Advertisment

IND vs SA: ଟେଷ୍ଟ ଇତିହାସରେ ପ୍ରଥମ ଥର ଘଟିଲା ଏମିତି ଘଟଣା : ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ୨୪୭/୬

ଟେଷ୍ଟ ଇତିହାସରେ କେବେ ଦେଖା ଯାଇ ନଥିବା ଘଟଣା ମଧ୍ୟ ଗୁହାଟୀରେ ଦେଖାଯାଇଛି। ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ କୌଣସି ଦଳର ଟପ୍‌ ୪ ବ୍ୟାଟର ୩୫ କିମ୍ବା ତା’ ଠାରୁ ଅଧିକ ରନ କରିଥିଲେ ହେଁ ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି।

Kuldeep

ୱିକେଟ ଦଖଲ ପରେ କୁଲଦୀପ

Advertisment

ଆଜି ଠାରୁ ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା(Ind Vs SA) ମଧ୍ୟରେ ଦ୍ୱିତୀୟ ଟେଷ୍ଟ। ଗୁହାଟୀରେ ଖେଳା ଯାଉଥିବା ଏହି ଟେଷ୍ଟର ପ୍ରଥମ ଦିନରେ ଦୁଇ ଦଳ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ପ୍ରଥମ କିଛି ଘଣ୍ଟା ଦକ୍ଷିଣ ଆଫ୍ରିକା ନାଁରେ ରହିଥିବା ବେଳେ ପରେ ଭାରତ କମବ୍ୟାକ କରିଥିଲା। ଏହାପରେ ପୁଣି କିଛି ଘଣ୍ଟା ଦକ୍ଷିଣ ଆଫ୍ରିକା ବ୍ୟାଟର ନିଜର ଦବଦବା ଦେଖାଇଥିଲେ। ଶେଷ ଆଡ଼କୁ ଭାରତୀୟ ବୋଲର କମାଲ କରିବା ସହ ୪ ୱିକେଟ ଦଖଲ କରିଥିଲେ। 

Advertisment

ସେହିପରି ଟେଷ୍ଟ(Test Cricket) ଇତିହାସରେ କେବେ ଦେଖା ଯାଇ ନଥିବା ଘଟଣା ମଧ୍ୟ ଗୁହାଟୀରେ ଦେଖାଯାଇଛି। ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ କୌଣସି ଦଳର ଟପ୍‌ ୪ ବ୍ୟାଟର ୩୫ କିମ୍ବା ତା’ ଠାରୁ ଅଧିକ ରନ କରିଥିଲେ ହେଁ ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି।

ଦକ୍ଷିଣ ଆଫ୍ରିକାର ଟପ ୪ ବ୍ୟାଟର ଏଡେନ ମାର୍କରମ ୩୮ ରନ, ରିୟାନ ରିକେଲଟନ ୩୫ ରନ, ଟ୍ରିଷ୍ଟାନ ଷ୍ଟବ୍ଦ ୪୯ ରନ ଓ ଅଧିନାୟକ ତେମ୍ବା ବଭୂମା ୪୧ ରନ କରିଛନ୍ତି। ହେଲେ ଅର୍ଦ୍ଧଶତକ ହାସଲ କରିବା ପୂର୍ବରୁ ସମସ୍ତେ ପ୍ୟାଭିଲିୟନ ଫେରି ଯାଇଛନ୍ତି। 

Advertisment

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୬ ୱିକେଟ ହରାଇ ୨୪୭ ରନ କରି ନେଇଛି। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ଖାତାକୁ ମଧ୍ୟ ଗୋଟିଏ ସଫଳତା ଯାଇଛି।

ଭାରତୀୟ ବୋଲର ଆଜି ୮୧.୫ ଓଭର ବୋଲିଂ କରିଛନ୍ତି। ଖରାପ ଆଲୁଅ ଯୋଗୁ ପ୍ରଥମ ଦିନର ଖେଳକୁ ଅମ୍ପାୟାର ଆଗୁଆ ଶେଷ କରି ଦେଇଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ସେନୁରାନ ମୁଥୁସାମୀ ୨୫ ଓ କାୟେଲ ଭେରେୟନ୍ନେ ୧ ରନ କରି ଅପରାଜିତ ରହିଛନ୍ତି। 

ନିୟମିତ ଅଧିନାୟକ ଶୁବମନ ଗିଲଙ୍କ ବିନା ଗୁହାଟୀରେ ଦ୍ୱିତୀୟ ଟେଷ୍ଟ ଖେଳୁଥିବା ଭାରତ ଟସ୍ ହାରି ଯାଇଥିଲା। ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୂମା ଟସ୍ ଜିତି ଋଷଭ ପନ୍ତଙ୍କ ଦଳକୁ ପ୍ରଥମେ ବୋଲିଂ କରିବାକୁ କହିଥିଲେ। ଏହାକୁ ଠିକ ସାବ୍ୟସ୍ତ କରି ଦଳର ଦୁଇ ଓପନର ଏଡେନ ମାର୍କରମ ଓ ରିୟାନ ରିକେଲଟନ ଦମଦାର ବ୍ୟାଟିଂ କରିଥିଲେ। 

ଉଭୟ ୨୭ତମ ଓଭର ଯାଏ ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ୮୨ ରନରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ଏହି ସମୟରେ ଯଶପ୍ରୀତ ବୁମ୍ରା ୩୮ ରନ କରିଥିବା ମାର୍କରମଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟକା ଦେଇଥିଲେ। 

ଏହାପରେ ଚା’ ପାନ ବିରତି ହୋଇଥିଲା। ଉତ୍ତରପୂର୍ବ ଭାରତରେ ଆଗୁଆ ସୂ‌ର୍ଯ୍ୟୋଦୟ କାରଣରୁ ଏହି ଟେଷ୍ଟ ମ୍ୟାଚ୍‌(Test Match) ପାରମ୍ପରିକ ସମୟଠାରୁ ଭିନ୍ନ ଢଙ୍ଗରେ ଖେଳା ଯାଉଛି। ପ୍ରତ୍ୟେକ ଦିନ ଖେଳ ଅଧଘଣ୍ଟା ଆଗରୁ ଆରମ୍ଭ ହେବ। ଅର୍ଥାତ ଆଜି ସକାଳ ସକାଳ ୯ରୁ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଦିନ ୧୧ଟା ଯାଏ ପ୍ରଥମ ଅଧିବେଶନ ଚାଲିଥିଲା। ଏହାପରେ ପାରମ୍ପରିକ ଢଙ୍ଗରେ ମଧ୍ୟାହ୍ନ ଭୋଜନ ବିରତି ବଦଳରେ ୨୦ ମିନିଟ ପାଇଁ ଚା’ପାନ ବ୍ରେକ ହୋଇଥିଲା। ଦ୍ୱିତୀୟ ଅଧିବେଶନର ଖେଳ ୧୧.୨୦ ମିନିଟ୍‌ରୁ ୧.୨୦ ମିନିଟ ଯାଏ ଚାଲିଥିଲା। ମଧ୍ୟାହ୍ନ ଭୋଜନ ବ୍ରେକ ଅପରାହ୍ଣ ୧.୨୦ରୁ ୨.୦୦ ପର୍ଯ୍ୟନ୍ତ ହୋଇଥିଲା। 

ଚା’ ପାନ ବ୍ରେକରୁ ଫେରିବା ପରେ କୁଲଦୀପ ଯାଦବ ୩୫ ରନ କରିଥିବା ରିକେଲଟନଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏତିକି ବେଳେ ଷ୍ଟବ୍ସ ଓ ବଭୂମା ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଉଭୟ ଧିମା ଗତିରେ ରନ ସଂଗ୍ରହ କରିଥିଲେ ହେଁ ୱିକେଟ ଖସିବାକୁ ଦେଇ ନଥିଲେ। ଅଧିନାୟକ ପନ୍ତ ବାରମ୍ବାର ବୋଲିଂରେ ପରିବର୍ତ୍ତନ କରିଥିଲେ ହେଁ କିଛି ବି କାମ ଦେଇ ନଥିଲା। ଉଭୟ ଦଳୀୟ ସ୍କୋରକୁ ୮୨ରୁ ନେଇ ୧୬୬ ରନରେ ପହଞ୍ଚାଇ ଦେଇଥିଲେ। 

ଏତିକି ବେଳେ ଘଟିଥିଲା ବିପର୍ଯ୍ୟୟ। ଅଭିଜ୍ଞ ରବୀନ୍ଦ୍ର ଜାଡେଜା ପ୍ରଥମେ ସେଟ ବଭୂମା(୪୧)ଙ୍କୁ ଯଶସ୍ୱୀ ଜୈସୱାଲଙ୍କ ହାତରେ କ୍ୟାଚ ଆଉଟ କରିଥିଲେ। ଏହାପରେ କୁଲଦୀପ ଯାଦବ ପ୍ରଥମେ ଷ୍ଟବ୍ସ ଓ ପରେ ୧୩ ରନ କରିଥିବା ୱିଆନ ମୁଲଡେରଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। ଦକ୍ଷିଣ ଆଫ୍ରିକା ୨୦୧ ରନରେ ୫ ୱିକେଟ ହରାଇଥିଲା। 

୬ଷ୍ଠ ୱିକେଟ ପାଇଁ ଟୋନୀ ଡେ ଜୋର୍ଜୀ ଓ ମୁଥୁସାମୀ ୪୫ ରନ ଯୋଡ଼ି ଥିଲେ। ଇତି ମଧ୍ୟରେ ଭାରତ ନୂଆ ବଲ ମଧ୍ୟ ୮୦.୨ ଓଭର ପରେ ନେଇଯାଇଥିଲା। ନୂଆ ବଲରେ କମାଲ କରିଥିଲେ ମହମ୍ମଦ ସିରାଜ। ବେଶ ସତର୍କତାର ସହ ଖେଳୁଥିବା ଜୋର୍ଜୀଙ୍କୁ ସେ ୮୨ତମ ଓଭରରେ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ସେ ଆଉଟ ହେବାର ଆଉ ୪ଟି ବଲ ପରେ ଦିନର ଖେଳକୁ ଖରାପ ଆଲୁଅ ପାଇଁ ଅମ୍ପାୟାର ବନ୍ଦ କରି ଦେଇଥିଲେ। ତେଣୁ ଭଲ ଲୟରେ ଥିବା ଜୋର୍ଜୀ ୨୮ ରନ କରି ନିରାଶ ହୋଇ ପ୍ୟାଭିଲିୟନ ଫେରିଛନ୍ତି। 

ପ୍ରଥମ ଦିନରେ ୬ ୱିକେଟ ହରାଇ ୨୪୭ ରନ କରିଥିବା ଦକ୍ଷିଣ ଆଫ୍ରିକା ଆସନ୍ତାକାଲି ଏହାକୁ ବଡ଼ ସ୍କୋରରେ ପରିଣତ କରିବା ଲକ୍ଷ୍ୟରେ ରହିବ। ସେହିପରି ଭାରତ ଯଥାଶୀଘ୍ର ଦକ୍ଷିଣ ଆଫ୍ରିକା ଇନଂସରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଟା କରିବ।     

Ind Vs SA Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe