/odisha-reporter/media/media_files/2025/09/28/mithun-manhas-2025-09-28-16-17-35.jpg)
ମିଥୁନ ମନହାସ Photograph: (ଫାଇଲ ଫଟୋ)
ମିଥୁନ ମନହାସ ବିସିସିଆଇର ନୂଆ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି। ରବିବାର BCCIର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ପରେ ଆନୁଷ୍ଠାନିକ ଭାବେ ତାଙ୍କ ନାଁ ଘୋଷଣା କରାଯାଇଛି। ମିଥୁନ ମନହାସ ବିସିସିଆଇର ୩୭ତମ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
୪୫ ବର୍ଷୀୟ ମିଥୁନ ମନହାସଙ୍କ ଘର ଜମ୍ମୁ ଓ କଶ୍ମୀରରେ। ବିସିସିଆଇ ସଭାପତି ହେବାରେ ସେ ହେଉଛନ୍ତି ଜମ୍ମୁ ଓ କଶ୍ମୀରର ପ୍ରଥମ ବ୍ୟକ୍ତି। ସେହିଭଳି ଲଗାତାର ତୃତୀୟ ଥର ପାଇଁ ଜଣେ କ୍ରିକେଟର ଭାବେ ସେ ବିସିସିଆଇର ସଭାପତି ହୋଇଛନ୍ତି। ମିଥୁନ ମନହାସଙ୍କ ପୂର୍ବରୁ ରୋଜର ବିନ୍ନୀ ଏହି ପଦରେ ଥିବା ବେଳେ ତାଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲି ହୋଇଥିଲେ ବିସିସିଆଇ ସଭାପତି।
ମିଥୁନ ମନହାସଙ୍କ ପାଖରେ ଉଭୟ ଖେଳାଳି ଓ ପ୍ରଶାସକ ଭାବେ ଅଭିଜ୍ଞତା ରହିଛି। ପୂର୍ବରୁ ସେ ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏସନ୍ରେ ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ପଦରେ ରହି କାର୍ଯ୍ୟ କରିଛନ୍ତି। ସେହିଭଳି ବିସିସିଆଇର ଏଜିଏମ୍ରେ ସେ ଜମ୍ମୁ ଓ କଶ୍ମୀରରୁ ପ୍ରତିନିଧିତ୍ୱ କରିଛନ୍ତି। ବିସିସିଆଇ ସଭାପତି ଭାବେ ରୋଜର ବିନ୍ନୀଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଯେଉଁ କେତେ ଜଣଙ୍କ ନାଁ ଏହି ପଦବୀ ପାଇଁ ଚର୍ଚ୍ଚାରେ ରହିଥିଲା, ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ଥିଲେ ମିଥୁନ ମନହାସ।
୧୯୭୯ ଅକ୍ଟୋବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ମିଥୁନ ମନହାସ। ଭାରତୀୟ ଟିମ୍ରେ କେବେ ସାମିଲ ହୋଇପାରି ନଥିଲେ ହେଁ ଘରୋଇ କ୍ରିକେଟରେ ସେ ଥିଲେ ଷ୍ଟାର ଖେଳାଳି। ସେ ଜଣେ ଡାହାଣହାତି ବ୍ୟାଟର। ବେଳେ ବେଳେ ସେ ବୋଲିଂ (ଅଫ୍-ସ୍ପିନ) ମଧ୍ୟ କରୁଥିଲେ। ଆବଶ୍ୟକ ପଡ଼ିଲେ ଦଳ ପାଇଁ ସେ ୱିକେଟ୍ କିପର ସାଜୁଥିଲେ।
ମିଥୁନ ମନହାସ ମିଡିଲ ଅର୍ଡର ବ୍ୟାଟର ଥିଲେ। ରାହୁଲ ଡ୍ରାଭିଡ, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କ ଭଳି ମହାନ ଖେଳାଳିଙ୍କ ଉପସ୍ଥିତି ଯୋଗୁ ଭାରତୀୟ ଟିମ୍ରେ ଖେଳିବାକୁ ମିଥୁନ ମନହାସଙ୍କୁ କେବେ ସୁଯୋଗ ମିଳି ନଥିଲା। ତେବେ ଘରୋଇ କ୍ରିକେଟରେ ତାଙ୍କ ପ୍ରଦର୍ଶନ ବହୁତ ବଢ଼ିଆ ଥିଲା। ଦିଲ୍ଲୀ ଓ ଜମ୍ମୁ-କଶ୍ମୀର ପକ୍ଷରୁ ସେ ଘରୋଇ କ୍ରିକେଟ୍ ଖେଳିଛନ୍ତି।
ଅନେକ ବରିଷ୍ଠ ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଥିବା ବେଳେ ଦିଲ୍ଲୀ ଟିମ୍ର ନେତୃତ୍ୱ ନେଉଥିଲେ ମିଥୁନ। ଯେତେବେଳେ ଦିଲ୍ଲୀ ଟିମ୍ରେ ବିରାଟ କୋହଲି ଡେବ୍ୟୁ କଲେ, ସେତେବେଳେ ମିଥୁନ ଅଧିନାୟକ ଥିଲେ। ୨୦୦୭-୦୮ ସିଜିନରେ ଦିଲ୍ଲୀକୁ ରଣଜୀ ଟ୍ରଫି ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ମିଥୁନ ମନହାସ। ସେତେବେଳେ ସେ ଦିଲ୍ଲୀର ଅଧିନାୟକ ଥିଲେ। ସେହି ସିଜିନରେ ୫୭.୫୬ ହାରରେ ମିଥୁନ ୯୨୧ ରନ୍ କରିଥିଲେ।
୨୦୧୬-୧୭ରେ ଗୌତମ ଗମ୍ଭୀର ଦିଲ୍ଲୀ ଟିମ୍ର ଅଧିନାୟକ ହୋଇ ଫେରିବା ପରେ ମିଥୁନ ମନହାସ ଜମ୍ମୁ ଓ କଶ୍ମୀର ଟିମ୍କୁ ପଳାଇଥିଲେ। ସେହି ଟିମ୍ରୁ ସେ ଗୋଟିଏ ସିଜିନ୍ ରଣଜୀ ଟ୍ରଫି ଖେଳିଛନ୍ତି। ତା’ପରେ ସେ ଜମ୍ମୁ ଓ କଶ୍ମୀର କ୍ରିକେଟରେ ପ୍ରଶାସନିକ ଦାୟିତ୍ୱ ଗ୍ରହଣ କରିଥିଲେ।
୧୫୭ଟି ଫାଷ୍ଟ-କ୍ଲାସ ମ୍ୟାଚ୍ ଖେଳିଥିବା ମିଥୁନ ମନହାସ ୯,୭୧୪ ରନ୍ କରିଛନ୍ତି। ତା’ ମଧ୍ୟରେ ୨୭ଟି ଶତକ ଓ ୪୯ଟି ଅର୍ଦ୍ଧଶତକ ରହିଛି। ୧୩୦ଟି ଲିଷ୍ଟ ଏ ମ୍ୟାଚ୍ରୁ ସେ ୪୧୨୬ ରନ୍ କରିଥିଲେ। ସେହିପରି ଆଇପିଏଲ୍ ମଧ୍ୟ ଖେଳିଛନ୍ତି। ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ସେ ଦିଲ୍ଲୀ ଡେୟାରଡେଭିଲ୍ସରୁ ଆଇପିଏଲ୍ ଖେଳିଥିଲେ। ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ସେ ପୁନେ ୱାରିୟର୍ସରେ ଥିଲେ। ୨୦୨୩ ଓ ୨୦୧୪ ସିଜିନ୍ରେ ସେ ଚେନ୍ନାଇ ସୁପର କିଙ୍ଗସରେ ଥିଲେ। ୯୧ଟି ଆଇପିଏଲ୍ ମ୍ୟାଚ୍ରୁ ସେ ୧୧୭୦ ରନ୍ କରିଛନ୍ତି। ଏମିତିକି ୨୦୨୨ ସିଜିନରେ ସେ ଗୁଜରାଟ ଟାଇଟନ ସହିତ ଜଣେ କୋଚ୍ ଭାବେ ଯୋଡ଼ି ହୋଇଥିଲେ।
ବିସିସିଆଇର ଅନ୍ୟ ପଦପଦବୀରେ କିଏ?
୭୦ ବର୍ଷରେ ପାଦ ଥାପିବା ମାତ୍ରେ ପ୍ରଚଳିତ ନିୟମ ଅନୁଯାୟୀ ରୋଜର ବିନ୍ନୀ ବିସିସିଆଇ ସଭାପତି ପଦ ଛାଡ଼ିବା ପରେ ଅନ୍ତରୀଣ ସଭାପତି ଭାବେ କାର୍ଯ୍ୟ କରି ଆସୁଥିବା ରାଜୀବ ଶୁକ୍ଳା ଉପ-ସଭାପତି ପଦ ବଜାୟ ରଖିଛନ୍ତି। ସେହିପରି ବିସିସିଆଇ ସମ୍ପାଦକ ଭାବେ ଦେବଜିତ ସାଇକିଆ, ଯୁଗ୍ମ-ସଂପାଦକ ଭାବେ ପ୍ରଭତେଜ ସିଂହ ଭାଟିଆ ଓ କୋଷାଧ୍ୟକ୍ଷ ଭାବେ ଏ ରଘୁରାମ ଭଟ ନିର୍ବାଚିତ ହୋଇଛନ୍ତି। ଅରୁଣ ଠାକୁର ଆଇପିଏଲର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।
/filters:format(webp)/odisha-reporter/media/media_files/2025/09/28/pragyan-ojha-2025-09-28-16-20-29.jpg)
ଚୟନ କମିଟିରେ ପ୍ରଜ୍ଞାନ ଓଝା
ବିସିସିଆଇ ପକ୍ଷରୁ ପୁରୁଷ ଚୟନ କମିଟି ପାଇଁ ଦୁଇ ଜଣ ନୂଆ ଚୟନକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି। ସେମାନେ ହେଉଛନ୍ତି ଆରପି ସିଂହ ଓ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା। ଅଜିତ ଅଗରକର ପୂର୍ବଭଳି ପୁରୁଷ ଚୟନ କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିର ଅନ୍ୟ ଦୁଇ ସଦସ୍ୟ ହେଉଛନ୍ତି ଓଡ଼ିଶାର ଶିବ ସୁନ୍ଦର ଦାସ ଓ ଅଜୟ ରାତ୍ରା। ପ୍ରଜ୍ଞାନ ଓଝା ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ ହେଁ ସେ ହାଇଦ୍ରାବାଦ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିଲେ। ବିସିସିଆଇ ଚୟନ କମିଟିରେ ସାମିଲ ହେବାରେ ପ୍ରଜ୍ଞାନ ଓଝା ହେଉଛନ୍ତି ତୃତୀୟ ଓଡ଼ିଆ। ପ୍ରଜ୍ଞାନ ଓ ଶିବ ସୁନ୍ଦର ଦାସଙ୍କ ପୂର୍ବରୁ ଦେବାଶିଷ ମହାନ୍ତି ଏହି କମିଟିର ସଦସ୍ୟ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
