Advertisment

ଧୂଳି ଚାଟିଲା ପାକିସ୍ତାନ, ୨୨୮ ରନରେ ଜିତିଲା ଭାରତ

ଭାରତ ଦେଇଥିବା ୩୫୭ ରନର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ କେବଳ ୧୨୮ ରନରେ ଅଟକି ଯାଇଛି। ଏପରି କି ଦଳ କେବଳ ୩୨ ଓଭର ହିଁ ବ୍ୟାଟିଂ କରିବାକୁ ସକ୍ଷମ ହୋଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Kuldeep

Kuldeep

ବ୍ୟାଟରଙ୍କ ପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କମାଲ କରିଛନ୍ତି ଭାରତୀୟ ବୋଲର। ଏସିଆ କପର ସୁପର ୪ ମ୍ୟାଚ୍‌ରେ ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଏକତରଫା ଭାବେ ୨୨୮ ରନରେ ପରାସ୍ତ କରିଛି। ଏହା ପାକିସ୍ତାନ ବିପକ୍ଷରେ ଭାରତର ସବୁଠାରୁ ବଡ଼ ବିଜୟ। ଏହାପୂର୍ବରୁ ଭାରତ ୧୪୦ ରନରେ ମୀରପୁରରେ ପାକିସ୍ତାନକୁ ହରାଇଥିଲା।

Advertisment

ଏବେ କଲମ୍ବୋରେ ଭାରତୀୟ ଟିମ ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତ ପାଇଁ ବ୍ୟାଟିଂରେ ବିରାଟ କୋହଲି ଓ କେଏଲ ରାହୁଲ ଶତକ ହାସଲ କରିଥିଲେ। ବୋଲିଂରେ କୁଲଦୀପ ଯାଦବ ୫ ୱିକେଟ ନେଇ ପାକିସ୍ତାନକୁ ଧୂଳି ଚଟାଇ ଦେଇଛନ୍ତି। ଭାରତ ଦେଇଥିବା ୩୫୭ ରନର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ କେବଳ ୧୨୮ ରନରେ ଅଟକି ଯାଇଛି। ଏପରି କି ଦଳ କେବଳ ୩୨ ଓଭର ହିଁ ବ୍ୟାଟିଂ କରିବାକୁ ସକ୍ଷମ ହୋଇଛି।

ବର୍ଷା ଯୋଗୁ ଭାରତ-ପାକିସ୍ତାନ ମ୍ୟାଚ୍‌ର ଫଳାଫଳ ସଂରକ୍ଷିତ ଦିବସରେ ବାହାରିଛି। ରବିବାର ଭାରତ ୨୪.୧ ଓଭର ବ୍ୟାଟିଂ କରି ୨ ୱିକେଟ ହରାଇ ୧୪୭ ରନ କରିଥିଲା। ଆଜି ଏହି ସ୍କୋରରୁ ଖେଳ ଆରମ୍ଭ ହୋଇଥିଲା। କେଏଲ ରାହୁଲ ଓ ବିରାଟ କୋହଲି ଦମଦାର ବ୍ୟାଟିଂ କରି ପୂରା ୫୦ ଓଭର ଖେଳିଥିଲେ।

Advertisment

ଏଥିସହ ନିଜ ନିଜର ଶତକ ହାସଲ କରିଥିଲେ। ରାହୁଲ ଆହତ ପରେ ପ୍ରଥମ ଶତକ ହାସଲ କରିଥିବା ବେଳେ ବିରାଟ ୧୩ ହଜାର ରନ ପୂରଣ କରିବା ସହ ୪୭ତମ ଦିନିକିଆ ଶତକ ଅର୍ଜନ କରିଥିଲେ। ବିରାଟ ଶେଷ ଯାଏ ୧୨୨ ଓ ରାହୁଲ ୧୧୧ ରନ କରି ଅପରାଜିତ ରହିଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭର୍‌ରେ ୨ ୱିକେଟ ହରାଇ ୩୫୬ ରନ କରିଥିଲା।

୩୫୭ ରନର ପିଛା କରୁଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇମାମ ଉଲ ହକ ୯ ରନ, ବାବର ଆଜମ ୧୦ ରନ ଓ ମହମ୍ମଦ ରିଜୱାନ ମାତ୍ର ୨ ରନ କରିବାକୁ ସକ୍ଷମ ହୋଇଥିଲେ। ଫଖର ଜମାନ(୨୭) କିଛି ସମୟ ପାଇଁ ଲଢ଼ିଥିଲେ ହେଁ କୁଲଦୀପ ସବୁ କିଛି ଓଲଟ ପାଲଟ କରିଥିଲେ।

ସେ ତାଙ୍କୁ ବୋଲ୍ଡ କରି ପାକିସ୍ତାନର ବିଜୟ ରାସ୍ତାକୁ ଏକପ୍ରକାରର ବନ୍ଦ କରିଦେଇଥିଲେ। ଏହାପରେ ଆଘା ସଲମାନ(୨୩), ଇଫତକାର ଅହମ୍ମଦ (୨୩), ଶଦାବ ଖାନ(୬)ଙ୍କ ୱିକେଟ ମଧ୍ୟ କୁଲଦୀପ ନେଇଥିଲେ। ଶେଷରେ ଫୈମ ଅଶରଫ(୪)ଙ୍କୁ ଆଉଟ କରି ସେ ପାକିସ୍ତାନ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଆହତ ଯୋଗୁ ନଶୀମ ଶାହ ଓ ହାରିସ ରୌଫ ବ୍ୟାଟିଂ କରିବାକୁ ଆସି ନଥିଲେ। ପାକିସ୍ତାନ ଇନିଂସ ୧୨୮ ଅଟକି ଯିବାକୁ ଭାରତ ଏହି ମ୍ୟାଚ୍‌କୁ ବୃହତ୍ତ ୨୨୮ ରନରେ ଜିତି ନେଇଛି।

ଦଳ ପକ୍ଷରୁ ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। କୁଲଦୀପ ଯାଦବ ୫ ୱିକେଟ ସହ ୮ ଓଭରରେ କେବଳ ୨୫ ରନ ଦେଇଛନ୍ତି।

ଆସନ୍ତକାଲି ଭାରତ ସୁପର ୪ର ଦ୍ୱିତୀୟ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ।

India Vs Pakistan Asia Cup Cricket Asia Cup 2023