/odisha-reporter/media/post_attachments/uploads/2021/10/virat-2.jpg)
virat
ଦୁବାଇ: ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଦମଦାର କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ। କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଭାରତ ଆଇସିସି ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୧ ରନ୍ କରିଛି। ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପ୍ରଥମ ବିଜୟ ପାଇଁ ପାକିସ୍ତାନକୁ ୧୫୨ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ କୋହଲି ସର୍ବାଧିକ ୫୭ (୪୯ ବଲ୍, ୫ ଚୌକା, ୧ ଛକା) ରନ୍ କରିଥିବା ପନ୍ତ ୩୯ ରନର ଇନିଂସ୍ ଖେଳିଛନ୍ତି।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍ ମୁକାବିଲାରେ ପାକିସ୍ତାନ କ୍ୟାପଟେନ୍ ବାବର ଆଜମ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ବଡ଼ ଝଟକା ଲାଗିଥିଲା। ଇନିଂସର ପ୍ରଥମ ଓଭରର ଚତୁର୍ଥ ବଲରେ ରୋହିତ୍ ଶର୍ମା (୦)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ଶାହୀନ ଆଫ୍ରିଦି। ଅନ୍ୟତମ ଓପ୍ନର ଲୋକେଶ ରାହୁଲ୍ (୩)ଙ୍କୁ ମଧ୍ୟ ବୋଲ୍ଡ କରିଥିଲେ ଆଫ୍ରିଦି।
ସୂର୍ଯ୍ୟକୁମାର (୧୧) ଯାଦବ ଛକା ଓ ଚୌକା ମାରି ଭଲ ଆରମ୍ଭ କରିଥିଲେ। କିନ୍ତୁ ସେ ମଧ୍ୟ ବେଶୀ ସମୟ ତିଷ୍ଠିପାରିନଥିଲେ। ସୂର୍ଯ୍ୟଙ୍କୁ ହାସନ୍ ଅଲୀ ଆଉଟ୍ କରିଥିଲେ। ୩୧ ରନରେ ୩ ୱିକେଟ୍ ପତନ ପରେ ଭାରତ ସଂକଟରେ ପଡ଼ିଥିଲା। ଏହି ସମୟରେ କୋହଲି ଓ ପନ୍ତ ଲଢ଼େଇ କରିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୫୩ ରନର ଭାଗିଦାରୀ କରିଥିଲେ। ପନ୍ତ ପାକ୍ ବୋଲରଙ୍କୁ ଆଟାକ୍ କରିବା ସହ ଭାରତର ରନ୍ ଗତିକୁ ବଢ଼ାଇଥିଲେ।
ତେବେ ପନ୍ତ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ହରାଇ ବସିଥିଲେ। ପନ୍ତ ୩୦ ବଲରେ ୨ ଚୌକା ଓ ୨ ଛକା ସହ ୩୯ ରନ୍ କରି ଶଦାବ ଖାନଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ପନ୍ତଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରବୀନ୍ଦ୍ର ଜାଡେଜା ୧୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। କୋହଲି ୪୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ କୋହଲି ଆଉଟ୍ ହୋଇଥିଲେ। ତାଙ୍କୁ ଆଫ୍ରିଦି ୱିକେଟ୍ କିପର ମହମ୍ମଦ ରିଜୱାନଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୧ ଓ ଭୁବନେଶ୍ୱର କୁମାର ୫ ରନ୍ କରି ଅପରାଜିତ ଥିଲେ। ପାକିସ୍ତାନ ପକ୍ଷରୁ ଆଫ୍ରିଦି ୩ଟି, ହାସନ୍ ଅଲୀ ୨ଟି, ଶଦାବ ଓ ହାରିସ୍ ରୌଫ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
