Advertisment

ଆଜି ଠାରୁ ମହିଳା ଟି-୨୦ ବିଶ୍ୱକପ: ଆଇସିସି ଟିଭି କମେଣ୍ଟ୍ରୀରେ ଡେବ୍ୟୁ କରିବେ ମିତାଲି ରାଜ୍‌

ଆଜି ଠାରୁ ଆରମ୍ଭ ହେଉଥିବା ମହିଳା ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ଶ୍ରୀଲଙ୍କାକୁ ଭେଟିବ।

author-image
Hemant Lenka
mithali raj

mithali raj

ଭାରତୀୟ ମହିଳା କ୍ରିକେଟର କିମ୍ବଦନ୍ତୀ ବ୍ୟାଟର ମିତାଲି ରାଜ ଆଇସିସି ଟିଭି କମେଣ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଜିଠାରୁ ଦକ୍ଷିଣ ଆଫ୍ରିକାରେ ମହିଳା ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏହି ସମୟରେ କମେଣ୍ଟ୍ରୀ କରିବେ ମିତାଲି ରାଜ। ପ୍ରଥମଥର ପାଇଁ ମିତାଲି ଏହି ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି।

Advertisment

ତାଙ୍କ ସହ ଦକ୍ଷିଣ ଆଫ୍ରିକାର ମିଗନନ ଡୁପ୍ରିଜ୍‌ ଓ ପାକିସ୍ତାନର ସାନ ମୀର ମଧ୍ୟ କମେଣ୍ଟ୍ରୀ କରିବେ। ଏହାବାଦ ଦକ୍ଷିଣ ଆଫ୍ରିକାର ବିଶ୍ୱକପ ସ୍କ୍ୱାଡରେ ସୁଯୋଗ ପାଇ ନଥିବା ଷ୍ଟାର ଅଲରାଉଣ୍ଡର ଡାନ ଭାନ ନିକେରକ୍‌ ମଧ୍ୟ ଆଇସିସି ଟିଭି କମେଣ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। 

ମିତାଲି ଆଇସିସିକୁ କହିଛନ୍ତି, “କମେଣ୍ଟ୍ରୀ ବକ୍ସରେ ସମୟ ବିତାଇବାକୁ ମୁଁ ବେଶ ଉତ୍ସାହିତ। ମହିଳା ଟି-୨୦ ବିଶ୍ୱକପ ପାଇଁ ଭାରତରେ ବେଶ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି। ମୁଁ ନିଶ୍ଚିତ ଯେ ବିଶ୍ୱର ଅନ୍ୟ ପ୍ରାନ୍ତରେ ମଧ୍ୟ ସମାନ ଉତ୍ସାହ ରହିଥିବ। ବିଶ୍ୱକପରେ ଅନେକ ଭଲ ଦଳ ରହିଛନ୍ତି। ମ୍ୟାଚ୍‌ ଦିନ କିଏ ଭଲ ପ୍ରଦର୍ଶନ କରୁଛି, ତାହା ହିଁ ନିର୍ଣ୍ଣାୟକ ହେବ। ମୁଁ ସବୁ ଟିମ୍‌କୁ ଶୁଭେଚ୍ଛା ଜଣାଉଛି ଓ ଆଶା କରୁଛି ଯେ ସେମାନେ ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବେ।”

Advertisment

ଦକ୍ଷିଣ ଆଫ୍ରିକା ବ୍ରଡକାଷ୍ଟର୍ସ ନାଟାଲିଆ ଗେରମାନ୍ସ, କାସ୍‌ ନାଇଡୋ, ଭାରତୀୟ ଟିମର ପୂର୍ବତନ କୋଚ୍‌ ଡବ୍ଲ୍ୟୁଭି ରମଣ, ଆଇସିସି ହଲ ଅଫ ଫେମର ଡେବୀ ହୋକଲେ, ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର କାଟେ ମାର୍ଟିନ ମଧ୍ୟ ଆଇସିସି କମେଣ୍ଟ୍ରୀ ପ୍ୟାନେଲରେ ରହିଛନ୍ତି।

ଆଜି ଠାରୁ ଆରମ୍ଭ ହେଉଥିବା ମହିଳା ଟି-୨୦ ବିଶ୍ୱକପର ୮ମ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ଶ୍ରୀଲଙ୍କାକୁ ଭେଟିବ। ଭାରତ ତା’ର ପ୍ରଥମ ମ୍ୟାଚ୍‌ ଆସନ୍ତା ରବିବାର ପାକିସ୍ତାନ ବିପକ୍ଷରେ ଖେଳିବ। ଭାରତରେ ଷ୍ଟାର ସ୍ପୋର୍ଟସ ନେଟୱର୍କରେ ମ୍ୟାଚ୍‌ଗୁଡ଼ିକର ସିଧାପ୍ରସାରଣ ହେବ।

Bcci ICC T 20 World Cup