Advertisment

ଅଶ୍ୱିନଙ୍କ ଅବସରକୁ ନେଇ ରୋହିତ ଓ ବିରାଟଙ୍କ ଭିନ୍ନ ମତ, ସୃଷ୍ଟି କଲା ଦ୍ୱନ୍ଦ୍ୱ

ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ୩ଟି ଟେଷ୍ଟରୁ ଅଶ୍ୱିନ କେବଳ ପିଙ୍କ ବଲ ଟେଷ୍ଟରେ ନଜର ଆସିଥିଲେ। ପର୍ଥ ଟେଷ୍ଟରେ ୱାଶିଂଟନ ସୁନ୍ଦର ଓ ବ୍ରିସବେନରେ ‌ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିଥିଲା।

author-image
Hemant Lenka
Ashwin

Ashwin

ଅନ୍ତର୍ଜାତୀୟ କ୍ରିକେଟରୁ ରବିଚନ୍ଦ୍ରନ ଅଶ୍ୱିନ ବୁଧବାର ଅବସର ଘୋଷଣା କରିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ଆଉ ୨ଟି ଟେଷ୍ଟ ବାକି ଥିବା ବେଳେ ସିରିଜ ଅଧାରୁ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ୩ଟି ଟେଷ୍ଟରୁ ଅଶ୍ୱିନ କେବଳ ପିଙ୍କ ବଲ ଟେଷ୍ଟରେ ନଜର ଆସିଥିଲେ। ପର୍ଥ ଟେଷ୍ଟରେ ୱାଶିଂଟନ ସୁନ୍ଦର ଓ ବ୍ରିସବେନରେ ‌ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିଥିଲା। ତେବେ ଅଶ୍ୱିନ ନିଜର ଅବସର ନିଷ୍ପତ୍ତି କେବେ ନେଲେ ସେ ପ୍ରଶ୍ନ ଏବେ ଉଙ୍କିବାରେ ଲାଗିଛି।

ଅଶ୍ୱିନଙ୍କ ସମ୍ପର୍କରେ ଆସୁଥିବା ବିଭିନ୍ନ ପ୍ରକାରର ବୟାନ କେବଳ ଫ୍ୟାନ୍ସଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାରେ ଲାଗିଛି। ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ମଧ୍ୟ ଅଶ୍ୱିନଙ୍କ ଅବସର ନିଷ୍ପତ୍ତି ସମ୍ପର୍କରେ ଭିନ୍ନଭିନ୍ନ ମତ ରଖିଛନ୍ତି। ଏମାନଙ୍କ ମଧ୍ୟରୁ କିଏ ସତ କହୁଛନ୍ତି, ତା’ହା ମଧ୍ୟ ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି।

Advertisment

ଅଶ୍ୱିନଙ୍କ ସହ ଦୀର୍ଘ ବର୍ଷ ହେଲା ବିରାଟ କୋହଲି ଖେଳି ଆସୁଥିଲେ। ଅବସର ପରେ ବିରାଟ ଏକ୍ସରେ ଲେଖିଥିଲେ ଯେ ସେ ବୁଧବାର ହିଁ ସେ ଅଶ୍ୱିନଙ୍କ ନିଷ୍ପତ୍ତି ସମ୍ପର୍କରେ ପ୍ରଥମଥର ଜାଣିବାକୁ ପାଇଥିଲେ। ବିରାଟ ଏକ୍ସରେ ଲେଖିଛନ୍ତି ଯେ “ମୁଁ ତୁମ ସହ ୧୪ ବର୍ଷ ଧରି ଖେଳିଛି। ଆଜି(ବୁଧବାର) ଯେତେବେଳେ ତୁମେ ମୋତେ ରିଟାୟାର କଥା କହିଥିଲ ସେତେବେଳେ ମୁଁ ବେଶ ଭାବବିହ୍ୱଳ ହୋଇପଡ଼ିଥିଲି। ଏକାଠି ଦୀର୍ଘ ବର୍ଷ ଧରି ଆମେ ଖେଳିଥିବା ସବୁ ସ୍ମୃତି ସାମ୍ନାକୁ ଚାଲି ଆସିଥିଲା। ମୁଁ ତୁମ ସହ କରିଥିବା ସମସ୍ତ ଯାତ୍ରାକୁ ଉପଭୋଗ କରିଛି।”

ଏହାର କିଛି ଘଣ୍ଟା ପୂର୍ବରୁ ବିରାଟ ଡ୍ରେସିଂ ରୁମରେ ଅଶ୍ୱିନଙ୍କୁ ବେଶ ଭାବବିହ୍ୱଳ ଢଙ୍ଗରେ କୁଣ୍ଢାଇବାର ଭିଡିଓ ଭାଇରାଲ ହୋଇଥିଲା। ସମ୍ଭବତଃ ବିରାଟ ଅବସର ସମ୍ପର୍କରେ ଜାଣିବା ପରେ ଅଶ୍ୱିନଙ୍କୁ ହଗ୍‌ କରିଥିଲେ।

ବିରାଟ ବୁଧବାର ଅଶ୍ୱିନଙ୍କ ଅବସର କଥା ଜାଣିଥିବା କହୁଥିଲେ ହେଁ ପୂର୍ବରୁ ସେ ଏହାର ସଙ୍କେତ ପାଇଥିଲେ କି ନାହିଁ, ସେକଥା ସ୍ପଷ୍ଟ କରିନାହାନ୍ତି। ତେବେ ଅଧିନାୟକ ରୋହିତ ଶର୍ମା ଓଲଟା କଥା କହିଛନ୍ତି। ଗାବା ଟେଷ୍ଟ ପରେ ସାମ୍ବାଦିକମାନେ ରୋହିତଙ୍କୁ ସେ କେବେ ଅଶ୍ୱିନଙ୍କ ଅବସର ସମ୍ପର୍କରେ ଜାଣିଲେ ଓ କ’ଣ ସବୁ କଥା ହେଲେ ବୋଲି ପ୍ରଶ୍ନ କରିଥିଲେ।

ଏହାର ଜବାବରେ ରୋହିତ କହିଥିଲେ ଯେ “ଅବସର କଥା ମୁଁ ପର୍ଥ(ପ୍ରଥମ ଟେଷ୍ଟର ଭେନ୍ୟୁ) ଆସିବା ପରେ ଜାଣିବାକୁ ପାଇଥିଲି। ପର୍ଥ ଟେଷ୍ଟର ପ୍ରଥମ କିଛି ଦିନ ମୁଁ ଟିମରେ ନଥିଲି। ହେଲେ ସେବେଠାରୁ ଅଶ୍ୱିନଙ୍କ ମନରେ ଅବସର କଥା ଚାଲିଥିଲା। ଅବଶ୍ୟ ଏହା ପଛରେ ଅନେକ କାରଣ ରହିଥାଇ ପାରେ। ମୁଁ ନିଶ୍ଚିତ ଯେ ଅଶ୍ୱିନ ଏସବୁର ଉତ୍ତର ଦେଇପାରିବେ।

ଆମେ କେମିତି ପ୍ରକାରର ଟିମ କମ୍ବିନେସନ କଥା ଭାବୁଛୁ, ସେ ଭଲ ଭାବେ ଜାଣିଛନ୍ତି। ଆମେ ଯେତେବେଳେ ଏଠାକୁ ଆସିଲୁ ସେତେବେଳେ କେଉଁ ସ୍ପିନର ଖେଳିବେ, ସେକଥା ଆମକୁ ଜଣା ନଥିଲା। ଆମେ ସ୍ଥିତିକୁ ଦେଖି ନିଷ୍ପତ୍ତି ନେଇଥିଲୁ। କିନ୍ତୁ ହଁ ମୁଁ ପର୍ଥକୁ ଆସିବା ପରେ ଅଶ୍ୱିନଙ୍କ ସହ ଅବସର ସମ୍ପର୍କରେ କଥା ହୋଇଥିଲି। ତାଙ୍କୁ ପିଙ୍କ ବଲ ଟେଷ୍ଟ ଯାଏ ରହିବାକୁ ବୁଝାଇଥିଲି। ସେ ମଧ୍ୟ ରହିଥିଲେ।”

ଅନ୍ୟପକ୍ଷରେ ନଭେମ୍ବର ମାସ ଆରମ୍ଭରୁ ଶେଷ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପରଠାରୁ ଅଶ୍ୱିନ ଅବସର କଥା ଚିନ୍ତା କରୁଥିବା ଆଉ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଆଉ ଏକ ରିପୋର୍ଟରେ କୁହାଯାଇଛି ଯେ ଅଶ୍ୱିନ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ହିଁ ଅବସର ଘୋଷଣା କରିବାକୁ ଚାହୁଁଥିବା ପରିବାର ଲୋକଙ୍କୁ କହିଥିଲେ।

ଏପରି ସ୍ଥିତିରେ କେବଳ ଅଶ୍ୱିନ ହିଁ ତାଙ୍କ ଅବସର ନିଷ୍ପତ୍ତି ସମ୍ପର୍କରେ କହିପାରିବେ।

Ravichandran Ashwin Test Cricket Test Match