Advertisment

ସେମି ଫାଇନାଲକୁ କେମିତି ଯିବ ପାକିସ୍ତାନ? ୱାସିମ ଆକ୍ରମ ଦେଲେ ଜବରଦସ୍ତ ଉପାୟ

ଯଦି ଆଫଗାନ ଓ ପାକିସ୍ତାନ ନିଜର ଶେଷ ମ୍ୟାଚ୍‌ ଜିତିବେ, ତା’ହେଲେ ଉଭୟଙ୍କ ପଏଣ୍ଟ ସଂଖ୍ୟା ୧୦ରେ ପହଞ୍ଚିବ। କିନ୍ତୁ ରନ ରେଟ ଆଧାରରେ ନ୍ୟୁଜିଲ୍ୟାଣ୍ଡ ହିଁ ଭାରତ ସହ ସେମି ଫାଇନାଲ ମ୍ୟାଚ୍‌ ଖେଳିବ।

author-image
Hemant Lenka
Wasim

Wasim

ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ବଡ଼ ବିଜୟ ଆଫଗାନିସ୍ତାନ ଓ ପାକିସ୍ତାନର ସେମି ଫାଇନାଲ ପ୍ରବେଶ ସ୍ୱପ୍ନକୁ ଏକପ୍ରକାରର ଧୂଳିସାତ କରି ଦେଇଛି। କେବଳ କୌଣସି ଚମତ୍କାରିତା ହିଁ ଏହି ଦୁଇ ଦଳର ସେମି ଫାଇନାଲ ଖେଳିବା ସ୍ୱପ୍ନକୁ ସାକାର କରିପାରିବ।

Advertisment

ଶ୍ରୀଲଙ୍କା ବିପକ୍ଷ ବିଜୟ ପରେ ନ୍ୟୁଜିଲ୍ୟାଣ୍ଡ ୧୦ ପଏଣ୍ଟ ସହ ୪ର୍ଥ ସ୍ଥାନରେ ନିଜକୁ ଆହୁରି ମଜବୁତ କରି ଦେଇଛି। ନ୍ୟୁଜିଲ୍ୟାଣ୍ଡ ପାଖରେ ଏବେ ଯେଉଁ ନେଟ ରନ ରେଟ୍‌ ରହିଛି, ତା’କୁ ଆଫଗାନିସ୍ତାନ ଓ ପାକିସ୍ତାନ ନିଜ ନିଜର ମ୍ୟାଚ୍‌ ଜିତିଲେ ମଧ୍ୟ ମାତ ଦେଇପାରିବେ ନାହିଁ।

ଯଦି ଆଫଗାନ ଓ ପାକିସ୍ତାନ ନିଜର ଶେଷ ମ୍ୟାଚ୍‌ ଜିତିବେ, ତା’ହେଲେ ଉଭୟଙ୍କ ପଏଣ୍ଟ ସଂଖ୍ୟା ୧୦ରେ ପହଞ୍ଚିବ। କିନ୍ତୁ ରନ ରେଟ ଆଧାରରେ ନ୍ୟୁଜିଲ୍ୟାଣ୍ଡ ହିଁ ଭାରତ ସହ ସେମି ଫାଇନାଲ ମ୍ୟାଚ୍‌ ଖେଳିବ।

Advertisment

ଯଦି ନ୍ୟୁଜିଲ୍ୟାଣ୍ଡ ଗତକାଲି ଶ୍ରୀଲଙ୍କା ଠାରୁ ପରାସ୍ତ ହୋଇଥାଆନ୍ତା, ତା’ହେଲେ ପାକିସ୍ତାନ ସେମି ଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ଥିଲା। ଏବେ ଏହା ଏକପ୍ରକାରର ଅସମ୍ଭବ ହୋଇପଡ଼ିଛି। ଶେଷ ମ୍ୟାଚ୍‌ରେ ଦଳ ଇଂଲଣ୍ଡକୁ ଭେଟିବ। ଉକ୍ତ ମ୍ୟାଚ୍‌ରେ ପାକିସ୍ତାନ ୨୮୭ ରନରେ ଇଂଲଣ୍ଡକୁ ହରାଇବାକୁ ପଡ଼ିବ। ସେହିପରି ପାକିସ୍ତାନ ଯଦି ଚେଜ୍‌ କରିବ, ତା’ହେଲେ ଯାହା ବି ଟାର୍ଗେଟ ମିଳିବ ତା’କୁ ୫ ଓଭର ମଧ୍ୟରେ ହାସଲ କରିବାକୁ ହେବ। ‌ଏହା ଅସମ୍ଭବ ପରି ମନେ ହେଉଛି। ତେଣୁ ପାକିସ୍ତାନ ସେମି ଫାଇନାଲ ଦୌଡ଼ରୁ ଏକ ପ୍ରକାରର ବାଦ ପଡ଼ିଛି।

ଏସବୁ ଭିତରେ ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ୱାସିମ ଆକ୍ରମ ଦଳର ସେମି ଫାଇନାଲ ପ୍ରବେଶ କେମିତି ସମ୍ଭବ, ସେନେଇ ଜବରଦସ୍ତ ଉପାୟ କହିଛନ୍ତି।

ପାକିସ୍ତାନର ଗୋଟିଏ ଚ୍ୟାନେଲର ହୋଷ୍ଟକୁ ବ୍ୟାକଷ୍ଟେଜରେ ୱାସିମ ଆକ୍ରମ କହିଥିବା କଥା ଏବେ ସାମ୍ନାକୁ ଆସିଛି। ପାକିସ୍ତାନ ଟିମକୁ ତାଚ୍ଛଲ୍ୟ କରି ୱାସିମ ଆକ୍ରମ ଟିଭି ହୋଷ୍ଟଙ୍କୁ କହିଛନ୍ତି, “ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବା ଦରକାର। ଏହାପରେ ଇଂଲଣ୍ଡ ଟିମକୁ ତା’ର ଡ୍ରେସିଂ ରୁମରେ ଲକ କରିଦେବ। ଇଂଲିଶ ଟିମକୁ ୨୦ ମିନିଟ ମଧ୍ୟରେ ଟାଇମଡ ଆଉଟ କରି ପାକିସ୍ତାନ ମ୍ୟାଚ୍‌ ଜିତି ପାରିଲେ, ସେମି ଫାଇନାଲକୁ ଯାଇ ପାରିବ।”

ହୋଷ୍ଟଙ୍କ ମୁହଁରୁ ଏକଥା ଶୁଣିବା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କ୍ରିକେଟ ପଣ୍ତିତମାନେ ହସିବାକୁ ଲାଗିଥିଲେ। ଅତିଥିଙ୍କ ମଧ୍ୟରେ ଉପସ୍ଥିତ ଥିବା ପାକିସ୍ତାନର ପୂର୍ବତନ ଅଧିନାୟକ ମିଶବା ଉଲ ହକ ମଧ୍ୟ ତାଚ୍ଛଲ୍ୟ କରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, “ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଅନୁମତି ଦିଆଯାଉ। ଏହାପରେ ତାଙ୍କ ଡ୍ରେସିଂ ରୁମକୁ ଲକ କରି ଦିଆଯାଉ। କାହିଁକି ସେମାନେ ବ୍ୟାଟିଂ କରିବାକୁ ଆସିବେ? ଏପରି କଲେ ପାକିସ୍ତାନ ସେମିକୁ ଯାଇ ପାରିବ।”

ଶନିବାର ପାକିସ୍ତାନ ଓ ଇଂଲଣ୍ଡ ଚଳିତ ବିଶ୍ୱକପରେ ନିଜ ନିଜର ଶେଷ ଗ୍ରୁପ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup