KL Rahul
ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଡବଲ ଝଟକା। ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କ ପରେ ଦଳର ନିୟମିତ ଅଧିନାୟକ କେଏଲ ରାହୁଲ ମଧ୍ୟ ଚଳିତ ଆଇପିଏଲରୁ ବାଦ ପଡ଼ିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି) ବିପକ୍ଷ ମ୍ୟାଚ୍ ବେଳେ ରାହୁଲ ଜଙ୍ଘ ଜନିତ ସମସ୍ୟାରେ ପଡ଼ିଥିଲେ। ଏଥିପାଇଁ ସେ ୧୧ନଂରେ ବ୍ୟାଟିଂ କରିବାକୁ ଆସିଥିଲେ ଓ ଲକ୍ଷ୍ନୌ ମଧ୍ୟ ମ୍ୟାଚ୍ ହାରିଥିଲା।
ଆହତ ସମସ୍ୟା ଗୁରୁତର ଥିବାରୁ କେଏଲ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ମଧ୍ୟ ଖେଳୁ ନାହାନ୍ତି। ତାଙ୍କ ଅନୁପସ୍ଥିତିରେ କୃନାଲ ପାଣ୍ଡ୍ୟା ଦଳର ଅଧିନାୟକ ହୋଇଛନ୍ତି।
ଏବେ ମିଳିଥିବା ଖବର ଅନୁଯାୟୀ, ରାହୁଲ ଚଳିତ ଆଇପିଏଲର ଅବିଶିଷ୍ଟ ମ୍ୟାଚ୍ ଗୁଡ଼ିକରେ ମଧ୍ୟ ନଜର ଆସିବେ ନାହିଁ। ସେ ନିଜ ଆହତ ସମସ୍ୟାର ସ୍କାନ ପାଇଁ ମୁମ୍ବାଇ ଯିବେ। କିନ୍ତୁ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ରାହୁଲଙ୍କ ଜଙ୍ଘ ଜନିତ ସମସ୍ୟା ଅତ୍ୟନ୍ତ ଗୁରୁତର। ତେଣୁ ତାଙ୍କ ଫିଟ ହେବା ପାଇଁ କିଛି ସପ୍ତାହର ସମୟ ଲାଗିବ।
ସେହିପରି ବସିସିଆଇ ସ୍ପୋର୍ଟସ ସାଇନ୍ସ ଆଣ୍ଡ ମେଡିକାଲ ଟିମ ବରିଷ୍ଠ ବ୍ୟାଟର ରାହୁଲଙ୍କ ଆହତ ସମସ୍ୟା ଉପରେ ନଜର ରଖିଛି। କାରଣ ଜୁନ ୭ରୁ ୧୧ ଯାଏ ଇଂଲଣ୍ଡର ଓଭାଲରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ରାହୁଲ ଫିଟ ହେବା ଅତ୍ୟନ୍ତ ଜରୁରୀ ଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ବିସିସିଆଇର ମେଡିକାଲ ଟିମ ନଜର ରଖିଛି।
ବର୍ତ୍ତମାନ ରାହୁଲ ଲକ୍ଷ୍ନୌ ଟିମର କ୍ୟାମ୍ପରେ ରହିଛନ୍ତି। ସେ ଚେନ୍ନାଇ ବିପକ୍ଷ ମ୍ୟାଚ୍ ବୁଧବାର ଦେଖିବା ପରେ ଗୁରୁବାର କ୍ୟାମ୍ପ ଛାଡ଼ିବେ। ବିସିସିଆଇ ଦ୍ୱାରା ପଞ୍ଜୀକୃତ ମୁମ୍ବାଇ ସ୍ଥିତ ହସ୍ପିଟାଲରେ ତାଙ୍କର ସ୍କାନ ହେବ। ଏହାପରେ ବିସିସିଆଇ ଉଭୟ ଉନାଦକତ ଓ ରାହୁଲଙ୍କ ଦାୟିତ୍ୱ ନିଜ ହାତକୁ ନେବ ବୋଲି ଜଣାପଡ଼ିଛି।
ତେବେ ରାହୁଲ ଏଯାଏ କୌଣସି ପ୍ରକାରର ସ୍କାନ କରି ନାହାନ୍ତି। ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଯେତେବେଳେ ଜଣେ ଏପରି( ଜଙ୍ଘ ଜନିତ) ସମସ୍ୟାରେ ପଡ଼ନ୍ତି ସେତେବେଳେ ପ୍ରବଳ ଯନ୍ତ୍ରଣା ହେବା ସହ ଶିରା ଫୁଲି ଯାଇଥାଏ। କେବଳ ଉକ୍ତ ସ୍ଥାନ ନୁହେଁ, ଆଖପାଖ ଅଂଶରେ ମଧ୍ୟ ଯନ୍ତ୍ରଣା ହୁଏ। ଫୁଲା କମିବା ପାଇଁ ୨୪ରୁ ୪୮ ଘଣ୍ଟା ସମୟ ଲାଗେ।
ଏହାପରେ ଯାଇ ସ୍କାନ ସମ୍ଭବ ହୋଇଥାଏ। ରାହୁଲ ଟିମ ଇଣ୍ଡିଆର ଜଣେ ପ୍ରମୁଖ ସଦସ୍ୟ ହୋଇଥିବାରୁ ମ୍ୟାନେଜମେଣ୍ଟ ତାଙ୍କ ଆହତ ସମସ୍ୟାକୁ ଗୁରୁତର ସହ ନେଇଛି। କାଳେ ଏପରି ଅବସ୍ଥାରେ ଆଇପିଏଲ ଖେଳିଲେ ସମସ୍ୟା ଜଟିଳ ହେବ, ତା’କୁ ଦୃଷ୍ଟିରେ ରଖି ରାହୁଲଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ସ୍କାନ ସରିବା ପରେ ରାହୁଲଙ୍କ ସମସ୍ୟା କେତେ ଜଟିଳ, ସେକଥା ସ୍ପଷ୍ଟ ହେବ। ଏହାପରେ ବିସିସିଆଇ ମେଡିକାଲ ଟିମ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଏହି ସୂତ୍ରରେ କୁହାଯାଇଛି।
ଅନ୍ୟପକ୍ଷରେ ଉନାଦକତ ରବିବାର ନେଟ୍ସରେ ବୋଲିଂ କରିବା ବେଳେ ତଳେ ପଡ଼ି ଯାଇଥିଲେ। ଏଥିପାଇଁ ତାଙ୍କ ବାମ ହାତରେ ଆଘାତ ଲାଗିଥିଲା। ସ୍କାନ ପରେ ଏହା ଗୁରୁତର ଥିବା ଜଣାପଡ଼ିଛି। ଏଥିପାଇଁ ସେ ଚଳିତ ଆଇପିଏଲ ସିଜିନରେ ଆଉ ନଜର ଆସିବେ ନାହିଁ। ତେବେ ଜୁନ ୭ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ବେଳକୁ ସେ ଫିଟ୍ ହୋଇଯାଇଥିବାର ସମ୍ଭାବନା ଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/KL_Rahul_1683115542.jpg)