/odisha-reporter/media/media_files/2025/12/02/maxweel-2025-12-02-13-03-09.jpg)
ଗ୍ଲେନ ମ୍ୟାକ୍ସୱେଲ (ଫାଇଲ ଫଟୋ)
ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ୨୦୨୬ ଆଇପିଏଲର ମିନି ଅକ୍ସନରେ ସାମିଲ ହେବେ ନାହିଁ। ଏଥିସହ ସେ ଆଇପିଏଲରେ ନିଜର ଶେଷ ମ୍ୟାଚ୍ ଖେଳି ସାରିଥିବାର ସଙ୍କେତ ମଧ୍ୟ ଦେଇଛନ୍ତି। ମିନି ଅକ୍ସନ ପୂର୍ବରୁ ମ୍ୟାକ୍ସୱେଲଙ୍କ ଏପରି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି।
ଏହାପୂର୍ବରୁ ଆନ୍ଦ୍ରେ ରସେଲ ଓ ଫାଫ ଡୁପ୍ଲେସିସିଙ୍କ ଭଳି ଚର୍ଚ୍ଚିତ ଖେଳାଳି ମଧ୍ୟ ମିନି ଅକ୍ସନରୁ ନିଜ ନାଁ ପ୍ରତ୍ୟାହାର କରି ନେଇଥିଲେ। ଡିସେମ୍ବର ୧୬ରେ ୨୦୨୬ ଆଇପିଏଲ ପାଇଁ ଅବୁ ଧାବିରେ ମିନି ଅକ୍ସନ ହେବ। ଏହାପୂର୍ବରୁ ମ୍ୟାକ୍ସୱେଲ ବିଧିବଦ୍ଧ ଭାବେ ଏଥିରେ ନିଜକୁ ସାମିଲ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।
ସୋଶାଲ ମିଡିଆରେ ମ୍ୟାକ୍ସୱେଲ ଗୋଟିଏ ପୋଷ୍ଟ କରି ଅନେକ କିଛି ଭାବିବା ପରେ ଏପରି ବଡ଼ ନିଷ୍ପତ୍ତି ନେଇଥିବା କହିଛନ୍ତି। ସେ କହିଛନ୍ତି, “ଆଇପିଏଲର ଅନେକ ସ୍ମରଣୀୟ ସିଜିନ ପରେ ଚଳିତ ବର୍ଷ ଅକ୍ସନରେ ମୁଁ ମୋ ନାଁକୁ ସାମିଲ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଛି। ଏହା ଗୋଟିଏ ବଡ଼ ନିଷ୍ପତ୍ତି। ଏହି ଲିଗ ମୋତେ ଅନେକ କିଛି ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି।”
୨୦୨୫ରେ ମ୍ୟାକ୍ସୱେଲ ପଞ୍ଜାବ କିଙ୍ଗସ ପାଇଁ ଆଇପିଏଲ ଖେଳିଥିଲେ। କିଛି ମ୍ୟାଚ୍ ପରେ ଅଙ୍ଗୁଳିରେ ଆହତ କାରଣରୁ ସେ ପୂରା ସଂସ୍କରଣରୁ ଓହରି ଯାଇଥିଲେ। ୨୦୨୫ ଆଇପିଏଲ ପୂର୍ବରୁ ହୋଇଥିବା ଅକ୍ସନରେ ତାଙ୍କୁ ପଞ୍ଜାବ କିଙ୍ଗସ ୪.୨ କୋଟି ଟଙ୍କା ଦେଇ କିଣିଥିଲା। ତାଙ୍କୁ କିଣିବା ପାଇଁ ଚେନ୍ନାଇ ସୁପର କିଙ୍ଗସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟ ମେଗା ଅକ୍ସନ ବେଳେ ଚେଷ୍ଟା କରିଥିଲେ। କିନ୍ତୁ ଶେଷରେ ପଞ୍ଜାବ କିଙ୍ଗସ ବାଜି ମାରି ନେଇଥିଲା।
ଆଇପିଏଲ ୨୦୨୫ରେ ମ୍ୟାକ୍ସୱେଲ ୬ଟି ମ୍ୟାଚ୍ ଖେଳିଥିଲେ ହେଁ ମାତ୍ର ୪୮ ରନ କରିଥିଲେ। ଆଶା ଅନୁସାରେ ସେ ପ୍ରଦର୍ଶନ କରିପାରି ନଥିବାରୁ ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ।
୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲରେ ମ୍ୟାକ୍ସୱେଲ ମୋଟ ୧୪୧ଟି ମ୍ୟାଚ୍ ଖେଳି ୨୩.୮୮ ହାରରେ ୨୯୧୯ ରନ କରିଛନ୍ତି। ୨୦୧୨ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ନିଜର ଆଇପିଏଲ ଅଭିଯାନ ଆରମ୍ଭ କରିଥିଲେ। ୨୦୧୩ରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ନିଜ ପାଖକୁ ନେଇ ଥିଲା। ୨୦୧୪ରୁ ୨୦୧୭ ଯାଏ ସେ ପଞ୍ଜାବ କିଙ୍ଗସ ସହ ରହିଥିଲେ।
୨୦୨୧ରେ ସେ ଆରସିବିକୁ ଯିବା ପରେ ପ୍ରଥମ ୩ ବର୍ଷରେ ୫୧୩, ୩୦୧ ଓ ୪୦୦ ରନ କରିଥିଲେ। ତାଙ୍କୁ ୨୦୨୧ରେ ଆରସିବି ରେକର୍ଡ ୧୪.୨୫ କୋଟି ଟଙ୍କାରେ କିଣିଥିଲା। ସେହି ବର୍ଷ ସେ ଆଇପିଏଲରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୧୫ଟି ମ୍ୟାଚ୍ରେ ୫୧୩ ରନ କରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ ୧୪୪ ରହିଥିଲା।
ଏହାପୂର୍ବରୁ ୨୦୧୮ରେ ମ୍ୟାକ୍ସୱେଲ ସମସ୍ତଙ୍କୁ ନିରାଶ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୯ କୋଟିରେ କିଣିଥିଲେ ହେଁ ସେ ୧୨ଟି ମ୍ୟାଚ୍ରେ କେବଳ ୧୬୯ ରନ କରିପାରିଥିଲେ। ୨୦୨୪ରେ ସେ ଆରିସିବି ପାଇଁ ୯ଟି ଇନିଂସରେ ୫୨ ରନ କରିବାରୁ ତାଙ୍କୁ ପ୍ରାଞ୍ଚାଇଜ ରିଲିଜ କରି ଦେଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
