Advertisment

ଲଣ୍ଡନ ଗଲେ କେଏଲ ରାହୁଲ, ୫ମ ଟେଷ୍ଟକୁ ଫେରିବେ ବୁମ୍ରା

ଯଦି ରାହୁଲ ୫ମ ଟେଷ୍ଟ ନ ଖେଳନ୍ତି, ତା’ହେଲେ ଦେବଦତ୍ତ ପାଡିକ୍କଲଙ୍କୁ ସୁଯୋଗ ମିଳିପାରେ। କାରଣ ମଧ୍ୟକ୍ରମରେ ବ୍ୟାଟିଂ କରୁଥିବା ରଜତ ପାଟିଦାର କ୍ରମାଗତ ଭାବେ ଫେଲ ମାରୁଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
KL Rahul

KL Rahul

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜକୁ ଟିମ ଇଣ୍ଡିଆ ୩-୧ରେ ଆଗୁଆ କବଜା କରି ସାରିଛି। ଆସନ୍ତା ୭ ତାରିଖରୁ ଧର୍ମଶାଲାରେ ୫ମ ଟେଷ୍ଟ ଆରମ୍ଭ ହେବ। ଏହାପୂର୍ବରୁ କେଏଲ ରାହୁଲଙ୍କ ଫିଟନେସ ଓ ଯଶପ୍ରୀତ ବୁମ୍ରାଙ୍କ କମବ୍ୟାକକୁ ନେଇ ଚର୍ଚ୍ଚା ଲାଗି ରହିଛି। ୪ର୍ଥ ଟେଷ୍ଟରୁ ଭାରତ ୪ ଦିନରେ ଜିତି ନେଇଥିଲା। ଏହାର ଅର୍ଥ ଟିମ ଇଣ୍ଡିଆକୁ ବିଶ୍ରାମ ପାଇଁ ୯ ଦିନର ସମୟ ମିଳିଛି।

Advertisment

ରାଞ୍ଚି ଟେଷ୍ଟ ପରେ ଖେଳାଳିମାନେ ନିଜ ନିଜ ଇଚ୍ଛାରେ ଅନ୍ୟତ୍ର ଚାଲି ଯାଇଛନ୍ତି। ସମସ୍ତଙ୍କୁ ମାର୍ଚ୍ଚ ୨ରେ ଚଣ୍ଡିଗଡ଼ରେ ଏକାଠି ହେବାକୁ କୁହାଯାଇଛି। ସ୍କ୍ୱାଡରେ ଥିବା ଖେଳାଳି ଓ ସର୍ପୋଟ ଷ୍ଟାଫ ଚଣ୍ଡିଗଡ଼ରେ ପହଞ୍ଚିବା ପରେ ୩ ତାରିଖରେ ସମସ୍ତେ ଏକାଠି ଧର୍ମଶାଲା ଗସ୍ତ କରିଥିଲେ।

ତେବେ ୯ ଦିନର ଗ୍ୟାପ୍‌ ମଧ୍ୟ କେଏଲ ରାହୁଲଙ୍କ ସେବା ପାଇବା ପାଇଁ ଯଥେଷ୍ଟ ନୁହେଁ। ସେ ୫ମ ଟେଷ୍ଟ ଖେଳିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି। କ୍ରିକବଜରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିଶେଷଜ୍ଞଙ୍କ ପରାମର୍ଶ ପାଇଁ କେଏଲ ରାହୁଲଙ୍କୁ ଲଣ୍ଡନ ପଠାଯାଇଛି। କାରଣ ଏବେ ବି ସେ ଡାହାଣ ପଟ ଜଙ୍ଘରେ ସମସ୍ୟା ଅନୁଭବ କରୁଛନ୍ତି। ସମାନ ଆହତ ସମସ୍ୟା ଯୋଗୁ ରାହୁଲ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ, ତୃତୀୟ ଓ ୪ର୍ଥ ଟେଷ୍ଟରୁ ବାଦ ପଡ଼ିଥିଲେ।

Advertisment

ଇଂଲଣ୍ଡ ବିପକ୍ଷ ହାଇଦ୍ରାବାଦ ଟେଷ୍ଟରେ ସେ ୮୬ ରନର ଇନିଂସ ଖେଳିଥିଲେ। ଏହାପରେ ଆହତ ଯୋଗୁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ଏନସିଏକୁ ପଠାଇ ଦିଆଯାଇଥିଲା। ଗତବର୍ଷ ସମାନ ସମସ୍ୟା ପାଇଁ ରାହୁଲଙ୍କ ସର୍ଜରୀ ମଧ୍ୟ ହୋଇଥିଲା।

ଏବେ ପୁଣି ସମାନ ସମସ୍ୟା ତାଙ୍କର ସାମ୍ନାକୁ ଆସିଛି। କୁହାଯାଉଛି ଯେ ରାହୁଲଙ୍କ ଆହତ ସମସ୍ୟା ଗୁରୁତର ନୁହେଁ, କିନ୍ତୁ ସେ ଦିନିକିଆ ଓ ଟେଷ୍ଟ ଟିମର ନିୟମିତ ସଦସ୍ୟ ହୋଇଥିବାରୁ ତାଙ୍କ ଉପରେ ଅଧିକ ଚାପ ଦେବାକୁ ବିସିସିଆଇ ଚାହୁଁନାହିଁ। ତେଣୁ ପୂରା ଫିଟ ହେବା ଯାଏ ବିସିସିଆଇ ତାଙ୍କୁ ମ୍ୟାଚ୍‌ ନ ଖେଳାଇବାକୁ ନିଷ୍ପତ୍ତି ନେଇଛି।

ଆଇପିଏଲ ପୂର୍ବରୁ ଭାରତ ଧର୍ମଶାଲାରେ ଶେଷ ଟେଷ୍ଟ ଖେଳିବ। ରାହୁଲ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଥିବା ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟସର କମାଣ ସମ୍ଭାଳିବେ। ଭାରତ ଟେଷ୍ଟ ସିରିଜ ଜିତି ସାରିଥିବାରୁ ରାହୁଲଙ୍କୁ ଠିକ ହେବା ପାଇଁ ବିସିସିଆଇ ଆହୁରି ସମୟ ଦେବାକୁ ନିଷ୍ପତ୍ତି ନେଇଛି।

ଯଦି ରାହୁଲ ୫ମ ଟେଷ୍ଟ ନ ଖେଳନ୍ତି, ତା’ହେଲେ ଦେବଦତ୍ତ ପାଡିକ୍କଲଙ୍କୁ ସୁଯୋଗ ମିଳିପାରେ। କାରଣ ମଧ୍ୟକ୍ରମରେ ବ୍ୟାଟିଂ କରୁଥିବା ରଜତ ପାଟିଦାର କ୍ରମାଗତ ଭାବେ ଫେଲ ମାରୁଛନ୍ତି। ଏପରି ସ୍ଥିତିରେ ଟିମ ମ୍ୟାନେଜମେଣ୍ଟ ମଧ୍ୟକ୍ରମରେ ବାମହାତୀ ବ୍ୟାଟର ପାଡିକ୍କଲଙ୍କୁ ସୁଯୋଗ ଦେଇ ପାରେ।

ଅନ୍ୟପକ୍ଷରେ ଯଶପ୍ରୀତ ବୁମ୍ରା ୫ମ ଟେଷ୍ଟକୁ ଫେରିବେ। ୱାର୍କଲୋଡ ମ୍ୟାନେଜମେଣ୍ଟ ପାଇଁ ବୁମ୍ରାଙ୍କୁ ୪ର୍ଥ ଟେଷ୍ଟରେ ବିଶ୍ରାମ ଦିଆଯାଇଥିଲା। ଏବେ ସେ ୫ମ ଟେଷ୍ଟରେ ଦଳକୁ ଫେରିବେ। ସମ୍ଭବତଃ ଟିମ ମ୍ୟାନେଜମେଣ୍ଟ ଆଉ କିଛି ବରିଷ୍ଠ ଖେଳାଳିଙ୍କୁ ୫ମ ଟେଷ୍ଟରେ ବିଶ୍ରାମ ଦେଇପାରେ।

KL Rahul Jasprit Bumrah Test Cricket Test Match