/odisha-reporter/media/post_attachments/uploadimage/library/16_9/16_9_0/IMAGE_1679222231.jpg)
Mitchell Starc
ମିଚେଲ ଷ୍ଟାର୍କ, ସେନ ଆବୋଟ ଓ ନାଥନ ଏଲିସଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ ମାରିଛି ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆର ଏହି ୩ ପେସ୍ ବୋଲରଙ୍କ ମୁକାବିଲା କରି ନପାରି ଭାରତୀୟ ଦଳ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟସ୍ ହାରି ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରୁ ଥିବା ଟିମ ଇଣ୍ଡିଆ ୨୬ ଓଭର ବ୍ୟାଟିଂ କରି କେବଳ ୧୧୭ ରନ କରି ଅଲଆଉଟ ହୋଇଯାଇଛି।
ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍ ସହ ୩ ଟିକିଆ ଦିନିକିଆ ସିରିଜ୍କୁ ୧-୧ରେ ବରବାର କରିବା ପାଇଁ ମାତ୍ର ୧୧୮ ରନର ଟାର୍ଗେଟ ମିଳିଛି। ଦଳ ପକ୍ଷରୁ ଷ୍ଟାର୍କ ୫ଟି ୱିକେଟ ନେଇଥିବା ବେଳେ ସେନ ଆବୋଟ ୩ଟି ଓ ଏଲିସ ୨ଟି ସଫଳତା ପାଇଛନ୍ତି। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୩୧ ରନ ଓ ଅକ୍ଷର ପଟେଲ ଅପରାଜି ୨୯ ରନ କରିବାକୁ ସକ୍ଷମ ହୋଇଛନ୍ତି। ସେହିପରି ରବୀନ୍ଦ୍ର ଜାଡେଜା ୧୬ ଓ ରୋହିତ ଶର୍ମା କେବଳ ୧୩ ରନ କରିଛନ୍ତି। ଏହି ୪ ଜଣ ବ୍ୟାଟରଙ୍କୁ ଛାଡ଼ି ଦେଲେ ଭାରତର ଆଉ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନାହାନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୂର୍ଯ୍ୟ କୁମାର ଯାଦବ ଆଜି ମଧ୍ୟ ସେ ସାମ୍ନା କରିଥିବା ପ୍ରଥମ ବଲରେ ଖାତା ଖୋଲିବା ପୂର୍ବରୁ ଷ୍ଟାର୍କଙ୍କ ଦ୍ୱାରା ଏଲବିଡ୍ଲ୍ୟୁ ହୋଇଛନ୍ତି। ପ୍ରଥମ ଦିନିକିଆରେ ମଧ୍ୟ ସେ ଗୋଟିଏ ବଲର ସମ୍ମୁଖୀନ ହୋଇ ଷ୍ଟାର୍କଙ୍କ ଦ୍ୱାରା ଏଲବିଡ୍ଲ୍ୟୁ ହୋଇଥିଲେ। ବିଶାଖାପଟନମରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଭାରତ ପ୍ରଥମ ଓଭରରେ ହିଁ ଶୁବମନ ଗିଲ(୦)ଙ୍କୁ ହରାଇଥିଲା। ରୋହିତ ଓ ବିରାଟ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭଲ ଲୟରେ ଥିବା ଷ୍ଟାର୍କ ଝଟକା ପରେ ଝଟକା ଦେଇ ଚାଲିଥିଲେ। ସେ ରୋହିତ ଶର୍ମା, ସୂର୍ଯ୍ୟ କୁମାର ଯାଦବ, କେଏଲ ରାହୁଲ(୯) ଓ ମହମ୍ମଦ ସିରାଜ(୦)ଙ୍କ ୱିକେଟ ନେଇଛନ୍ତି।
ଏଲିସ ଭାରତୀୟ ଟିମର ସବୁଠାରୁ ବଡ଼ ୱିକେଟ ବିରାଟ କୋହଲିଙ୍କୁ ଆଉଟ କରିଥିଲେ। ରବୀନ୍ଦ୍ର ଜାଡେଜା ମଧ୍ୟ ଏଲିସଙ୍କ ଦ୍ୱିତୀୟ ଶିକାର ବନିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୧), କୁଲଦୀପ ଯାଦବ(୪) ଓ ମହମ୍ମଦ ଶାମି(୦)ଙ୍କ ୱିକେଟ ଆବୋଟ ନେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
