Pakistan
ଦୁବାଇ: ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ କୌଣସି ବିଶ୍ୱକପରେ ଭାରତକୁ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଟି-୨୦ ବିଶ୍ୱକପର ଗୋଟିଏ ମୁକାବିଲାରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ହରାଇ ଦେଇଛି। ଏଥିସହ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତ ଜାରି ରଖିଥିବା ବିଜୟ ଧାରାରେ ପୂର୍ଣ୍ଣଚ୍ଛେଦ ମଧ୍ୟ ପଡ଼ିଛି।
କିନ୍ତୁ ଏହି ମ୍ୟାଚ୍ ଏବେ ବିବାଦ ଘେରକୁ ଆସିଛି। ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟର ନାୟକ ଶାହୀନ ଆଫ୍ରିଦିଙ୍କ ପ୍ରତି ଅମ୍ପାୟାରଙ୍କ ଅହେତୁକ ପ୍ରେମ କ୍ରିକେଟ ପ୍ରେମୀଙ୍କୁ କ୍ଷୁବ୍ଧ କରିଛି। ଶାହୀନ ଆଫ୍ରିଦି ନିଜର ପ୍ରଥମ ଓଭରରେ ରୋହିତ ଶର୍ମାଙ୍କୁ ଆଉଟ କରିଥିବା ବେଳେ ମ୍ୟାଚର ତୃତୀୟ ତଥା ନିଜର ଦ୍ୱିତୀୟ ଓଭରରେ କେଏଲ ରାହୁଲଙ୍କୁ କ୍ଲିନବୋଲ୍ଡ କରିଥିଲେ। କିନ୍ତୁ ରାହୁଲଙ୍କ ଆଉଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାହୁଲଙ୍କୁ ଆଫ୍ରିଦି କ୍ଲିନବୋଲ୍ଡ କରିଥିଲେ ହେଁ ଏହା ଏକ ନୋବଲ ଥିଲା।
ଏହାର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ କ୍ରିକେଟପ୍ରେମୀମାନେ ଅମ୍ପାୟାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅମ୍ପାୟାର ଶୋଇ ପଡ଼ିଥିବାରୁ ଏପରି ଘଟିଲା ବୋଲି କିଛି ଲୋକ ମତ ଦେଇଛନ୍ତି। ସାମ୍ନାକୁ ଆସିଥିବା ଫଟୋରେ ଆଫ୍ରିଦି ବୋଲିଂ କ୍ରିଜର ଯଥେଷ୍ଟ ବାହାରେ ନିଜର ଗୋଡ଼ ରଖିଥିବା ଦେଖିବାକୁ ମିଳିଛି।
ନନ୍ ଷ୍ଟ୍ରାଇକରେ ବିରାଟ କୋହଲି ମଧ୍ୟ ଛିଡ଼ା ହୋଇଛନ୍ତି। ହେଲେ ଫିଲ୍ଡ ଅମ୍ପାୟାର କିମ୍ବା ତୃତୀୟ ଅମ୍ପାୟାର କାହିଁକି ଏହାକୁ ନୋ ବଲ୍ ଡାକିଲେ ନାହିଁ ବୋଲି ସୋଶାଲ ମିଡିଆରେ ପ୍ରଶ୍ନ ଉଠିବାରେ ଲାଗିଛି।
ଆଇସିସିର ନିୟମ ଅନୁଯାୟୀ, ଯଦି ଫିଲ୍ଡ ଅମ୍ପାୟାର ନୋ ବଲ ଡାକିବେ ନାହିଁ, ତା’ହେଲେ ତୃତୀୟ ଅମ୍ପାୟାର ଏନେଇ ଘୋଷଣା କରିପାରିବେ। ବିଶେଷ କରି ଜଣେ ବ୍ୟାଟସମ୍ୟାନ ଆଉଟ ହେବା ବେଳେ ନୋ ବଲ ଚେକିଂର ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ ରାହୁଲ କେମିତି ନୋ ବଲରେ ଆଉଟ ହେଲେ? ଏହା ସବୁଠାରୁ ଖରାପ ଅମ୍ପାୟରିଂ ବୋଲି ଜଣେ ଟ୍ୱିଟର ବ୍ୟବହାରକାରୀ ମତ ଦେଇଛନ୍ତି।
ରାହୁଲ ବିଶ୍ୱକପର ମୁଖ୍ୟ ପର୍ଯ୍ୟାୟ ଲଢ଼େଇ ପୂର୍ବରୁ ଅଭ୍ୟାସ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ଏବେ ଟପ୍ ଫର୍ମରେ ଅଛନ୍ତି। ଗତକାଲି ପାକିସ୍ତାନ ବିପକ୍ଷ ମ୍ୟାଚରେ ଯଦି ରାହୁଲଙ୍କୁ ନୋ ବଲରେ ଆଉଟ ଦିଆଯାଇ ନଥଆନ୍ତା, ତା’ହେଲେ ସେ ମ୍ୟାଚର ମୋଡ଼ ବଦଳାଇ ଦେଇଥାଆନ୍ତେ ବୋଲି ଅନେକ କହିଛନ୍ତି।
ସୂଚନାଯୋଗ୍ୟ, ଭାରତ ଗତକାଲି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ରେ ୧୫୧ ରନ୍ କରିଥିଲା। ଏହାର ଜବାବରେ ପାକିସ୍ତାନ ୧୩ ବଲ୍ ପୂର୍ବରୁ ବିନା କୌଣସି ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଏଥିସହ ଭାରତ ବିପକ୍ଷରେ ୧୨-୦ର ପରାଜୟ ଧାରାକୁ ମଧ୍ୟ ଭାଙ୍ଗି ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/10/Pakistan-2.jpg)