ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ତା’ର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳୁଛି। ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଜାକେର ଅଲୀ ଓ ତୋହିଦ ହ୍ରିଦୟଙ୍କ ଲଢ଼ୁଆ ଇନିଂସ ବଳରେ ଫାଇଟ ବ୍ୟାକ କରିଛି। ଜାକେର ଅଲୀଙ୍କ ୬୮ ଓ ହ୍ରିଦୟଙ୍କ ଶତକ ଯୋଗୁ ବାଂଲାଦେଶ ନିର୍ଦ୍ଧାରିତ ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୨୮ ରନ କରିଛି। ଫଳରେ ଭାରତକୁ ଚାମ୍ପିୟନ୍ସ ଟ୍ରଫିରେ ନିଜର ପ୍ରଥମ ବିଜୟ ପାଇଁ ୨୨୯ ରନର ଟାର୍ଗେଟ ମିଳିଛି।
ତେବେ ଭାରତ ପାଇଁ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ରେ ଜଲୱା ଦେଖାଇଛନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି। ସେ ଚାମ୍ପିୟନ୍ସ ଟ୍ରଫିରେ ବିଶ୍ୱ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ବିଶ୍ୱର ପ୍ରଥମ ବୋଲର ଭାବେ ସବୁଠାରୁ କମ ବଲରେ ଦିନିକିଆ କ୍ରିକେଟରେ ୨୦୦ ୱିକେଟ ପୂରଣ କରିଛନ୍ତି। ମ୍ୟାଚ୍ କଥା ଦେଖିଲେ, ଶାମି ବିଶ୍ୱର ଦ୍ୱିତୀୟ ଦ୍ରୁତତମ ଓ ଭାରତର ପ୍ରଥମ ବୋଲର ଭାବେ ଏପରି ସଫଳତା ହାସଲ କରିଛନ୍ତି।
ଆଜି ବାଂଲାଦେଶ ଇନିଂସର ୪୩ତମ ଓଭରରେ ସେ ଜାକେର ଅଲୀଙ୍କୁ ବିରାଟ କୋହଲିଙ୍କ ହାତରେ କ୍ୟାଚ୍ ଆଉଟ କରିବା କ୍ଷଣି ନିଜ ଦିନିକିଆ କ୍ୟାରିୟରରେ ୨୦୦ତମ ୱିକେଟ ଦଖଲ କରିଥିଲେ। ଏହାପରେ ସେ ୪୭ତମ ଓଭରରେ ଓ ୪୯ତମ ଓଭରରେ ଆଉ ୨ଟି ୱିକେଟ ନେଇଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଏହା ଶାମିଙ୍କ ପ୍ରଥମ ୫ ୱିକେଟ ସଫଳତା। ଆଜିର ମ୍ୟାଚ୍ରେ ସେ ୧୦ ଓଭରରେ ୫୩ ରନ ଦେଇ ୫ ଜଣ ବାଂଲାଦେଶ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି।
ବିଶ୍ୱ କୀର୍ତ୍ତିମାନ
ଆଜିର ମ୍ୟାଚ୍ ପୂର୍ବରୁ ଶାମି ୨୦୦ ୱିକେଟ କ୍ଲବରୁ ୩ ସଫଳତା ଦୂରରେ ଥିଲେ। ସେ ନିଜର ପ୍ରଥମ ସ୍ପେଲରେ ସୌମ୍ୟ ସରକାର ଓ ମେହିଦୀ ହାସନ ମିରାଜଙ୍କୁ ସେ ଆଉଟ କରିଥିଲେ। ୪୩ତମ ଓଭରରେ ସେ ଜାକେର ଅଲୀଙ୍କୁ ଆଉଟ କରିବା ପରେ ୨୦୦ ୱିକେଟ କ୍ଲବରେ ନିଜକୁ ସାମିଲ କରିଥିଲେ। ଶାମି ବିଶ୍ୱର ପ୍ରଥମ ବୋଲର ଭାବେ ମାତ୍ର ୫୧୨୬ଟି ବଲରେ ଦିନିକିଆରେ ୨୦୦ ୱିକେଟ ଦଖଲ କରିଛନ୍ତି।
ତାଙ୍କ ପଛକୁ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୫୨୪୦ଟି ବଲ, ପାକିସ୍ତାନର ସାକିଲନ ମୁସ୍ତାକ ୫୪୫୧ ବଲ, ଅଷ୍ଟ୍ରେଲିଆର ବ୍ରେଟଟି ୫୬୪୦ ବଲ, ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ ୫୭୮୩ ବଲ ଓ ପାକିସ୍ତାନର ୱାକର ୟୁନିସ ୫୮୮୩ଟି ବଲରେ ନିଜ ନିଜ ଦିନିକିଆ କ୍ୟାରିୟରରେ ୨୦୦ ୱିକେଟ ନେଇଥିଲେ। ସେହିପରି ଭାରତର ଦ୍ରୁତତମ ବୋଲର ଭାବେ ସେ ୨୦୦ ୱିକେଟ ନେଇଛନ୍ତି। ପୂର୍ବରୁ ଏହି ରେକର୍ଡ ଅଜିତ ଅଗରକରଙ୍କ ନାଁରେ ଥିଲା। ସେ ୧୩୩ଟି ମ୍ୟାଚ୍ରେ ଏପରି ସଫଳତା ପାଇଥିଲେ। କିନ୍ତୁ ଶାମି ୧୦୪ ମ୍ୟାଚ୍ରେ ୨୦୦ ୱିକେଟ ହାସଲ କରିଛନ୍ତି।
ଭାରତର ୭ମ ବୋଲର
ଶାମି ଭାରତର ୭ମ ବୋଲର ଭାବେ ଦିନିକିଆ କ୍ରିକେଟର ୨୦୦ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଛନ୍ତି। ତାଲିକାର ୧ନଂ ସ୍ଥାନରେ ୩୩୪ ୱିକେଟ ସହ ଅନୀଲ କୁମ୍ବଲେ ରହିଥିବା ବେଳେ ତାଙ୍କ ପଛକୁ ଜବାଗଲ ଶ୍ରୀନାଥ(୩୧୫), ଅଜିତ ଅଗରକ(୨୮୮), ଜହିର ଖାନ(୨୬୯), ହରଭଜନ ସିଂହ(୨୬୫), କପିଲ ଦେବ(୨୫୩) ଓ ରବୀନ୍ଦ୍ର ଜାଡେଜା(୨୨୬) ରହିଛନ୍ତି। ଶାମି ୨୦୨ ୱିକେଟ ସହ ୭ମ ସ୍ଥାନରେ ରହିଛନ୍ତି।
ଦ୍ୱିତୀୟ ଦ୍ରୁତତମ ବୋଲର
ମ୍ୟାଚ୍ କଥା ବିଚାରକୁ ନେଲେ ଶାମି ବିଶ୍ୱର ଦ୍ୱିତୀୟ ଦ୍ରୁତତମ ବୋଲର ଭାବେ ୨୦୦ ୱିକେଟର କୀର୍ତ୍ତିମାନ ହାସଲ କରିଛନ୍ତି। ତାଙ୍କ ଉପରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ରହିଛନ୍ତି। ଷ୍ଟାର୍କ ୧୦୨ ମ୍ୟାଚ୍ରେ ଏପରି ରେକର୍ଡ କରିଥିବା ବେଳେ ଶାମି ଆଜି ନିଜର ୧୦୪ତମ ମ୍ୟାଚ୍ରେ ୨୦୦ ୱିକେଟ ପୂରଣ କରିଛନ୍ତି। ଶାମିଙ୍କ ପଛରୁ ଟ୍ରେଣ୍ଟ ବୋଲ୍ଟ(୧୦୭ ମ୍ୟାଚ), ବ୍ରେଟ ଲି(୧୧୨ ମ୍ୟାଚ୍) ଓ ଆଲାନ ଡୋନାଲ୍ଟ(୧୧୭ ମ୍ୟାଚ୍) ରହିଛନ୍ତି।
ଚାମ୍ପିୟନ୍ସ ଟ୍ରଫି ଓ ବିଶ୍ୱକପରେ ସର୍ବାଧିକ ୱିକେଟ
ଶାମି ଭାରତ ପାଇଁ ଏକାଧିକ ଆଇସିସି ଇଭେଣ୍ଟ ଖେଳିଛନ୍ତି। ବର୍ତ୍ତମାନ ସେ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ୱିକେଟ ନେବାର ଖେଳାଳି ବନି ଯାଇଛନ୍ତି। ଶାମି ୬୦ଟି ୱିକେଟ ନେଇଥିବା ବେଳେ ତାଙ୍କ ପଛକୁ ୫୯ ୱିକେଟ ସହ ଜହିର ଖାନ, ୪୭ ୱିକେଟ ସହ ଜବାଗଲ ଶ୍ରୀନାଥ ଓ ୪୩ ୱିକେଟ ସହ ରବୀନ୍ଦ୍ର ଜାଡେଜା ରହିଛନ୍ତି।
ଅନ୍ୟପକ୍ଷରେ ଚାମ୍ପିୟନ୍ସ ଟ୍ରଫିର କୌଣସି ମ୍ୟାଚ୍ରେ ଶ୍ରେଷ୍ଠ ପ୍ରଦର୍ଶନ ମାମଲାରେ ଶାମି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଜି ଶାମି ୧୦ ଓଭରରେ ୫୩ ରନ ଦେଇ ୫ ସଫଳତା ପାଇଛନ୍ତି। ତାଙ୍କ ଉପରେ ରବୀନ୍ଦ୍ର ଜାଡେଜା ରହିଛନ୍ତି। ସେ ୨୦୧୩ ଚାମ୍ପିୟନ୍ସ ଟ୍ରଫିର ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ରେ ୩୬ ରନ ଦେଇ ୫ ୱିକେଟ ନେଇଥିଲେ। ଏମାନଙ୍କ ବ୍ୟତୀତ ୧୯୯୮ରେ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ବିପକ୍ଷରେ ୩୮ ରନ ଦେଇ ୪ ୱିକେଟ ଓ ୨୦୦୨ରେ ଜହିର ଖାନ ଜିମ୍ବାୱେ ବିପକ୍ଷରେ ୪୫ ରନରେ ୪ ୱିକେଟ ନେଇଥିଲେ।
ଶାମିଙ୍କ କମବ୍ୟାକ
୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ବେଳେ ଶାମି ଆହତ ହୋଇଥିଲେ। ଏଥିଯୋଗୁ ତାଙ୍କୁ ୧୪ ମାସ ପଡ଼ିଆ ବାହାରେ ବିତାଇବାକୁ ପଡ଼ିଥିଲା। ଏହାପରେ ସେ ବେଙ୍ଗଲ ପାଇଁ ରଣଜୀ ଟ୍ରଫି ଖେଳି କ୍ରିକେଟକୁ କମବ୍ୟାକ କରିଥିଲେ। ଶେଷରେ ଇଂଲଣ୍ତ ବିପକ୍ଷ ଟି-୨୦ ସିରିଜରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ ହୋଇଥିଲା। ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ମଧ୍ୟ ଖେଳିଥିଲେ। ଅବଶ୍ୟ ଶେଷ ଦିନିକିଆରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ଏବେ ସେ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ରେ ୫ ୱିକେଟ ଦଖଲ କରି ନିଜ ଜଲୱା ଦେଖାଇଛନ୍ତି। ଦିନିକିଆରେ ୨୦୦ ୱିକେଟର କୀର୍ତ୍ତିମାନ ହାସଲ କରିଥିବା ଶାମି ୬୪ ଟେଷ୍ଟରେ ୨୨୯ ୱିକେଟ ଓ ୨୫ ଟି-୨୦ରେ ୨୭ଟି ୱିକେଟ ନେଇଛନ୍ତି।