Advertisment

ଚେନ୍ନାଇରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ

ଚେନ୍ନାଇ: ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ୍ ପରେ ଘରୋଇ ମାଟିରେ ମାଟି କାମୁଡ଼ିଛି ଟିମ୍ ଇଣ୍ଡିଆ। ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ୨୨୭ ରନରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଛି। ଇଂଲଣ୍ଡ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭାରତକୁ ପଛରେ ପକାଇ ଏହି ଟେଷ୍ଟକୁ ଏକତରଫା ଭାବେ ଜିତି ନେଇଛି। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୪୨୦ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଭାରତ […]

ଅଦ୍ୟତନ ହୋଇଛି
ଚେନ୍ନାଇରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ

eng-

Advertisment

ଚେନ୍ନାଇ: ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ୍ ପରେ ଘରୋଇ ମାଟିରେ ମାଟି କାମୁଡ଼ିଛି ଟିମ୍ ଇଣ୍ଡିଆ। ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ୨୨୭ ରନରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଛି। ଇଂଲଣ୍ଡ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭାରତକୁ ପଛରେ ପକାଇ ଏହି ଟେଷ୍ଟକୁ ଏକତରଫା ଭାବେ ଜିତି ନେଇଛି। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୪୨୦ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଭାରତ ଯୁବ ବ୍ୟାଟ୍ସମ୍ୟାନ୍ ଶୁବମନ୍ ଗିଲ୍ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସତ୍ତ୍ୱେ ଦ୍ୱିତୀୟ ଇନିଂସରେ ୧୯୨ ରନରେ ଅଲଆଉଟ୍ ହୋଇଯାଇଛି। ଏଥିସହ ସହ ଭାରତ ଏବେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୦-୧ରେ ପଛୁଆ ହୋଇଛି। ଦ୍ୱିଶତକୀୟ ଇନିଂସ୍ ପାଇଁ ରୁଟ୍‌ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Advertisment

ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୧ ୱିକେଟ୍‌ ହରାଇ ୩୯ ରନ୍ କରିଥିଲା। ରୋହିତ୍ ଶର୍ମା ୧୨ ରନ୍ କରି ଆଉଟ୍ ହୋଇଥିଲା। ପଞ୍ଚମ ତଥା ଅନ୍ତିମ ଦିବସରେ ଗିଲ୍ ଓ ଚେତେଶ୍ୱର ପୂଜାରାଙ୍କ ଯୋଡ଼ି ବେଶୀ ସମୟ ତିଷ୍ଠିନଥିଲା। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ପୂଜାରା ମାତ୍ର ୧୫ ରନ୍ କରି ଜ୍ୟାକ୍ ଲିଚଙ୍କ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ଗିଲଙ୍କୁ ସାଥ୍ ଦେଇଥିଲେ କ୍ୟାପଟେନ୍ କୋହଲି।

ଗିଲ୍ ଓ କୋହଲି ଇଂଲିଶ ବୋଲରଙ୍କୁ ସତର୍କତାର ସହ ଖେଳିଥିଲେ। ଗିଲ୍ ନିଜର ଚମତ୍କାର ଫର୍ମ ଜାରି ଅର୍ଦ୍ଧଶତକ ପୂରଣ କରିଥିଲେ। ଗିଲ୍ ଓ କୋହଲିଙ୍କୁ ସେଟ୍‌ ହେବା ଦେଖି ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟିମର ସବୁଠାରୁ ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନଙ୍କୁ ବୋଲିଂ ପାଇଁ ଡାକିଥିଲେ। ଆଣ୍ଡରସନ୍ ନିଜ ସ୍ପେଲର ଦ୍ୱିତୀୟ ବଲରେ ହିଁ ଗିଲଙ୍କୁ କ୍ଲିନ୍ ବୋଲ୍ଡ କରି ଇଂଲଣ୍ଡକୁ ତୃତୀୟ ସଫଳତା ଦେଇଥିଲେ। ଗିଲ୍‌ ୮୩ ବଲରେ ୭ ଚୌକା ଓ ୧ ଛକା ସହ ୫୦ ରନ୍ କରିଥିଲେ।

Advertisment

ଆଣ୍ଡରସନ୍ ସେହି ଓଭରର ପଞ୍ଚମ ବଲରେ ଭାରତର ଭାଇସ୍ କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେଙ୍କୁ ସମାନ ବଲରେ କ୍ଲିନ୍ ବୋଲ୍ଡ କରିଥିଲେ। ରାହାଣେ ମାତ୍ର ତିନୋଟି ବଲ୍ ଖେଳି ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ। ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିବା ଋଷଭ ପନ୍ତ ଓ ୱାଶିଂଟନ୍ ସୁନ୍ଦର ଏଥର ନିରାଶ କରିଥିଲେ। ପନ୍ତ ଆକ୍ରମଣାତ୍ମକ ଅନ୍ଦାଜରେ ବ୍ୟାଟିଂ ଆରମ୍ଭ କରିଥିଲେ। କିନ୍ତୁ ସେ ବ୍ୟକ୍ତିଗତ ଭାବେ ୧୧ ରନ୍ କରିଥିବା ବେଳେ ଆଣ୍ଡରସନଙ୍କ ଶିକାର ହୋଇଥିଲେ। ସୁନ୍ଦର ଖାତା ଖୋଲିବା ପୂର୍ବରୁ ଡମ୍ ବେସଙ୍କ ବଲରେ ପ୍ୟାଭିଲିୟନ୍ ଫେରିଥିଲେ।

୧୧୭ ରନ୍ ଭିତରେ ୬ ୱିକେଟ୍ ହରାଇବା ପରେ ଭାରତ ନିଶ୍ଚିତ ପରାଜୟ ଦ୍ୱାରରେ ପହଞ୍ଚିଥିଲା। ଏହି ସମୟରେ ବୋଲିଂରେ କମାଲ୍ କରିଥିବା ରବିଚନ୍ଦ୍ରନ୍ ଅଶ୍ୱିନ୍ (୯) କ୍ୟାପଟେନ୍ କୋହଲିଙ୍କୁ ଭରପୂର ସାଥ୍ ଦେଇଥିଲେ। ଦୁହେଁ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଭାରତକୁ ଆଉ କ୍ଷତି ସହିବାକୁ ଦେଇନଥିଲେ। ଦ୍ୱିତୀୟ ସେସନରେ ମଧ୍ୟ ଏହି ଯୋଡ଼ି ଭଲ ବ୍ୟାଟିଂ କରି ୫୪ ରନର ଭାଗିଦାରୀ କରିଥିଲେ।

କୋହଲି ଗୋଟିଏ ପଟେ ରନ୍ ଗତି ବଢ଼ାଇ ଚାଲିଥିବା ବେଳେ ଅନ୍ୟପଟେ ଅଶ୍ୱିନଙ୍କୁ ଆଉଟ୍ କରି ଲିଚ୍ ଇଂଲଣ୍ଡକୁ ନିର୍ଣ୍ଣାୟକ ବ୍ରେକ'ଥ୍ରୁ ଦେଇଥିଲେ। ଏହା ପରେ ପରେ କୋହଲିଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ବେନ୍ ଷ୍ଟୋକ୍ସ। କୋହଲି ବ୍ୟକ୍ତିଗତ ୭୨ (୧୦୪ ବଲ, ୯ ଚୌକା) ରନ୍ କରିବାକୁ ସକ୍ଷମ ହୋଇଥିଲେ। କୋହଲିଙ୍କ ଆଉଟ୍ ପରେ ଇଂଲଣ୍ଡକୁ ଶେଷ ଦୁଇଟି ୱିକେଟ୍ ନେବା ପାଇଁ ବିଶେଷ କଷ୍ଟ କରିବାକୁ ପଡ଼ିନଥିଲା। ଶାହାବାଜ ନଦୀମ ଖାତା ଖୋଲିପାରିନଥିବା ବେଳେ ଯଶପ୍ରୀତ ବୁମ୍ରା ୪ ରନ୍ କରି ଆଉଟ୍ ହୋଇଥିଲା। ଈଶାନ୍ତ ଶର୍ମା ୫ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ଜ୍ୟାକ୍ ଲିଚ୍ ୭୬ ରନ୍ ଦେଇ ୪ଟି ଓ ଜେମ୍ସ ଆଣ୍ଡରସନ୍ ୩ଟି ୱିକେଟ୍‌ ନେଇଥିଲେ। ଜୋଫ୍ରା ଆର୍ଚର୍, ଡମ୍ ବେସ୍ ଓ ଷ୍ଟୋକ୍ସ ଗୋଟିଏ ଲେଖାଏ ୱିକେଟ୍‌ ହାସଲ କରିଥିଲେ।

ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ଜୋ ରୁଟଙ୍କ ଆକର୍ଷଣୀୟ ଦ୍ୱିଶତକ (୨୧୮) ବଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନର ବିଶାଳ ସ୍କୋର ଛିଡ଼ା କରିଥିଲେ। ଏହାର ଜବାବରେ ଭାରତ ଚେତେଶ୍ୱର ପୂଜାରା (୭୩), ଋଷଭ ପନ୍ତ (୯୧) ଓ ୱାଶିଂଟନ୍ ସୁନ୍ଦର (୮୫*)ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମ ଇନିଂସରେ ୩୩୭ ରନ୍ କରିଥିଲେ। ୨୪୧ ରନର ବଡ଼ ଅଗ୍ରଣୀ ସତ୍ତ୍ୱେ ଇଂଲଣ୍ଡ ଭାରତକୁ ଫଲୋଅନ୍ ନଦେଇ ପୁଣି ବ୍ୟାଟିଂ କରି ଦ୍ୱିତୀୟ ଇନିଂସରେ ୧୭୮ ରନ୍ କରି ଅଲଆଉଟ୍ ହୋଇ ଭାରତକୁ ୪୨୦ ରନର ଟାର୍ଗେଟ୍ ଦେଇଥିଲା।

India Vs England INDvsENG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe