Advertisment

କୋଲକାତାକୁ ଫାଇନାଲରେ ପହଞ୍ଚାଇଲେ ଦୁଇ ଆୟର୍‌

କୋଲକାତା ଫାଇନାଲରେ ପ୍ରବେଶ କରିଥିବା ବେଳେ ହାଇଦ୍ରାବାଦ ଏବେ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ।

author-image
Hemant Lenka
Venkatesh Iyer

Venkatesh Iyer

ଚଳିତ ଆଇପିଏଲର ଫାଇନାଲ ଟିକେଟ ହାତେଇଛି କୋଲକାତା ନାଇଟ ରାଇଡର୍ସ ବା କେକେଆର। ଆଜି ଦଳ କ୍ୱାଲିଫାୟାର ୧ରେ ସନ ରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ୮ ୱିକେଟରେ ହରାଇ ବିଜୟ ହାସଲ କରିଛି। ପ୍ରଥମେ ବୋଲର କମାଲ କରିଥିବା ବେଳେ ବ୍ୟାଟିଂରେ ଦୁଇ ଆୟର ନିଜର ଦମ ଦେଖାଇଛନ୍ତି। ଶ୍ରେୟସ ଆୟର ଓ ଭେଙ୍କଟେଶ ଆୟର ଅର୍ଦ୍ଧଶତକ ହାସଲ କରିଛନ୍ତି। 

Advertisment

୨୦୨୧ ପରେ କେକେଆର ପୁଣି ଥରେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ୨୦୨୧ରେ ଦଳ ଫାଇନାଲ ଯାଇଥିଲେ ମଧ୍ୟ ଚେନ୍ନାଇ ଠାରୁ ହାରି ଯାଇଥିଲା। ଏଥର ଦଳ ଟ୍ରଫି ହାତେଇବା ମୁଡରେ ରହିଛି।

ଆଜିର ମ୍ୟାଚ୍‌ରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୫୯ ରନ କରିଥିଲା। ଏହାର ଜବାବରେ କେକେଆର ୩୮ ବଲ ପୂର୍ବରୁ କେବଳ ୨ଟି ୱିକେଟ ହରାଇ ବିଜୟ ଟାର୍ଗେଟକୁ ହାସଲ କରି ନେଇଛି।

Advertisment

ଦଳକୁ ଜିତିବା ପାଇଁ ୨ ରନ ଦରକାର ଥିବା ବେଳେ ଶ୍ରେୟସ ଆୟର ଛକା ମାରି ଦଳକୁ ଫାଇନାଲ ଟିକେଟ ଦେଇଛନ୍ତି। ଆୟର ଶେଷ ଯାଏ ୨୪ ବଲରେ ୫୮ ଓ ଭେଙ୍କଟେଶ ଆୟର ୨୮ ବଲରେ ୫୧ ରନ କରି ଅପରାଜିତ ରହିଥିଲେ।

କୋଲକାତା ଫାଇନାଲରେ ପ୍ରବେଶ କରିଥିବା ବେଳେ ହାଇଦ୍ରାବାଦ ଏବେ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ। ଆସନ୍ତାକାଲି ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏଲମିନେଟର ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ଯେଉଁ ଦଳ ଜିତିବ, ସେ ହାଇଦ୍ରାବାଦ ସହ ଫାଇନାଲ ଟିକେଟ ପାଇଁ ଲଢ଼େଇ କରିବ।

ଫାଇନାଲ ପାଇଁ ୧୬୦ ରନର ଟାର୍ଗେଟ ପାଇଥିବା କେକେଆର ପାଇଁ ରହମନୁଲ୍ଲା ଗୁରବାଜ ଓ ସୁନୀଲ ନାରିନ ଦମଦାର ଆରମ୍ଭ କରିଥିଲେ। ବିଶେଷ କରି ଗୁରବାଜଙ୍କ ବ୍ୟାଟରରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ୩.୨ ଓଭରରେ ଦଳୀୟ ସ୍କୋର ୪୪ ଥିବା ବେଳେ ବ୍ୟକ୍ତିଗତ ୨୩ ରନ କରି ଗୁରବାଜ ଆଉଟ ହୋଇଥିଲେ।

ତାଙ୍କ ୱିକେଟ ଟି ନଟରାଜନ ନେଇଥିଲେ। ସୁନୀଲ ନାରିନ ୪ଟି ଚୌକା ମାରିଥିଲେ ହେଁ ୨୧ ରନ କରି ପାଟ କମିନ୍ସଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ୬୭ ରନରେ ଦଳ ଦ୍ୱିତୀୟ ୱିକେଟ ହରାଇଥିଲା।

ଏତିକି ବେଳେ ଶ୍ରେୟସ ଓ ଭେଙ୍କଟେଶ ଦମଦାର ବ୍ୟାଟିଂ କରିଥିଲେ। ଉଭୟ କେବଳ ୱିକେଟ ରଖି ନଥିଲେ ବରଂ ବଡ଼ବଡ଼ ଶଟ ମଧ୍ୟ ଖେଳିଥିଲେ। ତୃତୀୟ ୱିକେଟ ପାଇଁ ଉଭୟ ଅଭିବାଜିତ ୧୦୩ ରନ ଯୋଡ଼ି ଦଳକୁ ଫାଇନାଲରେ ପହଞ୍ଚାଇ ଦେଇଛନ୍ତି।

ଏଥିସହ ଦୁଇ ଆୟର ନିଜ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରେୟସ ଆୟର ୫୮ ରନ ଇନିଂସରେ ୫ଟି ଚୌକା ଓ ୪ଟି ଚୌକା ଏବଂ ଭେଙ୍କଟେଶ ୫ଟି ଚୌକା ଓ ୪ଟି ଛକା ମାରିଛନ୍ତି।

IPL IPL 2024 KKR SRH