Advertisment

୨୦୨୫ ଆଇପିଏଲ ପାଇଁ ଅଧିନାୟକ ଓ ଉପ ଅଧିନାୟକ ଘୋଷଣା କଲା KKR

ଆଇପିଏଲ ୨୦୨୫ ପୂର୍ବରୁ କେକେଆର ନିଜର ଅଧିନାୟକ ଓ ଉପ ଅଧିନାୟକଙ୍କ ନାଁ ଘୋଷଣା କରିଛି।

author-image
Hemant Lenka
KKR

KKR

ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ୨୦୨୫। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ୨୦୨୪ ମେଗା ଅକ୍ସନ ପରେ ୨୦୨୫ ଆଇପିଏଲ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ଅକ୍ସନରେ ଖେଳାଳିଙ୍କ ଅଦଳବଦଳ ହୋଇଯାଇଛି। ଏବେ ଆଇପିଏଲ ୨୦୨୫ ପୂର୍ବରୁ କେକେଆର ନିଜର ଅଧିନାୟକ ଓ ଉପ ଅଧିନାୟକଙ୍କ ନାଁ ଘୋଷଣା କରିଛି।

Advertisment

୨୦୨୫ ଆଇପିଏଲରେ କେକେଆରର ନେତୃତ୍ୱ ଅଜିଙ୍କ୍ୟ ରାହାଣେ ନେବେ। ସେହିପରି ତାଙ୍କ ଡେପୁଟି ଭାବେ ଭେଙ୍କଟେଶ ଆୟର କାର୍ଯ୍ୟ କରିବେ। ରାହାଣେଙ୍କୁ କେକେଆର ବେସ୍‌ ପ୍ରାଇସ ବା ମୂଳ ଦର ୧.୫ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ଭେଙ୍କଟେଶ ଆୟରଙ୍କୁ ରେକର୍ଡ ୨୩.୭୫ କୋଟିରେ ନିଜ ପାଖକୁ ଆଣିଥିଲା। ଶ୍ରେୟସ ଆୟରଙ୍କୁ ପଞ୍ଜାବ ୨୬.୭୫ କୋଟି ଓ ଲକ୍ଷ୍ନୌ ରେକର୍ଡ ୨୭ କୋଟି ଟଙ୍କାରେ ଋଷଭ ପନ୍ତଙ୍କୁ କିଣିଥିଲା। ତୃତୀୟ ଦାମୀ ଖେଳାଳି ଭାବେ ଭେଙ୍କଟେଶ ଆୟର ନିଲାମ ବେଳେ ବିକ୍ରି ହୋଇଥିଲେ। ଏବେ ତାଙ୍କୁ କେକେଆର ଗୁରୁ ଦାୟତ୍ୱ ଦେଇଛି।

ରାହାଣେଙ୍କୁ କେକେଆର ଅଧିନାୟକ ପଦ ଦେଇଥିବାରୁ ସେ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, “କେକେଆର ଭଳି ଅନ୍ୟତମ ସଫଳ ଟିମର ନେତୃତ୍ୱ ନେବାକୁ ଅନୁମତି ମିଳିବା ଗୋଟିଏ ସମ୍ମାନର କଥା। ମୁଁ ଭାବୁଛି ଆମ ପାଖରେ ଗୋଟିଏ ଦକ୍ଷ ଓ ସନ୍ତୁଳିତ ସ୍କ୍ୱାଡ ରହିଛି। ମୁଁ ସମସ୍ତଙ୍କ ସହ କାମ କରିବାକୁ ଉତ୍ସାହ। ଟାଇଟଲକୁ ଡିଫେଣ୍ଡ କରିବା ପାଇଁ ଆବଶ୍ୟକ ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ।”

Advertisment

ମେଗା ଅକ୍ସନ ବେଳେ କେକେଆର କରିଥିବା ରଣନୀତି ଅନୁଯାୟୀ ରାହାଣେ ପ୍ରାଞ୍ଚାଇଜର ତାଲିକାରେ ନଥିଲେ। ଖାସ ଏହି କାରଣ ପାଇଁ ପ୍ରାଞ୍ଚାଇଜ ପ୍ରଥମ ରାଉଣ୍ଡରେ ରାହାଣେଙ୍କୁ କିଣି ନଥିଲେ। ତାଙ୍କୁ କିଣିବାକୁ ବାକି ୯ଟି ଯାକ ମଧ୍ୟ ଆଗ୍ରହ ଦେଖାଇ ନଥିଲେ। କିନ୍ତୁ ଦ୍ୱିତୀୟ ରାଉଣ୍ଡରେ ଯେତେବେଳେ ତାଙ୍କ ନାଁ ଆସିଲା ସେତେବେଳେ କେକେଆର ତାଙ୍କୁ ବେସ ପ୍ରାଇସ ୧.୫୦ କୋଟିରେ କିଣିଥିଲା। ଏବେ ତାଙ୍କୁ ପ୍ରାଞ୍ଚାଇଜ ଦଳର ମଙ୍ଗ ଧରା ଦେଇଛି। ରାହାଣେଙ୍କ ଅଭିଜ୍ଞତା ଓ ବଳିଷ୍ଠତାକୁ ନଜରରେ ରଖି କେକେଆର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

କେକେଆରରେ ଏହା ରାହାଣେଙ୍କ ଦ୍ୱିତୀୟ ଇନିଂସ। କାରଣ ୨୦୨୨ରେ ମଧ୍ୟ ସେ କେକେଆର ପାଇଁ ଖେଳିଥିଲେ। ଏହି ସଂସ୍କରଣର ୭ଟି ମ୍ୟାଚ୍‌ରେ ରାହାଣେ କେବଳ ୧୩୩ ରନ କରିପାରିଥିଲେ। ଗୋଟିଏ ବର୍ଷ ପରେ ସେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିବା ସହ ୧୭୨.୪୮ ଷ୍ଟ୍ରାଇକ ରେଟରେ ୩୨୬ ରନ କରିଥିଲେ। କିନ୍ତୁ ୨୦୨୪ରେ ସେ ୧୨୩.୪୬ ଷ୍ଟ୍ରାଇକ ରେଟରେ ୨୪୨ ରନ କରିବାରୁ ତାଙ୍କୁ ଚେନ୍ନାଇ ମେଗା ଅକ୍ସନ ପୂର୍ବରୁ ରିଲିଜ କରି ଦେଇଥିଲା।

ରାହାଣେ ମୁମ୍ବାଇ ପାଇଁ ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଚଳିତ ବର୍ଷ ସର୍ବାଧିକ ରନ କରିଛନ୍ତି। ସେ ୧୬୪.୫୬ ଷ୍ଟ୍ରାଇକର ରେଟରେ ୪୬୯ ରନ କରିବାରୁ ମୁମ୍ବାଇ ଚାମ୍ପିୟନ ମଧ୍ୟ ହୋଇଥିଲା। ରଣଜୀ ମ୍ୟାଚ୍‌ରେ ମଧ୍ୟ ସେ କ୍ରମାଗତ ରନ କରିଛନ୍ତି। ତେଣୁ ଏହା ନିଶ୍ଚିତ କେକେଆରକୁ ଆଇପିଏଲରେ ସହାୟତା କରିବ ବୋଲି ଆଶା କରାଯାଉଛି।

ରାହାଣେ ଏକାଦା ରାଜସ୍ଥାନ ରୟାଲ୍ସର ଅଧିନାୟକ ଭାବେ କାମ କରୁଥିଲେ। ଦଳ ପାଇଁ ସେ ୨୪ଟି ମ୍ୟାଚ୍‌ରେ କ୍ୟାପ୍ଟେନ୍ସି କରିଥିବା ବେଳେ ପୁଣେ ସୁପର ଜାଏଣ୍ଟସର ଗୋଟିଏ ମ୍ୟାଚ୍‌ରେ ନେତୃତ୍ୱ ନେଇଥିଲେ। ମୋଟ ୨୫ଟି ମ୍ୟାଚ୍‌ରେ କ୍ୟାପ୍ଟେନ ହୋଇଥିବା ରାହାଣେ ୧୬ଟି ମ୍ୟାଚ୍‌ ହାରିଛନ୍ତି। ତେଣୁ କ୍ୟାପ୍ଟେନ ଭାବେ ତାଙ୍କ ପରିସଂଖ୍ୟନ ଆଦୌ ସନ୍ତୋଷଜନକ ନୁହେଁ। ୨୦୧୮-୧୯ରେ ସେ ରାଜସ୍ଥାନର କ୍ୟାପ୍ଟେନ ଭାବେ ସମସ୍ତଙ୍କୁ ନିରାଶ କରିବାରୁ ତାଙ୍କୁ ହଟାଇ ଦଳର କମାଣ ଷ୍ଟିଭ ସ୍ମିଥଙ୍କୁ ମିଳିଥିଲା। ୨୦୧୯ରେ ସ୍ମିଥ ରାଜସ୍ଥାନର ଅଧିନାୟକ ହୋଇଥିଲେ।

ଅନ୍ୟପକ୍ଷରେ ଭେଙ୍କଟେଶ ଆୟର ଜଣେ ଦକ୍ଷ ଯୁବ ଖେଳାଳି। ତାଙ୍କୁ ଆଇପିଏଲ ଇତିହାସର ୪ର୍ଥ ଦାମୀ ଖେଳାଳି ଭାବେ କେକେଆର ୨୩.୭୫ କୋଟି ଟଙ୍କାରେ କିଣିଛି। କେକେଆର ଟିମ ସହ ଆୟର ତାଙ୍କ ଆଇପିଏଲ ଯାତ୍ରା ଆରମ୍ଭ କରିଥିଲେ। ୨୦୨୧ରୁ ସେ କେକେଆରରେ ହିଁ ରହିଛନ୍ତି। ୨୦୨୪ରେ କେକେଆର ଟ୍ରଫି ଜିତିବାରେ ଭେଙ୍କଟେଶ ଆୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୧୫୮.୭୯ ଷ୍ଟ୍ରାଇକ ରେଟରେ ୩୭୦ ରନ କରିଥିଲେ।

Ajinkya Rahane KKR IPL 2025 Venkatesh Iyer