ଫିକା ପଡ଼ିଲା ଭେଙ୍କଟେଶ ଆୟରଙ୍କ ଶତକ, ମୁମ୍ବାଇ ୫ ୱିକେଟରେ ଜିତିଲା

ମୁମ୍ବାଇ ଇଣ୍ଡିଆନ୍ସ ଈଶନ କିଶନଙ୍କ ୨୫ ବଲରେ ବିସ୍ଫୋରକ ୫୮ ରନ ବଳରେ ମ୍ୟାଚ୍‌କୁ ୫ ୱିକେଟରେ ଜିତି ନେଇଛି।

ଶଟ ଖେଳୁଛନ୍ତି ଈଶନ କିଶନ

  • Published: Sunday, 16 April 2023
  • , Updated: 16 April 2023, 08:01 PM IST

କୋଲକାତା ନାଇଟ ରାଡର୍ସର ବ୍ୟାଟର ଭେଙ୍କଟେଶ ଆୟର ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ ମଧ୍ୟ ଏହା ଦଳକୁ ଜିତାଇବାକୁ ସକ୍ଷମ ହୋଇନି। ଆୟରଙ୍କ ୧୦୪ ରନର ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୬ ୱିକେଟ ହରାଇ ୧୮୫ ରନ କରିଥିଲା। ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ଈଶନ କିଶନଙ୍କ ୨୫ ବଲରେ ବିସ୍ଫୋରକ ୫୮ ରନ ବଳରେ ମ୍ୟାଚ୍‌କୁ ୫ ୱିକେଟରେ ଜିତି ନେଇଛି। ଦଳ ପକ୍ଷରୁ ଖରାପ ଫର୍ମକୁ ନେଇ ସଂଘର୍ଷ କରୁଥିବା ମୁମ୍ବାଇର କାମଚଳା ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ୪୩ ରନର ଇନିଂସ ଖେଳିଛନ୍ତି।

ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଉଥିବା ମ୍ୟାଚ୍‌ରେ ସୂର୍ଯ୍ୟ କୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। କୋଲାକତା ଭଲ ଷ୍ଟାର୍ଟର ଲକ୍ଷ୍ୟ ରଖିଥିଲେ ହେଁ ପୁଣି ଥରେ ଦୁଇ ଓପନର ସମସ୍ତଙ୍କୁ ନିରାଶ କରିଥିଲେ। ନାରାୟଣ ଜଗଦୀଶନ(୦) ଓ ରହମନୁଲ୍ଲା ଗୁରବାଜ ମାତ୍ର ୮ ରନ କରି ପ୍ୟାଭିଲିୟନ ଫେରିଥିଲେ।

ଅଧିନାୟକ ନୀତୀଶ ରାଣା ମଧ୍ୟ ୫ ରନ କରି ହ୍ରିତିକ ଶୋକୀନଙ୍କ ବଲରେ ଆଉଟ ହୋଇଯାଇଥିଲେ। ଦଳ ଗୋଟିଏ ପଟେ ୱିକେଟ ହରାଉଥିଲେ ହେଁ ଭେଙ୍କଟେଶ ଆୟର କାଉଣ୍ଟର ଆଟାକ ଜାରି ରଖିଥିଲେ। ତାଙ୍କୁ ପ୍ରଥମେ କିଛି ସମୟ ଶାର୍ଦ୍ଦୁଲ ଠାକୁର(୧୩) ପରେ ରିଙ୍କୁ ସିଂହ(୧୮) ସାଥ ଦେଇଥିଲେ। ଉଭୟଙ୍କୁ ସାଥୀ କରି ସେ ମାତ୍ର ୪୯ଟି ବଲରେ ନିଜର ଶତକ ହାସଲ କରିଥିଲେ।

ଲାଗୁଥିଲା ଆୟର ଓ ରିଙ୍କୁ କୋଲକାତାର ସ୍କୋରକୁ ୨୦୦ ପାର କରାଇ ଦେବେ। ହେଲେ ବଡ଼ ଶଟ ଖେଳିବା ଲୋଭରେ ଆୟର (୫୧ ବଲ ୧୦୪) ରିଲେ ମେରେଡିଥଙ୍କ ବଲରେ ଆଉଟ ହୋଇଯାଇଥିଲେ। ସେ ତାଙ୍କ ଇନିଂସରେ ୯ଟି ଛକା ଓ ୬ଟି ଚୌକା ମାରିଛନ୍ତି। ଆୟରଙ୍କ ପରେ ରିଙ୍କୁ ସିଂହ ମଧ୍ୟ ଡୁଆନ ଜାନେସନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଶେଷ ଭାଗରେ ଆନ୍ଦ୍ରେ ରସେଲ ୧୧ ବଲରେ ଅପରାଜିତ ୨୧ ଓ ସୁନୀଲ ନାରିନ ୨ ବଲରେ ୨ ରନ କରିବାରୁ କୋଲକାତା ୬ ୱିକେଟ ହରାଇ ୧୮୫ ରନ କରିଥିଲା।

୧୮୬ ରନର ଟାର୍ଗେଟ ପାଇଥିବା ମୁମ୍ବାଇ ପାଇଁ ଇମ୍ପାକ୍ଟ ଖେଳାଳି ଭାବେ ଆଜି ମ୍ୟାଚ୍‌ ଖେଳୁଥିବା ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଈଶନ କିଶନ ଇନିଂସ ଆରମ୍ଭ କରିଥିଲେ। ରୋହିତ ସତର୍କତାର ସହ ବ୍ୟାଟିଂ କରିଥିବା ବେଳେ ଈଶନ କିନ୍ତୁ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ସେ କୋଲକାତାର ସବୁ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ।

ଏସବୁ ଭିତରେ ରୋହିତ ଶର୍ମା ମାତ୍ର ୧୩ ବଲରେ ୨୦ ରନ କରି ସୂୟଶ ଶର୍ମାଙ୍କ ବଲରେ ଆଉଟ ହୋଇଯାଇଥିଲେ। ତେବେ ଈଶନ କିଶନ ନିଜର ଆଟାକିଂ ଖେଳ ଜାରି ରଖି ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ୫୮ ରନ କରିଥିବା ବେଳେ ସେ ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଆଉଟ ହୋଇଯାଇଥିଲେ। ମୁମ୍ବାଇ ୮୭ ରନରେ ଦ୍ୱିତୀୟ ୱିକେଟ ହରାଇଥିଲା।

ତୃତୀୟ ୱିକେଟ ପାଇଁ ସୂର୍ଯ୍ୟ କୁମାର ଯାଦବ ଓ ତିଲକ ବର୍ମା ସ୍ଥିତି ସମ୍ଭାଳିଥିଲେ। ନିଜର ଫର୍ମକୁ ନେଇ ସମାଲୋଚନାର ଶିକାର ହୋଇଥିବା ସୂର୍ଯ୍ୟ କୁମାର ଆଜି କିନ୍ତୁ ଭଲ ଲୟରେ ଥିଲେ। ସେ ତଲିକଙ୍କ ସହ ମିଶି ଦଳୀୟ ସ୍କୋରକୁ ୮୭ରୁ ନେଇ ୧୪୭ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ୩୦ ରନ କରିଥିବା ତିଲକ ବର୍ମାଙ୍କୁ ବୋଲ୍ଡ କରି ଦେଇଥିଲେ ସୂୟଶ ଶର୍ମା।

ଆଉ ୨୯ ରନ ପରେ ସୂର୍ଯ୍ୟ କୁମାର ଯାଦବ ୪୩ ରନ କରି ଶାର୍ଦ୍ଦୁଲଙ୍କ ବଲରେ ଆଉଟ ହୋଇଥିଲେ। ନେହାଲ ୱାଦ୍ଧେର କେବଳ ୬ ରନ କରିବାକୁ ସକ୍ଷମ ହୋଇଥିଲେ। ହେଲେ ସେତେବେଳକୁ ମ୍ୟାଚ୍‌ ମୁମ୍ବାଇ ହାତ ମୁଠାକୁ ଚାଲି ଆସିଥିଲା। ବାକି ଆବଶ୍ୟକ ରନ କାମେରନ ଗ୍ରୀନ(୧) ଓ ଟିମ ଡାଭିଡ(୨୪) ପୂରା କରି ଦେଇଥିଲେ। ମୁମ୍ବାଇ ଏହି ମ୍ୟାଚ୍‌କୁ ୧୪ ବଲ ପୂର୍ବରୁ ୫ ୱିକେଟରେ ଜିତି ନେଇଛି।

କୋଲାକତା ମ୍ୟାଚ୍‌ ହାରିଥିଲେ ମଧ୍ୟ ୫୧ ବଲରେ ୧୦୪ ରନ କରିଥିବା ଭେଙ୍କଟେଶ ଆୟରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

Related story