ଆଇପିଏଲର ୧୮ତମ ସଂସ୍କରଣର ପ୍ରଥମ ବଲ ପଡ଼ିବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଗୋଟିଏ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ମୁମ୍ବାଇ ତା’ର ୨୦୨୫ ଆଇପିଏଲ ଅଭିଯାନ ଆରମ୍ଭ କରିବ। ହେଲେ ଆହତ ସମସ୍ୟା କାରଣରୁ ସ୍ପିଡଷ୍ଟାର ଯଶପ୍ରୀତ ବୁମ୍ରା ଆଇପିଏଲ ୨୦୨୫ ଆରମ୍ଭରୁ କିଛି ମ୍ୟାଚ୍ ଖେଳିବେ ନାହିଁ। ସେହିପରି ଗତ ସଂସ୍କରଣରେ ଲଗାତର ୩ଟି ମ୍ୟାଚ୍ରେ ଧିମା ବୋଲିଂ ପାଇଁ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରଥମ ମ୍ୟାଚ୍ରୁ ବ୍ୟାନ ହୋଇଛନ୍ତି। ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟ କୁମାର ଯାଦବ ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ। କିନ୍ତୁ ବୁମ୍ରାଙ୍କ ଅନୁପସ୍ଥିତିରେ ମୁମ୍ବାଇ କେମିତି ଅଭିଯାନ ଆରମ୍ଭ କରିବ, ତାହା ହିଁ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ।
ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଦଳର ସିମ୍ ବୋଲିଂ ଦାୟିତ୍ୱ ଟ୍ରେଣ୍ଟ ବୋଲ୍ଟ ଓ ଦୀପକ ଚହରଙ୍କ କାନ୍ଧରେ ରହିବ। ଉଭୟ ପାୱାର ପ୍ଲେରେ ଭଲ ବୋଲିଂ କରିବାରେ ମାହିର। କିନ୍ତୁ ଶେଷ ଭାଗରେ ବୁମ୍ରାଙ୍କ ଭଳି ଗଭୀରତା ଓ ଭେରାଇଟୀକୁ ମୁମ୍ବାଇ ନିଶ୍ଚିତ ମିସ କରିବ। ସେହିପରି ବୁମ୍ରା ଏକମାତ୍ର ଦ୍ରୁତ ବୋଲର ଯାହାକୁ ମୁମ୍ବାଇ ଅକ୍ସନ ପୂର୍ବରୁ ରିଲିଜ ନ କରି ନିଜ ପସନ୍ଦର ପ୍ରଥମ ଖେଳାଳି ଭାବେ ରିଟେନ କରିଥିଲା।
ଆଇପିଏଲ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁଖ୍ୟ କୋଚ ମାହେଲା ଜୟବର୍ଦ୍ଧେନେଙ୍କୁ ବୁମ୍ରାଙ୍କ ଅନୁପସ୍ଥିତିକୁ କେମିତି ପୂରଣ କରାଯିବ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଜବାବ ଦେଇ ଜୟବର୍ଦ୍ଧେନେ କହିଛନ୍ତି, “ଯଶପ୍ରୀତ ବୁମ୍ରା ଏବେ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରହିଛନ୍ତି। ସେ ଏବେ ଏବେ ବୋଲିଂ ଆରମ୍ଭ କରିଛନ୍ତି। ଆମେ ସେଠାରୁ ମତାମତ ଆଣିବୁ। ବର୍ତ୍ତମାନ ସବୁ କିଛି ଠିକ ଠାକ ଚାଲିଛି। ଏହା ଏକ ଦୈନନ୍ଦିନ ପ୍ରକ୍ରିୟା। ଆମର ଆଶା ସେ ଖୁବଶୀଘ୍ର ଦଳରେ ଯୋଗଦେବେ। ନିଶ୍ଚିତ ଭାବେ କୁହାଯାଇ ପାରେ ଯେ ତାଙ୍କ ଅନୁପସ୍ଥିତି ଗୋଟିଏ ବଡ଼ ଚ୍ୟାଲେଞ୍ଜ। ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର। ଆମେ ଏହାର ବାଟ ବାହାର କରିବୁ ଓ ଏହା ମଧ୍ୟ ଅନ୍ୟ ଜଣଙ୍କ ପାଇଁ ସୁଯୋଗ। ଆମେ ଖୁବଶୀଘ୍ର ବିକଳ୍ପ ବାହର କରିବୁ। ଦେଖା ଯାଉ କ’ଣ ହେଉଛି।”
ପିଠି ଯନ୍ତ୍ରଣା ପାଇଁ ବୁମ୍ରା ଦୀର୍ଘ ମାସ ହେଲାଣି କ୍ରିକେଟରୁ ଦୂରେଇ ରହିଛନ୍ତି। ଜାନୁଆରୀ ମାସରେ ସେ ଆହତ ହୋଇଥିଲେ। ଏଥିଯୋଗୁ ସେ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ନଜର ଆସି ନଥିଲେ। ଏବେ ସେ ୨୦୨୫ ଆଇପିଏଲର ପ୍ରଥମ କିଛି ମ୍ୟାଚ୍ ଖେଳିବେ ନାହିଁ। ବର୍ଡର-ଗାଭାସ୍କର ଟ୍ରଫିର ୫ମ ଟେଷ୍ଟର ଦ୍ୱିତୀୟ ଦିନରେ ବୁମ୍ରା ପିଠି ଯନ୍ତ୍ରଣାରେ ପଡ଼ିଥିଲେ। ଏଥିଯୋଗୁ ସେ ଉକ୍ତ ଟେଷ୍ଟରେ ଆଉ ବୋଲିଂ କରି ନଥିଲେ। ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ୫ଟି ମ୍ୟାଚ୍ରେ ସେ ୩୨ଟି ୱିକେଟ ଦଖଲ କରିଥିଲେ।
ଆହତ ସତ୍ତ୍ୱେ ବୁମ୍ରାଙ୍କ ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହୋଇଥିବା ସମ୍ଭାବ୍ୟ ସ୍କ୍ୱାଡରେ ରଖାଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବୁମ୍ରାଙ୍କ ବଦଳରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପ୍ଟେନ୍ସି ପ୍ରସଙ୍ଗରେ ମତ ରଖିଛନ୍ତି। ସେ କହିଛନ୍ତି, “ସୂର୍ଯ୍ୟ କୁମାର ଯାଦବ ଭାରତର ନେତୃତ୍ୱ ମଧ୍ୟ ନେଉଛନ୍ତି। ସେ ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସର କମାଣ ସମ୍ଭାଳିବେ। ମୁଁ ଭାଗ୍ୟବାନ ଯେ ମୋ ସହ ୩ ଜଣ କ୍ୟାପ୍ଟେନ ଖେଳୁଛନ୍ତି। ସେମାନେ ହେଲେ ରୋହିତ ଶର୍ମା, ସୂର୍ଯ୍ୟ କୁମାର ଯାଦବ ଓ ଯଶପ୍ରୀତ ବୁମ୍ରା। ସେମାନେ ସବୁବେଳେ ମୋ କାନ୍ଧରେ ହାତ ରଖନ୍ତି ଓ ମୁଁ ଆବଶ୍ୟକ କରୁଥିବା ବେଳେ ସହାୟତା କରନ୍ତି।”
ପୂର୍ବ ସଂସ୍କରଣର ତ୍ରୁଟି ପାଇଁ ଆଉ ଏକ ସିଜିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କେତେ ଦୂର ଠିକ ବୋଲି ପ୍ରଶ୍ନର ଉତ୍ତରରେ ପାଣ୍ଡ୍ୟା କହିଛନ୍ତି, “ଏହା ମୋ ନିୟନ୍ତ୍ରଣରେ ନାହିଁ। ଗତବର୍ଷ କ’ଣ ଘଟିଥିଲା, ସେସବୁ ଖେଳର ଅଂଶବିଶେଷ ଥିଲା। ଆମେ ଶେଷ ଓଭରରେ ଗୋଟିଏ କିମ୍ବା ଅଧା ମିନିଟ ବିଳମ୍ବ ହୋଇଥିଲୁ। ମୁଁ ଏହାର ପରିଣାମ ସେସମୟରେ ଜାଣି ନଥିଲି। ଏହା ଦୁର୍ଭାଗ୍ୟଜନକ। କିନ୍ତୁ ନିୟମ ଲାଗୁ ହୋଇଛି। ତେଣୁ ଆମକୁ ନିୟମ ମାନିବାକୁ ପଡ଼ିବ। ପରବର୍ତ୍ତୀ ବର୍ଷରେ ଏହି ନିୟମ ଲାଗୁ ହେବ କି ନାହିଁ, ସେସବୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପରେ ନିର୍ଭର କରୁଛି।”
ମୁମ୍ବାଇ ଇଣ୍ଡିଆନ୍ସ ୨୦୧୨ରୁ କେବେ ହେଲେ ନିଜର ପ୍ରଥମ ମ୍ୟାଚ୍ ଆଇପିଏଲରେ ଜିତି ନାହିଁ। ୨୦୨୫ର ପ୍ରଥମ ମ୍ୟାଚ୍ରେ ବୁମ୍ରା ଓ ପାଣ୍ଡ୍ୟା ରହିବେ ନାହିଁ। ଏପରି ସ୍ଥିତିରେ ଦଳ ଚେନ୍ନାଇ ଭଳି ଟିମକୁ ପ୍ରଥମ ମ୍ୟାଚ୍ରେ ଭେଟିବ। ତେଣୁ ଏହି ଧାରା ବଦଳିବାର ସମ୍ଭାବନା ମୁମ୍ବାଇ ପାଇଁ ବହୁତ କମ।