Advertisment

ଏସିଆ କପ: ଭାରତ-ପାକିସ୍ତାନ ମ୍ୟାଚ୍‌ ବାତିଲ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଓକିଲ, ଏମିତି କହିଲେ ଜଜ୍‌

ଏପ୍ରିଲ ୨୨ ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମସୀମାରେ ରହିଛି। ଏପରି ସ୍ଥିତିରେ ଆସନ୍ତା ୧୪ରେ ଦୁଇ ଦେଶ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ଖେଳାଯିବ।

author-image
Hemant Lenka
Cricket

Cricket

ଏସିଆ କପ ୨୦୨୫ର ମ୍ୟାଚ୍‌ ସୂଚୀ ଜାରି ହେବା ଦିନକୁ ଠାରୁ ଭାରତୀୟ କ୍ରିକେଟ ଟିମ ପାକିସ୍ତାନ ସହ ଖେଳିବା ଦରକାର କି ନାହିଁ, ତା’କୁ ନେଇ ବିତର୍କ ଜାରି ରହିଛି। ଏସବୁ ଭିତରେ ଆସନ୍ତା ୧୪ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ସାମ୍ନା କରିବେ। ଏପ୍ରିଲ ୨୨ ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମସୀମାରେ ରହିଛି। ଏପରି ସ୍ଥିତିରେ ଆସନ୍ତା ୧୪ରେ ଦୁଇ ଦେଶ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ଖେଳାଯିବ।

Advertisment

ମ୍ୟାଚ୍‌କୁ ମାତ୍ର କିଛି ଦିନ ବାକି ରହିଥିବା ବେଳେ ଏହାକୁ ବାତିଲ କରିବା ପାଇଁ ଜଣେ ଓକିଲ ପିଆଇଏଲ ସୁପ୍ରିମକୋର୍ଟ ଦାଖଲ କରିଥିଲେ। ସେ ଏହି ମହାମୁକାବିଲାକୁ ବାତିଲ କରିବା ପାଇଁ ଦାବି କରିଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଜେଏକେ ମାହେଶ୍ୱରୀ ଓ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଏହା ଗୋଟିଏ ସାଧାରଣ ମ୍ୟାଚ୍‌ ବୋଲି ଖଣ୍ଡପୀଠ ମତ ରଖିଛନ୍ତି।

ଭାରତୀୟ ସମ୍ବିଧାନର ଧାରା ୩୨ ଅନୁଯାୟୀ ୪ ଜଣ ଆଇନ ବିଭାଗ ଛାତ୍ରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଉର୍ବଶୀ ଜୈନ ସୁପ୍ରିମକୋର୍ଟରେ ଏହି ପିଆଇଏଲ ଦାଏର କରିଥିଲେ। ସେପ୍ଟେମ୍ବର ୧୪ରେ ଦୁବାଇରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌କୁ ତତ୍କାଳ ଭାବେ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଥିଲେ।

Advertisment

ଓକିଲ ଓ ଖଣ୍ଡପୀଠଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା

ଓକିଲ: ସମ୍ଭବତଃ ମୁଁ ଗୋଟିଏ ଖରାପ ମାମଲା ଆଣିଛି। କିନ୍ତୁ ଏହାକୁ ଦୟାକରି ଆପଣ ଶୁଣାଣି କରନ୍ତୁ।

ଜଷ୍ଟିସ ମାହେଶ୍ୱରୀ: ଏତେ ତରବର କାହିଁକି? ଏହା କେବଳ ଗୋଟିଏ ମ୍ୟାଚ୍‌। ଏହା ଆୟୋଜନ ହେଉ। ରବିବାର ମ୍ୟାଚ୍‌ ଅଛି। କ’ଣ କରାଯାଇ ପାରିବ?

ଆବେଦନରେ କ’ଣ କୁହାଯାଇଥିଲା ?

ଆବେଦନକାରୀ ନିଜ ଆବେଦନରେ ଉଲ୍ଲେଖ କରିଥିଲେ ଯେ ପହଲଗାମ ଆତଙ୍କୀ ହମଲା ଓ ଅପରେସନ ସିନ୍ଦୂରରେ ସାଧାରଣ ଲୋକ ଓ ସୈନ୍ୟ ସେମାନଙ୍କ ଜୀବନର ବଳିଦାନ ଦେଇଥିଲେ। ଏହି ଘଟଣା ପରେ ପାକିସ୍ତାନ ସହ ଗୋଟିଏ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିବା ରାଷ୍ଟ୍ରୀୟ ଗାରିମା ଓ ଲୋକଙ୍କ ଭାବନା ପ୍ରତି ଗୋଟିଏ ଖରାପ ବାର୍ତ୍ତା।

ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଗୋଟିଏ ଦେଶ ସହ କ୍ରୀଡ଼ା ସମ୍ପର୍କ ରଖିବା ସଶସ୍ତ୍ର ବଳର ମନବଳକୁ ଭାଙ୍ଗି ଦେବ। ଏଥିସହ ସହିଦ ହୋଇଥିବା ଓ ଆତଙ୍କବାଦର ଶିକାର ହୋଇଥିବା ପରିବାର ଲୋକଙ୍କ ମନରେ ଏହା କଷ୍ଟ ଦେବ ବୋଲି ଆବେଦନକାରୀ କହିଥିଲେ।

ଆବେଦନକାରୀଙ୍କ କହିବା କଥା ଜାତୀୟ ସ୍ୱାର୍ଥ, ସାଧାରଣ ଲୋକଙ୍କ ଜୀବନ କିମ୍ବା ଯବାନଙ୍କ ବଳିଦାନ ଉପରେ କେବେ ହେଲେ କ୍ରିକେଟକୁ ରଖାଯାଇ ପାରିବ ନାହିଁ। ଏତେ ସବୁ କହିବା ପରେ ମଧ୍ୟ କୋର୍ଟ ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

Indian Cricket Team Cricket Supreme Court India Vs Pakistan