ବିରାଟ ଓ ସୂର୍ଯ୍ୟ କୁମାରଙ୍କ ଅର୍ଦ୍ଧଶତକ, ହଂକଂକୁ ୧୯୩ ରନର ଟାର୍ଗେଟ

ଦୁବାଇ: ଫର୍ମକୁ ନେଇ ସଂଘର୍ଷ ଓ ସମାଲୋଚିତ ହେଉଥିବା ବିରାଟ କୋହଲି ଆଜି ହଂକଂ ବିରୋଧରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସେ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ବିରାଟ ଶେଷ ଯାଏ ୪୪ ବଲରେ ୫୯ ଓ ସୂର୍ଯ୍ୟ କୁମାର ୨୬ ବଲରେ ବିସ୍ଫୋରକ ୬୮ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଏପରି କି ଇନିଂସର ଶେଷ ଓଭରରେ ସୂର୍ଯ୍ୟ ୪ ଛକା ସହ ୨୬ ରନ […]

Virat

  • Published: Wednesday, 31 August 2022
  • , Updated: 31 August 2022, 09:25 PM IST

ଦୁବାଇ: ଫର୍ମକୁ ନେଇ ସଂଘର୍ଷ ଓ ସମାଲୋଚିତ ହେଉଥିବା ବିରାଟ କୋହଲି ଆଜି ହଂକଂ ବିରୋଧରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସେ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ବିରାଟ ଶେଷ ଯାଏ ୪୪ ବଲରେ ୫୯ ଓ ସୂର୍ଯ୍ୟ କୁମାର ୨୬ ବଲରେ ବିସ୍ଫୋରକ ୬୮ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଏପରି କି ଇନିଂସର ଶେଷ ଓଭରରେ ସୂର୍ଯ୍ୟ ୪ ଛକା ସହ ୨୬ ରନ ଆଦାୟ କରିଥିଲେ।

ଦୁଇ ବ୍ୟାଟରଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୯୨ ରନ କରିଛି। ଫଳରେ ହଂକଂକୁ ୧୯୩ ରନର ଟାର୍ଗେଟ ମିଳିଛି। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଥିଲା। ଆଜି ମ୍ୟାଚ୍‌ ଜିତି ପାରିଲେ ଦଳ ଆପେଆପେ ସୁପର ୪ରେ ନିଜର ସ୍ଥାନ ପକ୍କା କରିନେବ।

ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ହଂକଂ ଅଧିନାୟକ ନିଜାକତ ଖାନ ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତର ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ବେଶ ସତର୍କତାର ସହ ପ୍ରଥମ ଦୁଇ ଓଭର ବ୍ୟାଟିଂ କରିଥିଲେ। ହେଲେ ତୃତୀୟ ଓଭରରୁ ରୋହିତ ଆଟାକ ଆରମ୍ଭ କରିଥିଲେ।

କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ସେ ୨୧ ରନ କରି ଆୟୂଷ ଶୁକ୍ଳାଙ୍କ ବଲରେ ଆଉଟ ହୋଇଯାଇଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ ଅନ୍ୟତମ ଓପନର କେଏଲ ରାହୁଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୫୬ ରନ ଯୋଡ଼ିଇଥିଲେ। ପ୍ରଥମ ମ୍ୟାଚରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ରାହୁଲ ଆଜି ୩୬ ରନ କରି ଆଉଟ ହୋଇଛନ୍ତି। ତାଙ୍କ ୱିକେଟ ଅପସ୍ପିନର ମହମ୍ମଦ ଘାଜନଫର ନେଇଛନ୍ତି।

୧୩ ଓଭର ସୁଦ୍ଧା ଭାରତ ୯୪ ରନରେ ୨ ୱିକେଟ ହରାଇଥିଲା। ବିରାଟ ମଧ୍ୟ ବେଶ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିଲେ। କିନ୍ତୁ ସୂର୍ଯ୍ୟ କୁମାର କ୍ରିଜକୁ ଆସିବା କ୍ଷଣି ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ତାଙ୍କ ଶଟ ଦେଖି ବିରାଟ ମଧ୍ୟ ପଛରେ ପଡ଼ି ନଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଦ୍ରୁତଗତିରେ ଆଗକୁ ନେଇଥିଲେ। ବିଶେଷ କରି ଦୁଇ ବ୍ୟାଟର ୧୬ତମ ଓଭରରେ ୨୦ ରନ ଆଦାୟ କରିଥିଲେ। ତେବେ ୧୭ତମ ଓଭରରେ କେବଳ ୪ ରନ ହାସଲ କରିପାରିଥିଲା ଭାରତ। ୧୮ତମ ଓଭରେ ସୂର୍ଯ୍ୟ କୁମାର ଲଗାତର ୨ଟି ଚୌକା ଓ ଗୋଟିଏ ଛକା ସହ ମୋଟ ୧୫ ରନ ହାସଲ କରିଥିଲେ।

୧୯ତମ ଓଭରର ପ୍ରଥମ ବଲରେ ବିରାଟ ଦୁଇ ରନ ହାସଲ କରି ୪୦ଟି ବଲରେ ନିଜର ୫୦ ରନ ପୂରଣ କରିଥିଲେ। ଏହା ବିରାଟଙ୍କ ୩୧ତମ ଟି-୨୦ ଅର୍ଦ୍ଧଶତକ। ସେ ଏହି ଅର୍ଦ୍ଧଶତକ ସହ ଅଧିନାୟକ ରୋହିତ ଶର୍ମାଙ୍କ ସମକକ୍ଷ ହୋଇଛନ୍ତି। ଅର୍ଦ୍ଧଶତକ ହାସଲ ପରେ ବିରାଟ ଅଟକି ନଥିଲେ। ସେ ଏହି ଓଭରର ୪ର୍ଥ ବଲରେ ଛକା ମାରିଥିଲେ। ଏଥିସହ ୧୯ତମ ଓଭରରେ ଭାରତ ମୋଟ ୧୩ ରନ ଆଦାୟ କରିପାରିଥିଲା।

ଶେଷ ଓଭରକୁ ସୂର୍ଯ୍ୟ କୁମାର ହ୍ୟାଟ୍ରିକ ଛକା ସହ ଆରମ୍ଭ କରିଥିଲେ। ଏଥିସହ ୨୨ ବଲରେ ନିଜର ୫୦ ରନ ପୂରଣ କରଥିଲେ। ୪ର୍ଥ ବଲରେ କିନ୍ତୁ କୌଣସି ରନ ହୋଇ ନଥିଲା।୫ମ ବଲରେ ସେ ୪ର୍ଥ ଛକା ମାରି ଦଳୀୟ ସ୍କୋରକୁ ୧୯୦ରେ ପହଞ୍ଚାଇଥିଲେ। ଶେଷ ବଲରେ ୨ ରନ ହେବାରୁ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୯୨ ରନ କରିଛି। ସୂର୍ଯ୍ୟ ତାଙ୍କ ବିସ୍ଫୋରକ ଇନିଂସରେ ୬ଟି ଛକା ଓ ୬ଟି ଚୌକା ମାରିଛନ୍ତି। ସେହିପରି ବିରାଟ ୩ଟି ଛକା ଓ ଗୋଟିଏ ଚୌକା ମାରିଛନ୍ତି। ଉଭୟ ତୃତୀୟ ୱିକେଟ ପାଇଁ ମାତ୍ର ୪୦ ବଲରେ ଅବିଭାଜିତ ୯୮ ରନର ଇନିଂସ ଖେଳିଛନ୍ତି।

Related story