Advertisment

ଅଷ୍ଟ୍ରେଲିଆ ବିପକ୍ଷ ସ୍କ୍ୱାଡରେ ରହିଲେ, କିନ୍ତୁ ଉପ ଅଧିନାୟକ ପଦ ହରାଇଲେ କେଏଲ ରାହୁଲ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ ଶର୍ମା ବ୍ୟକ୍ତିଗତ କାରଣ ପାଇଁ ଖେଳିବେ ନାହିଁ। ତେଣୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ।

author-image
Hemant Lenka
KL Rahul

KL Rahul

ବାରମ୍ବାର ଫେଲ ମାରିବା ସତ୍ତ୍ୱେ ଅଷ୍ଟ୍ରେଲିଆ ବିପକ୍ଷ ବାକି ୨ଟି ଟେଷ୍ଟ ପାଇଁ ଘୋଷଣା ହୋଇଥିବା ଭାରତୀୟ ସ୍କ୍ୱାଡରେ ନିଜର ସ୍ଥାନ ବଜାୟୀ ରଖିଛନ୍ତି କେଏଲ ରାହୁଲ। କିନ୍ତୁ ରାହୁଲଙ୍କ ଉପ ଅଧିନାୟକ ପଦ ଚାଲି ଯାଇଛି। ରବିବାର ବିସିସିଆଇ ପକ୍ଷରୁ ଅଷ୍ଟ୍ରେଲିଆ ବିପକ୍ଷ ବାକି ୨ଟି ଟେଷ୍ଟ ଓ ଦିନିକିଆ ସିରିଜ୍‌ ପାଇଁ ଖେଳାଳିଙ୍କ ତାଲିକା ଘୋଷଣା ହୋଇଛି।

Advertisment

ଖେଳାଳିଙ୍କ ତାଲିକା ଘୋଷଣା କରାଯାଇଥିବା ପ୍ରେସ ବିବୃତିରେ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ଦସ୍ତଖତ ରହିଛି। ହେଲେ ରାହୁଲଙ୍କ ନାଁ ଆଗରେ ଉପ ଅଧିନାୟକ ଲେଖାଯାଇନି। ତେଣୁ ରାହୁଲ ଖରାପ ଫର୍ମ ପାଇଁ ଟେଷ୍ଟ ମ୍ୟାଚ୍‌ରେ ଭାରତର ଉପ ଅଧିନାୟକ ପଦ ହରାଇଥିବା କୁହାଯାଉଛି।

ଡିସେମ୍ବର ମାସରେ ଖେଳା ଯାଇଥିବା ବାଂଲାଦେଶ ବିପକ୍ଷ ସିରିଜରେ ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିବାରୁ ରାହୁଲ ଦଳର ନେତୃତ୍ୱ ନେଇଥିଲେ। ହେଲେ ଏବେ ତାଙ୍କୁ ଉପ ଅଧିନାୟକ ପଦରୁ ହଟାଯିବା ସମସ୍ତଙ୍କୁ ଚକିତ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରେ ୩ ଟିକିଆ ଦିନିକିଆ ସିରିଜ ଆରମ୍ଭ ହେବ।

Advertisment

ଏହି ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ମଧ୍ୟ ରାହୁଲ ରହିଛନ୍ତି। ହେଲେ ଈଶାନ କିଶନଙ୍କୁ ଦଳର ୱିକେଟ କିପର ଭାବେ ଚୟନ କରାଯାଇଛି। ରାହୁଲଙ୍କ ନାଁ ପାଖରେ ୱିକେଟ କିପର ଟ୍ୟାଗ୍‌ ମଧ୍ୟ ନାହିଁ। ତେବେ ଟିମ ମ୍ୟାନେଜମେଣ୍ଟ ରାହୁଲଙ୍କୁ ୱିକେଟ କିପର ଦାୟିତ୍ୱ ଦେବା ସହ ସେ ୫ନଂରେ ବ୍ୟାଟିଂ କରିପାରନ୍ତି ବୋଲି ସଙ୍କେତ ଦେଇଛି।

ଅନ୍ୟପକ୍ଷରେ ବିସିସିଆଇ ସୂତ୍ରରେ କୁହାଯାଇଛି ଯେ ଜାତୀୟ ଚୟନକର୍ତ୍ତା ଜାଣିଶୁଣି ଅଷ୍ଟ୍ରେଲିଆ ବିପକ୍ଷ ବାକି ଦୁଇଟି ଟେଷ୍ଟ ପାଇଁ କାହାକୁ ବି ଉପ ଅଧିନାୟକ ଭାବେ ଚୟନ କରି ନାହାନ୍ତି। ଏହାର ଅର୍ଥ ରାହୁଲ ଏପରି ଖେଳ ଜାରି ରଖିଲେ, ତାଙ୍କୁ ଦଳରୁ ବିଦା ହେବାକୁ ମଧ୍ୟ ପଡ଼ିବ ବୋଲି ଗୋଟିଏ ବାର୍ତ୍ତା ଦେଇଛି। ତେଣୁ ରାହୁଲଙ୍କୁ ତୃତୀୟ ଟେଷ୍ଟରେ ଦେଖିବାକୁ ମିଳିବ କି ନାହିଁ, ତାହା ସବୁଠାରୁ ବଡ଼ ପ୍ରଶ୍ନ।

ଏହାବାଦ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସ୍କ୍ୱାଡକୁ ପୁଣିଥରେ ଜୟଦେବ ଉନାଦକତ କମବ୍ୟାକ କରିଛନ୍ତି। ସେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ପାଇଁ ମଧ୍ୟ ସ୍କ୍ୱାଡରେ ଥିଲେ। କିନ୍ତୁ ଏହି ସୌରାଷ୍ଟ୍ର ତାରକାଙ୍କୁ ରଣଜୀ ଟ୍ରଫି ଫାଇନାଲ ଖେଳିବାକୁ ସ୍କ୍ୱାଡରୁ ରିଲଜ କରାଯାଇଥିଲା। ଉନାଦକତ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସ୍କ୍ୱାଡରେ ରହିଛନ୍ତି। ସେ ଭାରତ ପାଇଁ ଶେଷ ଥର ୨୦୧୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନିକିଆ ସ୍କ୍ୱାଡରେ ବାମହାତୀ ପେସର ଅର୍ଶଦୀପ ସିଂହ ନାହାନ୍ତି। ଆହତ ଯୋଗୁ ଦଳରୁ ବାଦ ପଡ଼ିଥିବା ରବୀନ୍ଦ୍ର ଜାଡେଜା ଧଳା ବଲ କ୍ରିକେଟକୁ କମବ୍ୟାକ କରିଛନ୍ତି। ସେ ଗତବର୍ଷ ସେପ୍ଟେମ୍ବର ମାସରୁ ଭାରତ ପାଇଁ ଦିନିକିଆ କିମ୍ବା ଟି-୨୦ ମ୍ୟାଚ୍‌ ଖେଳି ନଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ରେ ହିଁ ତାଙ୍କର କମବ୍ୟାକ ହୋଇଥିଲା। ବିସିସିଆ କହିଛି ଯେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ ଶର୍ମା ବ୍ୟକ୍ତିଗତ କାରଣ ପାଇଁ ଖେଳିବେ ନାହିଁ। ତେଣୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, କେଏସ ଭରତ, ଈଶାନ କିଶନ, ରବି ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ଉମେଶ ଯାଦବ ଓ ଜୟଦେବ ଉନାଦକତ।

ଦିନିକିଆ ସ୍କ୍ୱାଡ: ରୋହିତ ଶର୍ମା, ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, କେଏଲ ରାହୁଲ,ଈଶାନ କିଶନ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ୟୁଜି ଚହଲ, ମହମ୍ମଦ ଶାମି, ମହମ୍ମ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ ଓ ଜୟଦେବ ଉନାଦକତ।

Indian Cricket Team India India Vs Australia KL Rahul Border-Gavaskar Trophy