Advertisment

କ୍ୟାଚ୍‌ ମିସ ଓ ନୋ ବଲ୍‌ ପଡ଼ିଲା ମହଙ୍ଗା: ଭାରତକୁ ଘାଇଲା କଲେ ଲାୟନ-ବୋଲାଣ୍ଡ

କ୍ୟାଚ ମିସ୍‌ ଓ ନୋ ବଲ ଯୋଗୁ ନାଥନ ଲାୟନ ଓ ସ୍କଟ ବୋଲାଣ୍ଡ ଅଷ୍ଟ୍ରେଲିଆକୁ ବିପଦରୁ ଉଦ୍ଧାର କରିଛନ୍ତି। କଙ୍ଗାରୁ ଟିମ ୧୭୩ ରନରେ ୯ମ ୱିକେଟ ହରାଇଥିଲା।

Boxing Day Test

Boxing Day Test

Advertisment

ଐତିହାସିକ ମେଲବର୍ଣ୍ଣରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ତଥା ବକ୍ସିଂ ଡେ ଟେଷ୍ଟରେ ସୁଯୋଗ ହାତ ଛଡ଼ା କରିଛି ଟିମ ଇଣ୍ଡିଆ। ୪ର୍ଥ ଦିନରେ ଘରୋଇ ଅଷ୍ଟ୍ରେଲିଆ ଚାପରେ ଥିଲେ ହେଁ ଏହାର ଫାଇଦା ଉଠାଇ ପାରିନାହିଁ ଭାରତ।

Advertisment

କ୍ୟାଚ ମିସ୍‌ ଓ ନୋ ବଲ ଯୋଗୁ ନାଥନ ଲାୟନ ଓ ସ୍କଟ ବୋଲାଣ୍ଡ ଅଷ୍ଟ୍ରେଲିଆକୁ ବିପଦରୁ ଉଦ୍ଧାର କରିଛନ୍ତି। କଙ୍ଗାରୁ ଟିମ ୧୭୩ ରନରେ ୯ମ ୱିକେଟ ହରାଇଥିଲା। କିନ୍ତୁ ଲାୟନ ଓ ବୋଲାଣ୍ଡ ଶେଷ ୱିକେଟ ପାଇଁ ଅବିଭାଜିତ ୫୫ ରନ ଯୋଡ଼ି ଭାରତ ଠାରୁ ମ୍ୟାଚ୍‌କୁ ବହୁ ଦୂରକୁ ନେଇ ଯାଇଛନ୍ତି।

ଲାୟନ ୫ ରନ କରିଥିବା ବେଳେ ମହମ୍ମଦ ସିରାଜ ନିଜ ବୋଲିଂରେ କ୍ୟାଚ୍‌ ସୁଯୋଗ ସୃଷ୍ଟି କରିଥିଲେ। ହେଲେ ଏହାକୁ ସେ ନିଜେ ହିଁ ଧରିବାକୁ ସକ୍ଷମ ହୋଇ ନଥିଲେ। ଶେଷରେ ଲାୟନ ଆଜି ଖେଳ ଶେଷ ହେବା ଯାଏ ବ୍ୟକ୍ତିଗତ ଭାବେ ୪୧ ରନରେ ପହଞ୍ଚି ଯାଇଛନ୍ତି।

Advertisment

ସେହିପରି ଇନିଂସର ୮୨ତମ ଓଭରରେ ଯଶପ୍ରୀତ ବୁମ୍ରାଙ୍କ ବଲରେ ଲାୟନ ଆଉଟ ହୋଇଥିଲେ। କିନ୍ତୁ ବୁମ୍ରା ନୋ ବଲ ପକାଇଥିବାରୁ ଲାୟନ ପୁଣି ବ୍ୟାଟିଂ କରିଥିଲେ। ଏହି କ୍ୟାଚ ମିସ ଓ ନୋ ବଲ ଭାରତକୁ ବେଶ ମହଙ୍ଗା ପଡ଼ିଛି। ଏହାପୂର୍ବରୁ ଯଶସ୍ୱୀ ଜୈସୱାଲ ମଧ୍ୟ ଲାବୁଶେନଙ୍କ ଦୁଇଟି କ୍ୟାଚ୍‌ ହାତ ଛଡ଼ା କରିଥିଲେ। 

୪ର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୯ ୱିକେଟ ହରାଇ ୨୨୮ ରନ କରିନେଇଛି। ଏଥିସହ ଲିଡ୍‌କୁ ୩୩୩ ରନରେ ପହଞ୍ଚାଇ ଦେଇଛି। ଭାରତକୁ ଶେଷ ଦିନରେ ଅତି କମରେ ୩୪୦ରୁ ୩୫୦ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ଦେଇପାରେ।

କେବଳ ୨୦୨୧ରେ ଗାବାରେ ଯେଉଁଭଳି ଭାବେ ଭାରତ ଶେଷ ଦିନରେ ୩୨୮ ରନର ବିଜୟ ଲକ୍ଷ୍ୟକୁ ଚମତ୍କାର ଢଙ୍ଗରେ ହାସଲ କରିଥିଲା, ଆସନ୍ତାକାଲି ମେଲବର୍ଣ୍ଣରେ ସେମିତି କିଛି କରିବାର ରହିଛି।

ଭାରତ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୯ ୱିକେଟ ହରାଇ ୩୫୮ ରନ କରିଥିଲା। ଆଜି ଆଉ ୧୧ ରନ ପରେ ଦଳ ଶେଷ ବ୍ୟାଟର ଭାବେ ନୀତୀଶ କୁମାର ରେଡ୍ଡୀଙ୍କୁ ହରାଇଥିଲା। ସେ ୧୧୪ ରନରେ ଆଉଟ ହୋଇଥିଲେ। ଭାରତ ୩୬୯ ରନରେ ଅଲଆଉଟ ହୋଇଯିବାରୁ ଅଷ୍ଟ୍ରେଲିଆକୁ ୧୦୫ ରନର ଲିଡ୍‌ ମିଳିଥିଲା।

ପ୍ରଥମ ଇନିଂସରେ ୪୭୪ ରନ କରିଥିବା ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଇନିଂସରେ ବୁମ୍ରା ଓ ସିରାଜ ଯୋଡ଼ି ଘାଣ୍ଟିଥିଲେ। ଗୋଟିଏ ପଟେ ମାର୍ନସ ଲାବୁଶେନ ରହିଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ୱିକେଟ ଝଡ଼ି ଚାଲିଥିଲା। ଏହାର ଆରମ୍ଭ ବୁମ୍ରା କରିଥିଲେ। ସେ ପ୍ରଥମେ ଡେବ୍ୟୁଟାଣ୍ଟ ସାମ କୋନଷ୍ଟାସ(୮)ଙ୍କୁ ବୋଲ୍ଡ କରିଥିଲେ। ଉସମାନ ଖୱାଜା ୨୧ ରନ କରି ସିରାଜଙ୍କ ବଲରେ ବୋଲ୍ଡ ହୋଇଥିଲେ। ଷ୍ଟିଭ ସ୍ମିଥ(୧୩) ମଧ୍ୟ ସିରାଜଙ୍କ ଶିକାର ବନିଥିଲେ।

ପ୍ରଥମ ଇନିଂସରେ ଖାତା ଖୋଲି ପାରି ନଥିବା ଇନଫର୍ମ ଟ୍ରାଭିସ ହେଡ୍‌ ଆଜି କେବଳ ୧ ରନ କରି ପୁଣି ବୁମ୍ରାଙ୍କ ବଲରେ ଆଉଟ ହୋଇଛନ୍ତି। ମିଚେଲ ମାର୍ଶ(୦) ଓ ଆଲେକ୍ସ କେରୀ(୨)ଙ୍କୁ ଆଉଟ କରି ବୁମ୍ରା କଙ୍ଗାରୁ ଟିମକୁ ୯୧ ରନରେ ୬ଷ୍ଠ ଝଟକା ଦେଇଥିଲେ।

ଏତିକି ବେଳେ ଲାବୁଶେନ ଓ ଅଧିନାୟକ ପାଟ କମିନ୍ସ ସ୍ଥିତି ସମ୍ଭାଳିଥିଲେ। ଉଭୟ ୭ମ ୱିକେଟ ପାଇଁ ୫୭ ରନ ଯୋଡ଼ିଥିଲେ। ଲାବୁଶେନଙ୍କ ବ୍ୟାଟରୁ ପୁଣି ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା।

କିନ୍ତୁ ଦଳୀୟ ସ୍କୋର ୧୪୮ ରନ ଥିବା ବେଳେ ସିରାଜ ୭୦ ରନ କରିଥିବା ଲାବୁଶେନଙ୍କୁ ଆଉଟ କରିଥିଲେ। ମିଚେଲ ଷ୍ଟାର୍କ ମଧ୍ୟ କେବଳ ୫ ରନ କରି ରନ ଆଉଟ ହୋଇଯାଇଥିଲେ। ଦଳୀୟ ସ୍କୋର ୧୭୩ ଥିବା ବେଳେ ଅଷ୍ଟ୍ରେଲିଆ ୯ମ ୱିକେଟ ହରାଇଥିଲା। ୪୧ ରନ କରିଥିବା କମିନ୍ସଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ କରିଥିଲେ।

ଏହି ସମୟରେ ଅଷ୍ଟ୍ରେଲିଆର ଲିଡ୍‌ ମଧ୍ୟ କେବଳ ୨୭୮ ରନ ରହିଥିଲା। ଲାଗୁଥିଲା ଭାରତ ମେଲବର୍ଣ୍ଣ ଟେଷ୍ଟରେ ଜବରଦସ୍ତ କମବ୍ୟାକ କରିବ। ହେଲେ ଶେଷ ୱିକେଟ ପାଇଁ ବୋଲାଣ୍ଡ ଓ ଲାୟନ କମାଲ କରିଥିଲେ। ଭାରତୀୟ ବୋଲରଙ୍କୁ କଡ଼ା ମୁକାବିଲା କରି ଉଭୟ ୬୪.୧ ଓଭରରୁ ୮୨ ଓଭର ଯାଏ ବ୍ୟାଟିଂ କରିଥିଲେ। ଏଥିସହ ଲିଡ୍‌କୁ ୩୩୩ ରନରେ ପହଞ୍ଚାଇ ଦେଇଛନ୍ତି। ଭାରତ ଏହି ଯୋଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ଲାଭ ପାଇନାହିଁ।

ଉଭୟ ୪ର୍ଥ ଦିନର ଷ୍ଟମ୍ପ ଅପସାରଣ ଯାଏ ବ୍ୟାଟିଂ କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଲାୟନ ୪୧ ଓ ବୋଲାଣ୍ଡ ୬୫ ବଲରେ ୧୦ ରନ କରି ଅପରାଜିତ ରହିଛନ୍ତି।

Jasprit Bumrah Border Gavaskat Trophy Boxing Day Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe