ ୱିକେଟ ରିୟାନ ପରାଗଙ୍କ ଖାତାକୁ ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
