Advertisment

କୁଲଦୀପ-ଅଶ୍ୱିନଙ୍କ ପରେ ଇଂଲଣ୍ଡକୁ କାଉଣ୍ଟର ପଞ୍ଚ ମାରିଲେ ଭାରତୀୟ ବ୍ୟାଟର୍‌

ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ୫୨ ଓ ଶୁବମନ ଗିଲ ୨୬ ରନ କରି କ୍ରିଜରେ ରହିଛନ୍ତି। ଇଂଲଣ୍ଡର ୨୧୮ ରନର ଜବାବରେ ଭାରତ ତା’ର ପ୍ରଥମ ଇନିଂସରେ ଗୋଟିଏ ୱିକେଟ ହରାଇ ୧୩୫ ରନ କରି ନେଇଛି।

author-image
Hemant Lenka
Rohit

Rohit

ଧର୍ମଶାଲାରେ ଖେଳା ଯାଉଥିବା ୫ମ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆର ଦବଦବା ଦେଖିବାକୁ ମିଳିଛି। ପ୍ରଥମେ ସ୍ପିନ ଯୋଡ଼ି କୁଲଦୀପ ଓ ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ ବ୍ୟାଟରଙ୍କୁ ଦଳି ଦେଇଥିଲେ। ଫଳରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ୨୧୮ ରନ କରି ଅଲଆଉଟ ହୋଇ ଯାଇଥିଲା।

Advertisment

ଏହାପରେ ପ୍ରଥମ ଦିନରେ ୩୦ ଓଭର ବ୍ୟାଟିଂ କରିଥିବା ଟିମ ଇଣ୍ଡିଆର ବ୍ୟାଟର ନିଜର ଜଲୱା ଦେଖାଇଛନ୍ତି। ଓପନର ଯଶସ୍ୱୀ ଜୈସୱାଲ ୫୭ ରନ କରି ଆଉଟ ହୋଇଥିଲେ ହେଁ ଅଧିନାୟକ ରୋହିତ ଶର୍ମା ୫୨ ରନ କରି ଅପରାଜିତ ରହିଛନ୍ତି।

ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ୫୨ ଓ ଶୁବମନ ଗିଲ ୨୬ ରନ କରି କ୍ରିଜରେ ରହିଛନ୍ତି। ଇଂଲଣ୍ଡର ୨୧୮ ରନର ଜବାବରେ ଭାରତ ତା’ର ପ୍ରଥମ ଇନିଂସରେ ଗୋଟିଏ ୱିକେଟ ହରାଇ ୧୩୫ ରନ କରି ନେଇଛି। ଏବେ ଦଳ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୮୩ ରନ ପଛରେ ରହିଛି। ଆସନ୍ତାକାଲି ରୋହିତ ଓ ଗିଲ ଭାରତୀୟ ଇନିଂସକୁ ଆଗକୁ ନେବେ।

Advertisment

ଧର୍ମଶାଲାରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଦମଦମା ଷ୍ଟାର୍ଟ କରିଥିଲା। ଏକଦା ଦଳ ବିନା ୱିକେଟରେ ୬୭ ରନ କରି ନେଇଥିଲା। ଏହାପରେ ଭ୍ରମଣକାରୀ ଦଳକୁ କୁଲଦୀପ ଯାଦବ ଓ ଅଶ୍ୱିନ ଘାଣ୍ଟିଥିଲେ। ଜ୍ୟାକ କ୍ରାଉଲୀ(୭୯)ଙ୍କୁ ଛାଡ଼ି ଭାରତୀୟ ସ୍ପିନ ଆଟାକକୁ କୌଣସି ଇଲିଂଶ ବ୍ୟାଟର ସମ୍ଭାଳି ପାରି ନଥିଲେ। କୁଲଦୀପ ୫, ଅଶ୍ୱିନ ୪ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇ ଇଂଲଣ୍ଡର ପ୍ରଥମ ଇନିଂସକୁ ୨୧୮ ରନରେ ଶେଷ କରି ଦେଇଥିଲେ।

ଚା’ ପାନ ବିରତି ପରେ ପରେ ଇଂଲଣ୍ଡ ଅଲଆଉଟ ହୋଇଯାଇଥିଲା। ଫଳରେ ଭାରତ ମଧ୍ୟାହ୍ନ ୩ଟାରୁ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଭାରତର ଦୁଇ ଓପନର ଯଶସ୍ୱୀ ଓ ରୋହିତ ଶର୍ମା ଆରମ୍ଭରୁ ଦମଦାର ବ୍ୟାଟିଂ କରିଥିଲେ।

ଉଭୟ ଇଂଲଣ୍ଡ ବୋଲରଙ୍କୁ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ବିଶେଷ କରି ରୋହିତ ଶର୍ମା ଆଟାକିଂ କ୍ରିକେଟ ଖେଳିଥିଲେ। ଯଶସ୍ୱୀ ସେଟ ହେବା ପରେ ଇଂଲଣ୍ଡର ଦୁଇ ସ୍ପିନର ଟମ ହାର୍ଟଲୀ ଓ ଶୋଏବ ବଶିରଙ୍କୁ ବଡ଼ବଡ଼ ଶଟ ମାରିଥିଲେ।

ଏଥିସହ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ସେ ଆହୁରି ଗୋଟିଏ ଚୌକା ମାରିଥିଲେ। ଚୌକା ମାରି ସେ ୫୦ ରନ ମଧ୍ୟ ପୂରଣ କରିଥିଲେ।

କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ସେ ବଶିରଙ୍କ ବଲରେ ଷ୍ଟମ୍ପିଂ ହୋଇ ଯାଇଥିଲେ। ୫୮ ବଲରେ ୫୭ ରନ କରିଥିବା ଯଶସ୍ୱୀ ୫ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଆଉଟ ହେବା ପୂର୍ବରୁ ସେ ରୋହିତଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ୧୦୪ ରନର ଭାଗିଦାରୀ କରିଥିଲେ।

ଯଶସ୍ୱୀଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ଶୁବମନ ଗିଲ ମଧ୍ୟ କିଛି ବଡ଼ ଶଟ ମାରିଥିଲେ। ରୋହିତ ତାଙ୍କୁ ସାଥ ଦେବା ସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ଇଂଲଣ୍ଡ ବୋଲରଙ୍କୁ କାଉଣ୍ଟର କରିବା ସହ ଷ୍ଟମ୍ପ ଅପସାରଣ ଯାଏ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନାହାନ୍ତି।

ରୋହିତ ୬ଟି ଚୌକା ଓ ୨ଟି ଛକା ବଳରେ ୫୨ ଓ ଗିଲ ୨ଟି ଛକା ଓ ସମାନ ସଂଖ୍ୟକ ଚୌକା ବଳରେ ୨୬ ରନ କରି ଅପରାଜିତ ରହିଛନ୍ତି। ଉଭୟ ଦ୍ୱିତୀୟ ୱିକେଟ ପାଇଁ ଅଭିବାଜିତ ୩୧ ରନ ମଧ୍ୟ ଯୋଡ଼ି ନେଇଛନ୍ତି। ଏହା ମଧ୍ୟରୁ ଗିଲ ୨୬ ଓ ରୋହିତ କେବଳ ୫ ରନ କରିଛନ୍ତି। କାଲି ଏହି ସ୍କୋରରୁ ଉଭୟ ଦଳକୁ ଆଗକୁ ନେବେ।

Rohit Sharma India Vs England Shubman Gill Yashasvi Jaiswal Test Cricket Test Match India Vs England Test