/odisha-reporter/media/post_attachments/uploadimage/library/16_9/16_9_0/LLCC_1710508190.jpg)
LLCC
ଲାଇଭ ଲିଜେଣ୍ଡ କ୍ରିକେଟ କ୍ଲବ(ଏଲଏଲସିସି) ପକ୍ଷରୁ ଆୟୋଜିତ ଅଣ୍ଡର ୧୪ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ଦୁଇ ଶକ୍ତିଶାଳୀ ଦଳ ପ୍ରଗତି ସ୍ପୋର୍ଟିଂ ଓ ଏମସିସି ବିଦାୟ ନେଇଛନ୍ତି।
ସୁପର ନକଆଉଟରେ ପ୍ରଗତି ସ୍ପୋର୍ଟିଂ ଟାଉନ କ୍ଲବ ଠାରୁ ୬ ୱିକେଟରେ ହାରିଛି। ସେହିପରି କଟକର ୟୁନିୟନ ସ୍ପୋର୍ଟିଂ ବେଶ ଚମତ୍କାର ଢଙ୍ଗରେ ଏମସିସିକୁ ୮ ୱିକେଟରେ ହରାଇ ଦେଇଛି। ଉଭୟ ଦଳ ନିଜ ନିଜର ସୁପର ନକଆଉଟ ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
ଗୁରୁବାର ବର୍ଷା ଯୋଗୁ ପ୍ରଗତି ସ୍ପୋର୍ଟିଂ ଓ ଟାଉନ କ୍ଲବ ମଧ୍ୟରେ ଚାଲିଥିବା ମୁକାବିଲା ଅଧାରୁ ବନ୍ଦ ରହିଥିଲା। ବର୍ଷା ହେବା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପ୍ରଗତି ସ୍ପୋର୍ଟିଂ ନିର୍ଦ୍ଧାରିତ ୩୦ ଓଭରରେ ୬ ୱିକେଟ ହରାଇ ୧୬୨ ରନ କରିଥିଲା।
ଦଳ ପକ୍ଷରୁ ଶ୍ରୀଜିତ ଭୂୟାଁ ସର୍ବାଧିକ ୪୪ ରନ କରିଥିବା ବେଳେ ଡିଆର ସାହୁ ୨୫ ଓ ଅଧିନାୟକ ଶୁଭ୍ରାଂଶୁ କୁମାର ଭୋଇ ୨୦ ରନ କରିଥିଲେ। ଟାଉନ କ୍ଲବ ପକ୍ଷରୁ ଓମକାର ଏସଏସ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ।
ଟାଉନ କ୍ଲବ ୧୬୩ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ବେଳେ ହଠାତ୍ ବର୍ଷା ହୋଇଥିଲା। ଫଳରେ ଗୁରୁବାର ମ୍ୟାଚ୍ କରିବା ଆଉ ସମ୍ଭବ ହୋଇ ନଥିଲା। ତେଣୁ ଶୁକ୍ରବାର ଅଧାରୁ ବନ୍ଦ ଥିବା ମ୍ୟାଚ୍ ପୁଣି ଆରମ୍ଭ ହୋଇଥିଲା।
ଟାଉନ କ୍ଲବ ୧୬୩ ରନର ଟାର୍ଗେଟକୁ ମାତ୍ର ୪ ୱିକେଟ ହରାଇ ୨୪.୧ ଓଭରରେ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଅଧିନାୟକ ଅଭିନୀତ ସାହୁ ଅପରାଜିତ ୭୨ ରନ, ପ୍ରଜ୍ୟୋତ ସାମଲ ୪୦ ରନ ଓ ଈଶାନ ମହାପାତ୍ର ୩୨ ରନର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
୬ ଓଭରେ ୩ ୱିକେଟ ସହ ୨୨ ରନ ଦେଇ ୩ଟି ୱିକେଟ ନେଇଥିବା ଓମକାରଙ୍କୁ ଏଲଏଲସିସିର ସମ୍ପାଦକ ପଙ୍କଜ କୁମାର ଦାସ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଦେଇଥିଲେ।
ଆଉ ଏକ ମ୍ୟାଚରେ ୟୁନିୟନ ସ୍ପୋର୍ଟିଂ ୮ ୱିକେଟରେ ଏମସିସିକୁ ହରାଇଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଏମସିସି ନିର୍ଦ୍ଧାରିତ ୩୫ ଓଭରରେ ୯ ୱିକେଟ ହରାଇ ୧୮୦ ରନ କରିଥିଲା। ଦଳ ପକ୍ଷରୁ ଦିବ୍ୟଜ୍ୟୋତି ସାହୁ ସର୍ବାଧିକ ୩୩ ରନ ଓ ଅନିମେଶ ପ୍ରଧାନ ୨୪ ରନ କରିଥିଲେ। ୟୁନିୟନ ସ୍ପୋର୍ଟିଂ ପକ୍ଷରୁ ଭାନଶ ଖଣ୍ଡେଲୱାଲ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଅଧିନାୟକ ଭାବତୋଶ ବାରିକଙ୍କୁ ୨ଟି ସଫଳତା ମିଳିଥିଲା।
୧୮୧ ରନର ଟାର୍ଗେଟକୁ ପିଛା କରୁଥିବା ୟୁନିୟନ ସ୍ପୋର୍ଟିଂ ରଚିତ ଖଣ୍ଡେଲୱାଲ ଅପରାଜିତ ୯୯ ରନ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ମିଳିଛି। ରଣଜୀ ଖେଳାଳି ଅନୁରାଗ ଷଡ଼ଙ୍ଗୀ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦେଇଛନ୍ତି। ରଚିତଙ୍କ ବ୍ୟତୀତ ଅଧିନାୟକ ଭାବତୋଶ ସାହୁ ୫୩ ରନ ଭାନଶ ଖଣ୍ଡେଲୱାଲ ଅପରାଜିତ ୧୧ ରନ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
