Advertisment

ମାର୍ଲୋନ ସାମ୍ୟୁଏଲ୍ସଙ୍କୁ ୬ ବର୍ଷ ପାଇଁ ବାସନ୍ଦ କଲା ଆଇସିସି

ଆଇସିସି ତାଙ୍କ ଉପରେ ୬ ବର୍ଷର ବ୍ୟାନ ଲଗାଇଛି। ଏହାର ଅର୍ଥ ୬ ବର୍ଷ ଯାଏ ସାମ୍ୟୁଏଲ୍ସ କୌଣସି ପ୍ରକାରର କ୍ରିକେଟ ଫର୍ମାଟରେ ନଜର ଆସିବେ ନାହିଁ।

author-image
Hemant Lenka
Samuels

Samuels

ୱେଷ୍ଟଇଣ୍ଡିଜ ଟିମର ପୂର୍ବତନ ବ୍ୟାଟର ମାର୍ଲୋନ ସାମ୍ୟୁଏଲ୍ସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି। ସେ ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ଦୁର୍ନୀତି ନିରୋଧ କୋଡର ଉଲ୍ଲଙ୍ଘନ କରିଥିଲେ। ଏହା ପ୍ରମାଣ ହେବା ପରେ ଆଇସିସି ତାଙ୍କ ଉପରେ ୬ ବର୍ଷର ବ୍ୟାନ ଲଗାଇଛି। ଏହାର ଅର୍ଥ ୬ ବର୍ଷ ଯାଏ ସାମ୍ୟୁଏଲ୍ସ କୌଣସି ପ୍ରକାରର କ୍ରିକେଟ ଫର୍ମାଟରେ ନଜର ଆସିବେ ନାହିଁ।

Advertisment

୨୦୨୧ ସେପ୍ଟେମ୍ବର ମାସରେ ତାଙ୍କ ବିରୋଧରେ ୪ଟି ଦୁର୍ନୀତି ଅଭିଯୋଗ ଆସିଥିଲା। ଏହାର ତଦନ୍ତ କରାଯାଇଥିବା ବେଳେ ଚଳିତ ବର୍ଷ ଅଗଷ୍ଟରେ ସାମ୍ୟୁଏଲ୍ସଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହୋଇଥିଲା। ଏବେ ଆଇସିସି ଏହାକୁ ଆଧାର କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସେ ବିଭିନ୍ନ ପ୍ରକାରର ଉପହାର ଠାରୁ ଆରମ୍ଭ କରି ନିର୍ଦ୍ଦିଷ୍ଟ ଲୋକଙ୍କ ଠାରୁ ସୁବିଧା ସୁଯୋଗ ପାଇଥିଲେ। କ୍ରିକେଟକୁ ପ୍ରଭାବିତ କରିବା ପାଇଁ ସେ ଲାଞ୍ଚ ଗ୍ରହଣ କରିଥିଲେ। ସେହିପରି ତଦନ୍ତ ବେଳେ ସେ ଅଧିକାରୀମାନଙ୍କୁ ସହଯୋଗ ମଧ୍ୟ କରି ନଥିଲେ। ତାଙ୍କୁ ଫିକ୍ସିଂ ପାଇଁ କୁହାଯାଇଥିଲେ ହେଁ ସେ ଏହାକୁ ଉପଯୁକ୍ତ ଅଧିକାରୀଙ୍କୁ ଜଣାଇଥିଲେ। ଜାଣିଶୁଣି ତଦନ୍ତକୁ ସାମ୍ୟୁଏଲ୍ସ ବିଳମ୍ବିତ କରିଥିଲେ। ତେଣୁ ତାଙ୍କ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

Advertisment

ସାମ୍ୟୁଏଲ୍ସଙ୍କ ଉପରେ ଲାଗିଥିବା ୬ ବର୍ଷର ବ୍ୟାନ ୨୦୨୩ ମସିହା ନଭେମ୍ବର ୧୧ରୁ କାର୍ଯ୍ୟକାରୀ ହେବ। ଗୁରୁବାର ଆଇସିସି ଏଚଆର ଓ ଇଣ୍ଟିଗ୍ରିଟୀ ୟୁନିଟର ମୁଖ୍ୟ ଆଲେକ୍ସ ମାର୍ଶଲ ବ୍ୟାନ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “ସାମ୍ୟୁଏଲ୍ସ ପ୍ରାୟ ଦୁଇ ଦଶନ୍ଧି ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ଏହି ସମୟରେ ସେ ଏକାଧିକ ଥର ଦୁର୍ନୀତି କାମରେ ଲିପ୍ତ ଥିଲେ। ସେ ଭଲ ଭାବେ ଦୁର୍ନୀତି ନିରୋଧର ନିୟମ ସମ୍ପର୍କରେ ଅବଗତ ଥିଲେ। ତଥାପି ସେ ନିୟମର ଉଲ୍ଲଙ୍ଘନ କରିଥିଲେ। ଏବେ ସେ ଅବସର ନେଇ ସାରିଛନ୍ତି।

କିନ୍ତୁ ସେ ପ୍ରତିଯୋଗୀ ଥିବା ବେଳେ ଅପରାଧ କରିଥିଲେ। ତେଣୁ ତାଙ୍କ ଉପରେ ୬ ବର୍ଷର ବ୍ୟାନ ଲାଗିଛି। ଏବେ ନିୟମ ଉଲ୍ଲଙ୍ଘନ କରିବାକୁ ଚେଷ୍ଟା କରୁଥିବା ଖେଳାଳିଙ୍କ ପାଇଁ ଏହା ଉପଯୁକ୍ତ ଶିକ୍ଷା ହେବ।”

ସାମ୍ୟୁଏଲ୍ସ ୧୮ ବର୍ଷ ମଧ୍ୟରେ ଇଣ୍ଡିଜ ଟିମ ପାଇଁ ୩୦୦ରୁ ଅଧିକ ମ୍ୟାଚ ଖେଳିଥିଲେ। ସେ ୧୭ଟି ଶତକ ହାସଲ କରିଥିବା ବେଳେ ଦିନିକିଆରେ ଇଣ୍ଡିଜ ଟିମର ନେତୃତ୍ୱ ମଧ୍ୟ ନେଇଥିଲେ। ୨୦୧୨ ଓ ୨୦୧୬ ଟି-୨୦ ବିଶ୍ୱକପ ଫାଇନାଲରେ ସେ ଦଳ ପାଇଁ ସର୍ବାଧିକ ରନ ମଧ୍ୟ କରିଥିଲେ। ଇଣ୍ଡିଜ ଟିମ ୨୦୧୨ ଓ ୨୦୧୬ରେ ବିଶ୍ୱକପ ଟ୍ରଫି ଜିତିଥିଲା।

ICC