/odisha-reporter/media/post_attachments/uploadimage/library/16_9/16_9_0/IPL_1701511230.jpg)
IPL
ଆସନ୍ତା ବର୍ଷ ଖେଳା ଯିବାକୁ ଥିବା ଆଇପିଏଲ ପୂର୍ବରୁ ଡିସେମ୍ବର ୧୯ରେ ଅକ୍ସନ ହେବ। ଏହାପୂର୍ବରୁ ୧୦ଟି ଯାକ ପ୍ରାଞ୍ଚାଇଜ ଖେଳାଳି ରିଟେନ ଓ ରିଲିଜ ପ୍ରକ୍ରିୟା ଶେଷ କରିଛନ୍ତି।
ଏବେ ସମସ୍ତଙ୍କର ଅପେକ୍ଷା ଡିସେମ୍ବର ୧୯ ତାରିଖକୁ। କାରଣ ଦୁବାଇରେ ୨୦୨୪ ଆଇପିଏଲ ପାଇଁ ହେବ ମିନି ଅକ୍ସନ। ନିଲାମରେ ସାମିଲ ହେବାକୁ ଥିବା ଖେଳାଳିମାନେ ମଧ୍ୟ ନିଜର ପଞ୍ଜୀକରଣ କରି ସାରିଛନ୍ତି।
ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଟିମର ୭ ଖେଳାଳି ଏଥର ଅକ୍ସନରେ ସାମିଲ ହେବେ। ସେମାନେ ନିଜକୁ ଅକ୍ସନର ସର୍ବାଧିକ ବେସ୍ ପ୍ରାଇସ ମଧ୍ୟରେ ରଖିଛନ୍ତି। ପ୍ୟାଟ କମିନ୍ସ, ଟ୍ରାଭିସ ହେଡ, ମିଚେଲ ଷ୍ଟାର୍କ, ଜୋଶ ହେଜେଲଉଡ, ଷ୍ଟିଭ ସ୍ମିଥ, ଜୋଶ ଇଙ୍ଗଲିସ ଓ ସେନ ଆବୋଟ୍ଟଙ୍କ ବେସ୍ ପ୍ରାଇସ ୨ କୋଟି ଟଙ୍କା ଲେଖାଏ ରହିଛି।
୨ କୋଟିର ବେସ୍ ପ୍ରାଇସ ମଧ୍ୟରେ ମୋଟ ୨୫ ଖେଳାଳି ରହିଛନ୍ତି। ଟେଷ୍ଟ ଟିମରୁ ବାଦ ପଡ଼ିଥିବା ଉମେଶ ଯାଦବ ଓ ଦୀର୍ଘ ଦିନ ହେଲା ଆଉଟ ଅଫ ଫର୍ମ ଚାଲିଥିବା କେଦାର ଯାଦବ ମଧ୍ୟ ନିଜର ବେସ ପ୍ରାଇସକୁ ୨ କୋଟି ଟଙ୍କା ଲେଖାଏ ରଖିଛନ୍ତି। ଦକ୍ଷିଣ ଆଫ୍ରିକାର ଗେରାଲ୍ଟ କୋଏଜି, ଇଂଲଣ୍ଡର ହ୍ୟାରୀ ବ୍ରୁକ, ଭାରତର ହର୍ଷଲ ପଟେଲ ଓ ଶାର୍ଦ୍ଦୁଲ ଠାକୁର ୨ କୋଟି ଟଙ୍କିଆ ବେସ୍ ପ୍ରାଇସ ବର୍ଗରେ ରହିଛନ୍ତି।
ନ୍ୟୁଜିଲ୍ୟାଣ୍ଡର ଯୁବ ତାରକା ରଚିନ ରବିନ୍ଦ୍ର ମଧ୍ୟ ଏଥର ଆଇପିଏଲ ଅକ୍ସନରେ ସାମିଲ ହେବେ। ବିଶ୍ୱକପରେ ୧୦୬ ଷ୍ଟ୍ରାଇକ ରେଟରେ ୫୭୮ ରନ କରିଥିବା ରଚିନ ୫ ୱିକେଟ ମଧ୍ୟ ନେଇଥିଲେ। ସେ ଆଇପିଏଲ ଅକ୍ସନରେ ସାମିଲ ହୋଇ ନିଜର ବେସ ପ୍ରାଇସ ୫୦ ଲକ୍ଷ ଟଙ୍କା ରଖିଛନ୍ତି। ହେଲେ ଅକ୍ସନ ବେଳେ ଏହା ୧୫ରୁ ୨୦ ଗୁଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।
ଅକ୍ସନ ବେଳେ ୧୦ ପ୍ରାଞ୍ଚାଇଜ ୭୭ ଜଣ ଖେଳାଳି କିଣି ପାରିବେ। ଏମାନଙ୍କ ମଧ୍ୟରେ ୩୦ ଜଣ ବିଦେଶ ଖେଳାଳି ରହି ପାରିବେ। ମୋଟ ୧୧୬୬ ଜଣ ଅକ୍ସନରେ ସାମିଲ ହେବାକୁ ନିଜର ନାଁ ପଠାଇଛନ୍ତି। ଏମାନଙ୍କ ମଧ୍ୟରେ ଆସୋସିଏଟ ଦେଶର ୪୫ ଜଣ ଓ ୯୦୯ ଜଣ ଅନକ୍ୟାପଡ ଖେଳାଳି ରହିଛନ୍ତି। ୯୦୯ ଅନକ୍ୟାପଡ ଖେଳାଳିଙ୍କ ମଧ୍ୟରୁ ଭାରତର ୮୧୨ ଜଣ। ଅକ୍ସନରେ ଭାରତର ୧୮ ଜଣ କ୍ୟାପଡ ଖେଳାଳି ରହିଛନ୍ତି। ୧୦ ପ୍ରାଞ୍ଚାଇଜ ୨୬୨.୫୦ କୋଟି ଟଙ୍କା ଖର୍ଚ୍ଚ କରି ସର୍ବାଧିକ ୭୭ ଜଣ ଖେଳାଳିଙ୍କୁ ହିଁ କିଣି ପାରିବେ।
ବିଶ୍ୱକପ ପ୍ରଦର୍ଶନ ଆଧାରରେ ଷ୍ଟାର୍କ, ହେଡ ଓ ରଚିନଙ୍କ ଡିମାଣ୍ତ ଅକ୍ସନ ବେଳେ ଯଥେଷ୍ଟ ଅଧିକ ରହିବ। ଷ୍ଟାର୍କ ଯଦି କିଣା ହୁଅନ୍ତି, ତା’ହେଲେ ୮ ବର୍ଷ ପରେ ସେ ପୁଣି ଆଇପିଏଲରେ ନଜର ଆସିବେ। ସେ ୨୦୧୫ରେ ଶେଷ ଥର ପାଇଁ ଆରସିବି ପାଇଁ ମ୍ୟାଚ ଖେଳିଥିଲେ। ୨୦୧୮ ଅକ୍ସନରେ ମଧ୍ୟ ସେ ସାମିଲ ହୋଇଥିଲେ। ତାଙ୍କୁ କେକେଆର ୯.୪ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ଆହତ କାରଣରୁ ସେ ଗୋଟିଏ ହେଲେ ବି ମ୍ୟାଚ୍ ଖେଳି ପାରି ନଥିଲେ।
ହେଡ୍ ୨୦୨୩ ବିଶ୍ୱକପ ଫାଇନାଲରେ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଜିତିଥିଲେ। କିନ୍ତୁ ୨୦୧୭ ପର ଠାରୁ ସେ ଆଇପିଏଲ ଖେଳି ନାହାନ୍ତି। ସେ ମଧ୍ୟ ଆରସିବି ପାଇଁ ଖେଳିଛନ୍ତି। ୧୦ଟି ଆଇପିଏଲରେ ହେଡ ମୋଟ ୨୦୫ ରନ କରିବାକୁ ସକ୍ଷମ ହୋଇଥିଲେ।
ବେସ୍ ପ୍ରାଇସ ୨ କୋଟି: ହର୍ଷଲ ପଟେଲ, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, କେଦାର ଯାଦବ, ମୁଜିବ ଉର ରହମାନ, ସେନ ଆବୋଟ, ପ୍ୟାଟ କମିନ୍ସ, ଜୋଶ ହେଜେଲଉଡ, ଟ୍ରାଭିସ ହେଡ୍, ଜୋଶ ଇଙ୍ଗଲିସ, ମିଚେଲ ଷ୍ଟାର୍କ, ଷ୍ଟିଭ ସ୍ମିଥ, ମୁସ୍ତାଫିଜୁର ରହମାନ, ଟମ ବାନଟନ, ହ୍ୟାରୀ ବ୍ରୁକ, ବେନ ଡକେଟ, ଜାମି ଓଭରଟନ, ଆଦିଲ ରଶିଦ, ଡାଭିଡ ୱିଲୀ, କ୍ରିସ ୱକ୍ସ, ଲକି ଫର୍ଗୁସନ, ଗେରାଲ୍ଡ କୋଏଜି, ରିଲେ ରୁସୋ, ରସି ଭାନ ଡେର ଡୁସେନ ଓ ଆଞ୍ଜେଲୋ ମାଥ୍ୟୁସ।
ବେସ ପ୍ରାଇସ ୧.୫ କୋଟି: ମହମ୍ମଦ ନବି, ମୋଜି ହେନରିକସ, କ୍ରିସ ଲୀନ, କେନ ରିଚାର୍ଡସନ, ଡାନିଏଲ ସାମ୍ସ, ଡାନିଏଲ ୱରଅଲ, ଟମ କୁରାନ, ମର୍ଚାଣ୍ଟ ଡେ ଲାଙ୍ଗେ, କ୍ରିସ ଜୋର୍ଡାନ, ଡାୱିଡ ମଲାନ, ଟାୟମଲ ମିଲ୍ସ, ଫିଲ ସଲ୍ଟ, କୋରୀ ଆଣ୍ଡରସନ, କୋଲିନ ମୁନରୋ, ଜିମ୍ମୀ ନୀଶମ, ଟିମ ସାଉଦି, କୋଲିନ ଇଙ୍ଗରାମ, ୱାନିନ୍ଦୁ ହସରଙ୍ଗା, ଜାସନ ହୋଲ୍ଡର ଓ ଶେରଫାନେ ରଥରଫୋର୍ଡ।
୧ କୋଟି ଟଙ୍କା ବେସ ପ୍ରାଇସ: ଅଷ୍ଟନ ଅଗର, ରିଲେ ମେରେଡିଥ, ଡିଆର୍ସି ଶର୍ଟ, ଅଷ୍ଟନ ଟର୍ଣ୍ଣର, ଗସ ଅଟକିନସନ, ସାମ ବିଲିଙ୍ଗ୍ସ, ମିଚେଲ ବ୍ରେସୱେଲ, ମାର୍ଟିନ ଗପ୍ଟିଲ, କାୟେଲ ଜାମିସନ, ଆଡାମ ମିଲନେ, ଡାରେଲ ମିଚେଲ, ୱେୟନ ପାର୍ନେଲ, ଡ୍ୱେନ ପ୍ରିଟୋରିୟସ, ଅଲଜାରି ଯୋଶେଫ, ରୋଭମାନ ପାୱେଲ ଓ ଡାଭିସ ଭିସା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
