Maxwell
ଗ୍ଲେନ ମ୍ୟାକ୍ସୱେଲଙ୍କ ପରାକ୍ରମରେ ଧରାଶାୟୀ ହେଲା ଆଫଗାନିସ୍ତାନ। ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ବିଜୟର ଅତି ନିକଟରେ ପହଞ୍ଚି ହାରି ଯାଇଛି ଆଫଗାନିସ୍ତାନ। ମ୍ୟାକ୍ସୱେଲ ତାଙ୍କ କ୍ରିକେଟ କ୍ୟାରିୟରର ସମ୍ଭବତଃ ସର୍ବଶ୍ରେଷ୍ଠ ଇନିଂସ ଖେଳି ଅଷ୍ଟ୍ରେଲିଆକୁ ଚଳିତ ବିଶ୍ୱକପର ସେମି ଫାଇନାଲ ଟିକେଟ ଦେଇଛନ୍ତି।
ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ ବଳରେ ଅଷ୍ଟ୍ରେଲିଆ ୩ ୱିକେଟରେ ଆଫଗାନିସ୍ତାନକୁ ହରାଇଛି। ୯୧ ରନରେ ୭ ୱିକେଟ ହରାଇଥିବା ଅଷ୍ଟ୍ରେଲିଆକୁ ମ୍ୟାକ୍ସୱେଲ ଏକାକୀ ଜିତାଇ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ଜିତିଛନ୍ତି।
ଦିନିକିଆରେ ଏହା ମ୍ୟାକ୍ସୱେଲଙ୍କ ସର୍ବଶ୍ରେଷ୍ଠ ଇନିଂସ। ସେ ପ୍ରଥମଥର ପାଇଁ ଡବଲ ଟନ ମଧ୍ୟ ହାସଲ କରିଛନ୍ତି। ୭୬ ବଲରେ ଶତକ ହାସଲ କରିଥିବା ମ୍ୟାକ୍ସୱେଲ ୧୨୮ ବଲରେ ୨୦୧ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୧୦ଟି ଛକା ଓ ୨୧ଟି ଚୌକା ମାରିଛନ୍ତି।
ଆଜିର ନିଶ୍ଚିତ ବିଜୟକୁ ହାତ ଛଡ଼ା କରିଥିବା ଆଫଗାନିସ୍ତାନର ବିଶ୍ୱକପ ସେମି ଫାଇନାଲରେ ପ୍ରବେଶ କରିବା ଆଶା ମଧ୍ୟ ମଉଳି ଯାଇଛି। ଏବେ କେବଳ କୌଣସି ଚମତ୍କାରିତା ହିଁ ଦଳକୁ ସେମି ଫାଇନାଲ ଟିକେଟ ଦେଇ ପାରିବ। ଦଳ ତା’ର ଶେଷ ଲିଗ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଆରମ୍ଭରୁ ମ୍ୟାକ୍ସୱେଲଙ୍କ ଏକାଧିକ କ୍ୟାଚ୍ ଛାଡ଼ିବା ଆଫଗାନିସ୍ତାନକୁ ମହଙ୍ଗା ପଡ଼ିଛି।
ମୁଜିବ ଉର ରହମାନ ଶଟ ଫାଇନ ଲେଗରେ ମ୍ୟାକ୍ସୱେଲଙ୍କ ଅତି ସହଜ କ୍ୟାଚ୍ ହାତ ଛଡ଼ା କରିଥିଲେ। ଏହାପରେ ମ୍ୟାକ୍ସୱେଲ ଆଉ ଅଟକି ନଥିଲେ। ସେ ଅଷ୍ଟ୍ରେଲିଆକୁ ଏକ ନିଶ୍ଚିତ ପରାଜୟରୁ ଉଦ୍ଧାର କରି ରେକର୍ଡ ସୃଷ୍ଟି କରିଛନ୍ତି।
ଚଳିତ ବିଶ୍ୱପରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ମଧ୍ୟ ସେ ନିଜ ନାଁରେ କରିଛନ୍ତି। ପୂର୍ବରୁ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ ବାଂଲାଦେଶ ବିପକ୍ଷରେ ୧୭୪ ରନର ଇନିଂସ ଖେଳିଥିଲେ। କିନ୍ତୁ ଆଜି ମ୍ୟାକ୍ସୱେଲ ଏହାକୁ ଅତିକ୍ରମ କରି ଯାଇଛନ୍ତି। ମ୍ୟାକ୍ସୱେଲଙ୍କ ବ୍ୟାଟରୁ ଆଜି ୧୦ଟି ଛକା ଓ ୨୧ଟି ଚୌକା ଦେଖିବାକୁ ମିଳିଛି।
ମୁମ୍ବାଇରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଆଫଗାନିସ୍ତାନ ଇବ୍ରାହିମ ଜଦ୍ରାନଙ୍କ ରେକର୍ଡ ୧୨୯ ଓ ରାଶିଦ ଖାନଙ୍କ ବିସ୍ଫୋରକ ୩୫ ରନ ବଳରେ ନିର୍ଦ୍ଧାରିତ ୫୦ ଓଭର୍ରେ ୫ ୱିକେଟ ହରାଇ ୨୯୧ ରନ କରିଥିଲା।
ଏହାର ଜବାବରେ ଅଷ୍ଟ୍ରେଲିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ପେସ୍ ବୋଲର ନବୀନ ଉଲ ହକ ଓ ଅଜମତୁଲ୍ଲା ଓମରଜାଇ ଚମତ୍କାର ବୋଲିଂ କରି ୧୦ ଓଭର ଭିତରେ ଅଷ୍ଟ୍ରେଲିଆର ୪ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଡାଭିଡ ୱାର୍ଣ୍ଣର ୧ ୮ ରନ, ଟ୍ରାଭିସ ହେଡ୍ ୦, ମିଚେଲ ମାର୍ଶ ୨୪ ଓ ଜୋଶ ଇଙ୍ଗଲିସ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ।
ଏହି ବିପର୍ଯ୍ୟୟ ମୁକୁଳିବାକୁ ଅଷ୍ଟ୍ରେଲିଆ ଚେଷ୍ଟା କରିଥିଲା। କିନ୍ତୁ ଦଳୀୟ ସ୍କୋର ୬୯ ଥିବା ବେଳେ ମାର୍ନସ ଲାବୁଶାନେ(୧୪) ରନ ଆଉଟ ହୋଇ ଯାଇଥିଲେ। ମାର୍କସ ଷ୍ଟୋଇନିସ(୬) ଓ ମିଚେଲ ଷ୍ଟାର୍କ(୩)ଙ୍କୁ ରାଶିଦ ଖାନ ଆଉଟ କରି ଅଷ୍ଟ୍ରେଲିଆକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।
୯୧ ରନରେ ଦଳ ୭ ୱିକେଟ ହରାଇଥିଲା। ଏତିକି ବେଳେ ଗ୍ଲେନ ମ୍ୟାକ୍ସୱେଲ କାଉଣ୍ଟର ଆଟାକ କରିଥିଲେ। ଆଫଗାନିସ୍ତାନ ଖେଳାଳିମାନେ ତାଙ୍କର ଏକାଧିକ କ୍ୟାଚ ଛାଡ଼ିବାରୁ ସେ ଜୀବନ ଦାନ ପାଇଥିଲେ। ଏହାର ଫାଇଦା ଉଠାଇ ସେ ବଡ଼ବଡ଼ ଶଟ ଖେଳି ଚାଲିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରି ନେଇଥିଲେ।
ତାଙ୍କୁ ଅଧିନାୟକ ପାଟ କମିନ୍ସ ଗୋଟିଏ ପଟେ ଛିଡ଼ା ହୋଇ ପୂରା ସାଥ ଦେଇଥିଲେ। ମ୍ୟାକ୍ସୱେଲ ବଡ଼ବଡ଼ ଶଟ ଖେଳିବାରୁ ଆଫଗାନ ବୋଲର ସାମାନ୍ୟ ଚାପ ଅନୁଭବ କରିଥିଲେ। ଏହାର ଫାଇଦା ଉଠାଇ ସେ ଦ୍ରୁତ ଗତିରେ ରନ ସଂଗ୍ରହ ମଧ୍ୟ କରିଥିଲେ। ସେ ଆଫଗାନର ସବୁ ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ। ମାତ୍ର ୭୬ ବଲରେ ସେ ଚଳିତ ବିଶ୍ୱକପରେ ଆଉ ଏକ ଶତକ ହାସଲ କରି ଆଫଗାନିସ୍ତାନ ହାତକୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ।
୩୩ ଓଭର ସୁଦ୍ଧା ସେ ଦଳୀୟ ସ୍କୋରକୁ ୧୯୦ରେ ପହଞ୍ଚାଇ ଦେଇଥିଲେ। ସେ କମିନ୍ସଙ୍କ ସହ ୧୦୦ ରନ ଭାଗିଦାରୀ କରିଥିଲେ। କିନ୍ତୁ ଏହି ସମୟରେ କମିନ୍ସ ୧୦୦ ରନ ଭିତରୁ କେବଳ ୮ ରନ କରିଥିଲେ। ବାକି ରନ ମ୍ୟାକ୍ସୱେଲଙ୍କ ବ୍ୟାଟରୁ ବାହାରିଥିଲା।
ଶତକ ହାସଲ କରିବା ପରେ ସେ କ୍ରାମ୍ପର ସମ୍ମୁଖୀନ ହୋଇଥିଲେ। ତଥାପି ସେ ବଡ଼ବଡ଼ ଶଟ ଖେଳିବା ବନ୍ଦ କରି ନଥିଲେ। ଅବଶ୍ୟ ସେ ଆଉ ଅଧିକ ସିଙ୍ଗଲ ରନ ନେଇ ନଥିଲେ। କେବଳ ଛକା ଓ ଚୌକା ବର୍ଷା କରିଥିଲେ। କ୍ରାମ୍ପ ପାଇଁ ବାରମ୍ବାର ତାଙ୍କର ଚିକିତ୍ସା ମଧ୍ୟ କରାଯାଇଥିଲା। ଅତ୍ୟଧିକ ଯନ୍ତ୍ରଣା ସତ୍ତ୍ୱେ ସେ ହାର ମାନି ନଥିଲେ।
୪୬ ଓଭର ସୁଦ୍ଧା ସେ ଦଳୀୟ ସ୍କୋରକୁ ୨୭୧ ରନରେ ପହଞ୍ଚାଇ ଦେଇଥିଲେ। ଶେଷ ୨୪ ବଲରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୨୧ ରନ ଆବଶ୍ୟକ ରହିଥିଲା। ବୋଲିଂ କରିବାକୁ ଆସିଥିଲେ ମୁଜିବ।
ତାଙ୍କ ଓଭରରେ ମ୍ୟାକ୍ସୱେଲ ୩ଟି ଛକା ଓ ଗୋଟିଏ ଚୌକା ମାରି ଅଷ୍ଟ୍ରେଲିଆକୁ ୧୯ ବଲ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ମ୍ୟାକ୍ସୱେଲ ଓ କମିନ୍ସ ୮ମ ୱିକେଟ ପାଇଁ ଅଭିଭାଜିତ ୨୦୨ ରନର ଭାଗିଦାରୀ କରିଛନ୍ତି। ଏହା ମଧ୍ୟରୁ କମିନ୍ସ ମାତ୍ର ୧୨ ରନ କରିଛନ୍ତି। ବାକି ରନ ମ୍ୟାକ୍ସୱେଲଙ୍କ ବ୍ୟାଟ୍ରୁ ବାହାରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Maxwell_1699375910.jpg)