Advertisment

ଚର୍ଚ୍ଚାରେ କେଏଲ ରାହୁଲ ୨.୦

ରାହୁଲ ନିଜର ହୋମଗ୍ରାଉଣ୍ଡ ଏମ ଚିନ୍ନାସ୍ୱାମୀରେ ୫୩ ବଲରେ ଅପରାଜିତ ୯୩ ରନର ଇନିଂସ ଖେଳି ନୂଆ ଅବତାରର ପରିଚୟ ଦେଇଛନ୍ତି। ରାହୁଲ ୨.୦ରେ ବିସ୍ଫୋରଣ, ବିଶ୍ୱାସ ଓ ଦକ୍ଷତା ଉପରେ ଭରସା ରହିଥିବା ସେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
KL

KL

କେଏଲ ରାହୁଲଙ୍କ କମବ୍ୟାକ। ଅତୀତର ନିରାଶାଜନକ ପ୍ରଦର୍ଶନକୁ ଭୁଲି ଏବେ ସେ ରନ ପାଇଁ ଭୋକିଲା। ଆଇପିଏଲ ୨୦୨୫ରେ ଏହାର ଝଲକ ସେ ଦେଖାଇଛନ୍ତି। ୨୦୨୪ରେ ଲକ୍ଷ୍ନୌ ଠାରୁ ବିବାଦୀୟ ଢଙ୍ଗରେ ଅଲଗା ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇଥିବା ରାହୁଲ ବ୍ୟାକ ଟୁ ବ୍ୟାକ ମ୍ୟାଚ ବିଜୟୀ ଇନିଂସ ଖେଳିଛନ୍ତି।

Advertisment

ଗୁରୁବାର ରାହୁଲ ନିଜର ହୋମଗ୍ରାଉଣ୍ଡ ଏମ ଚିନ୍ନାସ୍ୱାମୀରେ ୫୩ ବଲରେ ଅପରାଜିତ ୯୩ ରନର ଇନିଂସ ଖେଳି ନୂଆ ଅବତାରର ପରିଚୟ ଦେଇଛନ୍ତି। ରାହୁଲ ୨.୦ରେ ବିସ୍ଫୋରଣ, ବିଶ୍ୱାସ ଓ ଦକ୍ଷତା ଉପରେ ଭରସା ରହିଥିବା ସେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି। ତାଙ୍କ ଇନିଂସ ବଳରେ ଦିଲ୍ଲୀ ହୋମ ଟିମ ଆରସିବିକୁ ହରାଇ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚି ଯାଇଛି।

ରାହୁଲ ୨୦୧୪ ବେଳେ ଯେଉଁ ଭଳି ଶଟ ଖେଳି ଚର୍ଚ୍ଚାକୁ ଆସିଥିଲେ ଏବେ ସେ ପୁଣି ସେହି ଲୟକୁ ଫେରିଛନ୍ତି। ଯେଉଁ ଶଟ ସବୁ ରାହୁଲଙ୍କୁ ୩ ଫର୍ମାଟ ଖେଳାଳି ଭାବେ ଗଢ଼ି ତୋଳିଥିଲା ଏବେ ପୁଣି ସେହି ସବୁ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି। ନିଜ କ୍ରିକେଟ କ୍ୟାରିୟରରୁ ଆରମ୍ଭରୁ ରାହୁଲ ଯେଉଁଭଳି ବ୍ୟାଟିଂ କରୁଥିଲେ, ତା’କୁ ଦେଖି ତାଙ୍କୁ ଭାରତୀୟ ଟିମରେ ସୁଯୋଗ ଦିଆଯାଇଥିଲା। ସେ ଭାରତୀୟ କ୍ରିକେଟର ପରବର୍ତ୍ତୀ ଷ୍ଟାର ଭାବେ ମଧ୍ୟ ଗଣା ହୋଇଥିଲେ।

Advertisment

କିନ୍ତୁ କୋଭିଡ ପରେ କର୍ଣ୍ଣାଟକାର ଏହି ବ୍ୟାଟର ସତେ ଯେମିତି ନିଜର ବ୍ୟାଟିଂ ଶୈଳୀକୁ ପରିବର୍ତ୍ତନ କରି ଦେଇଥିଲେ। ତାଙ୍କ ବ୍ୟାଟିଂ ଦେଖିଲେ ଲାଗୁଥିଲା ଯେ ଏଥିରେ କୌଣସି ଦମ ନାହିଁ। ଏଥିଯୋଗୁ ସେ ଅନେକ ଥର ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ। ରାହୁଲଙ୍କ ବ୍ୟାଟିଂ ଆଭିମୁଖ୍ୟ ଅନେକ ଥର ଟିମକୁ ପରାଜୟର ସ୍ୱାଦ ଚାଖିବାକୁ ବାଧ୍ୟ କରିଥିଲା। ସେ ଆଇପିଏଲରେ ଭଲ ବ୍ୟାଟିଂ କରୁଥିଲେ ହେଁ ଠିକଣା ସମୟରେ ଆଉଟ ହେବା ଓ ନେତୃତ୍ୱ ଠିକ ଭାବେ ନେଇ ପାରି ନଥିଲେ। ରାହୁଲଙ୍କ ପାଖରେ ଆଉ ଖେଳ ନଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା।

ହେଲେ କଥାରେ ଅଛି ଫର୍ମ ଅସ୍ଥାୟୀ କିନ୍ତୁ ଦକ୍ଷତା ଚିରସ୍ଥାୟୀ। ଏହାକୁ ଏଇ କିଛି ମାସ ମଧ୍ୟରେ ରାହୁଲ ପ୍ରମାଣ କରି ଦେଖାଇଛନ୍ତି। କିଛି ମାସ ମଧ୍ୟରେ ରାହୁଲଙ୍କ ମାନସିକତାରେ ବଡ଼ ପରିବର୍ତ୍ତନ ହୋଇଛି। ଏହାର ଉଦାହରଣର ତାଙ୍କର ଗୋଟିଏ ପରେ ଗୋଟିଏ ଇନିଂସରୁ ପ୍ରମାଣିତ ହୋଇଛି। 

ପୁରୁଣା ରାହୁଲ ପ୍ରଥମ ୧୦ ବଲ ଖେଳିବା ପରେ ବୋଲରଙ୍କୁ ବଡ଼ ଶଟ ମାରିବାକୁ ଯାଉଥିଲେ। କିନ୍ତୁ ରାହୁଲ ୨.୦ ଆରମ୍ଭରୁ ବଡ଼ ଶଟ ଖେଳିବାକୁ ଆଦୌ ଡରୁ ନାହାନ୍ତି। କିଛି ବଡ଼ ଶଟ ଖେଳିବା ପରେ ସେ ପିଚ୍‌ ଓ ସ୍ଥିତି ଅନୁସାରେ ବ୍ୟାଟିଂ କରୁଛନ୍ତି। ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି ବିପକ୍ଷରେ ମାଷ୍ଟରକ୍ଲାସ ଇନିଂସ ପରେ ରାହୁଲଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇ ସାରିଛି। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ସେ ଆଦୌ କୁଣ୍ଠାବୋଧ କରୁ ନଥିବା ପ୍ରମାଣ କରିଛନ୍ତି। କାରଣ ଗତକାଲି ମ୍ୟାଚ୍‌ର ପ୍ରଥମ ୬ଟି ବଲରେ ସେ ଦୁଇଟି ବାଉଣ୍ଡରୀ ମାରି ସାରିଥିଲେ।

୫୩ ବଲରେ ଅପରାଜିତ ୯୩ ରନ କରିଥିବା ରାହୁଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଏହାପରେ ସେ କହିଛନ୍ତି, “ଏହା ସାମାନ୍ୟ ଟ୍ରିକୀ ୱିକେଟ ରହିଥିଲା। କିନ୍ତୁ ୨୦ ଓଭର ଧରି ୱିକେଟ ପଛରେ ରହିବା ପରେ ପିଚ୍‌ କେମିତି ବ୍ୟବହାର କରିବ, ସେକଥା ବୁଝିବାକୁ ସହଜ ହୋଇଥିଲା। ବଲ ପିଚ୍‌ରେ ସାମାନ୍ୟ ରହିକି ଆସୁଥିଲା। କିନ୍ତୁ ଏହା ସ୍ଥିର ଥିଲା। ସେମିତି କିଛି ଅପ୍ରତ୍ୟାଶିତ ଘଟଣା ଘଟୁ ନଥିଲା। ମୁଁ ଭଲ ଆରମ୍ଭ କରିବାକୁ ଚାହୁଁଥିଲି। ଆରମ୍ଭରୁ ଆକ୍ରମଣାତ୍ମକ ଓ ସେଠାରୁ ଇନିଂସକୁ ଆଗକୁ ନେବାକୁ ଚାହୁଁଥିଲି।”

ରାହୁଲଙ୍କ ଇନିଂସରେ କେବଳ ଶଟର ଅଥୋରିଟୀ ନଥିଲା, ବରଂ ଜଣେ କେମିତି ପିଚ୍‌ ସହ ବନ୍ଧୁତା କରି ଏହାର ଫାଇଦା ଉଠାଇ ପାରିବ, ତା’ର ଉଦାହରଣ ଦେଖିବାକୁ ମିଳିଥିଲା। ତେବେ ଏଥିପାଇଁ କଠିନ ପରିଶ୍ରମ ଓ ତାଲିମର ଆବଶ୍ୟକତା ରହିଛି। ରାହୁଲ ନିଜର ଦୀର୍ଘ ସମୟର ତାଲିମ ସମ୍ପର୍କରେ ମଧ୍ୟ କହିଛନ୍ତି।

ସେ କହିଛନ୍ତି, “ଯେତେବେଳେ ମୁଁ ଅଭ୍ୟାସ କରିବାକୁ ଯାଏ ସେତେବେଳେ ୱିକେଟ ଯେଉଁ ପ୍ରକାରର ହେଉ ପଛେ ସେଥିରେ ଖାପ ଖୁଆଇବା ପାଇଁ ଚେଷ୍ଟା କରେ। ଯଦି ପିଚ୍‌ରେ ଟର୍ଣ୍ଣ ହେଉଛି, ତା’ହେଲେ ମୁଁ କେଉଁଠିକୁ ଶଟ ମାରିବା ଠିକ ହେବ, ତା’ ଉପରେ ଫୋକସ କରେ। ଏସବୁର ପରୀକ୍ଷାନୀରିକ୍ଷା ମୁଁ ଅଭ୍ୟାସ ବେଳେ କରିଥାଏ। ଏଥିଯୋଗୁ ଏକାଧିକ ଥର ଆଉଟ ହେବାକୁ ପଡ଼େ। କିନ୍ତୁ ଏହା ଦ୍ୱାରା କେଉଁ ଅଞ୍ଚଳରୁ ବାଉଣ୍ଡରୀ ମିଳି ପାରିବ, ତା’ର ଗୋଟିଏ ଆଇଡିଆ ହୋଇଯାଏ। ଭିନ୍ନ ଭିନ୍ନ ୱିକେଟରେ କେମିତି ଖେଳିବାକୁ ହେବ, ସେକଥା ଶିଖିଥାଏ।”

ଗୁରୁବାର ମ୍ୟାଚ୍‌ରେ ରାହୁଲ ପ୍ରଥମ ୭ ବଲରେ ୧୨ ରନ କରିଥିଲେ। ଦିଲ୍ଲୀ ୩୦ ରନରେ ୩ ୱିକେଟ ହରାଇଥିବାରୁ ରାହୁଲ ବଲକୁ ଗଡ଼େଇବା ଆରମ୍ଭ କରିଥିଲେ ଓ ସିଙ୍ଗଲ ଉପରେ ନିର୍ଭର କରିଥିଲେ। କୁହାଯାଏ ଯେ ସାହାସୀଙ୍କୁ ଭାଗ୍ୟ ସାଥ ଦେଇଥାଏ। ରାହୁଲ ଇନିଂସ ତିଆରି କରୁଥିବା ବେଳେ ରଜତ ପାଟିଦାର ଗୋଟିଏ କଷ୍ଟକର କ୍ୟାଚ୍‌ ହାତ ଛଡ଼ା କରିଥିଲେ। ଜୋଶ ହାଜେଲଉଡଙ୍କ ଗୋଟିଏ ବଲ ରାହୁଲଙ୍କ ବ୍ୟାଟର ଏଡଜରେ ବାଜି ଥାର୍ଡ ମ୍ୟାନ ଅଞ୍ଚଳରେ ଛକା ହୋଇଥିଲା। ସେହିପରି ଗୋଟିଏ କଟ ଶଟ୍‌ ଡିପ ପଏଣ୍ଟରେ ଥିବା ଖେଳାଳିଙ୍କ ସମାନ୍ୟ ଆଗରେ ପଡ଼ିଥିଲା। ଏହାକୁ ଛାଡ଼ି ଦେଲେ ରାହୁଲ ଆଉ କୌଣସି ସୁଯୋଗ ଆରସିବି ବୋଲରଙ୍କୁ ଦେଇ ନଥିଲେ। ତାଙ୍କର ବାକି ଶଟ ଗୁଡ଼ିକରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଥିଲା।

ରାହୁଲ ଷ୍ଟ୍ରାଇକ ଅଦଳବଦଳ କରୁଥିବା ବେଳେ ମଝିରେ ମଝିରେ ବାଉଣ୍ଡରୀ ମଧ୍ୟ ମିଳୁଥିଲା। ତେଣୁ ତାଙ୍କ ବ୍ୟାଟିଂ ଶୈଳୀରେ ଅଧିକ କିଛି ପରିବର୍ତ୍ତନ କରିବାକୁ ପଡ଼ି ନଥିଲା। ସେ ବେଶ ସତର୍କତାର ସହ ନିଜ ଇନିଂସକୁ ଆଗକୁ ନେବା ସହ ଦିଲ୍ଲୀର ବିଜୟକୁ ମଧ୍ୟ ନିଶ୍ଚିତ କରିଥିଲେ।

ରାହୁଲ ୩୭ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିରେ ୩ଟି ଛକା ଓ ୩ଟି ଚୌକା ରହିଥିଲା। ମଧ୍ୟକ୍ରମରେ ସେ କୃନାଲ ପାଣ୍ଡ୍ୟା ଓ ଲିଆମ ଲିଭଙ୍ଗଷ୍ଟୋନଙ୍କ ବଲରେ ଦ୍ରୁତ ରନ ବି କରିଥିଲେ। ୧୪ ଓଭର ପରେ ଦିଲ୍ଲୀକୁ ୩୬ ବଲରେ ବିଜୟ ପାଇଁ ୬୫ ରନ ଦରକାର ଥିଲା। ଏମ ଚିନ୍ନାସ୍ୱାମୀରେ ଝିପଝିପ ବର୍ଷା ହୋଇଥିଲା। ଡିଏଲଏସ୍‌ ନିୟମ ଲାଗୁ କରାଯିବାର ଆଶଙ୍କା ଥିବା ବେଳେ ଦିଲ୍ଲୀ ସେହି ସମୟରେ ୮ ରନ ପଛରେ ରହିଥିଲା।

ଏହାକୁ ଦେଖି ରାହୁଲ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ୧୫ତମ ଓଭର ଜୋଶ ହାଜେଲଉଡ ପକାଇଥିଲେ ହେଁ ରାହୁଲ ତାଙ୍କୁ ସାଧାରଣ କ୍ଲବ ବୋଲରଙ୍କ ଭଳି ଧୂଲେଇ କରିଥିଲେ। ଏହି ଓଭରରେ ସେ ୩ଟି ଚୌକା ଓ ଗୋଟିଏ ଛକା ମାରି ମୋଟ ୨୨ ରନ ଆଦାୟ କରିଥିଲେ। ପୂରା ଷ୍ଟାଡିୟମରେ ନୀରବତା ଖେଳି ଯାଇଥିଲା। କାରଣ ରାହୁଲ ସ୍ଥାନୀୟ ଖେଳାଳି ହୋଇଥିଲେ ହେଁ ହୋମ ଟିମ ଆରିସିବି ଠାରୁ ମ୍ୟାଚ୍‌କୁ ଏକପ୍ରକାରର ଛଡ଼ାଇ ନେଇଥିଲେ।

କିଛି ମାସ ତଳେ ଯେଉଁ ରାହୁଲ ପାର୍ଟ ଟାଇମ ବୋଲରଙ୍କୁ ଆକ୍ରମଣ କରିବା ପୂର୍ବରୁ ବହୁତ କିଛି ଚିନ୍ତା କରୁଥିଲେ ସେ ଏବେ ବିପକ୍ଷ ଦଳର ସବୁଠାରୁ ଘାତକ ବୋଲରଙ୍କୁ ଟାର୍ଗେଟ କରିବା ତାଙ୍କ ନୂଆ ଅବତାରର ପରିଚୟ ଦେଇଛି। ପ୍ରଥମ ୧୦ ବଲରେ ରାହୁଲଙ୍କ ଷ୍ଟ୍ରାଇକ ରେଟ ୧୩୦ ରହିଥିଲା। ଏହାପରେ ୱିକେଟ ଯିବାରୁ ସେ ଧିମା ବ୍ୟାଟିଂ କରିଥିଲେ। ୩୧ ବଲ ଖେଳିବା ପରେ ସେ ପୁଣି ୨ ନମ୍ବର ଗିୟରରୁ ୫ ନମ୍ବରରେ ପହଞ୍ଚି ଯାଇଥିଲେ।

ଏଥିସହ ଶେଷ ଯାଏ ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ। ରାହୁଲ ବେଶ ନାଟକୀୟ ଢଙ୍ଗରେ ମଧ୍ୟ ମ୍ୟାଚ୍‌ ଶେଷ କରିଥିଲେ। ସେ ୟଶ ଦୟାଲଙ୍କୁ ୬,୪ ଓ ୬ ମାରି ଦିଲ୍ଲୀକୁ ବିଜୟ କରିବା ସହ ନୂଆ ଷ୍ଟାଇଲରେ ସେଲିବ୍ରେଟ କରିଥିଲେ। ସେ ବ୍ୟାଟରେ ଗୋଟିଏ ରାଉଣ୍ଡ କରିବା ସହ ଏହା ମୋ ଗ୍ରାଉଣ୍ଡ ବୋଲି ସମସ୍ତଙ୍କୁ ଦେଖାଇ ଥିଲେ। ରାହୁଲ ୭ଟି ଚୌକା ଓ ୬ଟି ଛକା ବଳରେ ୯୩ ରନର ଇନିଂସ ଖେଳିଛନ୍ତି।

ଆଇପିଏଲର ସବୁଠାରୁ ସ୍ଥିର ପ୍ରଦର୍ଶନ କରୁଥିବା ରାହୁଲଙ୍କ ନୂଆ ଅବତାର ନିଶ୍ଚିତ ଭାବେ ଆଗାମୀ ମ୍ୟାଚ୍‌ଗୁଡ଼ିକରେ ପ୍ରତିପକ୍ଷଙ୍କ ଚିନ୍ତା ବଢ଼ାଇବ। ପ୍ରଥମ ୩ଟି ଇନିଂସରେ ୨ଥର ମ୍ୟାନ ଅଫ ଦି ମ୍ୟାଚ୍‌ ପାଇଥିବା ରାହୁଲ ଚଳିତ ଆଇପିଏଲକୁ ନିଶ୍ଚିତ ସ୍ମରଣୀୟ କରିବା ଲକ୍ଷ୍ୟରେ ରହିବେ।

IPL KL Rahul IPL 2025