ଦିନକ ପରେ ଆରମ୍ଭ ହେବ ଆଇପିଏଲର ୧୮ତମ ସଂସ୍କରଣ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। କୋଲକାତାର ଇଡେନ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ଆରସିବି ଓ ଡିଫେଣ୍ଡିଂ ଚାମ୍ପିୟନ କେକେଆର। ଆଇପିଏଲ ସବୁବେଳେ ଆଧୁନିକ ଯୁଗର କିଛି କ୍ରିକେଟରଙ୍କ ପାଇଁ ବଡ଼ ମଞ୍ଚ ଭାବେ ଉଭା ହୋଇ ଆସିଛି। ସେମାନେ ଏହି ବଡ଼ ମଞ୍ଚରେ ସେମାନଙ୍କ ପରାକ୍ରମ ଦେଖାଇଛନ୍ତି।
ନିଜ କ୍ରିକେଟିଂ କ୍ୟାରିୟରକୁ ଆଇପିଏଲ ମାଧ୍ୟମରେ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। କିନ୍ତୁ ସବୁ ଭଲ ଜିନିଷର ଶେଷ ମଧ୍ୟ ଥାଏ। ବର୍ଷବର୍ଷ ଧରି ନିଜ ପ୍ରଦର୍ଶନ ଓ ଜଲୱା ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରି ଆସୁଥିବା କିଛି କ୍ରିକେଟ ଲିଜେଣ୍ଡଙ୍କ କ୍ୟାରିୟର ମଧ୍ୟ ଶେଷ ହେବ। କିନ୍ତୁ କ’ଣ ୨୦୨୫ ସେମାନଙ୍କ ପାଇଁ ଶେଷ ଆଇପିଏଲ ହେବ? ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଏକାଧିକ ଖେଳାଳି କ’ଣ ଶେଷଥର ପାଇଁ ଆଇପିଏଲରେ ନଜର ଆସିବେ କି? ଏହି ପ୍ରଶ୍ନ ଉଠିବାର ଯଥେଷ୍ଟ କାରଣ ରହିଛି। କେଉଁମାନେ ସମ୍ଭବତଃ ସେମାନଙ୍କ କ୍ୟାରିୟରର ଶେଷ ଆଇପିଏଲ ଖେଳିବାକୁ ଯାଉଛନ୍ତି, ତା’ ଉପରେ ନଜର ପକାନ୍ତୁ।
୧- ରୋହିତ ଶର୍ମା: ତାଙ୍କ ନେତୃତ୍ୱରେ ମୁମ୍ବାଇ ୫ଥର ଆଇପିଏଲ ଟ୍ରଫି ଜିତିଛି। କିନ୍ତୁ ବିଗତ କିଛି ବର୍ଷ ହେବ ଆଇପିଏଲରେ ରୋହିତ ଶର୍ମାଙ୍କ ବ୍ୟାଟ ସେତେଟା ଚାଲୁ ନାହିଁ। ୨୦୨୪ ଆଇପିଏଲ ବେଳେ ସେ ମୁମ୍ବାଇର ଅଧିନାୟକ ପଦରୁ ମୁକ୍ତ ହୋଇଥିଲେ। ୩୭ ବର୍ଷୀୟ ରୋହିତ ବ୍ୟାଟର ଭାବେ ଦଳ ପାଇଁ ଭଲ ପ୍ରଦର୍ଶନ କରିବାକୁ ଚାହିଁଥିଲେ ହେଁ ୧୪ଟି ମ୍ୟାଚ୍ରେ ୪୧୭ ରନ କରିପାରିଥିଲେ। ତାଙ୍କ ବ୍ୟାଟିଂ ହାର ୩୨.୦୭ ରହିଥିବା ବେଳେ ଷ୍ଟ୍ରାଇକ ରେଟ ପ୍ରାୟ ୧୫୦ ରହିଥିଲା। ଭାରତ ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ କ୍ରିକେଟର ଏହି ଫର୍ମାଟକୁ ଅଲବିଦା କହିଛନ୍ତି। କ’ଣ ରୋହିତ ଶର୍ମା ସମାନ ଢଙ୍ଗରେ ଆଇପିଏଲକୁ ମଧ୍ୟ ଅଲବିଦା କହିବେ କି?
୨- ବିରାଟ କୋହଲି: କିଙ୍ଗ କୋହିଙ୍କ ପାଇଁ ୨୦୨୪ ଆଇପିଏଲ ବେଶ ଭଲ ସାବ୍ୟସ୍ତ ହୋଇଥିଲା। ସେ ୧୫ଟି ମ୍ୟାଚ୍ରେ ୭୧୪ ରନ କରିଥିଲେ। ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ବଳରେ ସେ ୬୧.୭୫ ହାରରେ ବ୍ୟାଟିଂ କରିଥିଲେ। ମ୍ୟାଚ୍ରେ ତାଙ୍କର ଫିଲ୍ଡିଂ ବେଶ ଚମତ୍କାର। ତଥାପି ଆରସିବି ଏଯାଏ ଟାଇଟଲ ଜିତିବାକୁ ସକ୍ଷମ ହୋଇନି। ବିରାଟ ତାଙ୍କ କ୍ରିକେଟ କ୍ୟାରିୟରରେ ପ୍ରାୟ ସବୁ ଟ୍ରଫି ହାତେଇବା ସଫଳତା ହୋଇଛନ୍ତି। ଏଯାଏ କିନ୍ତୁ ଆଇପିଏଲ ଟ୍ରଫି ଜିତି ପାରି ନାହାନ୍ତି। ରୋହିତଙ୍କ ଭଳି ବିରାଟ ମଧ୍ୟ ଗତବର୍ଷ ଅନ୍ତର୍ଜାତୀୟ ଟି-୨୦କୁ ଅଲବିଦା କହିଥିଲେ। ଏବେ ସେ ରଜତ ପଟିଦାରଙ୍କ କ୍ୟାପ୍ଟେନ୍ସରେ ଆଇପିଏଲ ଖେଳିବେ। ସମ୍ଭବତଃ ବିରାଟ ନିଜର ଶେଷ ଆଇପିଏଲରେ ଟ୍ରଫି ଜିତିବାକୁ ସବୁ ଉଦ୍ୟମ କରିବେ।
୩- ମହେନ୍ଦ୍ର ସିଂହ ଧୋନି: ବେଶ କିଛି ବର୍ଷ ହେଲାଣି ମହେନ୍ଦ୍ର ସିଂହ ଧୋନିଙ୍କ ଆଇପିଏଲ ଭବିଷ୍ୟତକୁ ନେଇ ଚର୍ଚ୍ଚା ଲାଗି ରହିଛି। ଅବସର ଚର୍ଚ୍ଚା ହେଉଥିଲେ ହେଁ ଭେଟରାନ କ୍ରିକେଟର ଚେନ୍ନାଇ ସୁପର କିଙ୍ଗସ କିମ୍ବା ଆଇପିଏଲରୁ ଦୂରେଇ ଯିବା ମୁଡରେ ନାହାନ୍ତି। ୨୦୨୩ ଆଇପିଏଲ ପରେ ଧୋନି ଆଣ୍ଠୁ ସମସ୍ୟାରେ ପଡ଼ିଥିଲେ। ଏଥିଯୋଗୁ ୨୦୨୪ରେ ଧୋନି ପ୍ରାୟ ସବୁ ମ୍ୟାଚ୍ରେ ଶେଷ ଆଡ଼କୁ ବ୍ୟାଟିଂ କରିବାକୁ ଆସୁଥିଲେ। ଗତ ସଂସ୍କରଣରେ ସେ ୧୪ ମ୍ୟାଚ୍ରେ ୫୩.୬୬ ହାରରେ ୧୬୧ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୨୨୦.୫୪ ରହିଥିଲା।
୪୩ ବର୍ଷୀୟ ଧୋନି କ’ଣ ୨୦୨୫ରେ ଅବସର ଘୋଷଣା କରିବେ କି ବୋଲି ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଆଇପିଏଲ ଓ ଚେନ୍ନାଇ ପାଇଁ ଧୋନି କେତେ ଗୁରୁତ୍ୱପୂର୍ଣ୍ଣ, ତା’କୁ ଦୃଷ୍ଟି ରଖି ବିସିସିଆଇ ରିଟେନ ନିୟମରେ ସଂଶୋଧନ କରିଥିଲା। ଧୋନିଙ୍କୁ ଅନକ୍ୟାପଡ ଖେଳାଳି ଭାବେ ଚେନ୍ନାଇ ରିଟେନ କରିଥିଲା। ଚେନ୍ନାଇ ରେକର୍ଡ ୬ଷ୍ଠ ଥର ଟାଇଟଲ ଜିତି ଧୋନିଙ୍କୁ ବିଦାୟ ଜଣାଇବାର ଯଥେଷ୍ଟ ସମ୍ଭାବନା ରହିଛି।
୪- ଫାଫ ଡୁପ୍ଲେସିସ: ଅବଶ୍ୟ ୨୦୨୧ରେ ଫାଫ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। କିନ୍ତୁ ଏବେ ବି ଦକ୍ଷିଣ ଆଫ୍ରିକାର ଏହି ଷ୍ଟାର ବ୍ୟାଟରଙ୍କ ଚମକ ଆଇପିଏଲରେ ରହିଛି। ୨୦୨୪ରେ ସେ ଆଇପିଏଲରେ ଆରସିବିର ଅଧିନାୟକ ଭାବେ କାର୍ଯ୍ୟ କରିଥିଲେ। କିନ୍ତୁ ୨୦୨୫ରେ ସେ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। କାରଣ ୨୦୨୫ରେ ଡୁପ୍ଲେସିସଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସରେ ଦେଖିବାକୁ ମିଳିବ।
ସେ ଅକ୍ଷର ପଟେଲଙ୍କ ଡେପୁଟି ଭାବେ କାମ କରିବେ। ୨୦୨୪ ଆଇପିଏଲରେ ୪୦ ବର୍ଷୀୟ ଡୁପ୍ଲେସିସ ୧୫ଟି ମ୍ୟାଚ୍ରେ ୪୩୮ ରନ କରିଥିଲେ। ଏହା ମଧ୍ୟରେ ୪ଟି ଅର୍ଦ୍ଧଶତକ ରହିଥିଲା। ଅକ୍ଷରଙ୍କ ପାଇଁ ଡୁପ୍ଲେସିସଙ୍କ ଅଭିଜ୍ଞତା ନିଶ୍ଚିୟ କାମରେ ଆସିବ। ସେହିପରି ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ସହାୟତା କରିବ। ଦିଲ୍ଲୀ ପାଇଁ ମେଡେନ ଟାଇଟଲ ଜିତି ଡୁପ୍ଲେସିସ ଆଇପିଏଲରୁ ବିଦାୟ ନେବେ କି?
୫- ସୁନୀଲ ନାରିନ: ପ୍ରଥମେ ନିଜର ଘାତକ ସ୍ପିନ ବଲ ମାଧ୍ୟରେ ନାରିନ ସମସ୍ତଙ୍କୁ ଘାଇଲା କରୁଥିଲେ। ହେଲେ ଏବେ ସେ ଜଣେ ବିସ୍ଫୋରକ ଅଲରାଉଣ୍ଡର। ଗତ ସଂସ୍କରଣରେ ସେ ବିସ୍ଫୋରକ ଓପନର ଭାବେ କୋଲକାତା ନାଇଟ ରାଇଡର୍ସ ପାଇଁ ୧୫ଟି ମ୍ୟାଚ୍ରେ ୪୮୮ ରନ କରିଥିଲେ। ଏହା ମଧ୍ୟରେ ୩ଟି ଅର୍ଦ୍ଧଶତକ ସହ ଆଇପିଏଲରେ ନିଜର ମେଡେନ ଶତକ ହାସଲ କରିଥିଲେ। ଫିଲ ସଲ୍ଟଙ୍କ ସହ ତାଙ୍କର ଭାଗିଦାରୀ କେକେଆରର ଟାଇଟଲ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ବଲରେ ମଧ୍ୟ ନାରିନ ୧୭ଟି ୱିକେଟ ନେଇଥିଲେ। ୩୬ ବର୍ଷୀୟ ନାରିନ କ’ଣ ଆଉ ଗୋଟିଏ ଆଇପିଏଲ ଟ୍ରଫି ଜିତି ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ନିଜର ଛାପ ଛାଡ଼ିବା ସହ ବିଦାୟ ନେବେ କି?
୬- ଆନ୍ଦ୍ରେ ରସେଲ: କେକେଆର ସହ ନାରିନଙ୍କ ଭଳି ରସେଲଙ୍କ ସମ୍ପର୍କ ମଧ୍ୟ ବେଶ ନିବିଡ଼। ଏକଦା ଛକା ମାରିବା ପାଇଁ ପରିଚୟ ହାସଲ କରିଥିବା ରସେଲ ଏବେ କିଛି ବର୍ଷ ହେବ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ତଥାପି ଗତ ସଂସ୍କରଣରେ ରସେଲ ୧୯ଟି ୱିକେଟ ନେବା ସହ ୧୮୫ ଷ୍ଟ୍ରାଇକ ରେଟରେ ୨୨୨ ରନ କରିଥିଲେ।
ସନ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସେ ୨୫ ବଲରେ ୬୪ ରନର ଇନିଂସ ଖେଳି ନିଜ ବିସ୍ଫୋରକ ରୂପ ସମସ୍ତଙ୍କୁ ଦେଖାଇଥିଲେ। କ୍ରମାଗତ ଆହତ ହେଉଥିବାରୁ ରସେଲ ସମ୍ଭତବଃ ୨୦୨୫ ଆଇପିଏଲ ପରେ ଅବସର ଘୋଷଣା କରିପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।