/odisha-reporter/media/post_attachments/uploadimage/library/16_9/16_9_0/Test_1706625221.jpg)
Test
ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ହଠାତ୍ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ମୟଙ୍କ। ଏଥିପାଇଁ ତାଙ୍କୁ ଅଗରତାଲାର ଆଇଏଲଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।
ଆଜି ମୟଙ୍କ ନିଜର ସାଥୀ ଖେଳାଳିଙ୍କ ସହ ଅଗରତାଲାରୁ ନୂଆଦିଲ୍ଲୀ ବିମାନ ଯୋଗେ ଆସୁଥିଲେ। କିନ୍ତୁ ବିମାନ ଯାତ୍ରା ବେଳେ କର୍ଣ୍ଣାଟକା ଟିମର ଅଧିନାୟକ ମୟଙ୍କ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ବିମାନରୁ ବାହାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ତଣ୍ଟିରେ ସାଂଘାତିକ ସମସ୍ୟା ଅନୁଭବ କରିବାରୁ ମୟଙ୍କ ଅଗ୍ରୱାଲଙ୍କୁ ବିମାନରୁ ବାହାରକୁ ଅଣାଯାଇଥିଲା। ତଥାପି ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତେଣୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରୁଛନ୍ତି।
କର୍ଣ୍ଣାଟକା ରାଜ୍ୟ କ୍ରିକେଟ ସଂଘର ଯଗ୍ମ ସଚିବ ଶବିର ତାରାପୋରେ କହିଛନ୍ତି, ରାଜ୍ୟ କ୍ରିକେଟ ସଂଘ ପୂରା ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି।
ପିଟିଆଇରେ ପ୍ରକାଶିତ ଖବରରେ କୁହାଯାଇଛି ଯେ ମୟଙ୍କ ବିମାନ ଯାତ୍ରା ବେଳେ ବାନ୍ତି କରିବା ସହ ଅସହଜ ଅନୁଭବ କରିଥିଲେ। ଏହାପରେ ତାଙ୍କର କିଛି ଟେଷ୍ଟ କରାଯାଇଥିଲା। ଏବେ ସେ ଅସୁସ୍ଥ ଥିବାରୁ ସୌରାଷ୍ଟ୍ର ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ। ଦଳର ଅନ୍ୟ ସଦସ୍ୟମାନେ ମ୍ୟାଚ୍ ଖେଳିବାକୁ ରାଜକୋଟ ଯାତ୍ରା କରିଛନ୍ତି।
୩୩ ବର୍ଷ ବୟସରେ ପାଦ ଦେବାକୁ ଯାଉଥିବା ମୟଙ୍କ ଅଗ୍ରୱାଲ ଭାରତ ପାଇଁ ୨୧ଟି ଟେଷ୍ଟ ଖେଳିଛନ୍ତି। ସୋମବାର ତ୍ରିପୁରା ବିପକ୍ଷ ମ୍ୟାଚ୍ରେ କର୍ଣ୍ଣାଟକା ତାଙ୍କ ନେତୃତ୍ୱରେ ୨୯ର ବିଜୟ ହାସଲ କରିଥିଲା।
ତ୍ରିପୁରା କ୍ରିକେଟ ଆସୋସିଏସନର ଜଣେ ଅଧିକାରୀ କହିଛନ୍ତି, “କର୍ଣ୍ଣାଟକାର ଖେଳାଳିମାନେ ବିମାନରେ ବସିଥିଲେ। ଏହି ସମୟରେ ମୟଙ୍କ ଅଗ୍ରୱାଲ ଅସହଜ ଅନୁଭବ କରିବା ସହ ଏକାଧିକ ଥର ବାନ୍ତି କରିଥିଲେ।
ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ସେ ବିମାନରୁ ଓହ୍ଲାଇ ପଡ଼ିଥିଲେ। ତାଙ୍କୁ ଆମର ଦୁଇ ଜଣ ପ୍ରତିନିଧି ତୁରନ୍ତ ଆଇଏଲଏସ୍ ହସ୍ପିଟାଲ ନେଇଥିଲେ। ତାଙ୍କର ଏକାଧିକ ଟେଷ୍ଟ କରାଯାଇଛି। ସେ କ’ଣ ସବୁ ଖାଇଥିଲେ, ତା’କୁ ନେଇ ସସପେନ୍ସ ଜାରି ରହିଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
