କ୍ରିକେଟର ନିୟମ ସମୟକ୍ରମେ ପରିବର୍ତ୍ତନ ହେବାରେ ଲାଗିଛି। ଦୁଇଟି ବାଉନ୍ସର ଠାରୁ ଆରମ୍ଭ କରି ଡିଆରଏସ, ନନ ଷ୍ଟ୍ରାଇକ ରନ ଆଉଟ ଭଳି ନିୟମରେ ପରବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ନିୟମ ଅନୁସାରେ ଏବେ କ୍ୟାଚ୍ ଆଉଟ ବେଳେ ଏଣ୍ଡ ପରିବର୍ତ୍ତନ ହୋଇ ପାରିବ ନାହିଁ। ଏହାର ଅର୍ଥ ଯଦି ଜଣେ ବ୍ୟାଟର ଆଉଟ ହେଉଛନ୍ତି, ତା’ହେଲେ ନୂଆ ବ୍ୟାଟର ହିଁ ପରବର୍ତ୍ତୀ ବଲ ସାମ୍ନା କରିବେ। କ୍ୟାଚ୍ ଧରିବା ପୂର୍ବରୁ ଯଦି ଦୁଇ ବ୍ୟାଟର ପରସ୍ପରକୁ କ୍ରସ କରି ନେଉଛନ୍ତି, ତା’ହେଲେ ନନ ଷ୍ଟ୍ରାଇକରେ ଥିବା ବ୍ୟାଟର ପରବର୍ତ୍ତୀ ବଲ ସାମ୍ନା କରିପାରିବାର ନିୟମ ଅତୀତରେ ଲାଗୁ ହେଉଥିଲା। ହେଲେ ଏବେ ନୂଆ ନିୟମ ବେଶ କିଛି ବର୍ଷ ହେଲା ଏହି ନିୟମ ଅନ୍ତର୍ଜାତୀୟ କ୍ରିକେଟରେ ଲାଗୁ ହେଉଛି।
କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଅନ୍ତର୍ଜାତୀୟ କ୍ରିକେଟରେ ଲାଗୁ ହେଉଥିବା ନିୟମକୁ କିଏ ଧାର୍ଯ୍ୟ କରୁଛି? ଏହାର ଉତ୍ତର ହେଲା ଅଷ୍ଟ୍ରେଲିଆର ଗୋଟିଏ ଘରୋଇ କ୍ଲବ ଏମସିସି ବା Marylebone Cricket Club। କିନ୍ତୁ ଏମସିସିରେ କୌଣସି ପ୍ରକାରର ଅନ୍ତର୍ଜାତୀୟ ସ୍ତରରେ ଅଭିଜ୍ଞତା ରଖିଥିବା ଖେଳାଳି ନାହାନ୍ତି। ସେମାନେ କେମିତି ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ପାଇଁ ନିୟମ ପ୍ରଣୟନ କରିବେ? ନିୟମ ପ୍ରଣୟନ କରୁଥିବା କମିଟିରେ ରାହୁଲ ଡ୍ରାଭିଡ, ଗ୍ରେମ ସ୍ମିଥ ଓ ରିକି ପଣ୍ଟିଂଙ୍କ ଭଳି ପୂର୍ବତନ କ୍ରିକେଟରମାନେ କାହିଁକି ରହିପାରିବେ ନାହିଁ? ସମାନ ପ୍ରଶ୍ନ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ଉଠାଇଛନ୍ତି।
ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଚାଲିଥିଲା। ଏହି ମ୍ୟାଚ୍ରେ ରୋହିତ ଶର୍ମା ୧୧୯ ରନ କରି ଲିଆମ ଲିଭିଙ୍ଗଷ୍ଟୋନଙ୍କ ବଲରେ ଆଉଟ ହୋଇଥିଲେ। ଲିଭିଙ୍ଗଷ୍ଟୋନଙ୍କୁ ଛକା ମାରିବାକୁ ଚେଷ୍ଟା କରି ରୋହିତ ଶଟ ଖେଳିଥିଲେ ହେଁ ଏହାକୁ ଆଦିଲ ରଶିଦ ବେଶ ଚମତ୍କାର ଢଙ୍ଗରେ କ୍ୟାଚ କରି ନେଇଥିଲେ। ବଲ ବହୁତ ଉଚ୍ଚକୁ ଯାଇଥିଲା। କିନ୍ତୁ ରଶଦି ଅଣ୍ଡର ଲାଇଟରେ କ୍ୟାଚ୍ ଧରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ।
ରଶଦି କ୍ୟାଚ୍ ଧରିବା ପୂର୍ବରୁ ଦୁଇ ବ୍ୟାଟର ପରସ୍ପରକୁ କ୍ରସ କରିସାରିଥିଲେ। କିନ୍ତୁ ନୂଆ ନିୟମ ଅନୁସାରେ ଅକ୍ଷର ପଟେଲ ହିଁ ପରବର୍ତ୍ତୀ ବଲ ଷ୍ଟ୍ରାଇକ କରିଥିଲେ। ନନ ଷ୍ଟ୍ରାଇକ ଏଣ୍ଡରେ ଥିବା ଶ୍ରେୟସ ଆୟରଙ୍କୁ ଷ୍ଟ୍ରାଇକ ମିଳି ନଥିଲା।
ଏହାକୁ ଦୃଷ୍ଟିରେ ରଖି ଗାଭାସ୍କର କହିଥିଲେ ଯେ କ୍ରିକେଟର ନିୟମ ଏମସିସି ଦ୍ୱାରା ଧାର୍ଯ୍ୟ କରାଯାଇଛି। ଏବେ ନିୟମଗୁଡ଼ିକ ଏମସିସି ପାଖରେ ରହିଛି। ଏମସିସି ହେଉଛି ଗୋଟିଏ ଘରୋଇ କ୍ଲବ। କିନ୍ତୁ ଉକ୍ତ କ୍ଲବ ପୂରା ବିଶ୍ୱର ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ନିୟମ ପ୍ରଣୟନ କରୁଛି। ହେଲେ କମିଟିରେ କିଛି ଅନ୍ତର୍ଜାତୀୟ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିବିଶେଷ ରହିବା ଦରକାର। ସମ୍ଭବତଃ କିଛି ପୂର୍ବତନ କ୍ରିକେଟର ଓ କୋଚ କମିଟିରେ ରୁହନ୍ତୁ।
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ ସ୍ମିଥ, ଭାରତର ପୂର୍ବତନ କୋଚ ରାହୁଲ ଡ୍ରାଭିଡ ଓ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରକି ପଣ୍ଟିଂ କମିଟିରେ ରହିଲେ ଭଲ। ସାଇମନ ଟଫଲଙ୍କ ଭଳି ଅଭିଜ୍ଞ ଅମ୍ପାୟାର ମଧ୍ୟ ନିୟମ ପ୍ରଣୟନ କମିଟିରେ ରହିଲେ କିଛି ଅସୁବିଧା ନାହିଁ। ଏବେ ଏମସିସିରେ କେହି ଅନ୍ତର୍ଜାତୀୟ ଅଭିଜ୍ଞତା ସମ୍ପନ୍ନ କ୍ରିକେଟର ନାହାନ୍ତି। ତଥାପି ଏମସିସି ନିୟମ ପ୍ରଣୟନ କରିବା ଆଶ୍ଚର୍ଯ୍ୟଜନକ।
ଅନ୍ୟପକ୍ଷରେ ବିନା କାରଣରେ କ’ଣ ପାଇଁ କ୍ରିକେଟରେ କିଛି ନିୟମକୁ ପରିବର୍ତ୍ତନ ବା ଲାଗୁ କରାଯାଉଛି, ସେନେଇ ବି ପ୍ରଶ୍ନ ଉଠିଛି। ଧୀରେଧୀରେ କ୍ରିକେଟକୁ ବ୍ୟାଟରଙ୍କ ଖେଳ କରାଯାଇ ସାରିଲାଣି। ବୋଲରଙ୍କ ପାଇଁ କ୍ରିକେଟ ଦିନକୁ ଦିନ ବେଶ ଟପ୍ ହେବାରେ ଲାଗିଛି। ବ୍ୟାଟରଙ୍କୁ ସୁହାଇଲା ଭଳି ତଥା କ୍ରିକେଟକୁ ଅଧିକ ରୋମାଞ୍ଚକର କରିବା ପାଇଁ ନୂଆ ନିୟମ ଲାଗୁ କରାଯାଉଛି। କିନ୍ତୁ ଏମିତି କିଛି ନିୟମ ରହିଛି, ଯାହାକୁ ପରିବର୍ତ୍ତନ ପଛର କୌଣସି କାରଣ ହିଁ ନାହିଁ।
ନିୟମ କାହିଁକି ପରିବର୍ତ୍ତନ ହେଉଛି, ତା’ର ଉପଯୁକ୍ତ କାରଣ ଉଲ୍ଲେଖ କରିବା ଆବଶ୍ୟକ। ଦିନକୁ ୯୦ ଓଭର, ଗୋଟିଏ ଓଭରରେ ୨ଟି ବାଉନ୍ସର ଓ ଡିଆରଏସ ଭଳି ନିୟମ ଆସିବାର ଯଥେଷ୍ଟ କାରଣ ରହିଛି। ଏହା ମଧ୍ୟ ଉପଯୁକ୍ତ ପରିବର୍ତ୍ତନ। କିନ୍ତୁ ନନ ଷ୍ଟ୍ରାଇକ ଏଣ୍ଡ ନିୟମରେ ପରିବର୍ତ୍ତନ ପଛର କାରଣ କ’ଣ? ଜଣେ ବ୍ୟାଟର କ୍ୟାଚ୍ ଆଉଟ ହେବା ପରେ ନନ ଷ୍ଟ୍ରାଇକରଙ୍କ ବଦଳରେ ନୂଆ ବ୍ୟାଟର ପରବର୍ତ୍ତୀ ବଲ ସାମ୍ନା କରିବା ପଛର ଯୁକ୍ତି କ’ଣ?
ଏହାର ପ୍ରଭାବ କିଛି ରହିଛି କି? ଅଯଥା ନିୟମରେ ପରିବର୍ତ୍ତନର ଆବଶ୍ୟକ କ’ଣ? ତେଣୁ ଏମସିସିରେ ଅନ୍ତର୍ଜାତୀୟ ଅଭିଜ୍ଞତା ସମ୍ପନ୍ନ ଖେଳାଳି ସାମିଲ ହେଲେ, ସେମାନେ ନିଜର ଅଭିଜ୍ଞତା ବଳରେ କ୍ରିକେଟକୁ ଆହୁରି ଲୋକପ୍ରିୟ ଓ ଆଗକୁ ନେବାକୁ ସକ୍ଷମ ହେବେ।